Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମହାମାରୀ ପ୍ରକୋପରୁ ଉଦ୍ଧାର ପାଇଁ ଗୋବର୍ଦ୍ଧନପୁରରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ

ରମେଶ ମହାନ୍ତି
ଜଗତସିଂହପୁର: କରୋନା ମହାମାରୀର ଦୃତ ସଂକ୍ରମଣ ଯୋଗୁ ବିଶ୍ୱରେ ହାହାକାର ପଡିଥିବା ବେଳେ ଏହି ମହାମାରୀର ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଥିବା ଦେଖିବାକୁ ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ସ୍ଥିତ ବାଣସରା ଗୋବର୍ଦ୍ଧନପୁର ମାତାମଠ ଠାରେ ଗତ ୧୮ ତାରିଖ (ରବିବାର) ଠାରୁ ୩୯ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନାମଯଜ୍ଞ ଆରମ୍ଭ ହୋଇଛି।

ଏଥିସହିତ ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ରାଘବ ଚରଣ ଦାସଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ୫ଦିନ ବ୍ୟାପି ମାତାମଠରେ ଚାଲିଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ଗତ ରବିବାର ଦିନ ଅଙ୍କୁରାରୋପଣ ସହ ବାସନ୍ତୀଦୁର୍ଗା ଦେବୀଙ୍କ ବିଲ୍ୱାଧିବାସ, ନାମଯଜ୍ଞ ଓ ଯଜ୍ଞଧିବାସ ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ଅଗ୍ନିସ୍ଥାପନ ସହ ଅହୋରାତ୍ର ନାମଯଜ୍ଞ ଚାଲିଛି। ଏଥିସହିତ ଉକ୍ତ ମହାଯଜ୍ଞ ସ୍ଥଳରେ ମାତାମଠ ସରସ୍ୱତୀ ଶିଶୁ ମନ୍ଦିରର ଉପଦେଷ୍ଟା ତଥା ଶିକ୍ଷାବିତ୍ ସୁରଥ କୁମାର ସୁତାର, ସମାଜସେବୀ ସୁନାକର ବେହେରା, କାଠକୋଟ ପଞ୍ଚାୟତର ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକ, କୁଜଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ରଘୁନାଥ ସାହୁ, ସମାଜସେବୀ ବିଭୂତି ଭୂଷଣ ରାୟମହାପାତ୍ର, ଅଲେଖ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ମଠାଧିଶ ମହନ୍ତ ଦୟାନିଧି ଦାସ ପୁଷ୍ପଗୁଚ୍ଛ ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରି ମାଟି ମହକ ସମ୍ମାନରେ ସମ୍ମାନିତ କରିଥିଲେ।

ମାତାମଠର ମୁଖ୍ୟ ମହନ୍ତ ଦୟାନିଧି ଦାସ, ମଠର ପୂଜକ ଶୁଶାନ୍ତ ପଣ୍ଡା, ପୂଜକ ରବି ନାରାୟଣ ଦାଶ, ସନ୍ତୋଷ କୁମାର ପତି ରବି ନାରାୟଣ ପତି, ରମେଶ ଚନ୍ଦ୍ର ପରିଜା, ଶ୍ରୀକାନ୍ତ ଦାଶ, ନରେଶ ପରିଜା, ହେମନ୍ତ ସ୍ୱାଇଁ, ନିତ୍ୟାନନ୍ଦ ମଲ୍ଲ, କୁଳମଣି ପଟ୍ଟନାୟକ ପ୍ରମୁଖଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ତିନୋଟି ଗ୍ରାମ କାଠକୋଟ, ବାଣସରା ଓ ଗୋବର୍ଦ୍ଧନପୁର ଗ୍ରାମର ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ।