Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଲଗାଇ ଗାଡ଼ିରେ ହେଉଥିଲା ଗୋ ଚାଲାଣ, ୬୭ ଗୋରୁ ଉଦ୍ଧାର

ଖୋର୍ଦ୍ଧା: ନିକଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଗୋ ଚାଲାଣ ଯୋଜନାକୁ ପୋଲିସ ପଣ୍ଡ କରି ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ସମାନ ଘଟଣା ଘଟିଛି ବାଘମାରି ଥାନା ଅଞ୍ଚଳରେ। ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଓଆର ୦୧-ଏମ-୪୪୮୮ ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଘମାରି କଲେଜ ସମ୍ମୁଖରେ ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଥିଲା। ଗାଡିକୁ ଅଟକ ରଖି ଯୁବକମାନେ ବାଘମାରୀ ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଗାଡିଟି ଥାନା ପରିସରରେ ଥିବା ବେଳେ ଉକ୍ତ ଗାଡ଼ିରୁ ୬୭ ଗୋଟି ଗୋରୁ ଉଦ୍ଧାର ହେବା ସହ ଗାଡ଼ି ମାଲିକ ଅଟକ ଥିବାର ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି।

ତେବେ ବାରମ୍ବାର ଜିଲ୍ଲାରେ ଏପରି ଘଟଣା ଘଟୁଥୁବା ବେଳେ ଜନସାଧାରଣ ଏଥିରେ ମର୍ମାହତ ହେବା ସହ ପୋଲିସକୁ ଏହା ଉପରେ କଠୋର ଅଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାରେ ଆଉ ଏକ କୁତ୍ସିତ ଦୃଶ୍ୟ ସାମ୍ନାକୁ ଆସିଛି। ମାଫିଆମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥିବା ଗାଡିକୁ ଗୋ ଚାଲାଣ ପାଇଁ ବ୍ୟବହାର କରିଛନ୍ତି, ଯାହାକି ବହୁ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତତସହିତ ଜନସାଧାରଣ ଏ ଦୃଶ୍ୟ ଦେଖି ଆହୁରି ଉତ୍ୟକ୍ତ ହୋଇଛନ୍ତି।

ଉକ୍ତ ଘଟଣାରେ ଗାଡ଼ି ମାଲିକ ଅଟକ ଥିବା ବେଳେ ସଂଶ୍ଲିଷ୍ଟ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।