Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଫେସବୁକରେ ଧାର୍ମିକ ଭାବନାକୁ ଆଘାତ ଦେବା ପରି ଆପତ୍ତିଜନକ ପୋଷ୍ଟ କରି ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦରେ ଗୋ ହତ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନା ମୂଳକ କାର୍ଯ୍ୟ କରେ ତେବେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା।

ତେବେ ଉକ୍ତ ଘଟଣାକୁ ନେଇ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ମୁକୁନ୍ଦପ୍ରସାଦ ଅଞ୍ଚଳର ହବିବ ଖାନ (୨୫) ବୋଲି ଜଣାପଡିଛି। ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି ଅପମାନଜନକ ପୋଷ୍ଟ କରିଥିଲେ।

ଏହା ଜାଣିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ ନିଜଆଡୁ କେସ ନମ୍ବର ୪୭୦/୨୩, ଦଫା ୨୯୪, ୫୦୬, ୧୫୩ (କ) ରେ ମାମଲା ରୁଜୁ କରିଛନ୍ତି।

ଅନୁରୂପ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଯଦି କୌଣସି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ ଦେବା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି କାର୍ଯ୍ୟ କରିବ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ତଦନ୍ତକାରି ଅଧିକାରିଣୀ ଶ୍ରୀମତୀ ବରାଳ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋ ହତ୍ୟା ଅଭିଯୁକ୍ତର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ବୁଧବାର ଦିନ ଏକ ରାୟରେ କହିଛନ୍ତି ଯେ ବୈଜ୍ଞାନିକମାନଙ୍କ ମତରେ ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଏବଂ ଅମ୍ଳଜାନ ତ୍ୟାଗ କରେ। ଗାଈର କ୍ଷୀର, ଦହି, ଘିଅ, ପରିସ୍ରା ଏବଂ ଗୋବରରୁ ପ୍ରସ୍ତୁତ ପଞ୍ଚଗଭ୍ୟ ଅନେକ ଅସାଧ୍ୟ ରୋଗ ପାଇଁ ଉପକାରୀ ଅଟେ। ଆବେଦନକାରୀ ଜାଭେଦଙ୍କ ଜାମିନ ଆବେଦନକୁ ଖାରଜ କରି ଜଷ୍ଟିସ ଶେଖର କୁମାର ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି। ଜାଭେଦ୍ ତାଙ୍କ ସହଯୋଗୀଙ୍କ ସହ ଅଭିଯୋଗକାରୀ ଖିଲେନ୍ଦ୍ର ସିଂଙ୍କ ଗାଈ ଚୋରି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ହିନ୍ଦୁ ଧର୍ମ ଅନୁଯାୟୀ ୩୩ କୋଟି ଦେବତା ଗାଈର ଦେହରେ ବାସ କରନ୍ତି। ଗାଈକୁ ଋକବେଦରେ ଅଘନ୍ୟା, ଯଜୁର୍ବେଦରେ ଅନୁପମେୟ ଏବଂ ଅଥର୍ବେଦରେ ସମ୍ପତ୍ତିର ଘର କୁହାଯାଏ। ଗାଈ ଚରେଇବା ସମୟରେ ଭଗବାନ କୃଷ୍ଣଙ୍କୁ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଥିଲା। ବାଲ ଗଙ୍ଗାଧର ତିଲକ କହିଥିଲେ ଯେ, “ମୋତେ ମାରିଦିଅ ପଛେ, ଗାଈ ଉପରେ ହାତ ଲଗାଅ ନାହିଁ।” ସମ୍ପୂର୍ଣ୍ଣ ଗୋ ହତ୍ୟା ଉପରେ ନିଷେଧାଦେଶ ଜାରି କରିବା ପାଇଁ ପଣ୍ଡିତ ମଦନ ମୋହନ ମାଲଭିୟ ଦାବି କରିଥିଲେ। ଗାଈମାନଙ୍କୁ ମଣିଷର ବନ୍ଧୁ ଭାବରେ ଭଗବାନ ବୁଦ୍ଧ ବର୍ଣ୍ଣନା କରନ୍ତି। ଏଥି ସହିତ ଜୈନମାନେ ଗାଈକୁ ସ୍ୱର୍ଗ ବୋଲି କହିଛନ୍ତି।

କୋର୍ଟ କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଗଠନ ସମୟରେ ବିଧାନସଭାର ଅନେକ ସଦସ୍ୟ ଗାଈ ସଂରକ୍ଷଣକୁ ଏକ ମୌଳିକ ଅଧିକାର ଭାବରେ ଅନ୍ତର୍ଭୁକ୍ତ କରିବା ବିଷୟରେ ଆଲୋଚନା କରିଥିଲେ। ହିନ୍ଦୁମାନେ ଶତାବ୍ଦୀ ଧରି ଗାଈକୁ ପୂଜା କରିଆସୁଛନ୍ତି। ଅଣ-ହିନ୍ଦୁମାନେ ମଧ୍ୟ ଏହା ବୁଝନ୍ତି ଏବଂ ଏହି କାରଣରୁ ହିନ୍ଦୁ ଭାବନାକୁ ସମ୍ମାନ ଦେଇ ଅଣ-ହିନ୍ଦୁ ନେତାମାନେ ମୋଗଲ ଯୁଗରେ ଗାଈ ହତ୍ୟାକୁ ଦୃଢ ବିରୋଧ କରିଥିଲେ।

ଅଦାଲତ କହିଛନ୍ତି, ଏହା କହିବା ଅର୍ଥ ହେଉଛି ଯେ ଦେଶର ଅଧିକାଂଶ ମୁସଲମାନ ନେତୃତ୍ୱ ସର୍ବଦା ଗାଈ ହତ୍ୟା ଉପରେ ଦେଶବ୍ୟାପୀ ନିଷେଧାଦେଶ ସପକ୍ଷରେ ରହିଆସିଛନ୍ତି। ଖ୍ୱାଜା ହାସନ ନିଜାମି ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ସେ ଏକ ପୁସ୍ତକ ଲେଖିଥିଲେ – ‘ତାର୍କ ଏ ଗାଓ କୁଶି’ ଯେଉଁଥିରେ ସେ ଗାଈମାନଙ୍କୁ ହତ୍ୟା ନକରିବା ବିଷୟରେ ଲେଖିଥିଲେ। ସମ୍ରାଟ ଆକବର, ହୁମାୟୁନ ଏବଂ ବାବର ସେମାନଙ୍କ ସୁଲତାନରେ ଗାଈଙ୍କୁ ହତ୍ୟା ନକରିବା ପାଇଁ ନିବେଦନ କରିଥିଲେ।

କୋର୍ଟଙ୍କ କହିବାନୁସାରେ, “ଜମିୟତ୍-ଏ-ଉଲେମା-ଏ-ହିନ୍ଦର ମୌଲାନା ମହମୁଦ ମଦାନୀ ଭାରତରେ ଗୋ ହତ୍ୟାକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଈକୁ ଜାତୀୟ ପଶୁ ଭାବରେ ଘୋଷଣା କରିବା ଏବଂ ହିନ୍ଦୁମାନଙ୍କର ମୋଲିକ ଅଧିକାରରେ ଗୋ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି।