Categories
ବିଶେଷ ଖବର

ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ସାଢ଼େ ୯ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍) ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି।

ଚଳିତ ବର୍ଷ ଡିସେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏସଆଇଏଚ ୨୦୨୩ରେ ୪୪,୦୦୦ ଟିମରୁ ୫୦,୦୦୦ରୁ ଅଧିକ ଆଇଡିଆ ମିଳିଥିଲା, ଯାହା ଏସଆଇଏଚର ପ୍ରଥମ ସଂସ୍କରଣ ତୁଳନାରେ ପ୍ରାୟ ସାତ ଗୁଣ ଅଧିକ । ଦେଶର ୪୮ଟି ନୋଡାଲ ସେଣ୍ଟରରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ୧୨ ହଜାରରୁ ଅଧିକ ପ୍ରତିଯୋଗୀ ଓ ୨୫୦୦ରୁ ଅଧିକ ପ୍ରଶିକ୍ଷକ ଅଂଶଗ୍ରହଣ କରିବେ। ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ରୋବୋଟିକ୍ସ ଏବଂ ଡ୍ରୋନ, ଐତିହ୍ୟ ଓ ସଂସ୍କୃତି ଇତ୍ୟାଦି ବିଭିନ୍ନ ବିଷୟବସ୍ତୁ ଉପରେ ସମାଧାନ ପ୍ରଦାନ କରିବା ପାଇଁ ଚଳିତ ବର୍ଷ ଗ୍ରାଣ୍ଡ ଫିନାଲେ ପାଇଁ ମୋଟ ୧୨୮୨ଟି ଦଳ ଚୟନ କରାଯାଇଛି।

ଅଂଶଗ୍ରହଣକାରୀ ଦଳମାନେ ୨୫ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ୫୧ଟି ବିଭାଗ ଦ୍ୱାରା ଉପସ୍ଥାପନ କରାଯାଇଥିବା ୨୩୧ଟି ସମସ୍ୟା ବିବରଣୀ (୧୭୬ଟି ସଫ୍ଟୱେର ଏବଂ ୫୫ଟି ହାର୍ଡୱେୟାର)ର ମୁକାବିଲା ଓ ସମାଧାନ ପ୍ରଦାନ କରିବେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ ପାଇଁ ମୋଟ ପୁରସ୍କାର ୨ କୋଟି ଟଙ୍କାରୁ ଅଧିକ, ଯେଉଁଥିରେ ପ୍ରତ୍ୟେକ ବିଜେତା ଦଳକୁ ପ୍ରତି ସମସ୍ୟା ବିବରଣୀ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅକ୍ଟୋବର ୧୫ ସନ୍ଧ୍ୟା ୬.୩୦ରେ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ

ନୂଆଦିଲ୍ଲୀ: ଜୀ-ସାର୍ଥକରେ ଚଳିତ ବର୍ଷ ଜୁଲାଇ ୨୨ରୁ ଆରମ୍ଭ ହୋଇ ଦର୍ଶକଙ୍କ ମନ ଜିତିଥିବା ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ ‘ ପହଞ୍ଚିଛି ତାର ଶେଷ ପାହାଚରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ। ତେବେ ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ ବି ହେବ ପୁରା ଗ୍ରାଣ୍ଡ ଆକାରରେ ଆସନ୍ତା ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬.୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକରେ।

ବହୁ ପ୍ରତିଭାବାନ ପ୍ରତିଯୋଗୀ ମାନଙ୍କୁ ନେଇ ଏହି ରିଏଲିଟି ସୋ ବିଭିନ୍ନ ପ୍ରତିଯୋଗିତା ମୂଳକ ରାଉଣ୍ଡ ଦେଇ ଗତି କରିବା ସହ ଏଲିମିନେସନ ରାଉଣ୍ଡ ଶେଷରେ ୧୦ ଜଣ ପ୍ରତିଯୋଗୀଙ୍କୁ ନେଇ ତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛି। ତେବେ ଦର୍ଶକ ମାନେ କେବଳ ପ୍ରତିଯୋଗୀ ମାନଙ୍କର ପ୍ରଦର୍ଶନ ନୁହେଁ, ଅନ୍ୟ କଳାକାର ମାନଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ପାଇବେ। ସିନିଅର ଲେବଲ ‘ସାରେଗାମାପା’ ବିଜେତାଙ୍କ ପ୍ରଦର୍ଶନ, ଜୀ ସାର୍ଥକର ‘ଶକ୍ତି’, ‘ସନ୍ଧ୍ୟା ରାଗିଣୀ’ ଓ ‘ତୁ ମୋ ସାଥିରେ’ ପରି ଦର୍ଶକାଦୃତ ମେଗା ଧାରାବାହିକର କଳାକାରଙ୍କ ଛଡ଼ା ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଯେପରିକି ସ୍ଵରାଜ ବାରିକ, ତମନ୍ନା ବ୍ଯାସ, ଶିବାନୀ ସଙ୍ଗୀତା ଓ ଲୋକପ୍ରିୟ ଗାୟକ ଓ ଗାୟିକା ଯେପରିକି ହ୍ୟୁମାନ ସାଗର, ସତ୍ୟଜିତ, ଲୋକପ୍ରିୟ ସମ୍ବଲପୁରୀ ଗାୟକ ରୁକୁ ସୁନା, କୁଳଦୀପ ଓ ଅନନ୍ୟା ଶ୍ରିତମ ନନ୍ଦଙ୍କ ସଙ୍ଗୀତ ମଧ୍ୟ ଶୁଣିବାକୁ ପାଇବେ।

ଏଥର ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିଛନ୍ତି ଭାରତର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରିଆ ଯିଏ ନିକଟରେ ଲୋକପ୍ରିୟ ହିନ୍ଦୀ ସଙ୍ଗୀତ ‘ମେରେ ଇନ୍ତିକାମ ଦେଖେଗି’ ମାଧ୍ୟମରେ ସମଗ୍ର ଦେଶର ସଙ୍ଗୀତ ପ୍ରେମୀଙ୍କ ମନ ଜିତିଛନ୍ତି। ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯିଏ ନିଜ ସଙ୍ଗୀତ ମାଧ୍ୟମରେ ଓଡ଼ିଶା ସମସ୍ତ ଯୁବବର୍ଗଙ୍କୁ ନିଜ ଗୀତର ତାଳେ ତାଳେ ନଚାଇବାରେ ସକ୍ଷମ ହୋଇଛନ୍ତି ପୁଣି ତାଙ୍କ ସାଙ୍ଗରେ ଅଛନ୍ତି ଓଡ଼ିଆ ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଗୁଡଲି ରଥ । ଏହି ଗ୍ରାଣ୍ଡ ଫିନାଲେ ଧମାକାରେ ହ୍ୟୁମାନ ସାଗର ନାଇଟ ଛଡା ଏହି ଜୁରୀ ବା ବିଚାରକ ମାନଙ୍କ ପ୍ରଦର୍ଶନ ବି ଉଚ୍ଚକୋଟିରେ ହେବ ବୋଲି କହିଛି ଜୀ-ସାର୍ଥକ ଟିମ୍।

ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପର ସୁଯୋଗ ମିଳିଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି।

ଆଗରୁ ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି। ତେଣୁ ଏହି ରିଏଲିଟି ସୋ ର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ ଓ ଏହି ଗ୍ରାଣ୍ଡ ଫିନାଲେ ଅତ୍ୟନ୍ତ ମନମୁଗ୍ଧକର ହେବ କାରଣ ହ୍ୟୁମାନ ସାଗରଙ୍କ ସ୍ପେଶାଲ ନାଇଟ ପ୍ରୋଗ୍ରାମ ରହିବ, ସେଥିପାଇଁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ,” କହିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୬ ସନ୍ଧ୍ୟା ୬:୩୦ ରେ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ -ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ’ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ’ ଆରମ୍ଭରୁ ଦର୍ଷକଙ୍କ ମନ ଜିତିଛି। ଏହି ରିଅଲିଟି ଶୋରେ ଅଭିନେତ୍ରୀମାନେ ପରସ୍ପରକୁ ଦେଇଛନ୍ତି କଡ଼ା ଟକ୍କର।

ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି। ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ଡ୍ୟାନ୍ସ ରିଅଲିଟି ଶୋର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬:୩୦ ରୁ କେବଳ ଜୀ-ସାର୍ଥକରେ।

ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଏହି ରିଅଲିଟି ଶୋରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିଛନ୍ତି। ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେଇଛନ୍ତି ନିକିତା, ଅଙ୍କିତା, ସ୍ମତି,
ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା।

ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ପ୍ରସାରିତ ଡ୍ୟାନ୍ସ ଧମାକାରେ ନାୟିକାମାନେ ନୃତ୍ୟ ପ୍ରଦର୍ଶନ ଦେଇ ଅବିରତ କମାଲ ଦେଖାଇଛନ୍ତି। ତେବେ କିଏ ପିନ୍ଧିବ ବିଜୟର ମୁକୁଟ ତାହା ଦେଖିବାକୁ ସାରା ଓଡ଼ିଶା ଚାହିଁ ବସିଛି। ନୃତ୍ୟ ପ୍ରଦର୍ଶନରେ କେହି କାହାଠାରୁ କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋରେ ଚେଷ୍ଟା କରିଛନ୍ତି। ତେବେ କେବଳ ଜୁରି ମାନେ ନୁହେଁ, ଦର୍ଶକଙ୍କ ଭୋଟ ମଧ୍ୟ ଜିତାଇବ ତାଙ୍କର ଫେବରାଇଟ୍ ଅଭିନେତ୍ରୀଙ୍କୁ ବୋଲି ଜୀ- ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ କହିଛନ୍ତି।