Categories
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ବାଣପୁର ବ୍ଲକ ଘେରାଉ କଲା ବିଜେପି

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି।

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା।

ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା ଫେରସ୍ତର ମିଛ ପ୍ରତିଶୃତିରେ ବିମୋହିତ କରି ଭୋଟ ହାତେଇ ଥିବାବେଳେ ଟଙ୍କା ଫେରସ୍ତର ତ ଦୁରକଥା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଶ୍ୱାସନା ମଧ୍ୟ ଦେଇନାହାନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଏପରି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟେଇବା ଦରକାର ବୋଲି ମତ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ନାଥ ଭୋଳ, ଜିଲ୍ଲା ଉପ ସଭାପତି ବିଜୟ ବିଶ୍ୱାଳ, ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ବାଣପୁର ବ୍ଲକରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ରଣ ହୁଙ୍କାର ଦେଇଥିଲେ।

ଆଗାମୀ ଦିନରେ ଏହିଭଳି ମନମୁଖୀ କାର୍ଯ୍ୟ ଜାରି ରହିଲେ ବାଣପୁରବାସି ସବୁଦିନ ପାଇଁ ବ୍ଲକରେ ତାଲା ପକାଇଦେବେ ବୋଲି ନେତାମାନେ ତାଗିଦ କରିଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ ଆଗାମୀ ନିର୍ବାଚନରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ଗାଁ ଗଣ୍ଡାରେ ପୁରାଇ ଦିଆଯିବନି ବୋଲି ମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛପାଣିର ବ୍ୟବସ୍ଥା ସହ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ସୁବିଧା କରିବାକୁ ନେତାମାନେ ଦାବୀ କରିଥିଲେ।