Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଚାକିରି ପାଇଁ ଉଦ୍ୟମ: ପାଞ୍ଚ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି।

ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ଥାନା ମୁରିବାହଲର  କୁଳମଣି ରାଣା (୨୪), ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର ରଜତ କୁମାର ନାଏକ (୩୨), ବଲାଙ୍ଗୀର ଥାନା ଅଞ୍ଚଳର ସୁଧିର ଭୁଏ (୨୭) ଏବଂ  ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗ  (୪୫) ।

ପୂର୍ବରୁ ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡର ଅଭିଜିତ କୁମାର ଭକତ, ବଲାଙ୍ଗୀର ଟାଉନ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସର ମାଲିକ ମନୋଜ ମିଶ୍ର ଏବଂ ଆଲୋକ ରଞ୍ଜନ ଉଦଗାତାଙ୍କ ସମେତ  ଏହି ରାକେଟ ସହିତ ଜଡିତ ଅନ୍ୟ ୧୭ ଜଣଙ୍କୁ ଗିରଫ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ,  ୨୦୨୩ ଜାନୁଆରୀ ମାସରେ ଗ୍ରାମୀଣ ଡାକ ସେବକ (ଜିଡିଏସ୍)ରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ଚାକିରି ନିମନ୍ତେ ହଜାର ହଜାର ସଂଖ୍ଯାରେ ଆଶାୟୀ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ତେବେ କିଛି ପରୀକ୍ଷାର୍ଥୀ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଚାକିରୀ ପାଇବାକୁ ଉଦ୍ୟମ କରୁଥିବା ସଂକ୍ରାନ୍ତରେ ବଲାଙ୍ଗୀର ଡିଭିଜନର ଡାକଘର ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ଏକ ସଂଗଠିତ ନେଟୱାର୍କ କାର୍ଯ୍ୟ କରୁଥିବା ସମ୍ପର୍କରେ ଜାଣିବାକୁ ପାଇଥିଲା। ତେବେ ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ  ପରବର୍ତ୍ତୀ ସମୟରେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିକାଶ ରଞ୍ଜନ ବେହୁରାଙ୍କ ନେତୃତ୍ଵରେ ଏକ ଟିମ ଗଠନ କରାଯାଇ ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା।  ଅଭିଯୁକ୍ତମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରତିଷ୍ଠାନରୁ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଚାକିରୀ ଆଶାୟୀଙ୍କୁ ଯୋଗାଉ ଥିବା ସମ୍ପର୍କରେ ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲେ। ଏହି ଠକେଇ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ  ପୋଲିସର ତଦନ୍ତ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୫ ଦଫା ଦାବୀରେ ଗ୍ରାମୀଣ ଡାକ ସେବକ ମାନଙ୍କ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଧର୍ମଘଟ

ରଣପୁର: ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ, ଓଡିଶା ସର୍କଲର ଡାକରା କ୍ରମେ ରଣପୁର ଅଂଚଳରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକ ମାନଙ୍କ ତରଫରୁ ରଣପୁର ଉପ-ଡାକଘର ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଧର୍ମଘଟ ଆରମ୍ଭ ହୋଇଛି। ସେମାନଙ୍କ ୫ ଦଫା ଦାବୀ କୁ ବିଚାରକୁ ନିଆନଗଲେ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।

ଏହି ଦାବୀ ଗୁଡିକ (୧) ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଂଟ ଦୈନିକ ୮ଘଂଟା ସ୍ଥିର କରାଯାଉ, (୨)ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶ କୁ ଶୀଘ୍ର ଲାଗୁ କରାଯାଉ, (୩) ସମସ୍ତ ଗ୍ରାମୀଣ ଡାକ ସେବକ ଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉ, (୪) ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ସେଭେରାନ୍ସ ଆଲାଉନ୍ସ ପ୍ରଦାନ କରାଯାଉ, (୫) ଟାର୍ଗେଟ୍ ନାମରେ ଅଧିକାରୀ ମାନଙ୍କ ଜୁଲୁମ୍ ବନ୍ଦ ହେଉ ବୋଲି ଉଲ୍ଲେଖ ରହିଥିବା ଜଣାଯାଇଛି। ଏହି ଧର୍ମଘଟ ଫଳରେ ସମଗ୍ର ରଣପୁର ଅଂଚଳରେ ଡାକସେବା ବ୍ୟାହତ ହୋଇଥିବା ଜଣାଯାଇଛି।

Categories
ଆଞ୍ଚଳିକ

ଗଙ୍ଗାଧରପୁର ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକର ଗଙ୍ଗାଧରପୁର ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଶାଖା ଡାକ ଘର ଡାକପାଳଙ୍କ ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ମୋଟ ୮ ଟି ଗ୍ରାମୀଣ ଶାଖା ଡାକ ଘର ଯଥା ନଇରୀ, ଵଉଳାବନ୍ଧ, ନାଚୁଣୀ, ସୁନାଖଳା, ସଲପଡିହ, କୁଲେଇ, ହରିକୁଣ୍ଡ ଵରଡିହ ସାମିଲ ହୋଇଛନ୍ତି। ଫଳରେ ଗଙ୍ଗାଧର ପୁର ଉପଡାକ ଘର ସମେତ ଉପରୋକ୍ତ ଶାଖା ଡାକ ଘରର ଡାକ ସେବା ବ୍ୟାହତ ହୋଇଯାଇଛି।

ସ°ପୃକ୍ତ ଗ୍ରାମୀଣ ଶାଖା ଡାକଘରର ଡାକପାଳ ଯଥା ଦୁର୍ଗା ପ୍ରସାଦ ଜେନା, ଲକ୍ଷ୍ମୀକାନ୍ତ ଘଡେ଼ଇ, ପ୍ରଶାନ୍ତ ବେହେରା, ହୁସନାରା ଵେଗମ, ଅପରାଜିତା କହଁର, ମୋହିନୀ ହେମ୍ବ୍ରମ, ସୈ।ମିତ୍ରୀ ରାଉତରାୟ, ଖଗେଶ୍ବର ବାରିକ, ରମେଶ ଚନ୍ଦ୍ର ସାମନ୍ତରାୟ, ଶୁଭଶ୍ରୀ ବେହେରା ସାମିଲ ହୋଇ ଆନ୍ଦୋଳନ ଓ ଧାରଣାରେ ବସିଥିବା ପ୍ରକାଶ।

ସୂଚନା ଅନୁସାରେ ଗ୍ରାମୀଣ ଶାଖା ଡାକ ଘରର ଡାକପାଳଙ୍କ ୧୦ ଦଫା ଦାବି ପୁରଣ ନହେଲେ ଆଗକୁ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନ କାରୀଙ୍କ ସୂତ୍ରରୁ ପ୍ରକାଶ।