Categories
ବିଶେଷ ଖବର ରାଜ୍ୟ ଖବର

ଗ୍ୟାସ ସିଲିଣ୍ଡର, କାଠଚୁଲା ଧରି ରାଜଭବନ ସମ୍ମୁଖରେ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: କେନ୍ଦ୍ର ସରକାର ବାରମ୍ବାର ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜଭଭନ ସମ୍ମୁଖରେ ଏହି ଦରବୃଦ୍ଧି ପ୍ରତିବାଦରେ ଦଳ ତୀବ୍ର ବିରୋଧ କରିଛି। ଧାରଣା ସ୍ଥଳରେ ଗ୍ୟାସ ସିଲିଣ୍ଡର ଏବଂ କାଠଚୁଲାରେ ରୋଷେଇ କରି ଅଭିନବ ପ୍ରତିବାଦ କରିଛି ଦଳ।

ଆଜି ସକାଳୁ ଦଳର ବରିଷ୍ଠ ନେତାମାନେ ସେଠାରେ ଏକାଠି ହୋଇ ଏହି ଦରବୃଦ୍ଧିକୁ ପ୍ରତିବାଦ କରିଥିଲେ। ଦଳ କହିଛି ଯେ, ବିଗତ ନଅ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦର ପ୍ରାୟ ତିନିଗୁଣା ବୃଦ୍ଧି ପାଇଛି। ସେହିପରି ଉଜ୍ଜଳା ଯୋଜନା ବର୍ତ୍ତମାନ ହିତାଧିକାରୀଙ୍କ ପାଇଁ ହୋଇପଡିଛି ଅନ୍ଧାରୀ ଯୋଜନା। ଯେଉଁମାନଙ୍କୁ ଏହି ସିଲିଣ୍ଡର ଦିଆଯାଇଥିଲା ସେମାନେ ତାହା ଫେରାଇ ଦେବାକୁ ବସିଛନ୍ତି।

ଦିନକୁ ଦିନ ଗ୍ୟାସ ଦର ଖାଉଟିଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ତୁରନ୍ତ ଏହାର ଦର ହ୍ରାସ କରନ୍ତୁ ବୋଲି ଦଳ ଦାବୀ କରିଛି। ଏହା ଓଡିଶାର ମା ଭଉଣୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଦଳର ଏକ ବରିଷ୍ଠ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ମେୟର ସୁଲଚନା ଦାସ ପ୍ରମୁଖ ଶତାଧିକ କର୍ମି ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଯେଭଳି ଅହେତୁକ ଦର ବୃଦ୍ଧି ଘଟୁଛି ଏବଂ ଏହାକୁ ହ୍ରାସ ପାଇଁ ବାରମ୍ବାର ଦାବି କରାଗଲେ ସୁଦ୍ଧା କେନ୍ଦ୍ର ସରକାର ନିରବ ରହୁଛନ୍ତି ତାହାର ପ୍ରତିବାଦରେ ଆସନ୍ତାକାଲି ପୂର୍ବାହ୍ନ ୧୦ଘଟିକା ସମୟରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।

ଆଜି ଏଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି। ୨୦୧୪ ମସିହାରେ ଯେଉଁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧୩୦ ଟଙ୍କାରେ ପହଞ୍ଚିଛି। ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢି ଗଲାଣି।

ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି। ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମ କରୁଥିବା ବିଜୁ ଜନତା ଦଳ ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବି କରି ଆସୁଛି। ହେଲେ କେନ୍ଦ୍ର ସରକାର ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ଏଭଳି ଦର ବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ।

ଯଦି କେନ୍ଦ୍ର ସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନ କରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁ ସ୍ତରରେ କରିବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି।