Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୨୦୦୦ ହୀରାକୁଦ ନଦୀ ବନ୍ଧ ବିସ୍ଥାପିତଙ୍କୁ ଯୋଗାଇ ଦିଆଯିବ ଘରଡିହ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାବାସୀଙ୍କ ପାଇଁ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ବାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।

ଏଥିସହିତ  ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି water treatment plant ର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ।

ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।

ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାର୍ବତୀଗିରି ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନ ର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆ ସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ।