ଭୁବନେଶ୍ବର: ନୂଆ ବର୍ଷରେ ଓଡିଶାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଉପହାର ଦେବାକୁ ଯାଉଛନ୍ତି। ଆଜି ସେ ଲୋକଙ୍କୁ ଘର ମରାମତି ପାଇଁ ପ୍ରତ୍ୟେକଙ୍କୁ 3 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ। ଏଥିରେ ଯେଉଁମାନେ ପକ୍କାଘର ପାଇଥିବେ ଏବଂ ଯେଉଁମାନେ ପକ୍କାଘର ପାଇ ନ ଥିବେ ସେମାନେ ମଧ୍ୟ ଏହି ଟଙ୍କା ପାଇପାରିବେ।
ଆଜି ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ସିଧାସଳଖ ଜମା ହେବ। ଯେଉଁଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ନିଷ୍ପତି ହୋଇଛି।
ଏ ନେଇ ଗତ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି କରାଯାଇଛି। ସେହି ଅନୁସାରେ ବିଜୁ ପକ୍କାଘର ଯୋଜନା ଅନ୍ତର୍ଗତ ଘର ମରାମତି ପାଇଁ ରାଜ୍ୟ ସରକାର ଏହି ସହାୟତା ଦେବେ। ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ମଧ୍ୟ ଏହି ୩ ହଜାର ଟଙ୍କା ସହାୟତା ମିଳିବ।
ଏହା ସହିତ କେନ୍ଦ୍ରୀୟ ଯୋଜନାରେ ବଞ୍ଚିତ ଥିବା ଲୋକଙ୍କୁ ମଧ୍ୟ ଆଜି ସହାୟତା ମିଳିବ। ଆବାସ ଯୋଜନାରୁ ବଞ୍ଚିତ ଥିବା ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଛନ୍ତି।