Categories
ଆଜିର ଖବର ରାଜ୍ୟ ଖବର

ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କନିକାର ଗାନ୍ଧୀ ଭାବେ ପରିଚିତ କନିକା ପ୍ରଜା ଆନ୍ଦୋଳନର ଅଗ୍ରଦୂତ ବିପ୍ଳବୀ ଚକ୍ରଧର ବେହେରାଙ୍କର ଆଦର୍ଶ ଓ ଆଚରଣ ଥିଲା ଅନନ୍ୟ। ବିପ୍ଳବରୁ ଜନ୍ମ ନିଏ ଶାନ୍ତି ଏବଂ ପ୍ରଗତି। ଏହି ଦୃଷ୍ଟିରୁ ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ ବୋଲି ଅତିଥି ବକ୍ତାମାନେ ଉଲ୍ଲେଖ କରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଚକ୍ରଧର ବେହେରାଙ୍କୁ ଏକାଧାରରେ ଜଣେ ଦୂରଦ୍ରଷ୍ଟା, ବିପ୍ଳବୀ, ଦରିଦ୍ରର ବନ୍ଧୁ, ବ୍ୟବସ୍ଥାପକ, ସଂଗଠକ ତଥା ଯୁଗପୁରୁଷ ଭାବେ ଅଭିହିତ କରିଥିଲେ। କନିକା ଜନଆନ୍ଦୋଳନକୁ ଅର୍ଦ୍ଧଶତାବ୍ଦୀ ଧରି ସଂଗଠିତ କରିବାରେ ବିପ୍ଳବୀ ଚକ୍ରଧର ବହୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିଥିଲେ। କନିକା ପ୍ରଜାଙ୍କ ହିତ ପାଇଁ ସେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି ବୋଲି ବିଧାୟକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ କୃତି ଓ କୀର୍ତ୍ତି ବାବଦରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଚକ୍ରଧର ଥିଲେ ଆଜନ୍ମ ବିପ୍ଳବୀ। ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ କନିକା ପ୍ରଜାଙ୍କୁ ମୁକ୍ତ କରିବା ପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ। ଅନ୍ୟାୟର ପ୍ରତିବାଦ ପାଇଁ ସେ ମୁହୂର୍ତ୍ତେ ବିଳମ୍ବ କରୁନଥିଲେ ଏବଂ ବ୍ୟକ୍ତିଗତ ଲାଭ ପାଇଁ କଦାପି ସାମାନ୍ୟ ସାଲିସ୍‌ କରୁନଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଗୌରହରି ଦାସ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୀବନୀ ଆଦର୍ଶ ନେଇ ଅନେକ ଅନାଲୋଚିତ ତଥ୍ୟ ଉପସ୍ଥାପନ କରିଥିଲେ। କନିକାର ସ୍ୱାର୍ଥ ପାଇଁ ତାଙ୍କ ସଂଘର୍ଷ, ତ୍ୟାଗ ଓ ସେବା ଉତ୍ତରପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଚକ୍ରଧରବାବୁ ନିଜର ଆଦର୍ଶ ଓ ଆଚରଣ ପାଇଁ ଜୀବନରେ ଅସାଧାରଣ ପ୍ରତିଷ୍ଠା ଅର୍ଜନ କରିଥିଲେ। ସେ ବିନା ସାଲିସରେ ମୁଣ୍ଡ ଉପରକୁ କରି ଯେଉଁ ସଂଗ୍ରାମ କରିଥିଲେ ତାହା ଇତିହାସରେ ସ୍ମରଣୀୟ ଅଧ୍ୟାୟ ହୋଇରହିବ। ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଆଜି ସକାଳେ ରାଜଭବନ ଛକସ୍ଥିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଶିଷ୍ଟ ସାହିତି୍ୟକ ଗୌରହରି ଦାସ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ବିପ୍ୱଳୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ତାଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜଭବନରେ ସ୍ୱାଧୀନତାର ଅମୃତ ମହୋତ୍ସବ ଚଉଦ ଚିତ୍ରଶିଳ୍ପୀ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ, ପ୍ରବୋଧ କୁମାର ସାହୁ, ଚକ୍ରଧର ବେହେରା, ପ୍ରବୀର ଦଳାଇ, ଜନାର୍ଦ୍ଦନ ପରମଗୁରୁ, ମାନସ ରଞ୍ଜନ ଜେନା, ଚନ୍ଦ୍ରଶେଖର ସେଠୀ, ଶଶୀକାନ୍ତ ରାଉତ, ସୁବାସ ପୂଜାହାରୀ, ଅତସୀ ବସୁ, ବିଦୁ୍ୟତଲତା ପାଟ୍ଟଶାଣୀ ଓ ମୋନାଲିସା ବିଶ୍ୱାଳ ଅଂଶଗ୍ରହଣ କରିଥିଲେ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିଳ୍ପୀମାନଙ୍କ ସର୍ଜନା ପ୍ରକ୍ରିୟା ଓ ଅବବୋଧ ସଂପର୍କରେ ପ୍ରଚାରି ବୁଝିଥିଲେ। ଶିଳ୍ପୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶା ମାଟିର ମହକରେ ବିପୁଳ ଆନନ୍ଦ ଓ ପୁଲକ ରହିଛି ଯାହା କଳା ମାଧ୍ୟମରେ ସାରା ବିଶ୍ୱକୁ ପ୍ରସାରିତ ହେବା ଦରକାର।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ଗୌତମ ଚୌଧୁରୀ ପ୍ରମୁଖ ରାଜଭବନର ଅଧିକାରୀମାନେ ଉପସ୍ଥିତ ଥିଲେ।