Categories
ବିଶେଷ ଖବର

ଚତୁର୍ଥ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ: ୫-ଟି ସଚିବଙ୍କ ସହ ପ୍ରଧାନଶିକ୍ଷକ, ସରପଞ୍ଚମାନଙ୍କ ଆଲୋଚନା ଆରମ୍ଭ

ଭୁବନେଶ୍ୱର: ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା ଇ-ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, ସ୍ମାର୍ଟ କ୍ଳାସ ରୁମ ଇତ୍ୟାଦି ପିଲାମାନଙ୍କ ଭିତରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି।

ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩ ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏ ପରିପେକ୍ଷୀରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଂଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତ ପୋଷଣ କରିଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଁଜଳି ଶେରଗଡରୁ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୧୭୭୧ ହାଇସ୍କୁଲ ରୂପାନ୍ତର ଏହି ପ୍ରକ୍ରିୟାକୁ ଚୁଡାନ୍ତ ରୂପ ଦେବ। ରାଜ୍ୟର ସମସ୍ତ ୮୬୫୪ ଟି ହାଇସ୍କୁଲର ଭିତ୍ତିଭୂମି ରୂପାନ୍ତର ସମ୍ପୂର୍ଣ୍ଣ ହେବ।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ହେବା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇପାରିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୬୩ ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୭ ଟି ଜିଲ୍ଲାରେ ଏହି ନିର୍ବାଚନ ହେବ। ଏଥିରେ ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୭ ହଜାର ୮୯ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏଥିମଧ୍ୟରୁ ୨୫୬୩ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।  ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ। କେବଳ ଥର୍ମାଲ ସ୍କାନିଂ କରି ଭିତରକୁ ଛଡ଼ାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚତୁର୍ଥ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି 24 ଟି ନୂତନ ଖଣି ସମେତ 99 ଟି କୋଇଲା ଖଣି ନିଲାମର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ସଦ୍ୟତମ ପର୍ଯ୍ୟାୟର ଶୁଭାରମ୍ଭ କରି କୋଇଲା ଖଣିର ସଫଳ ନିଲାମଧାରୀ ନିବେଶକମାନଙ୍କୁ ତୁରନ୍ତ ଉତ୍ପାଦନ ଆରମ୍ଭ କରିବା ପାଇଁ ମନ୍ତ୍ରୀ ଆହ୍ବାନ କରିଛନ୍ତି ଯଦ୍ବାରା ଏହି କ୍ଷେତ୍ରରେ ଅଧିକ ଆତ୍ମନିର୍ଭରଶୀଳତାକୁ ସୁନିଶ୍ଚିତ କରାଯାଇପାରିବ। କୋଇଲା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଥିବା ସମ୍ପୂର୍ଣ୍ଣ ସ୍ବଚ୍ଛ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ନିବେଶକମାନଙ୍କୁ ଅନୁରୋଧ କରିଛନ୍ତି।

ପ୍ରଥମ ଦୁଇଟି ପର୍ଯ୍ୟାୟରେ 28 ଟି କୋଇଲା ଖଣିର ସଫଳ ନିଲାମ ପରେ ଏବଂ ସିଏମ୍ (ଏସପି) ଅଧିନିୟମର ପର୍ଯ୍ୟାୟ 13 ଅନ୍ତର୍ଗତ ଏବଂ ଏମଏମଡିଆର ଅଧିନିୟମର ପର୍ଯ୍ୟାୟ 3 ଅନୁଯାୟୀ 20 ଟି କୋଇଲା ଖଣି ପାଇଁ 53 ଟି ବିଡ୍ ପାଇବା ପରେ କୋଇଲା ମନ୍ତ୍ରଣାଳୟ ବର୍ତ୍ତମାନ 24 ଟି ନୂତନ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି (ସିଏମ (ଏସପି) ଆକ୍ଟର ପର୍ଯ୍ୟାୟ 14 ଅନୁଯାୟୀ 9 ଟି ନୂଆ ଖଣି ଓ ଏମଏମଡିଆର ଅଧିନିୟମର ପର୍ଯ୍ୟାୟ 4 ଅଧୀନରେ 15 ଟି ନୂତନ ଖଣି)।  କୋଇଲା ଖଣି ଗୁଡ଼ିକ ତୃତୀୟ ରାଉଣ୍ଡର ବାଣିଜ୍ୟିକ ନିଲାମ ଓ ବାଣିଜ୍ୟିକ ନିଲାମର ଦ୍ବିତୀୟ ପର୍ଯ୍ୟାୟର 2ୟ ପ୍ରଚେଷ୍ଟାକୁ ରୋଲ୍ ଓଭର କରିବା ସହିତ, ସମୁଦାୟ 99 ଟି କୋଇଲା ଖଣି ଅଫରରେ ରହିବ।

ଅଫରରେ ଥିବା ଏହି 99 ଟି ଖଣି ମଧ୍ୟରୁ, 59 ଟି ହେଉଛି ସମ୍ପୂର୍ଣ୍ଣ ଉତ୍ତୋଳିତ ଖଣି ଓ 40 ଟି ଆଂଶିକ ଉତ୍ତୋଳିତ ଖଣି। ଏହି ଖଣି ଗୁଡ଼ିକ ଆଠଟି ରାଜ୍ୟରେ ରହିଛି ଯଥା ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା।

ଖଣି ଗୁଡ଼ିକୁ ସବିଶେଷ ଅନୁଧ୍ୟାନ ପରେ ଚୂଡ଼ାନ୍ତ କରାଯାଇଛି। ଏହା ସହିତ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ , ଗୁରୁତ୍ବପୂର୍ଣ୍ଣ  ବାସସ୍ଥାନ, 40% ରୁ ଅଧିକ ଜଙ୍ଗଲ ଆବରଣ, ବହୁଳ ଭାବରେ ନିର୍ମିତ ଅଞ୍ଚଳ ଥିବା ଖଣିଗୁଡ଼ିକୁ ବାଦ ଦିଆଯାଇଛି।

ନିଲାମ ପ୍ରକ୍ରିୟାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି ଜାତୀୟ କୋଇଲା ସୂଚକାଙ୍କ ପ୍ରବର୍ତ୍ତନ, କୋଇଲା ଖଣି ଅଭିଜ୍ଞତା ପାଇଁ କୌଣସି ପ୍ରତିବନ୍ଧକ ବିନା ଅଂଶଗ୍ରହଣରେ ସହଜତା, କୋଇଲା ବ୍ୟବହାରରେ ସମ୍ପୂର୍ଣ୍ଣ ନମନୀୟତା, ଅପ୍ଟିମାଇଜ୍ ପେମେଣ୍ଟ ସଂରଚନା, ଶୀଘ୍ର ଉତ୍ପାଦନ ଏବଂ ସ୍ୱଚ୍ଛ କୋଇଲା ପ୍ରଯୁକ୍ତିର ପ୍ରୋତ୍ସାହନ ମାଧ୍ୟମରେ ଦକ୍ଷତା ବୃଦ୍ଧି।  ସ୍ଥାୟୀତ୍ବ ଉପରେ ଧ୍ୟାନ ଦେଇ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଅଧିକ ପ୍ରୋତ୍ସାହନ ପ୍ରଦାନ ଉପରେ ବିଚାର କରାଯାଉଛି।

ଟେଣ୍ଡର କାଗଜାତ ବିକ୍ରୟ ପ୍ରକ୍ରିୟା 16 ଡିସେମ୍ବର 2021 ରୁ ଆରମ୍ଭ ହେବ। ଖଣି, ନିଲାମ ସର୍ତ୍ତାବଳୀ, ସମୟସୀମା ଇତ୍ୟାଦିର ବିବରଣୀ ଏମଏସଟିସି ନିଲାମ ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଶତକଡ଼ା ରାଜସ୍ୱ ଅଂଶଧନ ଆଧାରରେ ଏକ ସ୍ୱଚ୍ଛ 2 ପର୍ଯ୍ୟାୟ ପ୍ରକ୍ରିୟା ମାଧ୍ୟମରେ ନିଲାମ ଅନଲାଇନ ମାଧ୍ୟମରେ ସମ୍ପାଦନ ହେବ। ଏହି ନିଲାମ ରାଉଣ୍ଡ ଟି ସିଏମଏସପି ଅଧିନିୟମ ଅନ୍ତର୍ଗତ 14 ତମ ପର୍ଯ୍ୟାୟ ଏବଂ ଏମଏମଡିଆର ଅଧିନିୟମ ଅନୁଯାୟୀ ନିଲାମର ଚତୁର୍ଥ ପର୍ଯ୍ୟାୟ ହେବ।

ବାଣିଜ୍ୟିକ କୋଇଲା ଖଣି ନିଲାମ ପାଇଁ କୋଇଲା ମନ୍ତ୍ରଣାଳୟର ଏକମାତ୍ର କାରବାର ପରାମର୍ଶଦାତା ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍ ଏହି ପଦ୍ଧତି ପ୍ରସ୍ତୁତ କରିଛି ଏବଂ ନିଲାମ ପରିଚାଳନାରେ କୋଇଲା ମନ୍ତ୍ରଣାଳୟକୁ ସାହାଯ୍ୟ କରୁଛି।

ସମୁଦାୟ 99 ଟି କୋଇଲା ଖଣି ମଧ୍ୟରୁ 35 ଟି କୋଇଲା ଖଣି ସିଏମଏସପି ଅଧିନିୟମ ଅନୁଯାୟୀ ନିଲାମର 14 ତମ ପର୍ଯ୍ୟାୟ ଅଧୀନରେ ଅଛି ଏବଂ 64 ଟି କୋଇଲା ଖଣି ଏମଏମଡିଆର ଅଧିନିୟମ ଅନୁଯାୟୀ ନିଲାମର ଚତୁର୍ଥ ପର୍ଯ୍ୟାୟରେ ଅଛି । ଏହି 99 ଟି କୋଇଲା ଖଣି ମଧ୍ୟରୁ 24 ଟି ନୂତନ କୋଇଲା ଖଣି ହୋଇଥିବା ବେଳେ ଅବଶିଷ୍ଟ 75 ଟି କୋଇଲା ଖଣି ପୂର୍ବ ରାଉଣ୍ଡର ରୋଲ୍ ଓଭର ଖଣି ଅଟେ।

ଏହି କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରଣାଳୟର ସଚିବ, ଅତିରିକ୍ତ ସଚିବ ବିନୋଦ କୁମାର ତିୱାରୀ, ଏମ ନାଗରାଜୁ ଓ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ଛାତ୍ରଛାତ୍ରୀ: ଆମେ ଆଗକୁ ବଢିବୁ, ଆପଣଙ୍କ ସ୍ବପ୍ନ ସାକାର କରିବୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମ ରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା–

(୧) ପଞ୍ଚାୟତ ହାଇସ୍କୁଲ, ଦୁରବନ୍ଧ ପଞ୍ଚାୟତ
(୨) ସରକାରୀ ହାଇସ୍କୁଲ, ସେରଗଡ ପଞ୍ଚାୟତ
(୩) ବୃନ୍ଦାବନ ସରକାରୀ ହାଇସ୍କୁଲ, ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲଟି
(୪) ରାମଚନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୫) ୟୁ.ଏନ୍‌. ହାଇସ୍କୁଲ, ସିକ୍ରୀ ପଞ୍ଚାୟତ
(୬) ବି. ବ୍ରହ୍ମପୁର ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(୭) ସରକାରୀ ୟୁ.ଜି. ହାଇସ୍କୁଲ, ବିକେପୁର, ପୁଟିଆପଦର ପଞ୍ଚାୟତ
(୮) ନରେନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୯) ସରକାରୀ ୟୁ.ଜି. ହାଇସ୍କୁଲ, ନନ୍ଦିକା ପଞ୍ଚାୟତ
(୧୦) ପିତ୍ତଳ ବାଳକ ହାଇସ୍କୁଲ, ପିତ୍ତଳ ପଞ୍ଚାୟତ

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୪୦ଟି ସ୍କୁଲ ଲୋକାର୍ପିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ।। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ।ଞାନର ଯୁଗ। ବର୍ତ୍ତମାନ ଯୁଗର ଆବଶ୍ୟକତା କୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ।

ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନ, ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ଓ ଓଡିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢିତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ। ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ। ପିଲା ମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର।

୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀଶ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ବିଧାୟକମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିବା ମନ୍ତ୍ରୀଶ୍ରୀ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ବିଧାୟକଗଣ, ସେମାନଙ୍କ ଭାଷଣରେ କେଵଳ ହିଞ୍ଜିଳିର ସ୍କୁଲ ନୁହେଁ ସମଗ୍ର ନିର୍ବାଚନ ମଣ୍ଡଳୀ ବିକାଶ ର ଅନନ୍ୟ ମଡେଲ ବୋଲି ମତ ଦେଇଥିଲେ।

ଆଗାମୀ ନଭେମ୍ବର ୧୪ ଶିଶୁ ଦିବସରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫-ଟି ଟ୍ରାନ୍ସଫର୍ମେସନରେ ରୂପାନ୍ତରିତ ହୋଇ ଥିବା ୧୦୭୦ ଲୋକାର୍ପିତ ହେବ ବୋଲି କାର୍ଯ୍ୟକ୍ରମ ପରିଚାଳନା କରି ୫-ଟି ସଚିବ ଭି କେ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ସ୍ମୃତି, ଅଙ୍କିତା, ପୂଜା ରାଣୀ, ପ୍ରଞାଶ୍ରୀ ଅମ୍ବିକା ଆଶା, ଦୁର୍ଗା ମାଧବ ଆଦି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସେମାନେ ଆଗକୁ ବଢି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବେ ଵୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।