Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତ୍ରୟୋଦଶୀରେ ଛଅ ଶାସନର ନିମନ୍ତ୍ରଣ ଗ୍ରହଣ କଲେ ମା’ଭଗବତୀ, ଚତୁର୍ଦ୍ଦଶୀରୁ ଚ଼ାଚ଼େରୀ ଭୋଗ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ ଯାଏ ଚାଲେ। ଏହି ସମୟରେ ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା ମାନେ ରତ୍ନସିଂହାସନ ତ୍ୟାଗ କରି ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଦୂଆରେ ବଢ଼ାଯାଇଥିବା ମୁଆଁ, ଖଇ, କୋରା, ଫଳମୂଳ, ଚଣା, ଶାକର, ଫେଣି, ଆଖୁ, ମୁଗଧୁଆ, ଚ଼ୁଡ଼ାଘଷା, ରସାବଳୀ ଇତ୍ୟାଦି ନାନାଦି ପ୍ରକାରର ନୈବେଦ୍ୟ ଗ୍ରହଣ କରି ଅବିର ଲାଗି ହୁଅନ୍ତି। ଏହାକୁ ଚ଼ାଚ଼େରୀ ଭୋଗ କୁହାଯାଏ।

ଶକ୍ତିପୀଠ ବାଣପୁରରେ କିନ୍ତୁ ମା’ଭଗବତୀଙ୍କ ଚ଼ାଚ଼େରୀ ଭୋଗ ନିଆରା। ଫାଲ୍ଗୁନ ତ୍ରୟୋଦଶୀରେ ଛଅ ବ୍ରାହ୍ମଣ ଶାସନର ଠାକୁରମାନେ ମା’ଙ୍କୁ ନିମନ୍ତ୍ରଣ କରି ଫେରିବା ପରେ ମା’ ନିମନ୍ତ୍ରଣ ରକ୍ଷା କରି ଚ଼ତୁର୍ଦ୍ଦଶୀରେ ବାହାରିଛନ୍ତି ଶାସନ ବାଡିରେ ଚାଚେରୀ ଖାଇ। ବର୍ଷକେ ଥରେ ମା’ଭଗବତୀଙ୍କୁ ଦୁଆରେ ପାଇ ବ୍ରାହ୍ମଣ ପରିବାରମାନଙ୍କରେ ଆନନ୍ଦ ଉଲ୍ଲାସ ଭରିଯାଏ। ପରିବାରର ପୁଅଝୀଅ ବନ୍ଧୁବାନ୍ଧବ ଯେତେ ଦୂରରେ ଥିଲେ ବି ମା’ଙ୍କ ଦର୍ଶନ ସହିତ ପ୍ରସାଦ ପାଇବା ପାଇଁ ଘରେ ପହଞ୍ଚିଯାନ୍ତି।

ଏହିଦିନ ପ୍ରତିଘରେ ମା’ଙ୍କ ପ୍ରିୟ ଶଙ୍କୁଡ଼ି ଭୋଗ ଖେଚ଼େଡ଼ି, ଡ଼ାଲି, ଆମ୍ବିଳ, ମାଛମହୁର, ମାଛ ଭଜା, ମାଛ ପୋଡ଼ା, ଗୁଣ୍ଡିଭଜା, ଖିରି, କାକରା ମୁଆଁ, ଫଳମୂଳ ଇତ୍ୟାଦି ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରି ଘର ଭିତରେ ବାଢ଼ି ମା’ଙ୍କୁ ଅର୍ପଣ କରନ୍ତି। ଏଥି ସହିତ ପାଟ, ଶ।ଢ଼ି, ଚ଼ୁଡ଼ି ପରି ନାନାଦି ଶୃଙ୍ଗାର ଦ୍ରବ୍ୟ ମା’ଙ୍କୁ ଅର୍ପଣ କରି ବାଜାରୋଷଣୀ ନାଚଗୀତରେ ମା’ଙ୍କୁ ଗ୍ରାମ ପରିକ୍ରମା କରାନ୍ତି। ମା’ଙ୍କ ପ୍ରସାଦ ଶାହି ପଡ଼ିସା ବନ୍ଧୁବାନ୍ଧବଙ୍କୁ ବଣ୍ଟନ କରାଯାଏ।

ଅଚ୍ୟୁତରାଜପୁର, ଶ୍ରୀନିବାସପୁର ତୁଳସୀ ଦେଇ ପୁରପରି ତିନିଶାସନବାଡ଼କୁ ମା’ ଚ଼ତୁର୍ଦ୍ଦଶୀ ଯାତ୍ରାରେ ଯୋଗଦେଉଥିବାବେଳେ, ଗୋପାଳପୁର, କୋଟ ବିଦ୍ୟାଧରପୁର, ପାଟପୁର ପରି ତିନି ଶାସନକୁ ଚନ୍ଦନଯାତ୍ରାରେ ଚାପକ୍ରୀଡ଼ାରେ ଯୋଗ ଦେବାକୁ ଯାତ୍ରା କରି ପନ୍ତି ଭୋଗ ଖାଇ ଫେରିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦେବ ଦୀପାବଳିରେ ସମସ୍ତେ ଦୀପ ଜାଳି ବିଶ୍ଵଶାନ୍ତି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ

ଭୁବନେଶ୍ୱର: ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ପାରମ୍ପରିକ ଭାବରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ହୋଇ ଆସୁଛି। ଶାସ୍ତ୍ରୀୟ ଓ ପାରମ୍ପରିକ ବିଶ୍ୱାସ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଶ୍ୟପ, ଅଦିତି, କୌଶଲ୍ୟା, ଦଶରଥ, ନନ୍ଦ, ଯଶୋଦା, ବାସୁଦେବ, ଦେବକୀ, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଏହି ତିଥିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି।

ଏହି ତିଥିରେ ମଧ୍ୟ ସୁପ୍ରସିଦ୍ଧ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ। ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିବାର ମାନବୀୟ ଲୀଳାର ଏହା ଏକ ଉଦାହରଣ। ବିଶ୍ୱର କଲ୍ୟାଣ ଓ ବିଶ୍ୱ ଶାନ୍ତି ଉଦ୍ୟେଶରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ଓଡିଶା ତରଫରୁ ଓଡିଶାର ପ୍ରତ୍ୟେକ ମନ୍ଦିରରେ ଏହି ପର୍ବ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ଓଡିଶା ମନ୍ଦିର ସେବାୟତ ସଙ୍ଘର କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଆଗାମୀ ୧୩ ତାରିଖରେ ଏହି ଏହି ଦୀପଦାନ ପର୍ବ ପୁରୀ ସହର ସମେତ ଓଡିଶାର ପ୍ରତ୍ୟେକ ମନ୍ଦିର ମାନଙ୍କରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଶ୍ୱ ଶାନ୍ତି ଓ କଲ୍ୟାଣ ପାଇଁ ପ୍ରାର୍ଥନା ନିମନ୍ତେ ଆହ୍ୱାନ କରାଯାଉଛି।

ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ତରଫରୁ କେବଳ ମନ୍ଦିର ନୁହେଁ ସମସ୍ତ ଜଗନ୍ନାଥ ପ୍ରେମୀ ଭାଇ ଭଉଣୀ ନିଜ ଘରେ ଥିବା ଦେବା ଦେବୀଙ୍କ ପାଖରେ ମଧ୍ୟ ଡିସେମ୍ବର ୧୧, ୧୨ ଓ ୧୩ ତାରିଖ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନି ଦିନ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବଳନ କରି ସମଗ୍ର ସଂସାରର କଲ୍ୟାଣ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ପୁରୀ ମହି ପ୍ରକାଶ ମଠର ମହନ୍ତ ଶ୍ରୀ ଶୁଭନନ୍ଦ ମହାରାଜ, ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନର ସଭାପତି ତଥା ଶ୍ରୀ ମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ମୁଖପାତ୍ର ଗଣେଶ୍ୱର ମହାସୁଆର,ମହାସୁଆର ନିଯୋଗ ସମ୍ପାଦକ ହରେକୃଷ୍ଣ ସିଂହାରୀ, ଗୌରୀଶଙ୍କର ସିଂହାରୀ, ବରିଷ୍ଠ ପୁଷ୍ପାଳକ ସେବାୟତ ଜିତେନ୍ଦ୍ର ମହାପାତ୍ର, ପ୍ରତିହାରୀ ସେବାୟତ ନରେନ୍ଦ୍ର ମହାନ୍ତି, ଦେବ ଦୀପାବଳି ସଂଯୋଜକ ନୀଳମଣି ଗୁରୁ, ଜଗନ୍ନାଥ ସଂସ୍କୃତି ଗବେଷକ, ଆଲୋକ ଖୁଣ୍ଟିଆ, ଓଡିଶା ମନ୍ଦିର ସେବାୟତ ସଙ୍ଘ ସମ୍ପାଦକ ବାମେଶ୍ୱର ତ୍ରିପାଠୀ, ସଭାପତି, ସଦସ୍ୟ କୃଷ୍ଣଚନ୍ଦ୍ର ଦାଶ, ଦେବ ଦୀପାବଳି ପରିଚାଳନା ସଂଯୋଜକ ବାସୁଦେବ ଭଟ୍ଟ, ଗଣମାଧ୍ୟମ ସଂଯୋଜକ ଶୁଭେନ୍ଦୁ ଦାଶ, ଆଦ୍ୟପ୍ରାଣ ସୁବୁଦ୍ଧି, ଦେବୀ ପ୍ରସନ୍ନ ପଣ୍ଡା, ପ୍ରସନ୍ନ ବିଷୋୟୀ, ମନୋଜ ଜେନା, ପ୍ରଣୟ ଜେଠି, ବିଜୟ କେତନ ନନ୍ଦ ଆଦି ଉପସ୍ଥିତ ଥିଲେ।