Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ, ଏକଦା ଓଡିଶା ରାଜନୀତିରେ ମଧ୍ୟ ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ, ଜାତୀୟ ସ୍ତରର ଜଣେ ପରିଚିତ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ ଘଟିଛି। ତାଙ୍କୁ 65 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବୋଲି ତାଙ୍କର ପୁତ୍ର କୁଶନ ମିତ୍ର ସୂଚନା ଦେଇଛନ୍ତି।

ସେ ଦୈନିକ ଇଂରାଜୀ ଖବରକାଗଜ ପାୟୋନିୟର ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ବିଜେପି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଚନ୍ଦନ ମିତ୍ର ଲାଲକୃଷ୍ଣ ଆଡଭାନୀଙ୍କ ଅତି ଘନିଷ୍ଠ ଭାବେ ପରିଚିତ ଥିଲେ। ସେତେବେଳେ ବିଜେପିରେ ଚନ୍ଦନ ମିତ୍ରଙ୍କ ବେଶ୍ ଦବଦବା ମଧ୍ୟ ଥିଲା।

ତେବେ ସେ ଓଡିଶା ରାଜନୀତିରେ ମଧ୍ୟ କିଛି ସମୟ ପାଇଁ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ବିଜେଡି ବିଜେପି ମେଣ୍ଟ ସରକାରରେ ଫାଟ ଦେଖାଦେଲା ସେତେବେଳେ ତାହାର ମଧ୍ୟସ୍ଥତା କରିବାକୁ ଚନ୍ଦନ ଦିଲ୍ଲୀରୁ ଆସି ଭୁବନେଶ୍ବରରେ ଡେରା ପକାଇଥିଲେ।

ଏହି ମେଣ୍ଟ ସରକାରକୁ ବଜାଇ ରଖିବା ପାଇଁ ଚନ୍ଦନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ଫସର ଫାଟିଯାଇଥିଲା। ବିଜେଡି ବିଜେପି ଅଲଗା ଲଢେଇ କରିଥିଲେ। ସେତେବେଳେ ତାଙ୍କର ଏହି ଉଦ୍ୟମକୁ ଅନେକ ପ୍ରଶଂସା ସହିତ ସମାଲୋଚନା ମଧ୍ୟ କରିଥିଲେ।

ତାଙ୍କର ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ଶୋକ ପ୍ରକାଶ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦନ ମିତ୍ରଙ୍କ ବୁଦ୍ଧିମତା ଏବଂ ଦୂରଦୃଷ୍ଟି ପାଇଁ ସେ ବେଶ ପରିଚିତ ରହିବେ। ତାଙ୍କ ପରିବାର ପ୍ରତି ସମ୍ବେଦନା ବୋଲି ଉଲ୍ଲେଖ କରିଛନ୍ତି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ, ଚନ୍ଦନ ମିତ୍ର ଜାତୀୟ ସାମ୍ବାଦିକ ଏବଂ ରାଜନୈତିକ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଥିଲେ।