Categories
ଆଞ୍ଚଳିକ

ଶହେ ବର୍ଷର ସେତୁ ଏବେ ମରଣଯନ୍ତା!, ନିର୍ମାଣ ବାବଦ ୬ କୋଟି ଗଲା କୁଆଡ଼େ?

ରଣପୁର: ସେତୁ ବ୍ରିଟିଶ ଅମଳର। ଶହେ ବର୍ଷ ହେବ ସେମିତି ଭାର ସମ୍ଭାଳି ଆସୁଛି। ବେଳକୁ ବେଳ ଭାର ବଢ଼ିଚାଲିଛି ସିନା, ସେତୁର ମରାମତି ହେଉନି। ଫଳରେ ତାହା ଏବେ ମରଣଯନ୍ତା ପାଲଟିଛି। କେତେବେଳେ ବି ବଡ଼ ଅଘଟଣ ଘଟିପାରେ। ଏ କଥା ସ୍ଥାନୀୟ ପ୍ରଶାସନ ଜାଣିଥିଲେ ସୁଦ୍ଧା ପଦକ୍ଷେପ ଶୂନ। ସେପଟେ ୬ ବର୍ଷ ହେବ ଭିତ୍ତିପ୍ରସ୍ତର ସ୍ଥାପନରେ ରହିଯାଇଛି ନୂତନ ସେତୁର ନିର୍ମାଣ କାମ।

ରଣପୁର ବ୍ଲକ ଚମ୍ପତ୍ତିପୁର ଗାଁ ଦେଇ ବହିଯାଇଛି ମଲାଗୁଣି ନଦୀ। ଆଉ ବ୍ରିଟିଶ ଅମଳରୁ ନଦୀ ଛାତିରେ ଛିଡ଼ା ହୋଇଛି ଏହି ସେତୁ। ଶହେ ବର୍ଷର ସେତୁଟିର ତଳ ଫାଟି ଆଁ କରିଛି।  ମାଙ୍କଡ଼ା ପଥରରେ ନିର୍ମିତ ପିଲାରରୁ ପଲସ୍ତରା ଛାଡ଼ି ଯାଇଛି। ସେତୁ ଉପରେ ଭାରିଯାନ ଚଢିବା ମାତ୍ରେ ତାହା ଦୋହଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଚୁପ ବସିଛି ସ୍ଥାନୀୟ ପ୍ରଶାସନ। ତେବେ ସେତୁଟି ରଣପୁରକୁ ସିଧା ସୁନାଖଳା, ବୋଲଗଡ଼, ଟାଙ୍ଗୀ ସହ ଯୋଡୁଥିବାରୁ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି ଶହ ଶହ ଗାଡ଼ି।

ଏ ବିପଦକୁ ସମସ୍ତେ ବୁଝୁଛନ୍ତି ଆଉ ଜାଣୁଛନ୍ତି। କିନ୍ତୁ କିଛି ବିକଳ୍ପ ବାଟ ନ ଥିବାରୁ ଲୋକେ ଭାଗ୍ୟକୁ ଆଦରି ଯା’ଆସ କରୁଛନ୍ତି। ବଡ଼ ଅଘଟଣ ଆଶଙ୍କାକୁ ବାରୁଥିବା ସତ୍ତ୍ୱେ ପ୍ରଶାସନ କି ପୂର୍ତ୍ତ ବିଭାଗ ଏହାକୁ ବିପଦ ସଂକୁଳ ଘୋଷଣା କରୁନାହାନ୍ତି। ଅନ୍ୟପକ୍ଷେ ନୂତନ ସେତୁ ପାଇଁ ୨୦୧୬ ରେ ୬ କୋଟି ମଞ୍ଜୁର ହୋଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଜବାବ ମାଗିଲେ ବିଭାଗୀୟ ବାବୁ ମୁହଁ ଖୋଲୁନାହାନ୍ତି।  କିନ୍ତୁ ବିଭାଗୀୟ ଯନ୍ତ୍ରୀ ଦୟାନିଧି ରାୟଗୁରୁ କହିଛନ୍ତି ଯେ ଖୁବ ଶୀଘ୍ର ଟେଣ୍ଡର କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ।

ଏବେ ବି ସମୟ ଅଛି। ପ୍ରଶାସନ ଚେତିଲେ ହୁଏତ ଗୁଜୁରାଟ କି କଲିକତା ଭଳି ଭୟାନକ ଅଘଟଣକୁ ଏଡାଇ ହେବ। ଆଉ ତୁରନ୍ତ ନୂତନ ସେତୁ ନିର୍ମାଣ କରି ରଣପୁର ବ୍ଲକରେ ବିକାଶର ଧାରାକୁ ପ୍ରଖର କରିହେବ।