Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲଗାଣ ବର୍ଷା : ଚାଷ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ବିଶେଷ ଭାବେ ଚାଷୀମାନଙ୍କର କ୍ଷତି ଅଧିକ ହୋଇଛି। ତେବେ ଏହି କ୍ଷତିର ପରିମାଣ କେତେ ସେ ନେଇ ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ କୁହାଯାଇଛି। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ତଥା ଡିସି ପ୍ରଦୀପ ଜେନା। ସେ କହିଛନ୍ତି ଯେ ୨୮ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିବା କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଅଳ୍ପ କିଛି ଜାଗାରେ ଘର ଭାଙ୍ଗିବା ସହ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି  ଲଗାଣ ବର୍ଷା ପାଇଁ ଜଳକା ନଦୀ ବିପଦ ସଂକେତ ଉପରେ ରହିଥିବା ବେଳେ ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ ଏବଂ ବ୍ରାହ୍ମଣୀ ଉପରେ ବି ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି । ଅନେକ ଅଞ୍ଚ‌ଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ଥଳ ବଢ଼ିନଥିଲେ ମଧ୍ୟ ଏବେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ଜମି ରହିଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ମିଲି ମିଟର ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀର ମହାରାଜପୁରରେ ୫୦୦ମିଲି ମିଟର ଉପରେ ବର୍ଷା ହୋଇଛି । ଏହା ସହ  ୬ଟି ବ୍ଲକରେ ୪୦୦ମିଲି ମିଟର ଉପରେ ବର୍ଷା ହେବା ସହ ୫୬ଟି ବ୍ଲକରେ ୨୦୦ରୁ ୩୦୦ମିଲି ମିଟର ବର୍ଷା ହୋଇଛି ।

ସେହିପରି ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦରେ ଜଳସ୍ତର ବଢ଼ିପାରେ। ଏଭଳି ହେଲେ ହୀରାକୁଦର ୬ ରୁ ୭ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି। ଏସଆରସିଙ୍କ ଅନୁସାରେ ବର୍ତ୍ତମାନ କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ଏହା ଦ୍ବାରା ବନ୍ୟା ସ୍ଥିତି ଉପଜିବ ନାହିଁ ବୋଲି ସେ କହିଛନ୍ତି।