Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହେଲା ଚିକିତ୍ସା ବ୍ୟବସ୍ଥା: ଏମ୍ସରେ ଆରମ୍ଭ ହେଲା ଓଏସଟି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର। ସେହିଭଳି ଗୁରୁତର ଅସୁସ୍ଥ ମାନସିକ ରୋଗୀଙ୍କ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍ସ ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଆପତକାଳୀନ ବ୍ୟବସ୍ଥା (ଆକ୍ୟୁଟ କେୟାର ୟୁନିଟ)ର ଶୁଭାରମ୍ଭ କରାଯାଇଛି।

ଏଥିସହିତ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ଆରମ୍ଭ କରାଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଅନୁଷ୍ଠାନ (ଏସଆଇଇପି) ଓଡ଼ିଶାରୁ ରେଫର ହୋଇ ଆସୁଥିବା ଏପରି ଦିବ୍ୟାଙ୍ଗ ଶିଶୁଙ୍କୁ ଏମ୍ସରେ ଏହି ସେବା ଯୋଗାଇଦିଆଯିବ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମାନସିକ ରୋଗ ବିଭାଗରେ ଏହି ସମସ୍ତ ବ୍ୟବସ୍ଥାକୁ ଉଦ୍ଘାଟନ କରିଥିଲେ। ଏମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ଆସୁଥିବା ନିଶା ରୋଗୀ ଏବଂ ଗୁରୁତର ମାନସିକ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହେବ। ସେହିପରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ମଧ୍ୟ ରାଜ୍ୟ ପାଇଁ ଏକ ସୁଖବର ବୋଲି ପ୍ରଫେସର ବିଶ୍ୱାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି (ଓଏସଏସିଏସ)ର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର ଏବଂ ଏମ୍ସ ଭୁବନେଶ୍ୱରର ମେଡିକାଲ୍ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

‘ଭାରତରେ ବର୍ତ୍ତମାନ ପ୍ରାୟ ୮ ଲକ୍ଷରୁ ଅଧିକ ଇଞ୍ଜେକ୍ସନ ଡ୍ରଗ୍ ବ୍ୟବହାରକାରୀ (ଆଇଡିୟୁ) ଥିବା ପ୍ରକାଶ। ତେବେ ବିଭିନ୍ନ କାରଣରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଶାମୁକ୍ତ ଜୀବନଯାପନ କରିବାରେ ଅସମର୍ଥ ହୋଇଥାଆନ୍ତି। ଏପରିକି ସେମାନେ ଦୁରାରୋଗ୍ୟ ଏଡ୍ସ ଭଳି ମାରାତ୍ମକ ରୋଗର ଶିକାର ହୋଇଥାଆନ୍ତି ବୋଲି ଏମ୍ସ ମାନସିକ ରୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଓଏସଟି ସହିତ ସାମଗ୍ରିକ ମାନସିକ ଚିକିତ୍ସା ସାହାଯ୍ୟରେ ଏପରି ନିଶାରେ ପୀଡ଼ିତ ରୋଗୀମାନେ ଡ୍ରଗ୍ ମୁକ୍ତ ଜୀବନଯାପନ କରିବାରେ ସକ୍ଷମ ହୋଇଥାଆନ୍ତି। ଏପରିକି ଏମାନେ ଡ୍ରଗ୍ସ ଇଞ୍ଜେକ୍ସନ ମଧ୍ୟ ବନ୍ଦ କରିଦିଅନ୍ତି ଯାହାକି ଶେଷରେ ଏଚ୍ଆଇଭି, ହେପାଟାଇଟିସ୍ ଏବଂ ଇଞ୍ଜେକ୍ସନ ମାଧ୍ୟମରେ ସଂକ୍ରମିତ ଅନ୍ୟ ରୋଗର ସମ୍ଭାବ୍ୟ କ୍ଷତିକୁ ରୋକିଥାଏ ବୋଲି ଓଏସ୍ଟି ସେଣ୍ଟରର ନୋଡାଲ ଅଫିସର ତଥା ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅର୍ପିତ ପରମାର ପ୍ରକାଶ କରିଛନ୍ତି।

ଏମ୍ସର ଏହି ଥେରାପୀ କେନ୍ଦ୍ର ଦୈନିକ ୧୫୦-୨୦୦ ରୋଗୀଙ୍କୁ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ର ଦୈନିକ କାର୍ଯ୍ୟ କରିବ। ତେବେ ଏସଆଇଇପିରୁ ଆସୁଥିବା ପିଲାମାନଙ୍କୁ ସପ୍ତାହରେ ପ୍ରତି ମଙ୍ଗଳବାର ଏବଂ ବୁଧବାର ଦିନ ସାଇକିଆଟ୍ରିକ ଓପିଡ଼ିରେ ସେବା ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଭାଗର ଡ. ଏସ୍ କେ ପାଢ଼ୀ, ଡ. ସୁରଭି ପାତ୍ର, ଡ. ଶ୍ରୀ ମିଶ୍ର ଏବଂ ଡ. ଦେବଦତ୍ତା ମହାପାତ୍ରଙ୍କ ସମେତ ଏସଆଇଇପିର ପ୍ରକଳ୍ପ ସଂଯୋଜକ ଡ. ପାମ୍ପା ଦେ, ଓଏସଟି କେନ୍ଦ୍ରର କର୍ମଚାରୀ ଏବଂ ଓସାକ୍ସ୍ ର ଅନ୍ୟ ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ, ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ମିଳିବ ସେବା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଏକ ଆଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ସେହିପରି ରାଜଗାଙ୍ଗପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ସୋମବାର ଦିନ ଏହି ଦୁଇଟି କେନ୍ଦ୍ରର ଉଦଘାଟନ କରିଛନ୍ତି।

ଏହା ସହ ଏହି ଚିକିତ୍ସା କେନ୍ଦ୍ରକୁ ରୋଗୀମାନଙ୍କୁ ମାଗଣାରେ ନେବା ଆଣିବା ଲାଗି ପରିବେଶ ଅନୁକୂଳ ଇ-ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହି ସେବା ଯୋଗୁଁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଜରାଗ୍ରସ୍ତ ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ସୁନ୍ଦରଗଡ଼ରେ ଆରମ୍ଭ କରାଯାଇଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ଘରେ ଥିବା ଶଯ୍ୟାଶାୟୀ ରୋଗୀମାନେ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧ରେ କଲ୍ କରି ଏହି ସେବା ପାଇପାରିବେ। ସେମାନଙ୍କ ଘରକୁ ଯାଇ ବିଶେଷଜ୍ଞମାନେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦୨୦ରୁ କାମ କରୁଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଏଠାରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ଏବଂ ଭିନ୍ନକ୍ଷମ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଓ ତାଲିମ ସେବା ଦିଆଯାଉଛି। ଏହି ସେବାର ସଂପ୍ରସାରଣ କରିବାକୁ ଯାଇ ସରକାରଙ୍କ ପକ୍ଷରୁ ଏବେ ଫିଜିଓଥେରାପି ସହ ବିଭିନ୍ନ ପ୍ରକାର ଆଧୁନିକ ଥେରାପିକୁ ମିଶାଇ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି। ଏନଟିପିସି ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛଡ଼ା ବର୍ତ୍ତମାନ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହି ସେବା ଆରମ୍ଭ କରାଯାଉଛି।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଯେଉଁ ଆଧୁନି ଭୌତିକ ଚିକିତ୍ସା କେନ୍ଦ୍ର ଏବଂ ଇ-ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଗଲା ତାହା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବ। ଯେଉଁ ଆଧୁନିକ ଫିଜିଓଥେରାପି ଦେଶର ବଡ଼ ବଡ଼ ସହରରେ ମିଳୁଥିଲା ତାହା ଏବେ ସୁନ୍ଦରଗଡ଼ ଜିଲ୍ଲାର ସାଧାରଣ ଜନତାଙ୍କୁ ମିଳିପାରିବ’’, ଏହି ସେବାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ।

ଜୀବନ ଶୈଳୀ ସମସ୍ୟା, ବିଭିନ୍ନ ଜଟିଳ ରୋଗର ପ୍ରଭାବ, ଦୁର୍ଘଟଣାଜନିତ ସମସ୍ୟା, ଅପରେସନ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା, ବାର୍ଦ୍ଧକ୍ୟ ଏବଂ ଶିଶୁଙ୍କ ଭିତରେ ଥିବା ବିଭିନ୍ନ ଜନ୍ମଗତ ସମସ୍ୟା କ୍ଷେତ୍ରରେ ଉପଶମ ଲାଗି ଫିଜିଓଥେରାପି ବିଶେଷ ଫଳପ୍ରଦ ହୋଇଥାଏ। ନିୟମିତ ଫିଜିଓଥେରାପି ଏବଂ ସମନ୍ୱିତ ଭୌତିକ ଚିକିତ୍ସା ସେବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭିତରେ ସକ୍ଷମତା ଭରି ଦେଇଥାଏ। ଏହାକୁ ଆଧାରକରି ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଏହି ସେବାକୁ ଏବେ ବ୍ୟାପକ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାରେ ଏହି ସେବା ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି।

ଭିନ୍ନକ୍ଷମଙ୍କ ସହିତ ଆଣ୍ଠୁ, ଗଣ୍ଠି, କାନ୍ଧ ଓ ମାଂସପେଶୀରେ ଯନ୍ତ୍ରଣା ତଥା ସ୍ନାୟୁଗତ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଜରାଗ୍ରସ୍ତ ବରିଷ୍ଠ ନାଗରିକ, ବୟସ ଅନୁସାରେ ମାନସିକ ଅଭିବୃଦ୍ଧି କରୁ ନଥିବା ଶିଶୁ, ବାକ୍ ଓ ଶ୍ରବଣ ସମସ୍ୟା, ପ୍ରସବର ପୂର୍ବ ଓ ପରବର୍ତ୍ତୀ ଅବସ୍ଥାରେ ଥିବା ମହିଳା, ହୃତପିଣ୍ଡ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନେ ଏହି ସମନ୍ୱିତ ଭୌତିକ ଚିକିତ୍ସା ସେବାରୁ ବିଶେଷ ସୁଫଳ  ପାଇପାରିବେ।

ଏହି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ସହ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଉଛି। ସେଠାରେ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା ରହିଛି। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ସହ ଏହି ସେବା କିଭଳି ପିଲାମାନଙ୍କୁ ମିଳି ପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ କେନ୍ଦ୍ରରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଦେଶର ବିଭିନ୍ନ ସହରାଞ୍ଚଳର ଅତ୍ୟାଧୁନିକ ଫିଜିଓଥେରାପି ଏବଂ ସମନ୍ୱିତ ଭୌତିକ ଚିକିତ୍ସା ସେବା ମିଳୁଥିଲା। କିନ୍ତୁ ଏହି ସେବାକୁ ଗାଁ ଗହଳକୁ ସଂପ୍ରସାରିତ କରିବାରେ ସୁନ୍ଦରଗଡ଼ ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାକୁ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ପହଞ୍ଚଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଜଗାଙ୍ଗପୁରଠାରେ ସ୍ଥାନୀୟ ବିଧାୟକ ସି ଏସ୍ ରାଜିନ୍ ଏକ୍କା, ପୂର୍ବତନ ବିଧାୟକ ମଙ୍ଗଳା କିଷାନ୍ ପ୍ରମୁଖ ଉପସ୍ଥିତ ଥିଲେ।