Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମରାଳ ମାଳିନୀ ନୀଳାମ୍ବୁ ଚିଲିକାରୁ ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଅବ୍ୟାହତ ରଖିଛି। ଗତ ଏକ ମାସ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଚିଲିକା ବ୍ଲକ ହାଟବରଡି ଓ ନିମାଣି ଅଞ୍ଚଳରୁ ୧୭ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେର ଉଚ୍ଛେଦ କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳୁ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ବାରମ୍ବାର ଏଭଳି ମାଫିଆ ମାନଙ୍କର ମନମାନି ଚାଲିଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରୁଅଛି। ଗତ ଏକମାସ ମଧ୍ୟରେ ଏହାକୁ ମିଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦୁଇ ଥର ଘେରି ଉଚ୍ଛେଦ କରାଯାଇଛି।

ଆଜି ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ସମେତ  ଚିଲିକା ତହସିଲଦାର ପୂନମ ମହାପାତ୍ର, ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କର୍ମଚାରୀ, ମତ୍ସ୍ୟ ବିଭାଗ କର୍ମଚାରୀଙ୍କ ସମେତ ପାଖାପାଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ଥିଲେ। ତେବେ ପ୍ରଶାସନ ପକ୍ଷରୁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।