Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ‘ଚିତ୍ରକୂଟ ଗ୍ରାମୋଦୟ ମେଳା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଚିତ୍ରକୂଟ: ଗାଁର ବିକାଶକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ରବିବାର ମଧ୍ୟପ୍ରଦେଶର ଚିତ୍ରକୂଟ ଠାରେ ଗ୍ରାମୋଦୟ ମେଳା ଓ ଶରଦୋତ୍ସବର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ମେଳାରେ ଶ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ୮ ବର୍ଷରେ ଗ୍ରାମାଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଉଛି। ସୌଭାଗ୍ୟ ଯୋଜନାରେ ବିଜୁଳି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ସହ ବିଭିନ୍ନ ଯୋଜନାରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭଳି ଗରିବ କଲ୍ୟାଣ ଯୋଜନାର କ୍ରିୟାନ୍ୱୟନ କରାଯାଇ ମୋଦି ସରକାର ଗାଁର ବିକାଶ କାମରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତର କଳ୍ପନା କରିଛନ୍ତି। ତନ୍ମଧ୍ୟରେ ମୂଳଭୂତ ସୁବିଧା ଗୁଡ଼ିକ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମାଞ୍ଚଳକୁ ପହଞ୍ଚାଇବାର କଳ୍ପନା କରିଛି। ଆଗାମୀ ୨ ବର୍ଷରେ ଦେଶର ୬.୫ ଲକ୍ଷ ଗାଁକୁ ଅପ୍ଟିକାଲ ଫାଇବର ମାଧ୍ମରେ ଇଣ୍ଟରନେଟ୍ ଏବଂ ୫ଜି ନେଟଓ୍ୱାର୍କ ସହ ଯୋଡ଼ାଯିବ। ୫ଜି ସମ୍ପ୍ରସାରଣ ଦ୍ୱାରା ଆଗାମୀ ଦିନ ଗୁଡ଼ିକରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ଟେକ୍ନୋଲୋଜିର ଉପଯୋଗ କରିବା ସହ ମାଣ୍ଡିଆ, ବାଜରା ଏବଂ ଅନ୍ୟାନ୍ୟ କୃଷିଜତ ସାମଗ୍ରୀକୁ ଦେଶର କୋଣ ଅନୁକୋଣକୁ ପହଞ୍ଚାଇ ଆତ୍ମନିର୍ଭର ହୋଇପାରିବେ। ୫ଜି ଗ୍ରାମୀଣ ବିକାଶର ନୂଆ ସମ୍ଭାବନା ସୃଷ୍ଟି କରିବ।

ଗ୍ରାମୋଦୟ ମେଳା ଏବଂ ଶରଦୋତ୍ସବ ଆତ୍ମନିର୍ଭର ଭାରତର ସର୍ବୋତ୍ତମ ପ୍ରୟୋଗଶାଳା ରୂପରେ ପ୍ରସ୍ଫୃଟିତ ହେବ। ପଣ୍ଡିତ ଦୀନଦୟାଲଙ୍କ ବିଚାର, ଭାରତୀୟ ସଭ୍ୟତାର ପ୍ରମୁଖ କେନ୍ଦ୍ର ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଦୂରଦୃଷ୍ଟି ଏବଂ ଗ୍ରାମ ଉତଥାନର ସଂକଳ୍ପ ଦୃଢ଼ିଭୂତ ହେବ। ଏକ ସଂସ୍କାର ଯୁକ୍ତ, ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ଦେଶ ନିର୍ମାଣ କରିବା ପାଇଁ ନାନାଜୀ ଦେଶମୁଖଙ୍କ ଭଳି ଯୁଗଦ୍ରଷ୍ଟା ଦୀନଦୟାଲ ଗବେଷଣା ସଂସ୍ଥାନର ସ୍ଥାପନା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।