Categories
ଆଞ୍ଚଳିକ

ଚିଲିକା ଗସ୍ତରେ ଛତିଶଗଡ ରାଜ୍ୟପାଳ: ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଦେଲେ ଆହ୍ଵାନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଆସି ବିଭିନ୍ନ ଶୈବ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ବନ୍ଧୁ ମିଳନରେ ଯୋଗ ଦେଇଛନ୍ତି। ଚିଲିକା ଅଞ୍ଚଳର ଚଣ୍ଡେଶ୍ୱର ଠାରେ ଥିବା ଚଣ୍ଡହର ଦେବଙ୍କ ଦର୍ଶନ, ହରିପୁର ଠାରେ ଥିବା ପ୍ରତାପଶ୍ୱର ଦେବଙ୍କ ଦର୍ଶନ ପରେ ବାଣପୁର ଠାରେ ଥିବା ଭେଟିନାଥ ଦେବଙ୍କ ଦର୍ଶନ କରି ପ୍ରତ୍ୟେକ ସ୍ଥାନରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ବନ୍ଧୁ ମିଳନରେ ଆପଣମାନେ ସମସ୍ତେ ମୋ ନିଜ ପରିବାରର ଲୋକ ବୋଲି ରାଜ୍ୟପାଳ ସମ୍ବୋଧନ କରିଥିଲେ। ଏ ମାଟି ବୀର ପାଇକ ମାଟି ହୋଇଥିବା ବେଳେ ଆପଣ ମାନେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ। ଏବଂ ଲଢେଇକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହ ତୋଷାମଦ ଠାରୁ ଦୁରେଇ ରହି ସ୍ୱାଭିମାନ ସହକାରେ ବଞ୍ଚିବାକୁ କହିଥିଲେ।

ବାଲୁଗାଁ ଠାରେ ଥିବା ଶ୍ରୀ ଉମା ମହେଶ୍ୱର ବଣିକ ସଙ୍ଘ ଅଡ଼ିଟୋରିଅମ ହଲରେ ‘ଚିଲିକା ବିକାଶ ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ଡ଼ଃ. ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ‘ବିକଶିତ ଭାରତ ନିର୍ମାଣରେ ଆମ ଅଞ୍ଚଳର ଭୂମିକା ଓ ଯୋଗଦାନ’ ଶୀର୍ଷକ ଏକ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ସାହିତ୍ୟିକ ସଂଗ୍ରାମ କେଶରୀ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବିଜୟା ନନ୍ଦ ସିଂ , ପରିଷଦର ସମ୍ପାଦକ ରଂଜିତ ବଡ଼ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିକଶିତ ଚିଲିକାର ସମ୍ଭାବନା ଅନେକ ଅଛି ଏବଂ ତାହାକୁ ସାକାର କରିବା ମଧ୍ୟ ସମ୍ଭବ। ଚିଲିକା ହ୍ରଦ ଓ ଜଙ୍ଗଲର ବିକାଶ ହେଲେ ଅଂଚଳର ବିକାଶ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଆମ ଅଂଚଳର ସେହିଦିନ ବିକାଶ ହେବ ଯେଉଁଦିନ ଏ ଜାତି ପାଇଁ ଓ ମାଟି ପାଇଁ ଆମେ ଆନ୍ଦୋଳନ କରିବା। ସେହିପରି ଭାବେ ଆପଣ ମାନଙ୍କ ଅଞ୍ଚଳର ବିକାଶ ପାଇଁ ଯୋଗଦାନ ସମ୍ପର୍କରେ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡିବ ଏବଂ ବିଧାନସଭା ଓ ଲୋକସଭାରେ ଯେଉଁଦିନ ଚିଲିକା ଚିଲିକା ଶୁଭିବ ସେହିଦିନ ବିକାଶ ହେବ ବୋଲି ଆମ୍ଭେ ଅନୁଭବ କରିବା ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଦିନିକିଆ ଚିଲିକା ଗସ୍ତରେ ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଜାଣନ୍ତୁ କାର୍ଯ୍ୟକ୍ରମ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଚିଲିକା ଗସ୍ତରେ ଆସୁଛନ୍ତି। ସେଠାରେ ବିଭିନ୍ନ ଶିବ ମନ୍ଦିର ଦର୍ଶନ କରିବା ସହ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆସନ୍ତାକାଲି ପୂର୍ବାହ୍ନରେ ଚଣ୍ଡେଶ୍ୱର ସ୍ଥିତ ବାବା ଚଣ୍ଡହରି ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ। ଏହାପରେ ରାଜ୍ୟପାଳ ନାଚୁଣୀ ହରିପୁରସ୍ଥିତ ବାବା ପ୍ରତାପେଶ୍ୱର ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ।

ଏହାପରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ନାଚୁଣୀସ୍ଥିତ ବାସଭବନରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩.୩୦ ଘଟିକା ସମୟରେ ବାଣପୁର ଭେଟଶ୍ୱର ଗ୍ରାମ ସ୍ଥିତ ବାବା ଭେଟିନାଥ ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ ରାଜ୍ୟପାଳ।

ପରିଶେଷରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଅପରାହ୍ନ ୪.୩୦ ଘଟିକାରେ ବାଲୁଗାଁ ଅଶୋକ ନଗରସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଅଡିଟୋରିଅମ ହଲରେ ଚିଲିକା ବିକାଶ ଓ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସନ୍ଧ୍ୟାରେ ଭୁବନେଶ୍ୱର ବାସଭବନ ଫେରିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Categories
ଆଞ୍ଚଳିକ

ଏସଇବିସି ସର୍ଭେ ରାଜ୍ୟ ପର୍ଯ୍ୟବେକ୍ଷଙ୍କଙ୍କ ଅଚାନକ ଚିଲିକା ଗସ୍ତ: ତଦାରଖ କଲେ ପଛୁଆ ବର୍ଗ ସର୍ଭେ ସେଣ୍ଟର

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଜାରି ରହିଥିବା ବେଳେ ପ୍ରତ୍ୟେକ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ଥାନୀୟ ପ୍ରଶାସନ ଏହାକୁ ପରିଚାଳନା କରୁଛି। ତେବେ ସାରା ରାଜ୍ୟରେ ଏହା ସୁରୁଖୁରୁରେ ଜାରି ରହିଛି କି ନାଇଁ ତାହା ତଦାରଖ କରିବା ପାଇଁ ସରକାର ପଛୁଆବର୍ଗ ସର୍ଭେ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ପୂର୍ତ୍ତବିଭାଗ ସ୍ୱତନ୍ତ୍ର ସଚିବ ବିମଳେନ୍ଦୁ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ରାୟ ଆଜି ଖୋର୍ଦ୍ଧା ଜିଲ୍ଲାକୁ ଅଚାନକ ଗସ୍ତରେ ଆସି ବାଣପୁର, ଚିଲିକା ବ୍ଲକ ଏବଂ ବାଣପୁର, ବାଲୁଗାଁ ଏନଏସିର ବିଭିନ୍ନ ସର୍ଭେ ସେଣ୍ଟର ପରିଦର୍ଶନ କରିଛନ୍ତି। ଚିଲିକା ବ୍ଲକର ଜରିପଡ଼ା ସ୍କୁଲ,ବାଲୁଗାଁ ଏନଏସି ର ବାଲୁଗାଁ ହାଇସ୍କୁଲ,ବାଣପୁର ଏନଏସି ର ବିଷରପାଟଣା ସ୍କୁଲ ଏବଂ ବାଣପୁର ବ୍ଲକର ମାନସିଂହ ୟୁପି ସ୍କୁଲ ରେ ଥିବା ସର୍ଭେ ସେଣ୍ଟର ଗୁଡ଼ିକ ପରିଦର୍ଶନ କରିଥିଲେ ଶ୍ରୀ ରାୟ।

ତେବେ ସମସ୍ତ ସେଣ୍ଟର ଗୁଡିକରେ କରାଯାଇଥିବା ବ୍ୟବସ୍ଥା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ସନ୍ତୁଷ୍ଟି ପ୍ରକାଶ କରିଥିଲେ ଶ୍ରୀ ରାୟ। ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ଉଭୟ ବ୍ଲକ ବିଡ଼ିଓ ଏବଂ ଉଭୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

କେନ୍ଦ୍ର ମନ୍ତ୍ରୀଙ୍କ ଚିଲିକା ଗସ୍ତ: ଆରମ୍ଭ କଲେ ହର ଘର ତ୍ରିରଙ୍ଗା ଅଭିଯାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବାଲୁଗାଁ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗାର ପ୍ରଚାର ପ୍ରସାର ପାଇଁ ବଜାର ପରିକ୍ରମା କରିବା ସହ ୭ ନଂ ୱାର୍ଡ ପାଟଣା ସାହି ପର୍ଯ୍ୟନ୍ତ ପଦ ଯାତ୍ରା କରିଛନ୍ତି। ଏଥିସହିତ ୭ନଂ ୱାର୍ଡ କାଉନସିଲର ରୁନୁ ବେହେରାଙ୍କ ଘର ଠାରୁ ହର ଘର ତ୍ରିରଙ୍ଗାର ଅଭିଯାନ ଆରମ୍ଭ କରିଛନ୍ତି।

ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ କରୋନା ପ୍ରଭାବରେ ବହୁ ଜନଜୀବନ ମୃତ୍ୟୁ ତାଣ୍ଡବରେ ଲୀନ ହେଇଥିବା ସହ ଘୋର ଆର୍ଥିକ ଅନଟନ ମଧ୍ୟ ଦେଖାଦେଇଥିଲା। ଯାହାକି ଏଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ବିଶଲ୍ୟକରଣୀ ଥିଲା କୋଭିଡ ଟୀକା।ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜନସାଧାରଣଙ୍କୁ ଟୀକାକରଣ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଦାଇତ୍ୱ ଦିଆଯାଇଥିଲା। ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ୱାଧି ବିଭିନ୍ନ ଟୀକାକରଣ କେନ୍ଦ୍ରମାନ ପରିଦର୍ଶନ କରିଛନ୍ତି। ଏବଂ ଏହାକୁ ଅଧିକ ତ୍ୱରିତ କରିବାପାଇଁ ସିଏଚସି ଅଧିକାରୀ ଡା. ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

ବାଲୁଗାଁ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ବାଣପୁର ଗସ୍ତ କରିଛନ୍ତି। ବିଷରପାଟଣା ଛକରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଗମ୍ଭାରୀମୁଣ୍ଡା ଯାଇ ସେଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହାପରେ ଦେଓଗାଁରେ ‘ବୁଥ କମିଟି’ ଓ ‘ପନ୍ନା ପ୍ରବାସ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ବିମାନବନ୍ଦର ଫେରିଯାଇଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ କେନ୍ଦ୍ର ପର୍ଯ୍ୟଟନ ଅଧ୍ୟକ୍ଷ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା. ସମ୍ବିତ ପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଏବଂ ବହୁ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକ ବିଜେପି ନେତାମାନେ ସାମିଲ ଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଲିକା ଗସ୍ତ: ଦୁଇ ବ୍ଲକରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କଲେ କ୍ଷୋଭ ପ୍ରକାଶ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭୁବନେଶ୍ୱର ସାଂସଦ ତଥା ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀ ଚିଲିକା ନିର୍ବାଚନମଣ୍ଡଳୀରେ ଦିନିକିଆ ଗସ୍ତରେ ଆସିଥିଲେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅନୁରୋଧ କ୍ରମେ ସେ ଏହି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଗସ୍ତରେ ଶ୍ରୀମତୀ ଷଡ଼ଙ୍ଗୀ ଉଭୟ ଚିଲିକା ଏବଂ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିଭିନ୍ନ ଜନମଙ୍ଗଳ କାରି ଯୋଜନାର ରୂପାୟନ ଉପରେ ସମୀକ୍ଷା କରିଥିଲେ। ହେଲେ ଉଭୟ ବ୍ଲକରେ ବି.ଡି.ଓ ତଥା ବିଭାଗୀୟ ଅଧିକାରୀ ଅନୁପସ୍ଥିତି ରହିଥିବାରୁ ଏକ ପ୍ରେସ ମିଟ ଜରିଆରେ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ।

ଜନଶୁଣାଣୀ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ରାସନ କାର୍ଡ, ଗୃହ ନିର୍ମାଣ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବାରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୋର ବିଭ୍ରାଟ ହୋଇଛି ବୋଲି ଜାଣିବାକୁ ପାଇଥିଲେ ସାଂସଦ। ଏଥିପାଇଁ ସେ ସିଧାସଳଖ ସ୍ଥାନୀୟ ପ୍ରଶାସନ ଓ ସରକାର ନଶ୍ଚିତ ଭାବେ ଦାୟୀ ବୋଲି ପ୍ରେସ ମିଟରେ ପରିପ୍ରକାଶ କରିଥିଲେ।

ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବାଣପୁର ପଲଟନ ପଡ଼ିଆଠାରେ ଖୋର୍ଦ୍ଧା ଜିଲ୍ଲା ଗଢା ଶ୍ରମିକ ସଂଗଠନର ବାର୍ଷିକ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳା ଶ୍ରମିକମାନେ ଉପସ୍ଥିତ ଥିଲେ।

ସାଂସଦ ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଦର୍ଶନ କରିଥିଲେ। ଏବଂ ପରିଶେଷରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟନାରାୟଣ ସେନାପତିଙ୍କ ବାଲୁଗାଁ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ଉକ୍ତ ଗସ୍ତରେ ସାଂସଦଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ଅନ୍ୟାନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

ସାଂସଦଙ୍କ ଗସ୍ତ ସମୟରେ ଜିଲ୍ଲା ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକା ଗସ୍ତରେ ଜିଲ୍ଲା ଅଧିକାରୀଗଣ: ଜିରୋ କୋଭିଡ ଲକ୍ଷ ନେଇ ମାରଥନ ବୈଠକ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ କିଛି ଦିନ ହେଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କମୁଥିଲେ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଏବଂ ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପୃଥକ ପୃଥକ ଭାବେ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ।

ଉପଜିଲ୍ଲାପାଳ ଅପରାହ୍ନ ୩ ଘଟିକାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏକ ବୈଠକ ନେଇଥିଲେ। ଉକ୍ତ ବୈଠକରେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ (ଉଭୟ ହୋମ ଆଇସୋଲେସନ ଏବଂ ହସ୍ପିଟାଲରେ ଚିକିତ୍ସିତ) ସଂପୂର୍ଣ୍ଣ ତଥ୍ୟ ରଖିବା ସହ ବରାବର ମନିଟରିଂ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୋଭିଡ ସଂଖ୍ୟା ଚିଲିକା ବ୍ଲକରେ କିପରି ଶୂନକୁ ଖସିବ ସେ ନେଇ ବହୁ ରଣନୀତି କରିବା ସହ ଏନ୍ଫୋର୍ସମେଣ୍ଟ ଙ୍କୁ ଆହୁରି କଡାକଡି କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ପ୍ରତି ଗ୍ରାମ ପଞ୍ଚାୟତର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହାପରେ ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ଗସ୍ତ କରି ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ୧୧ ଗୋଟି ୱାର୍ଡ ପାଇଁ ୧୪ ଜଣ କରୋନା ସେବକମାନଙ୍କୁ ନିଯୁକ୍ତି ଦେଇଥିଲେ। ଉକ୍ତ କରୋନା ସେବକମାନେ ନିଜ ନିଜ ୱାର୍ଡରେ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କୁ କୋଭିଡ ଟେଷ୍ଟ କରିବା ପାଇଁ ଉତ୍ସାହିତ କରିବା ସହ ହୋମ ଆଇସୋଲେସନରେ ଥିବା ପଜିଟିଭ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବେ। ସେମାନେ ଏନ.ଏ.ସି ପ୍ରଶାସନକୁ ଏନ୍ଫୋର୍ସମେଣ୍ଟ ରେ ମଧ୍ୟ ସହଯୋଗ କରିବେ। ଏହାପରେ ଖୋଦ ଉପଜିଲ୍ଲାପାଳ କରୋନା ସେବକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଏବଂ ଅନ୍ୟ କର୍ମଚାରୀମାନଙ୍କ ସହ ବାଲୁଗାଁ ସହରରେ ଏନ୍ଫୋର୍ସମେଣ୍ଟ ପାଇଁ ବାହାରିଥିଲେ ଏବଂ ଅମାନିଆଙ୍କଠୁ ଜରିମାନା ମଧ୍ୟ ଆଦାୟ କରିଥିଲେ। ଆଜି ବାଲୁଗାଁ ଏନ.ଏ.ସି ରୁ ୭୨୦୦ ଟଙ୍କା କୋଭିଡ ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

ଅନୁରୂପ ଭାବେ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର ପହଁଚି ପ୍ରଥମେ ବାଣପୁର ଡାକ୍ତରଖାନା ପରିଦର୍ଶନ କରି ସେଠାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ସହ କୋଭିଡ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହାପରେ ଅପରାହ୍ନ ୪ ଘଟିକାରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା କମିଥିବାରୁ ସ୍ଥାନୀୟ ପ୍ରଶାସନ ଉପରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ ଏବଂ ପଜିଟିଭ ବ୍ୟକ୍ତି (ଉଭୟ ହୋମ ଆଇସୋଲେସନ ଏବଂ ମେଡିକାଲ ରେ ଚିକିତ୍ସାତ )ମାନଙ୍କ ସମ୍ପୂର୍ଣ ବିବରଣୀ ରଖିବା ସହ ମନିଟରିଂ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, କଣ୍ଟେନମେଣ୍ଟ ଜୋନରେ ନିୟମଗୁଡିକୁ ଠିକ ଭାବେ ପାଳନ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା, ବିଡ଼ିଓ ଡ଼ା ଶୁଭଶ୍ରୀ ତ୍ରିପାଠୀ, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ। ବୈଠକ ସମାପ୍ତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ବାଣପୁର ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ ଏବଂ କୋଭିଡ ନିୟମ ତଦାରଖ କରିଥିଲେ। ଉକ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନିଜେ ୨୫୦୦ ଟଙ୍କା କୋଭିଡ ଜରିମାନା ଆଦାୟ କରିଥିଲେ। ହେଲେ ଆଜି ସମୁଦାୟ ତହସିଲରୁ ୯୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ତହସିଲଦାର। ସେହିପରି ବାଣପୁର ପୋଲିସ ଦ୍ୱାରା ୭୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ଆଇ.ଆଇ.ସି।

ଅପରପକ୍ଷରେ ଆଜି ବାଣପୁର ଏନ.ଏ.ସି ର ଦୁଇ କର୍ମଚାରୀ କରୋନା ପଜିଟିଭ ହେବାରୁ ଏନ.ଏ.ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପାଇଁ ଦୁଇ ଦିନ ବନ୍ଦ କରାଯାଇଥିବାର ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଆଜି ଏନ.ଏ.ସି କାର୍ଯ୍ୟାଳୟ ଏବଂ ବାଣପୁର ମେଡିକାଲକୁ ସାନିଟାଇଜ ମଧ୍ୟ କରାଯାଇଅଛି। ଏତଦବ୍ୟତୀତ ଗତ ପାଞ୍ଚ ଦିନ ହେଲା ଏନ.ଏ.ସି ରୁ କେହି ପଜିଟିଭ ଚି଼ହ୍ନଟ ହୋଇନାହାନ୍ତି ଯାହା ଏକ ଆଶ୍ବସ୍ତିକର ଖବର ଏବଂ ଆଜିକାଦିନରେ ଏନ.ଏ.ସି ରେ ମାତ୍ର ୧୧ ଗୋଟି ଆକ୍ଟିଭ କେସ ଅଛି ଓ ସେମାନେ ସବୁ କରୋନା ଯୋଦ୍ଧା ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଏନ.ଏ.ସି ତରଫରୁ ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ଆଜି କୋଭିଡ ଜରିମାନା ୫୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।