ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଅନ୍ତର୍ଗତ ବଡ଼କୂଳରେ ଅବସ୍ଥିତ ଓଡ଼ିଆର୍ଟ ସେଣ୍ଟରଠାରେ ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଆଜି ଦ୍ଵିତୀୟ ଦିବସ। ଏହି ଅବସରରେ ଆଜି ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ପ୍ରସନ କୁମାର ଦାସ ଉଦଘାଟିତ କରିଥିଲେ।
ଓଡ଼ିଆର୍ଟ ସେଣ୍ଟରର ପୂର୍ବାସା ଫୋକ ଆଣ୍ଡ ଟ୍ରାଇବାଲ ଆର୍ଟ ମ୍ୟୁଜିୟମ ଠାରେ ଗତକାଲି ୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପାଞ୍ଚ ଦିନ ପର୍ଯ୍ୟନ୍ତ ଉକ୍ତ ଉତ୍ସବ ଜାରି ରହିବ। ଆଜିର କାର୍ଯ୍ୟକ୍ରମ ଦିବା ୧୧ ଘଟିକାରେ ଗଞ୍ଜାମ ସାଂସ୍କୃତିକ ସେମିନାରରୁ ଆରମ୍ଭ ହୋଇଥିଲା। ଏହାପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି ଓ ସେସନ ୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଧୁଡୁକି ନୃତ୍ୟ, ଦାସକାଠିଆ, ସାନ୍ତାଳୀ, ପୁରୁଲିଆ ଛଉ ନୃତ୍ୟରେ ଝୁମିଥିଲେ ଦର୍ଶକ। ଝାରଖଣ୍ଡ ଆଦିବାସୀ ଛଉ ନୃତ୍ୟ ଓ ଆସାମୀ ବିହୁ ନୃତ୍ୟକୁ ମଧ୍ୟ ଉପଭୋଗ କରିଥିଲେ ଦର୍ଶକ। ପରିଶେଷରେ ଭାରତ ନୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଜୁରୀ ସଦସ୍ୟ ସୁରେନ୍ଦ୍ର କୁମାର ରୟ, ମାନସ ରଞ୍ଜନ ପଟ୍ଟନାୟକ ଓ ଜ଼ାହୀଦ ଅଖତର ଆଦି ପରିଚାଳନା କରିଥିବାବେଳେ ସୁଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ।
ତେବେ ଦର୍ଶକମାନେ ଉକ୍ତ କାର୍ଯ୍ୟକ୍ରମକୁ ନିଃଶୁଳରେ ଉପଭୋଗ କରିପାରିବେ। ପାଞ୍ଚଦିନ ବ୍ୟାପି ଉକ୍ତ ଉତ୍ସବର ସମୟସୀମା ସକାଳ ୧୧ ଘଟିକାରୁ ରାତି ୮.୩୦ ପର୍ଯ୍ୟନ୍ତ ରହିଛି। କିନ୍ତୁ ମ୍ୟୁଜିୟମ ଭିତରେ ଥିବା ଆର୍ଟ ଗ୍ୟାଲେରୀକୁ ଦେଖିବାକୁ ହେଲେ ଦର୍ଶକଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଉକ୍ତ ଉତ୍ସବ ଜାରି ରହିଛି।