ଚେନ୍ନାଇ: ଚେନ୍ନାଇରୁ ଦୁବାଇ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଆଜି ସକାଳେ ଉଡ଼ାଣ ଭରିବାକୁ ଯାଉଥିଲାବେଳେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ବିମାନରେ ବୋମା ଅଛି ଏବଂ ବିମାନଟିକୁ ଉଡାଇଦେବା ପାଇଁ ଜଣେ କଲର୍ କହିଥିଲା। ଏହି ଖବର ପାଇବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ଏହି ବିମାନରେ ପ୍ରାୟ ୧୭୦ ଯାତ୍ରୀ ଯାତ୍ରା କରୁଥିଲେ। ଫୋନ ଆସିବା ପରେ ବିମାନକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। କିନ୍ତୁ କୌଣସି ସ୍ଥାନରେ ବୋମା ମିଳିନଥିଲା। ସକାଳ ୭.୩୦ ରେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ବିମାନଟି ୬ ଘଣ୍ଟା ବିଳମ୍ବ ହୋଇଥିଲା।
ସୂଚନାନୁସାରେ, ଶନିବାର ସକାଳେ ଚେନ୍ନାଇରୁ ଦୁବାଇ ଅଭିମୁଖେ ଇଣ୍ଡିଗୋ ବିମାନ ଉଡ଼ାଣ ପୂର୍ବରୁ ବୋମା ଧମକ ଦେଇଥିଲା। ପୋଲିସ କଣ୍ଟ୍ରୋଲ ରୁମରେ କେହି ଜଣେ ଅଜ୍ଞାତ ନମ୍ବରରୁ ଫୋନ କରି ବୋମା ସାହାଯ୍ୟରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଥିଲେ, ପରେ ବିମାନବନ୍ଦର ପୋଲିସକୁ ସତର୍କ କରାଯାଇଥିଲା। ବିମାନଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା କିନ୍ତୁ କୌଣସି ସ୍ଥାନରେ କିଛି ମିଳିନଥିଲା। ଏହା ପରେ ପୋଲିସ ଧମକ ଦେଇଥିବା ଯୁବକକୁ ଖୋଜିବାକୁ ଚେଷ୍ଟା କରିଥିଲା।
ଯେତେବେଳେ ପୋଲିସ୍ କଲ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କଲା, ସେତେବେଳେ ଆଶ୍ଚର୍ଯ୍ୟଜନକ କାରଣ ସାମ୍ନାକୁ ଆସିଲା। ପୋଲିସ୍ ଜାଣିବାକୁ ପାଇଲା ଯେ, ବୋମା ବିସ୍ଫୋରଣ କରିବାର ଧମକ ଜଣେ ମଦ୍ୟପ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିଲା। ପଚରାଉଚରା ବେଳେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ, ସେ ତାଙ୍କ ପରିବାର ଲୋକଙ୍କୁ ବିଦେଶ ଗସ୍ତରୁ ରୋକିବାକୁ ଚାହୁଁଥିଲେ। ତେଣୁ ସେ ଏପରି କଲ କରିଥିଲେ। ସେ ଚେନ୍ନାଇର ବାସିନ୍ଦା ଏବଂ ତାଙ୍କ ପରିବାର ସଦସ୍ୟ ଆଜି ସକାଳେ ବିମାନ ଯୋଗେ ଦୁବାଇ ଯାଉଥିଲେ ଏବଂ ସେ ସେମାନଙ୍କୁ ଯିବାକୁ ଚାହୁଁନଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।