Categories
ଆଜିର ଖବର ଆଞ୍ଚଳିକ

କୁଜଙ୍ଗରେ ସମସ୍ତ ମଦ ଦୋକାନ ସିଲ ଥିବା ସତ୍ତ୍ବେ ବ୍ୟାପକ ଚୋରାମଦ କାରବାର

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ରହିଥିବା ସମସ୍ତ ସରକାରୀ ମଦ ଦୋକାନକୁ ସରକାର ସିଲ କରିଛନ୍ତି । ମାତ୍ର ଏହା ସତ୍ୱେ କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ବ୍ୟାପକ ମଦର କାରବାର ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଧାର୍ଯ୍ୟ ମୂଲ୍ୟଠାରୁ ୪ ଗୁଣା ମୂଲ୍ୟରେ ଏହା ବିକ୍ରୟ କରାଯାଉଥିବା ଜଣାପଡ଼ିଛି । ସରକାରୀ ମଦ ଦୋକାନ ସିଲ ସତ୍ୱେ କୁଜଙ୍ଗ, ବାଲିତୁଠ, ରାହାମା ଏବଂ ଭୂତମୁଣ୍ଡାଇ ଅଂଚଳରେ ଉପଲବ୍ଧ ହେଉଥିବା ଏହି ମଦ କେଉଁଠୁ ଆସୁଛି ଏବେ ଏହା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଏହା ସାଧାରଣତଃ ହାତ ତିଆରୀ ଚୋରାମଦ ନା ସିଲ ଖୋଲାଯାଇ ସରକାରୀ ମଦ ଦୋକାନରୁ କଢାଯାଇ କଳାବଜାରୀ କରାଯାଉଛି  ତାହାଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯାହା ଏବେ କୁଜଙ୍ଗରେ ମଦମୃତ୍ୟୁ ଆଶଙ୍କାକୁ ବଢାଇ ଦେଇଛି ।  ତେବେ  ଜିଲ୍ଲାପାଳ ଏହି ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ ପ୍ରଦାନକଲେ  ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

ପ୍ରକାଶଯେ, କୁଜଙ୍ଗ ବ୍ଳକର କୁଜଙ୍ଗ ଠାରେ ଦୁଇଟି, ଭୂତମୁଣ୍ଡାଇରେ ଗୋଟିଏ, ରାହାମା ଏବଂ ବାଲିତୁଠାରେ ଗୋଟିଏ ଲେଖାଏ ସରକାରୀ ମଦ ଦୋକାନ ରହିଛି । କରୋନା ଭାଇରସ ଜନିତ କାରଣରୁ କେନ୍ଦ୍ର ଏବଂ ରାଜ୍ୟସରକାର ଗତ ମାର୍ଚ୍ଚ ମାସ ୨୪ ତାରିଖଠାରୁ ରାଜ୍ୟର ସମସ୍ତ ସରକାରୀ ମଦ ଦୋକାନକୁ ସିଲ କରିଛନ୍ତି । ପ୍ରାୟ ଦେଢ ମାସହେବ  ଏହି କଟକଣା ବଳବତ୍ତର ରହିଛି । ମାତ୍ର କୁଜଙ୍ଗବ୍ଳକର ରାହାମା, କୁଜଙ୍ଗ, ବାଲିତୁଠ ଏବଂ ଭୂତମୁଣ୍ଡାଇ ଅଂଚଳରେ ବ୍ୟାପକ ମଦର କାରବାର ହେଉଥିବା ଜଣାପଡ଼ିଛି ।

ରାହମା ବଜାର, ହଂସୁରା, ବାଲିକଣୀ, ପଙ୍କପାଳ, ମୁଥାପଦା ଭରାଳ, ଗରେଇ, ବୋରିଖି, ବାଲିପାଟଣା, କରତୁଠା, ବାଲିପାରୀ, ବାଲିତୁଠ, ତାଳଦଣ୍ଡା, ଜିଳ୍ଲାନାସୀ ସାହାରାଡିଆ,  ନୂଆବାଲିସାହୀ, ଗଣ୍ଡକିପୁର, ମାଳହୁଙ୍କା, ଭୂତମୁଣ୍ଡାଇ ଆଦି ବଜାର ଏବଂ  ଗ୍ରାମାଂଚଳରେ ଅତିମାତ୍ରାରେ ମଦ କାରବାର ହେଉଛି ।

ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧାର୍ଯ୍ୟ ମୂଲ୍ୟଠାରୁ ଏହା ଚାରିଗୁଣ ଚଢା ମୂଲ୍ୟରେ ବିକ୍ରୟ କରାଯାଉଛି । ପୁଲିସ ସାଧାରଣତଃ ଏବେ କୋଭିଡ଼-୧୯ ଜନିତ କଟକଣା ଯୋଗୁ ବ୍ୟସ୍ଥ ରହିଥିବାବେଳେ ଅବକାରୀ ବିଭାଗର ଭୂମିକା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଦୁଇଦିନ ତଳେ କୁଜଙ୍ଗର ସିଲ ହୋଇଥିବା ସରକାରୀ ମଦ ଦୋକାନ ନିକଟରେ ରାତି ୧୦.୧୨ ମିନିଟରେ ପାରାଦୀପ ଅବକାରୀ ବିଭାଗର ଅଧିକାରୀ ସନ୍ଦେହ ଜନକଭାବେ ଛିଡ଼ା ହୋଇଥିଲେ । ଯାହାକୁନେଇ ଏବେ ଅଂଚଳରେ ନାନା ସନ୍ଦେହ ଉଙ୍କି ମାରିଛି ।

ତେବେ ଏବେ ଉପରୋକ୍ତ ଅଂଚଳରେ ଉପଲବ୍ଧ ମଦ ସରକାରୀ ମଦ ନା ଚୋରାରେ ଚାଲାଣ ହେଉଥିବା ହାତ ତିଆରି ନକଲି ମଦ ତାହା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି । ତେବେ ଏନେଇ ଜିଲ୍ଲାପାଳ ଘଟଣା ଗୁରୁତ୍ୱ ଉପଲବ୍ଧିକରି ତଦ୍ଦନ୍ତ ଆଦେଶ ଦେବାକୁ ରାଜ୍ୟ ବରିଷ୍ଠ ନାଗରିକ ମହାସଙ୍ଘର ସଙ୍ଗଠନ ସମ୍ପାଦକ  କମ୍ରେଡ଼ ବାବୁରାମ ଚୌଧୁରୀ ଦାବୀ କରିଛନ୍ତି । ଏନେଇ ପାରାଦୀପ ଅବକାରୀ ଉପନୀରିକ୍ଷକ ପ୍ରଭାକର ସେଠୀଙ୍କୁ ପଚାରିବାରୁ ଏପରି ଚୋରା ମଦ ବ୍ୟବସାୟ କେଉଁଠାରେ ହେଉଛି ଆମକୁ ସୂଚନା ପ୍ରଦାନକଲେ ଆମେ ଚଢାଉ କରିବୁ ବୋଲି  ଓଲଟା ପ୍ରଶ୍ନ କରିଛନ୍ତି ।  ଶ୍ରୀଯୁକ୍ତ ସେଠୀଙ୍କ ଏହି ପାଲଟା ପ୍ରଶ୍ନମଧ୍ୟ ଅବକାରୀ ବିଭାଗର କାର୍ଯ୍ୟକାରିତାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।