ସୀତାରାମ ଅଗ୍ରଓ୍ବାଲ
ବାଣପୁର : କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବାଣପୁରରେ ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ ଡାଉନ । ଲକ ଡାଉନ ସମୟରେ ବାଣପୁରରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଦେଶୀ ମଦ ବେପାରୀ । ବାରମ୍ବାର ଅବକାରୀ ବିଭାଗ ତଥା ପୋଲିସ ଦ୍ୱାରା ଚଢ଼ାଉ ଜାରିରହିଥିଲେ ମଧ୍ୟ କେତେଜଣ ଅମାନିଆ ଅଛନ୍ତି ଯାହାଙ୍କୁ କିଛି ବି ଫରକ ପଡୁନି ଏବଂ ସରକାରୀ ନିୟମ ଓ କଟକଣାକୁ ଫୁ କରି ଉଡାଇଦେଉଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ବାଣପୁରରେ ଅବକାରୀ ବିଭାଗ କଡ଼ା ପାଟ୍ରୋଲିଂ କରୁଛି l ଦିନକ ତଳେ ଅବକାରୀ ବିଭାଗ ଦ୍ୱାରା 100 ଲିଟର ଦେଶୀ ମଦ ସହ 7 ଜଣ ବେପାରୀ ଧରା ପଡ଼ିଥିବା ବେଳେ ଆଜି ପୁଣିଥରେ ଅନୁରୂପ ଭାବେ ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ଚଢ଼ାଉ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଫରେଷ୍ଟ ବିଟ ହାଉସ ପାଖରେ ହୋଇଛି l ପୂର୍ବରୁ ଖବର ପାଇ ଗତକାଲି ରାତି 3 ଘଟିକାରେ ଅବକାରୀ ବିଭାଗ ଉକ୍ତ ସ୍ଥାନ ରେ ଛପି ରହିଥିଲା ଏବଂ ପାଖାପାଖି ସକାଳ 5 ଘଟିକା ରେ 128 ଲିଟର ଦେଶୀ ମଦ ସହ 4 ଗୋଟି ବାଇକ କୁ ଜବତ କରିବା ସହ 5 ଜଣ ମଦ ବେପାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଚୋରା ମଦ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
ସୂଚନାଥାଉ କି ବାଣପୁର ଅଞ୍ଚଳରେ ପ୍ରବଳ ମାତ୍ରାରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାବେଳେ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ମଧ୍ୟ ଜାରି ରହିଛି । ଏହା ଦେଖି କେତେ ବେପାରୀ ନିଜ କରବାର ବନ୍ଦ କରିଦେଇଥିବାବେଳେ ଆଉ କେତେଜଣ ଅମାନିଆ ପୋଲିସ ଓ ଅବକାରୀ ବିଭାଗ ହାତରେ ଧରାପଡ଼ି ଗିରଫ ହେଉଛନ୍ତି । ଉକ୍ତ ଚଢ଼ାଉରେ ଅବକାରୀ ବିଭାଗ ଏ.ଏସ.ଆଇ ସନ୍ତୋଷ ନାୟକ, କନଷ୍ଟେବଳ ରତ୍ନାକର ଜାଲୀ, ମୀନକେତନ ମାହାଲିକ, ଉର୍ମିଷ୍ଠା ସାମନ୍ତସିଂହାର ଓ ପୁର୍ଣିମା ଦାସ ଆଦି ସାମିଲ ଥିଲେ ।