Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରୁ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ସହ ଗାଡ଼ି ଜବତ କଲା ଏସଟିଏଫ, ଜଣେ ଗିରଫ

ଭୁବନେଶ୍ଵର: ଏସଟିଏଫକୁ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା କୋଇଲା ବୋଝେଇ ଗାଡିଗୁଡ଼ିକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି। ସୂଚନା ମୁତାବକ ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମରେ ବହୁ ପରିମାଣରେ ଚୋରା କୋଇଲା ଗଚ୍ଛିତ ଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ସମ୍ପୃକ୍ତ ସ୍ଥାନରେ ଫତେଗଡ଼ ପୋଲିସର ସହଯୋଗରେ ଏସଟିଏଫ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ସମୁଦାୟ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ଏବଂ ଦୁଇ ଗୋଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ ନାମକ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି।

ଏହି ପରିପ୍ରେକ୍ଷୀରେ ଫତେଗଡ଼ ଥାନାରେ କେସ ନମ୍ବର ୧୭୩/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଟିଏଫ ସୂଚନା ଦେଇଛି।