Categories
ବିଶେଷ ଖବର

ବିଜେତା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ରାୟପୁରରେ ପହଞ୍ଚିବାକୁ ଛତିଶଗଡ଼ କଂଗ୍ରେସର ନିର୍ଦ୍ଦେଶ: ବୁକ୍ ହେଲା ଚାର୍ଟର ବିମାନ

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଘୋଡ଼ାବେପାରକୁ ଏଡ଼ାଇବା ପାଇଁ ପ୍ରସ୍ତୁତି କରିଛି ଛତିଶଗଡ଼ କଂଗ୍ରେସ। ଦଳୀୟ ସୂତ୍ରରୁ ପ୍ରକାଶ ଯେ ଫଳାଫଳ ଆସିବାମାତ୍ରେ ବିଜୟୀ ପ୍ରାର୍ଥୀଙ୍କୁ ବେଙ୍ଗାଲୁରୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ କଂଗ୍ରେସ ୭୨ ସିଟ୍ ବିଶିଷ୍ଟ ଚାର୍ଟର ବିମାନ ମଧ୍ୟ ବୁକ୍ କରିଛି। ବିଜୟୀ ବିଧାୟକଙ୍କ ସହ ଦଳୀୟ ନେତା ମଧ୍ୟ ରହିବେ। କର୍ଣ୍ଣାଟକ କଂଗ୍ରେସ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ସେଠାରେ ମଧ୍ୟ କଂଗ୍ରେସ ସରକାର ରହିଛି। ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଡିସେମ୍ବର ୩ତାରିଖରେ ଫଳାଫଳ ପ୍ରକାଶ ପାଇବ।

ବିଜୟ ପରେ ସିଧାସଳଖ ରାୟପୁର ଆସିବାକୁ ନିର୍ଦ୍ଦେଶ

ମିଳିଥିବା ସୂଚନା ଅନୁଯାୟୀ, ଦଳ ସମସ୍ତ ପ୍ରାର୍ଥୀଙ୍କୁ ବିଜୟ ପ୍ରମାଣପତ୍ର ସିଧାସଳଖ ରାୟପୁର ନେବାକୁ କହିଛି। ଭିଆଇପି ରୋଡସ୍ଥିତ ଏକ ହୋଟେଲରେ ନବନିର୍ବାଚିତ ବିଧାୟକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ସମସ୍ତ ପ୍ରାର୍ଥୀ ଏଠାରେ ରାତିସାରା ଏକାଠି ରହିବେ।

ଏକାଠି ବେଙ୍ଗାଲୁରୁ ଗସ୍ତରେ ଯିବେ ନବନିର୍ବାଚିତ ବିଧାୟକ

ସୂତ୍ରରୁ ପ୍ରକାଶ ଯେ ବସ୍ତରରୁ ସରଗୁଜା ପର୍ଯ୍ୟନ୍ତ କଂଗ୍ରେସ ଦଳର ନବନିର୍ବାଚିତ ବିଧାୟକଙ୍କୁ ଆସିବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଦିନ ଅର୍ଥାତ୍ ଡିସେମ୍ବର ୪ତାରିଖରେ ସମସ୍ତ ବିଜୟୀ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଯିବ।

ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ରହିଛି। କୌଣସି ଗୋଟିଏ ଦଳର ପ୍ରବାହ ନାହିଁ। ଏହାକୁ ଆଧାର କରି ରାଜନୈତିକ ଦଳଗୁଡ଼ିକ ମଧ୍ୟ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି। ଯଦି ବିଜୟ-ପରାଜୟର ସଂଖ୍ୟା ଅଧିକ ନୁହେଁ, ତେବେ ବିଧାୟକମାନଙ୍କୁ କିପରି ସୁରକ୍ଷିତ ରଖାଯିବ?

୫୦ରୁ ୫୫ ସିଟରେ ବୃଦ୍ଧି ପାଇବ ଉତ୍ତେଜନା

୨୦୧୮ରେ କଂଗ୍ରେସ ଦଳ ଐତିହାସିକ ବିଜୟ ହାସଲ କରିଥିଲା। ଫଳାଫଳ ଆସିବାବେଳକୁ କଂଗ୍ରେସର ୬୮ ଜଣ ପ୍ରାର୍ଥୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। ଏଥର କଂଗ୍ରେସ ପାଇଁ ସ୍ଥିତି ସେତେଟା ଅନୁକୂଳ ନୁହେଁ। ଯଦି ସଂଖ୍ୟାଗରିଷ୍ଠତା ଆସେ ଏବଂ ବିଜୟୀ ବିଧାୟକଙ୍କ ସଂଖ୍ୟା ୫୦ରୁ ୫୫ ମଧ୍ୟରେ ରହେ ତେବେ ଘୋଡ଼ା ବେପାର ହେବାର ଆଶଙ୍କା ବଢ଼ିବ ବୋଲି ଦଳ ଆଶଙ୍କା କରୁଛି।

ଛତିଶଗଡ଼ ମଧ୍ୟପ୍ରଦେଶରୁ ଶିକ୍ଷା ନେଇଛି

୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ସରକାର ଗଠନ କରିଥିଲା। ସରକାର ଗଢ଼ିବାର ଦେଢ଼ବର୍ଷ ପରେ କିଛି ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି କାରଣରୁ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ମଧ୍ୟପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରୁ ଶିକ୍ଷା ନେଇ ଛତିଶଗଡ଼ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ପରେ ଛତିଶଗଡ କଂଗ୍ରେସରେ ବିବାଦ: ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଲାଗି ଦିଲ୍ଲୀରେ ପହଞ୍ଚିଲେ ନେତା

ନୂଆଦିଲ୍ଲୀ: ପଞ୍ଜାବ ପରେ ଏବେ ଛତିଶଗଡ କଂଗ୍ରେସର ଲଢେଇ ଏବେ ଦିଲ୍ଲୀରେ ପହଞ୍ଚିଛି। ସୂଚନାନୁସାରେ ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଦିଲ୍ଲୀ ଆସୁଛନ୍ତି। କୁହାଯାଉଛି ଯେ, ଛତିଶଗଡ କଂଗ୍ରେସର ଦାୟିତ୍ୱରେ ଥିବା ପିଏଲ ପୁନିଆଙ୍କ ସହ ଉଭୟ ନେତା ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କୁ ଭେଟି ପାରିବେ। ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ହୋଇ ନ ଥିବାରୁ ଟି.ଏସ୍ ସିଂଦେବ ଅସନ୍ତୋଷ ଥିବା ସୂଚନା ରହିଛି।

ଗତ ମାସରେ କଂଗ୍ରେସ ବିଧାୟକ ବୃହସ୍ପତି ସିଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ଉପରେ ହତ୍ୟା ଧମକ ଦେବା ଅଭିଯୋଗ କରିଥିଲେ। ସେବେଠାରୁ ସମଗ୍ର ରାଜ୍ୟର ରାଜନୈତିକ ମହୋଲ ଗରମ ଅଛି। ବିଧାୟକ ଅଭିଯୋଗ କରିଥିଲେ ଯେ, ଯେବେଠାରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରିବା ସହ ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଥାକୁ ଅସ୍ୱୀକାର କରିଥିଲେ, ସେବେ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ଟାର୍ଗେଟରେ ସେ ରହିଆସିଛନ୍ତି।

ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ ଦେଖାଯାଏ, ତେବେ ଛତିଶଗଡରେ ସବୁଠୁ ଶକ୍ତିଶାଳୀ କହିଲେ ଅତ୍ଯୁକ୍ତି ହେବ ନାହିଁ। ଛତିଶଗଡରେ କଂଗ୍ରେସ ସରକାର ଗଠନ ହେବା ଦିନଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ଫର୍ମୁଲା ଉପରେ ଆଲୋଚନା ହେଉଛି। ଜୁନ୍ ୧୭ ତାରିଖରେ, ଭୁପେଶ ବାଘେଲଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଛି। ସେବେଠାରୁ ରାଜ୍ୟରେ ନେତୃତ୍ୱ ବଦଳାଇବା ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ କଂଗ୍ରେସ ହାଇକମାଣ୍ଡ ଏହା ଉପରେ ଖୋଲାଖୋଲି ଭାବେ କିଛି କହିନାହାଁନ୍ତି। କଂଗ୍ରେସ ଦାୟିତ୍ୱରେ ଥିବା ପିଏଲ ପୁନିଆ ଏନେଇ ଅନେକ ଥର କହିଛନ୍ତି ଯେ, ଅଢେଇ ବର୍ଷ ପାଇଁ କୌଣସି ସୂତ୍ର ନାହିଁ।