Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ ଓଡ଼ିଶା ସମେତ ୬ ଟି ରାଜ୍ୟର ଛାତ୍ରଛାତ୍ରୀ

ଭୁବନେଶ୍ଵର: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀମାନେ ଆଜି ରାଷ୍ଟ୍ରପତି ଭବନକୁ ପରିଦର୍ଶନ କରିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ। ଏହିସବୁ ଛାତ୍ରମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ବାରା ଆୟୋଜିତ ଶିକ୍ଷଣ ଯାତ୍ରାର ଅଂଶ ଭାବରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବେ।

ଏହାପରେ ଦିନରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ରେଣୁକା ସିଂଙ୍କ ସହିତ ଆଲୋଚନା ପାଇଁ ଏକ ସମ୍ମିଳନୀର ଆୟୋଜନ କରୁଛି। କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ୬ ଟି ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ପ୍ରାୟ ୫୦୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀମାନେ ଆଜି ନୂଆଦିଲ୍ଲୀରେ ଡା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ମଧ୍ୟ ପରିଦର୍ଶନ କରିବେ।

ଏହି ପ୍ରକାର ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ଛାତ୍ରମାନଙ୍କୁ ଶିକ୍ଷା, କ୍ୟାରିୟର ଏବଂ ଛାତ୍ରବୃତ୍ତି ଯୋଜନା ସହିତ ସମ୍ବନ୍ଧିତ ବିଷୟରେ ବିଚାର, ଅନ୍ତର୍ଦୁଷ୍ଟି ଏବଂ ଅନୁଭବକୁ ଆଦାନ ପ୍ରଦାନ କରିବା ପାଇଁ ସାର୍ଥକ ଆଲୋଚନା ନିମନ୍ତେ ପ୍ଲାଟଫର୍ମ ପ୍ରଦାନ କରିବା ଅଟେ।

ଛାତ୍ରମାନେ ଆସନ୍ତାକାଲି ସକାଳ ସମୟରେ ସଂସଦ ଭବନକୁ ପରିଦର୍ଶନ କରିବେ। ଏହି ପ୍ରତିଷ୍ଠିତ ସଂସ୍ଥାର ଯାତ୍ରା ଦ୍ବାରା ଛାତ୍ରମାନେ ସଂସଦ ଭବନର କାର୍ଯ୍ୟ ସହିତ ପରିଚିତ ହେବା ଏବଂ ସଂସଦ ସହିତ ସାମିଲ୍ ଭୂମିକା ଓ ଦାୟୀତ୍ବକୁ ବୁଝିବାରେ ଏକ ସ୍ବତନ୍ତ୍ର ସୁଯୋଗ ମିଳିବ।

ସମଗ୍ର କାର୍ଯ୍ୟକ୍ରମ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ଛାତ୍ରମାନଙ୍କକୁ ଏକ ବ୍ୟାପକ ଅଭିଜ୍ଞତା ପ୍ରଦାନ କରିବ। ଏହି ଶିକ୍ଷଣ ଯାତ୍ରାର ଉଦ୍ଦେଶ୍ୟ ଛାତ୍ରମାନଙ୍କର ସମଗ୍ର ବିକାଶରେ ଯୋଗଦାନ ଦେବା ଅଟେ ଯେଉଁଥିରେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଞ୍ଚ ମିଳିବ ଏବଂ ଏହା ସହିତ ସେମାନଙ୍କ ଜୀବନ ଉପରେ ଏକ ଅବିସ୍ମରଣୀୟ ପ୍ରଭାବ ସୃଷ୍ଟି ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲରେ ଆରମ୍ଭ ହେଲା ‘ହାଉସ ସିଷ୍ଟମ’, ଭିନ୍ନ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟି-ସାର୍ଟ ଓ ଘନନୀଳ ଟ୍ରାକ୍‌ ପ୍ୟାଣ୍ଟ୍‌ର ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍‌ ଉତ୍ସାହିତ। ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍‌, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି।

ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ପ୍ରୟାସ ‘ହାଉସ ସିଷ୍ଟମ’ ଆରମ୍ଭ କରିଛି। ‘ହାଉସ ସିଷ୍ଟମ’ ଅନୁସାରେ, ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି।

ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା- ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ ‘ହାଉସ ସିଷ୍ଟମ’ ସହାୟକ ହେବ।

‘ହାଉସ ସିଷ୍ଟମ’ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଲାଗୁ ହୋଇଛି। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକରେ ୪ଟି ହାଉସ ଗଠନ କରାଯାଉଛି। ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀ, ପ୍ରତିଭା ଏବଂ ଲିଙ୍ଗଗତ ସାମସ୍ୟକୁ ଦୃଷ୍ଟିରେ ରଖି ସମାନୁପାତରେ ୪ଟି ଦଳ ଗଠନ କରାଯାଉଛି।

୧୦୦ରୁ କମ୍‌ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ବା ଦଳ ଗଠନ କରାଯାଉଛି। ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି। ପ୍ରାକୃତିକ ସମ୍ପଦ- ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲଗୁଡିକର ନାମକୁ ବ୍ୟବହାର କରାଯାଉଛି। ପାଠପଢ଼ା, ନେତୃତ୍ୱ ନେବାର କଳା, ବିଭିନ୍ନ କାର୍ଯ୍ୟକଳାପରେ ଦକ୍ଷ ଥିବା ଜଣେ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ହାଉସର ଅଧିନାୟକ(କ୍ୟାପଟେନ) ଭାବେ ମନୋନୀତ କରୁଛନ୍ତି। ଆଉ ଜଣେ ଉପଅଧିନାୟକ ଓ ଜଣେ ହାଉସ ପ୍ରତିନିଧି ଭାବେ ମଧ୍ୟ ମନୋନୀତ ହେଉଛନ୍ତି।

ପ୍ରତି ସପ୍ତାହରେ ଗୋଟିଏ ପିରିୟଡରେ ହାଉସର ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି। ବୈଠକରେ ବିଭିନ୍ନ କାର୍ଯ୍ୟର ଯୋଜନା, କ୍ରିୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଉଛି। ପ୍ରତି ହାଉସ ପାଇଁ ଜଣେ ଶିକ୍ଷକଙ୍କୁ ହାଉସ ମାଷ୍ଟର ଭାବେ ପ୍ରଧାନ ଶିକ୍ଷକ ନିୟୋଜିତ କରିଛନ୍ତି। ହାଉସ ମାଷ୍ଟରଙ୍କ ତତ୍ତ୍ୱାବଧାନରେ ଅଧିନାୟକ କାର୍ଯ୍ୟ କରୁଛନ୍ତି। ପ୍ରତି ବର୍ଷ ଭଲ କାମ କରିଥିବା ହାଉସକୁ ‘ହାଉସ ଅଫ୍‌ ଦ ଇୟର’ର ଭାବେ ପୁରସ୍କୃତ କରାଯିବ।

ପ୍ରତି ହାଉସ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ ଦିବସ ପାଳନ କରିବା, ଏହି ଅବସରରେ କୁଇଜ୍‌, ବକ୍ତୃତା, ଚିତ୍ରାଙ୍କନ, ପୋଷ୍ଟର ତିଆରି କରିବା, ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ, ପୁଷ୍ପବାଟିକା ଦାୟିତ୍ୱ ନେବା, ବିଦ୍ୟାଳୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା, ପ୍ରାର୍ଥନା ସଭାରେ ସମାଚାର ଉପସ୍ଥାପନା କରିବା, ପର୍ବପର୍ବାଣିରେ ଲୋକନୃତ୍ୟ, ଲୋକକଳା, ନାଟକ ପରିବେଷଣ କରିବା, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା, ପ୍ରବନ୍ଧ ରଚନା, ପୁସ୍ତକ ସମୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାଦାନ କରିବା ଦିଗରେ ‘ହାଉସ ସିଷ୍ଟମ’ କାର୍ଯ୍ୟ କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ସିଲେଟ ପଂଚାୟତରେ ଶିକ୍ଷା ପାଇବାରୁ ବଞ୍ଚିତ ପାଞ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଶିକ୍ଷାର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି ଏବଂ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ସମସ୍ତଙ୍କୁ ଶିକ୍ଷା କେମିତି ମିଳିବ ଏବଂ ଶିକ୍ଷାରୁ କେହି ବଞ୍ଚିତ ନ ରହିବେ ବୋଲି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁର ନାରା ଦେଉଥିବା ବେଳେ, ଏଠି କିନ୍ତୁ କିଛି ଓଲଟା ଚିତ୍ର ଦେଖିବକୁ ମିଲୁଛି। ଦୁର୍ଭାଗ୍ୟର ବିଷୟ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଳ ରାମପୁର ବ୍ଲକ୍ ଅନ୍ତର୍ଗତ ସିଲେଟ୍ ପଂଚାୟତ ଅଧିନସ୍ଥ ବିଲାମାଲ, କାନ୍ଦୁଲ ଗୁଡା, ମାଳତୀ ପଦର, ସିଲେଟ, ଦାଣ୍ଡ ପଦର, ଗ୍ରାମ ଗୁଡ଼ିକରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ, ହେଲେ ସେଠାରେ ସ୍କୁଲ ଗୃହ, କ୍ଲାସ ରୁମ୍, ବ୍ଲାକ ବୋର୍ଡ ଏବଂ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଛନ୍ତି।

ହେଲେ ଗ୍ରାମବାସୀ କହିବା ଅନୁଯାୟୀ କୋଉଠି ତିରିଶିରୁ ଚାଳିଶିତ କୋଉଠି ଚାଳିଶିରୁ ପଚାଶ ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସ୍କୁଲକୁ ଶିକ୍ଷକ ମାସକୁ ଥରେ ଦୁଇ ଥର କିମ୍ବା କୋଉଠି ସଂପୂର୍ଣ୍ଣ ଭାବରେ ଆସୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

ଗ୍ରାମବାସୀ କହିବାନୁଯାୟୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଯାଉଛି ଏବଂ କୋଉଠି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ମାନେ ଘରେ ରହି ଖେଳ କୁଦ କରୁଛନ୍ତି ତ କୋଉଠି ମଧ୍ୟାହ୍ନ ଭୋଜନ ସଂପୂର୍ଣ୍ଣ ବନ୍ଦ୍ ରହିଛି ବୋଲି ପ୍ରକାଶ କରିଛନ୍ତି।

ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ଶିକ୍ଷା ଦାୟିତ୍ୱରେ ଥିବା ଡିଇଓ, ବିଇଓ, ସିଆରସି ଭଳି ବଡ଼ ବଡ଼ ଅଧିକାରୀ ବାବୁମାନେ କଣ କରୁଛନ୍ତି? ସେମାନଙ୍କ ଦୃଷ୍ଟି ଏହା ଉପରେ ପଡୁନାହିଁ କେମିତି?

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ପଦବୀ ପୁରଣ ଦାବୀ: ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଦେଖାଦେଉଛି। ସେମିତି ଏକ ବିଦ୍ୟାଳୟ ରହିଛି ରେଢ଼ାଖୋଲ ବ୍ଲକ୍ ରେ ଯେଉଁଠି କି ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତାଲା ମାରି ଧାରଣାରେ ବସିଛନ୍ତି।

ରେଢାଖୋଲ ବ୍ଲକ, କଦଳୀଗଡ ପଞ୍ଚାୟତ, ଆମ୍ବଝରୀ ଗାଁ ର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୯ ମସିହାରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ବଦଳୀ କରାଯାଇଛି। ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୪ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଶିକ୍ଷକ ସମସ୍ୟା ନେଇ ବିଇଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବ ଦାବୀ ଅନୁଯାଇ ଆଜି ସକାଳୁ ଶିକ୍ଷାକମିଟୀ, ଗ୍ରାମବାସୀ ମିଶି ସ୍କୁଲ ଫାଟକରେ ତାଲା ପକାଇ, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ବସିଛନ୍ତି।

ଘଟଣା ସ୍ଥଳକୁ ରେଢାଖୋଲ ବିଇଓ ପହଂଚି ସମସ୍ୟାର ସମାଧାନ ପାଇଁ ବୁଝାସୁଝା କରିଥିଲେ ହେଲେ ଶିକ୍ଷକ ନଦେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଅଭିଭାବକ ଜିଦି ଧରିବାରୁ ବିଇଓ ଫେରି ଆସିଥିଲେ। ଧାରଣା ଜାଗାକୁ ଆଉ କେହି ବରିଷ୍ଠ ଅଧିକାରୀ ପହଂଚି ନ ଥିବା ବେଳେ ଏବେ ବି ଧାରଣା ଜାରି ରହିଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼/ରାଉରକେଲା: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଆଗରୁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ୍ ପାଇଁ ବନ୍ଦ ରହିଥିଲା।

ମଙ୍ଗଳବାର ଦିନ ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ପାଠାଗାରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କଲେଜର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଗୋସ୍ୱାମୀ, ପାନପୋଷସ୍ଥିତ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ କୁମାର ମହାନ୍ତି ଏବଂ ରାଉରକେଲାର ଜଣାଶୁଣା ଲେଖକ ବିଭୁତି ଭୂଷଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହି କିପରି ଜ୍ଞାନର ପରିସୀମାକୁ ଗଭୀର ଓ ବ୍ୟାପକ କରିଥାଏ ସେ ସମ୍ପର୍କରେ କହିଥିଲେ। ବହି ପଢ଼ିବା ଫଳରେ ମଣିଷର ରୁଚିରେ ପରିବର୍ତ୍ତନ ଆସିବା ସହ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଉରକେଲା ମହାନଗର ପାଠାଗାରରେ ଥିବା ରିଡିଙ୍ଗ ରୁମରେ ବସି ନିଜ ପସନ୍ଦର ବହି ପଢ଼ିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା।

ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି।

ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି। କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି। ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି।

ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରର ଏହି ବିଦ୍ୟାଳୟରେ ପହଞ୍ଚିଲା କରୋନା, ସଂକ୍ରମିତ ହେଲେ ୧୦ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା। ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୬୬୯ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ତୃତୀୟ ଲହର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

ସୂଚନା ମୁତାବକ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ର, ୪ ଜଣ ଛାତ୍ରୀ ଏବଂ ଜଣେ ବିଦ୍ୟାଳୟ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି। ତେବେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ପରଖିବା ସହ ବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଜିଟିଭମାନଙ୍କୁ ହୋମ ଆଇସୋଲେସନରେ ବର୍ତ୍ତମାନ ରଖାଯାଇଥିବାବେଳେ ମେଡିକାଲ ପକ୍ଷରୁ ଆରଆରଟି ଟିମ ପହଞ୍ଚି ସର୍ଭେ ଜାରି ରଖିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣିର ୫୭ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି।

Categories
ଆଜିର ଖବର

ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ: ଉତ୍ତୀର୍ଣ୍ଣ ହେଲେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦଶମ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ ମୋଟ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପାସ୍ କରିଛନ୍ତି। ସେହିପରି ଚଳିତ ବର୍ଷ ଏକ୍ସରେଗୁଲାରରେ ୮୮.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହୋଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବିଫଳ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ, ୨୨ ହଜାର ୧୩୧ ଜଣ ଏ-୨ ଗ୍ରେଡ୍, ୫୨ ହଜାର ୧୯୯ ଜଣ ବି-୧ ଗ୍ରେଡ୍, ୯୪ ହଜାର ୪୭୫ ଜଣ ବି-୨ ଗ୍ରେଡ୍‌ ପାଇଛନ୍ତି। ସେହିଭଳି ଏକ୍ସରେଗୁଲାରରେ ୫୩ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ହଜାର ୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ କୌଣସି ବିଦ୍ୟାଳୟରେ ଶୂନ୍ୟ ରେଜଲ୍ଟ ହୋଇନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପରୀକ୍ଷା ଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହେବେ, ସ୍ଥିତି ଠିକ ହେବା ପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ତେବେ ୱେବସାଇଟରେ ଏହାରରେଜଲ୍ଟ ଉପଲବ୍ଧ ହେଉଛି। www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଏହାସହ www.bseodisha.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଛାତ୍ରଛାତ୍ରୀ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR01<ROLL NO> ଲେଖି ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି: ଟାଙ୍ଗୀରେ ବିକ୍ଷୋଭ ସହ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ କିମ୍ବା ବାତିଲ ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ ଅଥବା ବାତିଲ କରିବା ପାଇଁ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

କଲେଜର ସମସ୍ତ ଛାତ୍ରଛାତ୍ରୀ ଟାଙ୍ଗୀ ପୂର୍ତ୍ତ ବିଭାଗ ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ ଓ ବିକ୍ଷୋଭ କରିଛନ୍ତି। ମାଟ୍ରିକ ପରୀକ୍ଷା ବାତିଲ ଢାଞ୍ଚାରେ ନିୟମ ଲାଗୁ କରିବାକୁ ଛାତ୍ର ସଂଗଠନ ଦାବି କରିଛି।

ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରାସ୍ତାରେ ବସିରହି ବିକ୍ଷୋଭ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖାଦେଇଥିଲା।

Categories
ଆଜିର ଖବର

ସିବିଏସଇ ବୋର୍ଡ: ପରୀକ୍ଷା ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି କଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେଥିପାଇଁ ବୋର୍ଡ ପରୀକ୍ଷାକୁ ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି ହେଉଛି। ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ଏହି ମହାମାରୀ ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବସାଇବା ସରକାରର ଏକ ଦାୟିତ୍ଵହୀନତା ବୋଲି ଅଭିଯୋଗ କରିଛନ୍ତି।

ଏହି ପରିସ୍ଥିତିରେ ପରିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିବା ଅନୁଚିତ୍। ପରୀକ୍ଷାକୁ ବାତିଲ କିମ୍ବା ପୁନଃନିର୍ଦ୍ଧରାଣ କିମ୍ବା ପରୀକ୍ଷାକୁ ଏଭଳି ଆୟୋଜନ କରିବା ଆବଶ୍ୟକ, ଯେଉଁଥିରେ ଜନଗହଳିପୂର୍ଣ୍ଣ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଉପସ୍ଥତି ରହିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ପ୍ରସଙ୍ଗ: ଉଚ୍ଚସ୍ତରୀୟ କମିଟି ଗଠିତ

ଭୁବନେଶ୍ବର: ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଗି ସଂରକ୍ଷଣ ଦିଆଯିବ ବୋଲି ନିକଟରେ ରାଜ୍ୟ ସରକାର ଘୋଷଣା କରିଥିଲେ।

ତେବେ ଏନେଇ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କ୍ୟାବିନେଟର ନିଷ୍ପତ୍ତି ପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ମୁଖ୍ୟ ଭାବେ ଉଚ୍ଚନ୍ୟାୟଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟଧିଷ ଏ.କେ.ମିଶ୍ର ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୁପିନ୍ଦର ପୁନିଆ, ଜି. ରେଘୁ କମିଟିର ସଦସ୍ୟ ଅଛନ୍ତି। ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ.କେ. ନାୟକ କମିଟି ଆବାହାକ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଡିଦର ସ୍କୁଲ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାହା ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇବା ଅଭିଯାନ ଏବେ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଂଶାଜାଲ ପଂଚାୟତର ଭାଡିଦର ବିଦ୍ୟାଳୟକୁ ସରକାର ବନ୍ଦ କରିଦେଉଥିବାରୁ ଏହାର ପ୍ରତିବାଦରେ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀମାନେ। ଏହା ସହିତ ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଧାରଣାରେ ବସି ଥିଲେ।  ସରକାର ୨୦ ରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଭାଡିଦରରେ ୨୪ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ କେମିତି ତାହା ବନ୍ଦ କରାଯାଇଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭାଡିଦର ଗ୍ରାମ ପାଖରେ ଜଙ୍ଗଲ ରହିଛି, ଯା ଫଳରେ ଛୋଟ ପିଲାମାନେ ଏଠାରୁ ଅନ୍ୟସ୍କୁଲକୁ ପାଠ ପଢି ଯିବାକୁ ଅସୁବିଧା ପାଇବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଉପଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ। ସରକାର ଆମକଥା ନ ଶୁଣିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ, ଅଭିଭାବକ ମାନେ ପ୍ରକାଶ କରିଛନ୍ତି।