Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୬-ଓଡ଼ିଶା ବାଟାଲିଅନ୍ , ଏନ୍‌.ସି.ସି ପୁରୀର କମାଣ୍ଡିଙ୍ଗ୍ ଅଫିସର କଲୋନେଲ୍ ସୁଦୀପ୍ ସିହ୍ନା ଯୋଗଦାନ କରି ନିଜର ବକ୍ତବ୍ୟରେ “ନେତୃତ୍ୱ, ପ୍ରତିନିଧିତ୍ୱ ହିଁ ସେବା ଓ ସମର୍ପଣ ଭାବନାର ପ୍ରତିଫଳନ” ବୋଲି କହିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥତିରେ ସମରଶିକ୍ଷାର୍ଥୀବାହିନୀଙ୍କ ପରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ନିଜର ଅଭିଭାଷଣରେ ଆଦର୍ଶ ଶିକ୍ଷକ ହିଁ ଉପଯୁକ୍ତ ଛାତ୍ରପ୍ରତିନିଧିଙ୍କୁ ଚୟନ କରିପାରିବେ ଯେଉଁମାନେ କି ଭବିଷ୍ୟତରେ ସମାଜସେବକ ଭାବେ ନିଜକୁ ପରିଚିତ କରାଇ ବିଦ୍ୟାଳୟ ତଥା ଜନ୍ମଭୂମିର ସୁନାମ ରକ୍ଷା କରିପାରିବେ ବୋଲି କହିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର ସିମ୍ରାବିନ୍ତ୍ ଅବ୍‌ଧ ଶୁଭାନ୍ ଲିଡ଼ର ଏବଂ ହରିଓଁ ଗୁରୁପ୍ରସାଦ ନନ୍ଦ ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ରରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୬ଟି କ୍ଲବ୍‍ର ଛଅ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବ ବର୍ଷ ମନ୍ତ୍ରସଦନର ପ୍ରତିନିଧିଗଣ ନାନାବିଧ ପ୍ରତିଯୋଗିତା ତଥା କାର୍ଯ୍ୟକଳାପ ପାଇଁ ଚମ୍ପିଆନ୍ ହେବାର ଗୌରବ ଲାଭ କରିଥିବା ବେଳେ ଭକ୍ତି ସଦନ ରନର୍ସଅପ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ।

ଏହି ଅବସରରେ ଫିଟ୍ ଇଣ୍ଡିଆ କୁଇଜ୍‌ରେ ସମଗ୍ର ରାଜ୍ୟରୁ ଏକମାତ୍ର ଦଳଭାବେ ସର୍ବଭାରତୀୟ ସ୍ତରକୁ ଉନ୍ନୀତ ହୋଇଥିବା ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ୍‍ ମଦନ ମୋହନ ପଣ୍ଡା ଏଥିରେ ଉପସ୍ଥିତ କରି ନୂତନ କର୍ମକର୍ତ୍ତାଙ୍କୁ ଶୁଭାଶୀର୍ବାଦ ପ୍ରଦାନ ଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଝରଣା ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।