Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେଲା ଭାରତର ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଭାରତର ୭୫୦୦ କିଲୋମିଟର ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନୈତିକ ଓ ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ବିଶ୍ୱର ଏହି ସପ୍ତମ ବୃହତ୍ତମ ଉପକୂଳରେ ଦେଶର ପାଖାପାଖି ୨୦ ପ୍ରତିଶତ ଜନସଂଖ୍ୟା ଏବଂ ୧୭ ହଜାରରୁ ଊଦ୍ଧ୍ୱର୍ ପ୍ରାଣୀ ଓ ଉଦ୍ଭିଦ ବସବାସ କରୁଛନ୍ତି। ସମୁଦ୍ର ଉପକୂଳରେ ଅବସ୍ଥାନ କରୁଥିବା ମଣିଷମାନଙ୍କୁ ଅଧିକ ସହନଶୀଳ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ଉପକୂଳ ସାମୁଦି୍ରକ ସମ୍ବଳର ସ୍ଥାୟୀ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଶ୍ୱ ବ୍ୟାଙ୍କର ମିଳିତ ସହଯୋଗରେ ଏକ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ଓଡ଼ିଶାରେ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି।

ସେପ୍ଟେମ୍ବର ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ୧୯୬ କିଲୋମିଟର ପରିବ୍ୟାପ୍ତ ପ୍ରକଳ୍ପ ଓଡ଼ିଶାର ଦୁଇଟି ଉପକୂଳବର୍ତ୍ତୀ (ପାରାଦ୍ୱୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା) ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ପାଖାପାଖି ୨୯୩.୧୫ କୋଟି ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିରୋଧ କରିବାରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଦେଶର ଉପକୂଳ ଅଞ୍ଚଳରେ ସହନଶୀଳତା ଓ ଦୀର୍ଘସ୍ଥାୟିତ୍ୱ ବଢ଼ାଇବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ନିମନ୍ତେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଉଲ୍ଲେଖ କରିଛନ୍ତି।

ଉପକୂଳ ଓ ସାମୁଦି୍ରକ ଜୈବବିବିଧତା, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିରୋଧ ଏବଂ ଉପକୂଳ ପ୍ରଦୂଷଣ ରୋକିବା ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରି ଏ ସଂପର୍କିତ ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ଦେଶର ୧୩ଟି ଉପକୂଳ ରାଜ୍ୟର ବରିଷ୍ଠ ଅଧିକାରୀ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ଏକତି୍ରତ କରିବା ସମ୍ମିଳନୀର ଉଦ୍ଦେଶ୍ୟ।

ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୟୁଏନ୍‌ଡିପି ସହାୟତାରେ ଉପକୂଳ ଅଞ୍ଚଳବାସୀଙ୍କ ସହଭାଗିତା ଓ ସହନଶୀଳତା ବଢ଼ାଇବା ଏହି କାର୍ଯ୍ୟକ୍ରମର ଅନ୍ୟ ପ୍ରମୁଖ ଆଭିମୁଖ୍ୟ। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରିଚା ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬ ଜଣ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ସରକାର ପ୍ରକାଶ କଲେ ଭାରତୀୟ ଜଙ୍ଗଲ ରିପୋର୍ଟ ୨୦୨୧, ଜାଣନ୍ତୁ କଣ ରହିଛି ଓଡିଶା ସ୍ଥିତି

ଭୁବନେଶ୍ୱର: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଡେରାଡୁନ୍‌ସ୍ଥିତ ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ପ୍ରସ୍ତୁତ ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ ୨୦୨୧ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉନ୍ମୋଚନ କରିଛନ୍ତି ।

ପ୍ରତି ଦୁଇବର୍ଷରେ ଥରେ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା ଏହି ସର୍ବେକ୍ଷଣ ଅନୁଯାୟୀ ୨୦୧୯-୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ୫୩୭.୪୪ ବର୍ଗକିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି, ଯାହାକି ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି।

ସେହିଭଳି ବିଗତ ଦୁଇ ବର୍ଷ ମଧ୍ୟରେ ହେନ୍ତାଳବନ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆହୁରି ମଧ୍ୟ ଜଙ୍ଗଲ ଅଭିବୃଦ୍ଧି ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରତବର୍ଷର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି ।

ଓଡ଼ିଶାର ସମୁଦାୟ ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦ ପ୍ରତିଶତ ଜଙ୍ଗଲ ଅଚ୍ଛାଦିତ ଅଟେ। ଏକ-ତୃତୀୟାଂଶ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ପରିପୂର୍ଣ୍ଣ ଯୋଗୁଁ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିପାରିଛି । ୨୦୧୭-୧୮ ବର୍ଷରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ ବର୍ଗ କିଲୋମିଟର ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ପାଖାପାଖି ଦୁଇଗୁଣା ଅଭିବୃଦ୍ଧି ଘଟିଛି ।

ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ବିଗତ ଦୁଇବର୍ଷ ମଧ୍ୟରେ ଅଧିକ ପରିମାଣରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ରାଜ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୨୪୩ ବର୍ଗ କିଲୋମିଟର ମଧ୍ୟମ ଧରଣର ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ଆହୁରି ମଧ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଓଡ଼ିଶାରେ ୧୧୩୪ ବର୍ଗ କିଲୋମିଟର ଅଣଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ଆଖିଦୃଶିଆ ବନାଞ୍ଚଳ ସୃଷ୍ଟି ହୋଇଛି । ଭାରତବର୍ଷର ବୃକ୍ଷଲତା ଏବଂ ଜଙ୍ଗଲରୁ ସୃଷ୍ଟି ହେଉଥିବା ସମୁଦାୟ କାର୍ବନ ପରିମାଣର ୬.୧୭ ପ୍ରତିଶତ ଓଡ଼ିଶାରୁ ସୃଷ୍ଟି ହେଉଛି ।

ରାଜ୍ୟ ସରକାରଙ୍କର ଯୁଗ୍ମ ଜଙ୍ଗଲ ପରିଚାଳନା ପଦକ୍ଷେପ ସହିତ ସବୁଜ ମିଶନ, ସବୁଜ ମହାନଦୀ ମିଶନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମ, ଜିଲ୍ଲା ଖଣିଜ ପାଣ୍ଠି, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ନିରବଚ୍ଛିନ୍ନ ଉଦ୍ୟମର ଫଳ ସ୍ୱରୂପ ରାଜ୍ୟରେ ଆଜି ଏହା ସମ୍ଭବ ହୋଇପାରିଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧିନସ୍ଥ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାର୍ଯ୍ୟ କରିବ

ନୂଆଦିଲ୍ଲୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ୧୯ଟି ସମନ୍ଵିତ କ୍ଷେତ୍ରୀୟ କାର‌୍ୟ୍ୟାଳୟ ଗୋଟିଏ ସ୍ଥାନରୁ କାର‌୍ୟ୍ୟ କରିବା ପାଇଁ ଅନୁମୋଦନ କରିଛି । ଏହି ସମନ୍ଵିତ ଆଞ୍ଚଳିକ କାର୍ଯ୍ୟାଳୟ (ଆଇଆରଓ)ଅକ୍ଟୋବର ପହିଲାରୁ କାର‌୍ୟ୍ୟ ଆରମ୍ଭ କରିବ ।

ଏହି ଆଇଆରଓ ଯେଉଁ ମାନବ ଓ ଅର୍ଥ ସମ୍ବଳକୁ ନେଇ କାର୍ଯ୍ୟ କରିବ ସେଗୁଡିକ ହେଲା ୧୦ଟି ଆଞ୍ଚଳିକ କାର‌୍ୟ୍ୟାଳୟ(ଆରଓଏଚକ୍ୟୁ ଡିଭିଜନ), ଭାରତୀୟ ଜଙ୍ଗଲ ସର୍ଭେର ୪ଟି ଆଞ୍ଚଳିକ କାର‌୍ୟ୍ୟାଳୟ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ୩ଟି ଆଞ୍ଚଳିକ କେନ୍ଦ୍ର, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ୪ଟି ଆଞ୍ଚଳିକ କାର୍ଯ୍ୟାଳୟ, ବନ୍ୟାପ୍ରାଣୀ ଅପରାଧ ବ୍ୟୁରୋର ୫ଟି ଆଞ୍ଚଳିକ ଓ ୩ଟି ଉପଆଞ୍ଚଳିକ କାର୍ଯ୍ୟାଳୟ ।

କ୍ରମିକ ସଂଖ୍ୟା ଆଇଆରଓ ମୁଖ୍ୟାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ଷେତ୍ର
(i) ଶିଲଂ ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା
(ii) ରାଞ୍ଚି ଝାଡଖଣ୍ଡ, ବିହାର
(iii) ଭୁବନେଶ୍ଵର ଓଡିଶା
(iv) ବେଙ୍ଗାଲୁର କର୍ଣ୍ଣାଟକ, କେରଳ, ଗୋଆ, ଲାକ୍ଷାଦୀପ
(v) ଚେନ୍ନାଇ ତାମିଲନାଡୁ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ
(vi) ଲକ୍ଷ୍ନୌ ଉତ୍ତର ପ୍ରଦେଶ
(vii) ଭୋପାଳ ମଧ୍ୟପ୍ରଦେଶ
(viii) ନାଗପୁର ମହାରାଷ୍ଟ୍ର
(ix) ଚଣ୍ଡିଗଡ ଚଣ୍ଡିଗଡ, ହରିୟାଣା, ପଞ୍ଜାବ
(x) ଡେରାଡୁନ ଉତ୍ତରାଖଣ୍ଡ
(xi) ଜୟପୁର ରାଜସ୍ଥାନ, ଦିଲ୍ଲୀ
(xii) ଗାନ୍ଧିନଗର ଗୁଜରାଟ, ଡମନ ଓ ଡିଉ, ଦାଦ୍ରା ଓ ନଗର ହାଭେଳି
(xiii) ବିଜୟୱାଡା ଆନ୍ଧ୍ର ପ୍ରଦେଶ
(xiv) ରାୟପୁର ଛତିଶଗଡ
(xv) ହାଇଦ୍ରାବାଦ ତେଲଙ୍ଗାନା
(xvi) ସିମଲା ହିମାଚଳ ପ୍ରଦେଶ
(xvii) କୋଲକାତା ପଶ୍ଚିମବଙ୍ଗ, ସିକ୍କିମ
(xviii) ଗୌହାଟୀ ଆସାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ
(xix) ଜମ୍ମୁ ଲଦାଖ, ଜମ୍ମୁ ଓ କଶ୍ମୀର

ଏହି ଆଇଆରଓର ମୁଖ୍ୟଙ୍କୁ ଆଞ୍ଚଳିକ ଅଧିକାରୀ କୁହାଯିବ । ପ୍ରତ୍ୟେକ ଆଇଆରଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀଙ୍କ ତତ୍ଵାବଧାନରେ ରହିବ । ଏଗୁଡିକ ସମ୍ପୃକ୍ତ ମନ୍ତ୍ରଣାଳୟର ଆଞ୍ଚଳିକ ୟୁନିଟ ଭାବେ କାର‌୍ୟ୍ୟ କରିବ ।