Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଜନଔଷଧୀ ଯୋଜନାରେ ସାମିଲ ହେଲା ଆଉ ଆଠଟି ପ୍ରାକୃତିକ ପୃଷ୍ଟି ବର୍ଦ୍ଧକ ଔଷଧ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଜନୌଷଧୀ ପରିଯୋଜନା ମାଧ୍ୟମରେ ଆଜି ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଔଷଧର ବିକ୍ରିବଟା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଅବସରରେ ଗୌଡ଼ା କହିଛନ୍ତି ଯେ ଏହିସବୁ ପୁଷ୍ଟିବର୍ଦ୍ଧକ ବା ନିୟୁଟ୍ରାସ୍ୟୁଟିକାଲ କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବ୍ୟବହାର କଲେ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ। ଏସବୁ ସାମଗ୍ରୀର ମାନ ଦୃଷ୍ଟିରୁ ଅନ୍ୟାନ୍ୟ ଜିନିଷଠାରୁ ଉନ୍ନତ ଏବଂ ବଜାର ମୂଲ୍ୟଠାରୁ ୨୬ ଶତାଂଶ ଶସ୍ତା।

ଦେଶରେ ଜନୌଷଧୀ କେନ୍ଦ୍ରର ଏକ ବିରାଟ ବ୍ୟବସ୍ଥା ରହିଥିବାରୁ ସବୁ ଜନୌଷଧୀ କେନ୍ଦ୍ର ମାଧ୍ୟମରେ ଏହିସବୁ ପ୍ରୋଟିନ ସାମଗ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୋଇପାରିବ। ସରକାର ଏବେ ବିଭିନ୍ନ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ, ମାଲ୍ଟଭିତ୍ତିକ ନିୟୁଟ୍ରେସନ ଡ୍ରିଙ୍କ, ଇମ୍ୟୁନିଟି ବୁଷ୍ଟର ଆଦି ନିୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏହା ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନରେ ସହାୟକ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶରେ ଏବେ ୬୫୦୦ରୁ ଅଧିକ ଜନୌଷଧୀ କେନ୍ଦ୍ର ରହିଛି ଏବଂ ସେଠାକୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ରୋଗୀ ଔଷଧ କିଣିଥାନ୍ତି । ଏହିସବୁ କେନ୍ଦ୍ରରେ ଶସ୍ତାରେ ଜେନେରିକ୍ ଔଷଧ ଯୋଗାଇ ଦିଆଯାଉଛି । ଏହି ଯୋଜନାଟି ଡାଇବେଟିସ୍‌, ବ୍ଲଡପ୍ରେସର ଓ ସାଇକୋଟ୍ରପିକ୍ ଭଳି ପୁରୁଣା ରୋଗ ଭୋଗୁଥିବା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେଉଛି । ସେ ଆହୁରି କହିଛନ୍ତି ଯେ ଏହିସବୁ ଜନୌଷଧୀ କେନ୍ଦ୍ରର ଗୁରୁତ୍ୱ କେତେ ଅଧିକ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖରେ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ସ୍ପଷ୍ଟ କରିଦେଇଛନ୍ତି ।

ଏସବୁ କେନ୍ଦ୍ରରେ ସାନିଟାରି ନାପ୍‌କିନ ପ୍ୟାଡ୍ ପିଛା ୧ ଟଙ୍କାରେ ବିକ୍ରି ହେଉଛି । ମହିଳାଙ୍କୁ ଋତୁକାଳୀନ ସ୍ୱାସ୍ଥ୍ୟଗତ ନିରାପତ୍ତା ଯୋଗାଇ ଦେବାକୁ ଏହା ‘ସୁବିଧା ସ୍କିମ୍‌’ରେ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହିସବୁ ପ୍ୟାଡ୍‌ରେ ଯେଉଁ ସାମଗ୍ରୀ ବ୍ୟବହାର କରାଯାଉଛି ତାହା ପରିବେଶ ଅନୁକୂଳ ଏବଂ ଶସ୍ତା । ମନ୍ତ୍ରୀ କହିଛନ୍ତି ଯେ ୨୦୦୮ରେ ଜନୌଷଧୀ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ୨୦୧୬ ମାର୍ଚ୍ଚ ପର‌୍ୟ୍ୟନ୍ତ ମାତ୍ର ୯୯ଟି କେନ୍ଦ୍ର ସାରା ଦେଶରେ ଖୋଲାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦ୍ୟମକ୍ରମେ ଏହି ଯୋଜନାର ପୁନର୍ବିନ୍ୟାସ କରାଯାଇଥିଲା। ଏଥିରେ ଔଷଧପତ୍ର ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ସଂଗ୍ରହ, ବିକ୍ରିବଟା, ପରିବହନ, ଆଇଟି ଓ ନୂଆ କେନ୍ଦ୍ର ଖୋଲିବା ଆଦି ବ୍ୟବସ୍ଥା ହୋଇଥିଲା । ୨୦୧୭ରେ ଜନୌଷଧୀ ଯୋଜନା ଏକ ନୂଆ ରୂପ ନେଇଥିଲା। ବର୍ତ୍ତମାନ ଦେଶର ୭୩୪ଟି ଜିଲାରୁ ୭୩୨ଟିରେ ୬୫୮୭ଟି ଜନୌଷଧୀ କେନ୍ଦ୍ର କାର‌୍ୟ୍ୟ କରୁଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଜନୌଷଧୀ କାର‌୍ୟ୍ୟକ୍ରମର ପୁନର୍ବିନ୍ୟାସ ପରେ ଏସବୁ ବିକ୍ରୟ କେନ୍ଦ୍ରରେ ଜେନେରିକ୍ ଔଷଧର ଅନୁପାତ ବଢିଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁସାରେ ଏହା କାର‌୍ୟ୍ୟ କରୁଛି । ଆଜି ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ନୂଆ ପୁଷ୍ଟିକର ସାମଗ୍ରୀ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ।

କରୋନା ମହାମାରୀ ସମୟରେ ଏଭଳି ସାମଗ୍ରୀର ବିଶେଷ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ ଆହୁର କହିଛନ୍ତି ଯେ ଲୋକଙ୍କୁ ଶସ୍ତା ଓ ଉଚ୍ଚମାନର ଜେନେରିକ୍ ଔଷଧ ଯୋଗାଇ ଦେବାରେ ଜନୌଷଧୀ କେନ୍ଦ୍ରଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ଏସବୁ କେନ୍ଦ୍ରର ପୁନର୍ବିନ୍ୟାସ ପରେ ଜେନେରିକ୍ ଔଷଧର ବିକ୍ରିବଟା ଓ ବ୍ୟବହାର ବିଶେଷ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଫାର୍ମାସ୍ୟୁଟିକାଲ ସଚିବ ଡ. ପି.ବି ବଘେଲା ଉଦ୍‌ବୋଧନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ଅବଧିରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ 52 କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ : ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ 52 କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା 42 କୋଟି ଟଙ୍କା । 2019 ଏପ୍ରିଲରେ ଏହା ମାତ୍ର 17 କୋଟି ଟଙ୍କା ଥିଲା ।

ଲକଡାଉନ କାଳରେ ସାରାଦେଶରେ କରୋନା ସମସ୍ୟାର ମୁକାବିଲା ପାଇଁ ଗୁରୁତ୍ୱର ଆହ୍ୱାନ ରହିଛି । ଏହି ସମୟରେ ଲୋକଙ୍କ ମଧ୍ୟରେ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିଛି । ସେହି ଆବଶ୍ୟକତା ପୂରଣ କରିବା ପାଇଁ ଜନୌଷଧି କେନ୍ଦ୍ରଗୁଡକ ପକ୍ଷରୁ ସତପରୋନାସ୍ତି ଚେଷ୍ଟା କରାଯାଉଛି । ଏହି ସମୟରେ କେବଳ ଏପ୍ରିଲ ମାସରେ ଏସବୁ କେନ୍ଦ୍ର ଦ୍ୱାରା 52 କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ବିକ୍ରି କରାଯାଇଛି । ଯାହା ଏକ ରେକର୍ଡ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ କେନ୍ଦ୍ରରୁ ଲୋକଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଖୋଲାବଜାରରେ ଉପଲବ୍ଧ ଔଷଧ ତୁଳନାରେ ଜନୌଷଧି ଔଷଧପତ୍ରର ମୂଲ୍ୟ ହାରାହାରି 50 ରୁ 90 ଶତାଂଶ କମ୍ । ଏହା ଫଳରେ ଗୋଟିଏ ମାସରେ ଦେଶର ସାଧାରଣ ଔଷଧ କ୍ରେତା ପ୍ରାୟ 300 କୋଟି ଟଙ୍କା ବଂଚାଇ ପାରିଛନ୍ତି ।

କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଓ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସଫଳତା ପାଇଁ ଜନୌଷଧି ଷ୍ଟୋର ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନେ ପ୍ରତିକୂଳ ପରିସ୍ଥିତି ସତ୍ୱେ ନିରଚ୍ଛିନ୍ନଭାବେ ଲୋକଙ୍କୁ ସେବା ଯୋଗାଇଥିବାରୁ ଦୁଇ ମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତ ସରକାର ଜନୌଷଧି କାର୍ଯ୍ୟକ୍ରମ ପ୍ରତି ବିଭିନ୍ନ ଅଭିନବ ବ୍ୟବସ୍ଥାରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ମାନ ଆଣିବାକୁ ଉଦ୍ୟମରତ । ଜନୌଷଧି ଯୋଜନାରେ 900 ପ୍ରକାରର ଜେନେରିକ ଔଷଧ ଓ ଡାକ୍ତରୀ ସାମଗ୍ରୀ ଦେଶର ପ୍ରତ୍ୟେକ ନାଗରିଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ।

ବ୍ୟୁରୋ ଅଫ୍ ଫାର୍ମ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଚିନ କୁମାର ସିଂହ କହିଛନ୍ତି ବିପିପିଆଇ ପକ୍ଷରୁ ସୁବିଧା ନିମନ୍ତେ ଜନୌଷଧି ସୁଗମ ଆପ୍ ବିକଶିତ କରାଯାଇଛି । ଏହା ମାଧ୍ୟମରେ ଲୋକେ ନିକଟବର୍ତ୍ତୀ ଜନୌଷଧି କେନ୍ଦ୍ର ସୁବିଧାରେ ଠାବ କରିପାରିବ । ଏହାଛଡା ଏସବୁ କେନ୍ଦ୍ରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଔଷଧପତ୍ର ଏବଂ ଡାକ୍ତରୀ ସାମଗ୍ରୀର ତଥା ସେସବୁର ମୂଲ୍ୟ ଜାଣିପାରିବେ । 32,500ରୁ ଅଧିକ ଲୋକ ଏବେ ଏହି ଆପ ବ୍ୟବହାର କରୁଛନ୍ତି । ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଜନୌଷଧି କେନ୍ଦ୍ରର ଅବସ୍ଥିତି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ତଥ୍ୟ ଏହି ଆପରେ ଯୋଗାଇ ଦିଆଯାଉଛି ।

ଦେଶର 726 ଜିଲ୍ଲାରେ ଏବେ 6300ରୁ ଅଧିକ ଜନୌଷଧି କେନ୍ଦ୍ର କାର୍ଯ୍ୟ କରୁଛି । ଲକଡାଉନ କାଳରେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ କରିବା ପାଇଁ ଏହି କେନ୍ଦ୍ର ସମୂହ ସୋସିଆଲ ମିଡିଆରେ ସୂଚନାତ୍ମକ ତଥ୍ୟମାନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି । (ଏଜେନ୍ସି)