Categories
ଆଜିର ଖବର ଜାତୀୟ ଖବର

ଏକଦା ଅଣଦେଖାର ଶିକାର ହୋଇଥିବା ଜନଜାତି ସମାଜ ଆଜି ହେଉଛି ସଶକ୍ତ

ନୂଆଦିଲ୍ଲୀ: ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଦୀର୍ଘ ଦଶନ୍ଧି ଧରି ଅବହେଳା, ଅଣଦେଖା ଏବଂ ଭେଦଭାବର ଶିକାର ହୋଇଥିବା ଜନଜାତି ସମାଜ ବିଗତ ୧୦ ବର୍ଷ ମଧ୍ୟରେ ସଶକ୍ତ ହୋଇଛି। ବର୍ତ୍ତମାନର କେନ୍ଦ୍ର ସରକାର ଜନଜାତି ବର୍ଗଙ୍କ ସାମାଜିକ-ଆର୍ଥିକ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ସମର୍ପିତ ହୋଇ କାମ କରୁଛନ୍ତି।

୨୦୧୪ ପୂର୍ବରୁ ଭାରତର ଜନଜାତି ସମାଜ ଏକ କଠିନ ପରିସ୍ଥିତିର ସାମ୍ନା କରୁଥିଲା, କିନ୍ତୁ  ସେମାନଙ୍କ ସଂଘର୍ଷକୁ ଦେଶରେ ପ୍ରାୟତଃ ଅଣଦେଖା କରାଯାଉଥିଲା। ଅନେକ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଆର୍ଥିକ ସୁଯୋଗ ଭଳି ମୌଳିକ ସୁବିଧା ସର୍ବନିମ୍ନ ଅଛି କିମ୍ବା ଆଦୌ ନଥିଲା। କିନ୍ତୁ ୨୦୧୪ ପରଠାରୁ ଏ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେବଳ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ସ୍ୱୀକାର କରିନାହିଁ ବରଂ ସେମାନଙ୍କ କଲ୍ୟାଣକୁ ତତ୍ପରତାର ସହ ପ୍ରାଥମିକତା ଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତୀକରଣ ପର୍ଯ୍ୟନ୍ତ, ଏହି ସମ୍ପ୍ରଦାୟଗୁଡ଼ିକ ଏବେ ଯେଭଳି ସମର୍ଥନ ଓ ପୁଞ୍ଜିନିବେଶ ପାଉଛନ୍ତି, ସେଥିରୁ ସେମାନେ ଦୀର୍ଘଦିନ ଧରି ବଞ୍ଚିତ ରହିଥିଲେ।

ଶିକ୍ଷାକୁ ଉଦାହରଣ ସ୍ୱରୂପ ଦେଖିଲେ, ଏକଦା ଆଦିବାସୀ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାର ଆଶା କମ୍ ଥିଲା। ୨୦୧୪ ପୂର୍ବରୁ ଅଳ୍ପକିଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଥିଲା ଏବଂ ସେଥିରେ ଅଳ୍ପ ସମ୍ବଳ ଉପଲବ୍ଧ ଥିଲା । ମୋଦୀ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ବିଦ୍ୟାଳୟଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ସମ୍ପ୍ରସାରଣ ହୋଇଛି। ଏବେ ୭୧୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ୪୭୬ଟି କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୧ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ସୁବିଧା, ଡିଜିଟାଲ କ୍ଲାସରୁମ୍ ଏବଂ କ୍ରୀଡ଼ା ଭିତ୍ତିଭୂମି ରହିଛି, ଯାହା ଆଦିବାସୀ ପିଲାମାନଙ୍କୁ ସହରାଞ୍ଚଳ ପିଲାଙ୍କ ସହ ସମାନ ଶିକ୍ଷାଦାନ ସୁନିଶ୍ଚିତ କରୁଛି। ୧୭,୦୦୦ କୋଟି ଟଙ୍କାର ଛାତ୍ରବୃତ୍ତି ୩ କୋଟିରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିଛି, ଯାହା ସେମାନଙ୍କୁ ଉଚ୍ଚଶିକ୍ଷା ଏବଂ ଉନ୍ନତ କ୍ୟାରିୟର ସୁଯୋଗ ପ୍ରଦାନ କରିଛି। ଏକଦା ଆଦିବାସୀ ଯୁବକମାନଙ୍କ ପାଇଁ ଯେଉଁ ରାସ୍ତା ବନ୍ଦ ମନେ ହେଉଥିଲା, ତାହା ଏବେ ବ୍ୟାପକ ଭାବେ ଖୋଲା ରହିଛି ଏବଂ ସେମାନେ ଏକ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତରେ ପାଦ ଥାପିଛନ୍ତି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାହାଣୀ ମଧ୍ୟ କିଛି ଅଲଗା ନୁହେଁ। ୨୦୧୪ ପୂର୍ବରୁ ଜନଜାତି ସମାଜକୁ ସୀମିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳୁଥିଲା। ଏବେ ଆଦିବାସୀ ଅଞ୍ଚଳର ଦୁର୍ଗମ କୋଣଅନୁକୋଣରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ପହଞ୍ଚିବା ସହିତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଛି। ଏହାବ୍ୟତୀତ ଆଦିବାସୀ ଅଞ୍ଚଳରେ ୧.୫ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିଛି ଏବଂ ରୋଗ ସଂକ୍ରମଣ ହ୍ରାସ ପାଇଛି। ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି, ଯାହା ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି।

ଆଦିବାସୀ ସମାଜକୁ ବ୍ୟାପକ ଭାବେ ପ୍ରଭାବିତ କରୁଥିବା ସିକଲ୍ ସେଲ୍ ଏନିମିଆ ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟିଛି। ୨୦୨୩ରେ ଆରମ୍ଭ ହୋଇଥିବା ଜାତୀୟ ସିକଲ ସେଲ ଆନିମିଆ ବିଲୋପ ମିଶନରେ ୨୦୪୭ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନସୁଦ୍ଧା ୪.୬ କୋଟିରୁ ଅଧିକ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ସେମାନଙ୍କର ରୋଗ ନିରୂପଣ ଓ ଚିକିତ୍ସା କରାଯାଉଛି ଯାହା କିଛି ବର୍ଷ ପୂର୍ବେ ଏକ ଦୁଃସ୍ୱପ୍ନ ପରି ମନେ ହେଉଥିଲା। ୭ କୋଟି ଲୋକଙ୍କୁ ଯାଞ୍ଚ, ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଜଙ୍ଗଲ ଅଧିକାର ଆଇନକୁ  କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆଦିବାସୀଙ୍କ ଜମି ଅଧିକାରକୁ ସ୍ୱୀକୃତି ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସମାଜର ଲୋକମାନେ ସେମାନଙ୍କ ଜମି ଉପରେ ସ୍ୱଳ୍ପ ଅଧିକାର ପାଇଥିଲେ ଏବଂ ସବୁବେଳେ ଜବରଦଖଲ ଓ ବିସ୍ଥାପିତ ହେବାର ଭୟରେ ରହୁଥିଲେ। ସେମାନଙ୍କ ଜମି ଉପରେ ଏହି ନିୟନ୍ତ୍ରଣର ଅଭାବ ଦାରିଦ୍ର୍ୟ ଓ ସଂସ୍କୃତି ହରାଇବାର ଚକ୍ରକୁ ବଜାୟ ରଖିଥିଲା। କିନ୍ତୁ ମୋଦୀ ସରକାରଙ୍କ ଅମଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଜଙ୍ଗଲ ଅଧିକାର ଆଇନକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରାଯାଇଛି, ଯାହାଫଳରେ ୧.୯ କୋଟି ଏକରରୁ ଅଧିକ ଅଞ୍ଚଳରେ ଆଦିବାସୀ ପରିବାରମାନଙ୍କୁ ୨୩ ଲକ୍ଷରୁ ଅଧିକ ଜମି ମାଲିକାନା ପ୍ରଦାନ କରାଯାଇଛି। ଏହି ଐତିହାସିକ ପଦକ୍ଷେପ ଆଦିବାସୀମାନଙ୍କୁ ସେମାନଙ୍କ ଜମିଚାଷ କରିବା, ପାରମ୍ପରିକ ଜୀବିକା ପାଳନ କରିବା ଏବଂ ବିସ୍ଥାପିତ ହେବାର ଭୟ ନ କରି ସେମାନଙ୍କ ପୈତୃକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ସଶକ୍ତ କରିଛି।

ଆର୍ଥିକ ସଶକ୍ତୀକରଣ ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ପରିବର୍ତ୍ତନ ଗଭୀର ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ନିଜର ଜୀବିକା ପାଇଁ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିଲେ କିନ୍ତୁ ଏହି ସମ୍ବଳଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବା ପାଇଁ ସେମାନଙ୍କ ପାଖରେ ସହାୟତା କିମ୍ବା ଉପାୟର ଅଭାବ ଥିଲା। ଆଜି ଜାତୀୟ ବାଉଁଶ ମିଶନ ଭଳି ପଦକ୍ଷେପ ଆଦିବାସୀଙ୍କ ଆର୍ଥିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେଇଛି। ବାଉଁଶକୁ ଗଛ ଭାବରେ ବର୍ଗୀକରଣ କରି ସରକାର ଆଦିବାସୀ ପରିବାରମାନଙ୍କ ପାଇଁ ବାଉଁଶ ଅମଳ, ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ନୂତନ ବାଟ ଖୋଲିଥିଲେ, ଯାହା ସେମାନଙ୍କୁ ରୋଜଗାରର ଏକ ସ୍ଥାୟୀ ଉତ୍ସ ପ୍ରଦାନ କରିଛି। ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ମଧ୍ୟ ୪୫ ଲକ୍ଷରୁ ଅଧିକ ଆଦିବାସୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛି, ଯାହାକି ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ପିଏମ-କିଷାନ ଅଧୀନରେ ପ୍ରାୟ ୧.୨ କୋଟି ଆଦିବାସୀ କୃଷକମାନେ ବର୍ତ୍ତମାନ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ କୃଷିରେ ପୁଞ୍ଜିନିବେଶ ଏବଂ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ସଶକ୍ତ କରୁଛି । ଏହି ପଦକ୍ଷେପ କେବଳ ଆଦିବାସୀ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ କରୁନାହିଁ; ସେମାନେ ଆତ୍ମନିର୍ଭରଶୀଳତା ଏବଂ ଦୀର୍ଘମିଆଦୀ ସମୃଦ୍ଧିର ମୂଳଦୁଆ ପକାଇଛନ୍ତି।

ଭିତ୍ତିଭୂମି ଦୃଷ୍ଟିରୁ, ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବିଚ୍ଛିନ୍ନ ହୋଇ ରହିଥିଲେ। ଦୁର୍ବଳ ସଡ଼କ ଯୋଗାଯୋଗ, ବିଶୁଦ୍ଧ ଜଳର ଅଭାବ ଏବଂ ଖରାପ ପରିବହନ ବ୍ୟବସ୍ଥା ସେମାନଙ୍କ ପାଇଁ ଦୈନନ୍ଦିନର ସଂଘର୍ଷ ଥିଲା। କିନ୍ତୁ ୨୦୧୪ ମସିହାରୁ ଏହି ଦୁର୍ଗମ ଅଞ୍ଚଳଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି। ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି, ଆଦିବାସୀ ଗାଁଗୁଡ଼ିକୁ ସହରାଞ୍ଚଳ ସହ ସଂଯୋଗ କରାଯାଇଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବାଣିଜ୍ୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେବା ଦ୍ୱାରା ଦଶନ୍ଧି ଧରି ରହିଥିବା ବ୍ୟବଧାନ ଦୂର ହୋଇଛି ଏବଂ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଆଖପାଖ ଦୁନିଆରୁ ଆଉ ବିଚ୍ଛିନ୍ନ ହେବେ ନାହିଁ।

ସାଂସ୍କୃତିକ ସ୍ୱୀକୃତି କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟରେ ବୋଧହୁଏ ସବୁଠୁ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଆସିଛି। ବର୍ଷ ବର୍ଷ ଧରି ଆଦିବାସୀ ବୀରମାନଙ୍କ ଅବଦାନ ଓ ବଳିଦାନକୁ ବହୁମାତ୍ରାରେ ଭୁଲି ଯାଉଥିଲେ। କିନ୍ତୁ ଏବେ ମୋଦୀ ସରକାରଙ୍କ ଅମଳରେ ଏହି ଅନାଲୋଚିତ ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ଅବଦାନ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଜୟନ୍ତୀକୁ ବର୍ତ୍ତମାନ ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି। ହବିବଗଞ୍ଜ ଭଳି ରେଳ ଷ୍ଟେସନର ନାମ ରାଣୀ କମଳାପତି ରେଳ ଷ୍ଟେସନ ରୂପେ ନାମିତ କରିବା ଏବଂ ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ମଧ୍ୟ ଜନଜାତି ନାୟକମାନଙ୍କୁ ଯୋଗ୍ୟ ମାନ୍ୟତା ପ୍ରଦାନ କରିଛି।

ଭାରତର ଜନଜାତି ସମାଜ ଅବହେଳାରୁ ସଶକ୍ତୀକରଣ ଦିଗରେ ଗତି କରିବା କେବଳ ଏକ ପ୍ରତିଶ୍ରୁତି ନୁହେଁ- ଏହା ପ୍ରତିଦିନ ସରକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଆକାର ନେଉଥିବା ଏକ ବାସ୍ତବତା। ଏକଦା ଆଦିବାସୀ ସମ୍ପ୍ରଦାୟର ଜୀବନରେ ସଂଘର୍ଷର ଯେଉଁ ପ୍ରାଧାନ୍ୟ ରହିଥିଲା, ତାହା ଏବେ ତତ୍ପରତା ଓ ଗୁରୁତ୍ୱ ଦିଆଯାଇ ସମାଧାନ କରାଯାଉଛି। ଏହାର ପରିଣାମ ସ୍ୱରୂପ ଭାରତର ଆଦିବାସୀ ଜନସଂଖ୍ୟା ପାଇଁ ଏକ ଉଜ୍ଜ୍ୱଳ ତଥା ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଜନଜାତି ସମାଜ ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଗଣମାଧ୍ୟମକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା ଦାୟିତ୍ୱକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ବୋଲି ନୂଆଦିଲ୍ଲୀରେ ଏକ ପ୍ରେସମିଟ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଜନଜାତିଙ୍କ ପାଇଁ ଆର୍ଥିକ ସହାୟତା ଅନୁଦାନ ବୃଦ୍ଧି କରିବା ସହ ଶିକ୍ଷା, ରୋଜଗାର, ସ୍ୱରୋଜଗାର ଓ ସାଂସ୍କୃତିକ ଉତଥାନକୁ ଗୁରୁତ୍ୱ ଦେଉଛନ୍ତି। ସେମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି। ଦେଶରେ ଜନଜାତି ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀ ନୂଆ ମାପଦଣ୍ଡ ତିଆରି କରିଛନ୍ତି। ମୋଦି ସରକାରରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ସ୍ଲୋଗାନ ନୁହେଁ ବରଂ ଏକ ଦାୟିତ୍ୱ ହୋଇଛି। ୨୦୧୧ ଜନସଂଖ୍ୟା ତୁଳନାରେ ଦେଶରେ ପ୍ରାୟ ୮.୬ ପ୍ରତିଶତ ଜନଜାତି ଜନସଂଖ୍ୟା ବସବାସ କରୁଛନ୍ତି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଝାଡଖଣ୍ଡ, ଛତିଶଗଡ, ଉତ୍ତର ପୂର୍ବ ସମୂହ ରାଜ୍ୟରେ ମଧ୍ୟ ହାରାହରି ଅଧିକାଂଶ ଜନଜାତି ବସବାସ କରନ୍ତି। ଜନଜାତି ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୧ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୨୦୧୪ -୧୫ରେ ଏହି ଅନୁଦାନ ଥିଲା ୧୯,୪୩୭ କୋଟି।

ଜନଜାତି ସମାଜରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଏକ ଛୋଟ ଗାଁରୁ ଆସି ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଏହା ମୂଳରେ ଶିକ୍ଷା ଅନ୍ତର୍ନିହିତ ଅଛି। ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନା କରାଯାଇଛି। ଏଥିପାଇଁ ଭାରତ ସରକାର ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାଦାନ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାର ସିଂହଭାଗ ଲାଭ ଜନଜାତି ସମାଜ ପାଇବ। ଜନଜାତି ମନ୍ତ୍ରଣାଳୟ ଦ୍ୱାରା ଆବଣ୍ଟନ ୨୦୧୪-୧୫ରେ ୩,୮୩୨ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୮,୫୦୦ କୋଟି ଟଙ୍କାରେ  ପହଞ୍ଚିଛି। ଏହି ସବୁ ତଥ୍ୟ ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ମୋଦି ସରକାରଙ୍କ ଦାୟିତ୍ୱବୋଧକୁ ପ୍ରମାଣିତ କରୁଛି।

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ଜନଜାତିଙ୍କ ଉପରେ ଗବେଷଣା କରିବା ପାଇଁ ବ୍ୟବସ୍ଥା ନଥିଲା। ପ୍ରଥମ ଥର ପାଇଁ ମୋଦି ସରକାରରେ ଜାତୀୟ ଜନଜାତି ଗବେଷଣା କେନ୍ଦ୍ର(ଏନଟିଆରଆଇ) ସ୍ଥାପନା କରାଯାଇଛି। ପ୍ରଥମ ଥର ଦେଶରେ ଜନଜାତି ସଂଗ୍ରାମୀ ମାନଙ୍କୁ ଉଚିତ୍ ସମ୍ମାନ ଦିଆଯାଉଛି। ଓଡ଼ିଶା, ଝାଡଖଣ୍ଡ ଓ ରାଜସ୍ଥାନ ସମେତ ଅନେକ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ମାଧୋ ସିଂହଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ  ଅବଦାନ ଦେଶ ପାଇଁ ଅତୁଳନୀୟ। ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ୧୦ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ମ୍ୟୁଜିୟମ ନିର୍ମାଣ କରାଯାଉଛି।

ଦେଶରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଥିବା ଜନଜାତି ଗାଁ ହେଉଛି ୩୬, ୪୨୮। ପ୍ରତିବର୍ଷ ୭, ୫୦୦ ଗାଁକୁ ପ୍ରାଥମିକତା ଦେଇ ୫ ବର୍ଷ ଭିତରେ ସେଠାରେ ମୂଳଭୂତ ପରିବର୍ତ୍ତନ କରାଯାଉଛି। ଜନଆନ୍ଦୋଳନ ମାଧ୍ୟମରେ ଶତପ୍ରତିଶତ କଲ୍ୟାଣକାରୀ ଯୋଜନାର ଲାଭ ଜନଜାତିଙ୍କ ପାଖରେ ପହଞ୍ଚିବା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଭାରତ ସରକାର ଟେକ୍ନୋଲୋଜିର ଉପଯୋଗ କରି ଟ୍ରାଇବାଲ ଡିଜିଟାଲ ଡକ୍ୟୁମେଣ୍ଟେସନ କରିବା ଦିଗରେ ମଧ୍ୟ ପ୍ରାଥମିକତା ଦେଇଛନ୍ତି। ବନ୍ଧନ ବିକାଶ ଯୋଜନାରେ ଦେଶରେ ୩୨୫ ବନ୍ଧନ ବିକାଶ କେନ୍ଦ୍ର ଖୋଲାଯାଇଛି। ପ୍ରାୟ ୧୦ ଲକ୍ଷ ଜନଜାତି ଲାଭାର୍ଥୀ ୫୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟରେ ଏହି କେନ୍ଦ୍ରରେ ଯୋଡି ହେଉଛନ୍ତି। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଜାତୀୟ ବଜାରର ନେଟଓ୍ୱାକ ଯଥା ଇ-ନାମ, ଆମାଜନ, ଫ୍ଲିପକାର୍ଟ ମାଧ୍ୟମରେ ଯୋଡାଯାଉଛି। ଏମଏସଏମଇ ଅଧୀନ ସ୍ଫୃତି ଯୋଜନାରେ ୬୦ ହଜାର ଜନଜାତି ଆର୍ଟିସିଆନ୍ସ ଯୋଡି ହୋଇଛନ୍ତି। ଆଜି ଦେଶରେ ପ୍ରଥମ ଥର ମୋଦି ସରକାରରେ ୮୭ଟି ଜଙ୍ଗଲଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ କାରଣରୁ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ଆଜି ଆନ୍ତର୍ଜାତିକ ମିଲେଟ୍ ଦିବସ ପାଳନ କରୁଛି। ଭାରତର ଜି-୨୦ରେ ମିଲେଟକୁ ପ୍ରମୁଖ ବିଷୟ ବନାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ଜନଜାତି ସମାଜ ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି।