Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସକୁ ନେଇ ବ୍ୟାପକ ପ୍ରଚାରପ୍ରସାର ଲାଗି ସମନ୍ୱୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଆସନ୍ତା ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସଞ୍ଚାର ରଣନୀତି ଏବଂ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ବୈଠକରେ ସହମତି ହୋଇଛି ।

ଏହି ବୈଠକରେ ଅଧ୍ୟକ୍ଷତା କରି ପିଆଇବି ଓ ସିବିସି ଏଡିଜି ଅଖିଳ କୁମାର ମିଶ୍ର କହିଛନ୍ତି, ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାରପ୍ରସାର ରଣନୀତି ପ୍ରସ୍ତୁତି ଲାଗି ଆଇଏମପିସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମିତିର ବୈଠକ ନିୟମିତ ଆୟୋଜନ କରାଯିବା ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ପ୍ରଚାରପ୍ରସାର ଲାଗି ସମନ୍ୱୟ ରକ୍ଷା କରିବା ଅଧିକ ସୁଗମ ହୋଇପାରିବ। ଏହି ସମିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସୂଚନା ସେବା ଓ ଲୋକସମ୍ପର୍କ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିଥାଏ। ଆଇଏମପିସିସି ବୈଠକ ପରସ୍ପରର ବିଚାର ବ୍ୟକ୍ତ କରିବା ଲାଗି ମଞ୍ଚ ଯୋଗାଇ ଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ। ଆସନ୍ତା ୮-୧୦ ଜାନୁଆରୀ ୨୦୨୫ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ନେଇ ଆଲୋଚନା କରିବା ଲାଗି ଆଜିର ବୈଠକ ଡକାଯାଇଥିବା ସେ କହିଥିଲେ। ଏହି ସମାରୋହ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏଡିଜି ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାରୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ପ୍ରଚାରପ୍ରସାର ପ୍ରତି ଯତ୍ନବାନ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମିଶ୍ର କହିଥିଲେ, ପ୍ରବାସୀ ଭାରତୀୟ ଦିବସକୁ ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରବାସୀ ଭାରତୀୟ ଦିବସ ସମାରୋହ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ସମସ୍ତଙ୍କର ଦାୟିତ୍ୱ। ଏ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଗଣମାଧ୍ୟମ ପରିଚାଳନା କିଭଳି ସଫଳ ହୋଇପାରିବ ସେଥିପାଇଁ ଆପୋସ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ କହିଥିଲେ, ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଓଡ଼ିଶା ସରକାର ଏବଂ ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାରୋହକୁ ସଫଳ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ୭ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବେ । ସେମାନଙ୍କ ରହିବା, ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବୁଲିବା, ଏବଂ ସୁରକ୍ଷା ପାଇଁ ବ୍ୟାପକ ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱର, କଟକ, ପୁରୀ ସହରରେ ଥିବା ଅତିଥି ଭବନ ଓ ଘରୋଇ ହୋଟେଲରେ ଅତିଥିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସହଯୋଗୀ ବିଭାଗ ରୂପେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସମାରୋହ ପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରିଛି । ପ୍ରବାସୀ ଭାରତୀୟ ଦିବସ ସହ ସମାନ୍ତରାଳ ଭାବେ ରାଜଧାନୀରେ ଆଦିବାସୀ ମେଳା, ମୁକ୍ତେଶ୍ୱର ନୃତ୍ୟୋତ୍ସବ ଓ ରାଜାରାଣୀ ସଙ୍ଗୀତ ଉତ୍ସବ ଆୟୋଜନ କରାଯିବ ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଶ୍ରୀ ଦାଶ ଗୁରୁତ୍ୱାରୋପ କରିଛନ୍ତି ।

ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ କେ ପ୍ରଧାନ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରଣନୀତିକ ପ୍ରଚାରପ୍ରସାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାପକ ସଚେତନତା ଏବଂ ସଂପୃକ୍ତି ପାଇଁ ସୂଚନାର ପ୍ରଭାବଶାଳୀ ପ୍ରସାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ନିର୍ଦ୍ଦେଶକ ଡକ୍ଟର ଗିରିଶ ଦାଶ ବୈଠକରେ ଉଦଯାପନୀ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପିଆଇବିର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମାଚାର ବିଭାଗ ମୁଖ୍ୟ ଡକ୍ଟର ଅଭିଷେକ ମିଶ୍ରା, ଆକାଶବାଣୀର ଉପନିର୍ଦ୍ଦେଶକ ପ୍ରକାଶ ଦାଶ, ପାସପୋର୍ଟ କାର୍ଯ୍ୟାଳୟ ଅଧିକାରୀ ପ୍ରେମ୍‌ ସିଂ, ଏମପିଇଡିଏର ଅତିରିକ୍ତ ନିର୍ଦ୍ଦେଶକ ଅନୀଷା ଟି.ଏ, ବିଏସଏନଏଲର ଅତିରକ୍ତ ନିର୍ଦ୍ଦେଶକ (ଲୋକ ସମ୍ପର୍କ) ଭାଗ୍ୟ ରଞ୍ଜନ ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଭୁବନେଶ୍ୱର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜୟନ୍ତ କୁମାର ପାତ୍ର, ଭୁବନେଶ୍ୱର ଏଏସଆଇ ଅଧିକାରୀ ପଙ୍କଜ କୁମାର ଦାସ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାଧ୍ୟାପକ ଓ ମୁଖ୍ୟ ଡକ୍ଟର ଲକ୍ଷ୍ମୀଧର ବେହେରା, ଆଶିଷ କୁମାର, ଦେବେନ୍ଦ୍ର ନାଥ ଷଡ଼ଙ୍ଗୀ, କେଭିଆଇସି ରାଜ୍ୟ ନିର୍ଦ୍ଦେଶକ ସୁବାସ ଛେତ୍ରୀ, କଟକ ଏମଏସଏମଇର ଡିଓର ଜଗଦୀଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅଧିବେଶନରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଥିଲା, ଯେଉଁଥିରେ ସମ୍ମାନଜନକ ପ୍ରବାସୀ ଭାରତୀୟ ଦିବସ ୨୦୨୫କୁ ବ୍ୟାପକ ସ୍ତରରେ ପ୍ରସାରିତ କରିବା ପାଇଁ ବୁଝାମଣା ଓ ରଣନୀତି ଆଦାନପ୍ରଦାନ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଶିଳ୍ପର ପ୍ରଗତି ସହିତ ସି.ଏସ୍.ଆର୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ଵର: ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୁର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର ଯଥା ଅଟୋମୋବାଇଲ୍ସ, ଅଟୋ କମ୍ପୋନେଣ୍ଟସ୍, ଡୋମେଷ୍ଟିକ ଆପ୍ଲିଆନସେସ୍, ଡିଫେନ୍ସ, ଏରୋ ସ୍ପେସ୍, ରିନ୍ୟୁଏବଲ ଏନର୍ଜି ଆଦି କ୍ଷେତ୍ରରେ ନିର୍ମାଣ ପାଇଁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଉତ୍କଳ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ ଦ୍ୱାରା ଆୟୋଜିତ ‘ରିସର୍ଜେଣ୍ଟ ଓଡିଶା-୨୦୨୪’ କାର୍ଯ୍ୟକ୍ରମରେ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି, ପୁଞ୍ଜିନିବେଶକାରୀ ଓ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ୨୦୩୬ ମସିହା ଓ ୨୦୪୭ ମସିହା କୁ ନେଇ ଆମର ବିରାଟ ଲକ୍ଷ୍ୟ ରହିଛି। ସେଥିପାଇଁ ଆମ ଅର୍ଥନୀତିକୁ ବହୁତ ଆଗକୁ ନେବାକୁ ପଡିବ। ଆମ ପାଖରେ ସମସ୍ତ ପ୍ରକାର ଶକ୍ତି ଓ ସାମର୍ଥ୍ୟ ରହିଛି। ଏହି ଲକ୍ଷ୍ୟ ଆମେ ନିଶ୍ଚୟ ପୂରଣ କରିବୁ। ଏଥିପାଇଁ ଦୃଢ ଇଚ୍ଛା ଶକ୍ତି ଦରକାର। ଆମ ସରକାର ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ସେ ଉପସ୍ଥିତ ଥିବା ଶିଳ୍ପପତି ଓ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ। ଆଗାମୀ ଦିନରେ ଆମ ସରକାର Dedicated Industrial Clusterର ବିକାଶ କରିବେ। ଏହା ଦ୍ୱାରା ଦେଶ ବିଦେଶର ନାମିଦାମୀ କମ୍ପାନୀମାନେ ଏଠି ଶିଳ୍ପ ପ୍ରତିଷ୍ଠା କରି ପାରିବେ। ଆମକୁ ମୂଲ୍ୟଯୁକ୍ତ ଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆମ ସରକାର ଆସିବା ପାରେ ରାଜ୍ୟରେ ସେମିକଣ୍ଡକ୍ଟର ୟୁନିଟ୍‌ ସ୍ଥାପନ ପାଇଁ ଅନେକ ଶିଳ୍ପାନୁଷ୍ଠାନ ଆଗ୍ରହ ପ୍ରକାଶ କରିଛନ୍ତି।

ଓଡିଶାରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହେଉଛି। ବୃହତ ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକର ଆଜିର ଦିନରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଏଥି ସହିତ ଆମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ନୀତିକୁ ଗ୍ରହଣ କରିବାକୁ ପଡିବ। ଏହା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। ନିଯୁକ୍ତି ସୁଯୋଗ ବୃଦ୍ଧି ହେଲେ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ୪ ଭାଗରୁ ୩ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ କୃଷିଭିତ୍ତିକ କ୍ଷୁଦ୍ର ଶିଳ୍ପ ଯେପରିକି ‘ରାଇସ୍‌ ମିଲ୍‌ ପ୍ରତିଷ୍ଠା’ ପ୍ରତି ସେ ଗୁରୁତ୍ୱ ଆରୋପ କରିଥିଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଂସଦରେ କହିଛନ୍ତି ଯେ ବିକଶିତ ଭାରତ ରେଳଗାଡିରେ ଓଡିଶା ହେବ ପ୍ରଥମ ବଗି। ସେଥିପାଇଁ ଓଡିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବଜେଟ୍‌ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ଆମେ ଆଜି ପଛୁଆ ନାହୁଁ, ଆଗକୁ ବଢିଛୁ। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରେଳ କରିଡରର ଯୋଜନା ରହିଛି। ବଡବିଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଆଠ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବାକୁ ଯାଉଛି। ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି ଆଦି ଶିଳ୍ପାଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଆମ ସରକାରଙ୍କ ପ୍ରସ୍ତାବ ରହିଛି।

ଉପସ୍ଥିତ ସମସ୍ତ ଶିଳ୍ପପତି, ଉଦ୍ୟୋଗୀ ଓ ପୁଞ୍ଜିନିବେଶକାରୀଙ୍କୁ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଆହ୍ୱାନ ଦେଇ ସେ କହିଥିଲେ ଯେ ଆଜି ଏଠାରେ ଡବଲ୍‌ ଇଞ୍ଜିନ ସରକାର ଆସିଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’କୁ ଆଧାର କରି ଆମକୁ ଆଗକୁ ବଢିବାକୁ ପଡିବ। ଶିଳ୍ପ ପ୍ରଗତି ସହିତ ଆମକୁ କର୍ପୋରେଟ୍‌ ସୋସିଆଲ ରେସ୍‌ପନସିବିଲିଟି ମାଧ୍ୟମରେ ସେ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ। ଆମେ ଯଦି ଶିଳ୍ପ ସହିତ ସଂପୃକ୍ତ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପୁଜୁଥିବା ସମସ୍ୟାଗୁଡିକ ଆପେ ଆପେ ଦୂରେଇ ଯିବ।

‘ରିସର୍ଜେଣ୍ଟ ଓଡିଶା-୨୦୨୪’ ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ଅନେକ ଥର ଅନୁଷ୍ଠିତ ହେବ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଋଦ୍ଧିମନ୍ତ କରିବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ରାଜ୍ୟରେ ଶିଳ୍ପ ବିକାଶର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ସରକାର ଭିତ୍ତିଭୂମିର ବ୍ୟାପକ ବିକାଶ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଅନ୍ୟତମ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଚେଷ୍ଟାରତ ଅଛନ୍ତି। ଯେହେତୁ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠାରେ ଅଧିକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ଉପସ୍ଥିତ ଉଦ୍ୟୋଗୀ ଓ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ କରିଥିଲେ। ଏଥିପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ରାଜ୍ୟରେ କୃଷି ଯନ୍ତ୍ରପାତି ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାକୁ ବାସ୍ତବ ରୂପ ଦେବା ପାଇଁ ଆମ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍‌ରେ ନୂଆ ନୂଆ ଯୋଜନା କରାଯାଇଛି। ଆମ ସରକାର ରାଜ୍ୟରେ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କାମ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କୋଲକତାରେ ଅବସ୍ଥାପିତ ରିପ୍ଲବିକ୍ ଅଫ୍ ଚାଇନାର କନସୁଲ୍ ଜେନେରାଲ୍, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ନାଲ୍‌କୋର ପରିଚାଳନା ନିର୍ଦ୍ଦେଶକ, ଆର୍ସେଲର-ମିତ୍ତଲ୍ ଗ୍ରୁପ, ଆଦିତ୍ୟ ବିର୍ଲା ଗ୍ରୁପର ପ୍ରତିନିଧି ପ୍ରମୁଖ କାର୍ଯ୍ୟକ୍ରମରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିବା ସହିତ ରିସର୍ଜେଣ୍ଟ ଓଡିଶା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ଫିଲ୍ମ ‘ଟି’ ର ପ୍ରଚାର

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ଓଡ଼ିଶାର ସମସ୍ତ ପ୍ରମୁଖ ଫିଲ୍ମ ହଲ୍ ରେ ଓ ଦର୍ଶକଙ୍କ ଭଲପାଇବା ମଧ୍ୟ ସାଉଁଟିଛି। ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଓଡିଆ ଫିଲ୍ମ ‘ଟି’ର ଟିମ୍ ପହଞ୍ଚିଥିଲା ୨୮ ତାରିଖ, ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେଉଥିବା ‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ରେ। ସାଧାରଣ ଜନତାଙ୍କ ସହ ପୁରା ଟିମ୍ ମିଶିଥିଲା ଓ ଶୁଟିଂ ସମୟର କିଛି ଅଭୂଲା ସ୍ମୃତି ବାଣ୍ଟିବା ସହ ଗୋଟେ ସାଧାରଣ କୁଇଜ୍ ମଧ୍ୟ ଆୟୋଜନ ହୋଇଥିଲା। ସଠିକ ଉତ୍ତର ଦେଇଥିବା କିଛି ଦର୍ଶକଙ୍କୁ ‘ଟି’ ର ମାଗଣା ଟିକେଟ୍ ମଧ୍ୟ ଦିଆ ଯାଇଥିଲା।

ଉପସ୍ଥିତ ଦର୍ଶକ ଦେଖିଥିଲେ ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ଫିଲ୍ମ ‘ଟି’ର ଟ୍ରେଲର୍ କୁ। ଏହି ଟ୍ରେଲର୍ ଦର୍ଶକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରିଦେଇଥିଲା।  ସମସ୍ତେ କରତାଳି ଦେଇ ଉପଭୋଗ କରିଥିଲେ ଏହି ଟ୍ରେଲର୍। ଏହି ଅବସରରେ ମୀରା ପରିଡ଼ା ଙ୍କ ସହ ଉପସ୍ଥିତ ଥିଲେ ନିଜେ ମେଘନା ସାହୁ। ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଫିଲ୍ମର କଳାକାର ହର ରଥ, ଦେବାଶିଷ ସାହୁ, ରଣବୀର କାଲସି, ନିର୍ଦେଶକ ଜିତେଶ କୁମାର ପରିଡ଼ା। ‘ଟି’ର ପୁରା ଟିମ୍ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ତାଙ୍କ ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ।

ଫିଲ୍ମର କାହାଣୀ ପରି ଫିଲ୍ମର ପ୍ରମୋସନର କନସେପ୍ଟ ବି ସମ୍ପୂର୍ଣ ନୂଆ ଓ ଦମଦାର୍ ତେଣୁ ଦର୍ଶକ ବହୁମାତ୍ରାରେ ଏହି ଫିଲ୍ମ ଦେଖିବାକୁ ହଲକୁ ଆସିବେ ବୋଲି ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ମଜବୁତ୍ ବିଷୟବସ୍ତୁ ଓ କାହାଣୀ ଉପରେ ଓଡିଆ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ମଇ ୨୫ ତାରିଖରେ ଆପଣଙ୍କ ନିକଟସ୍ଥ ଫିଲ୍ମ ହଲ୍ ରେ। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ। ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି। ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।