Categories
ଆଞ୍ଚଳିକ

ଜନ୍ମମାଟି ବାଣପୁରରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ସମାରୋହ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଅନନ୍ୟ କାଳଜୟୀ ସାରସ୍ଵତ ପ୍ରତିଭା ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୩ତମ ଜୟନ୍ତୀ ସମାରୋହ ବାଣପୁରସ୍ଥିତ ନେହେରୁ ସେବାସଂଘର କନକ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଡ. ବିବେକାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ରନାଥ ମାନସିଂହ ଓ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ, ନିମନ୍ତ୍ରିତ ଅତିଥି ଭାବରେ କବି ପୁରୁଷୋତ୍ତମ ମହାପାତ୍ର, କବି ଓମ୍ ପ୍ରକାଶ ଅଗ୍ରୱାଲ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ରଥ, ନିଆଁଖୁଣ୍ଟା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରି ବ୍ୟଙ୍ଗ ସାହିତ୍ୟ ର ପ୍ରଗଳ୍ଭ ଲେଖକ ଭାବରେ ଚିରକାଳ ବଞ୍ଚିରହିବେ ବୋଲି ପ୍ରକାଶ କରିଥିଲେ।

ତାଙ୍କ ରଚିତ କାଳଜୟୀ କ୍ଷୁଦ୍ରଗଳ୍ପ ‘ମାଗୁଣିର ଶଗଡ଼’, ‘ନୀଳ ମାଷ୍ଟରାଣୀ’, ଏବଂ ‘ଉଠ କଙ୍କାଳ’ ପରି ଉଦବୋଧନୀ ସଙ୍ଗୀତ ଏବେବି ପାଠକୀୟ ମନରେ ଗଭୀର ଆଲୋଡନ ସୃଷ୍ଠି କରେ ବୋଲି ପ୍ରକାଶ କରିଥିଲେ। ସଭାରେ ବାଣପୁର ର ଜଣେ ସାରସ୍ଵତ ପ୍ରତିଭା ତଥା ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଙ୍କୁ ଚିଲିକା ସାହିତ୍ୟ ସମାଜ ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଅନୁଷ୍ଠାନ ର ଅନ୍ତେବାସୀଙ୍କ ତରଫରୁ ଉଦବୋଧନୀ ସଙ୍ଗୀତ ଗାନ ପରେ ସହସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।