ପୁରୀ: ଆଜି ଗୌଡ଼ୀୟ ମଠର ପ୍ରତିଷ୍ଠାତା ଆଚାର୍ଯ୍ୟ, ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କ’ଣ କହିଛନ୍ତି। ଆସନ୍ତୁ ତାଙ୍କର ସଂପୂର୍ଣ୍ଣ ଅଭିଭାଷଣ ଶୁଣିବା।
ଆପଣମାନଙ୍କୁ ସମସ୍ତଙ୍କୁ ଜୟ ଜଗନ୍ନାଥ!
ଶ୍ରୀ ଶ୍ରୀ ଗୁରୁ-ଗୌରାଙ୍ଗ ଜୟତଃ
୧. ଆପଣମାନଙ୍କ ଗହଣରେ ଏଠାରେ ଉପସ୍ଥିତ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି। ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୋତେ ଜଗନ୍ନାଥ ପୁରୀକୁ ଆସିବାର ଏବଂ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ଏଠାକୁ ଆସି ଗୌଡ଼ୀୟ ମଠର ପ୍ରତିଷ୍ଠାତା ଶ୍ରୀମଦ ସରସ୍ବତୀ ପ୍ରଭୁପାଦଙ୍କର ୧୫୦ତମ ଜୟନ୍ତୀ ସହ ଜଡ଼ିତ ଏହି ସମାରୋହରେ ସମ୍ମିଳିତ ହେବା ମୋ ପାଇଁ ଆନନ୍ଦର ବିଷୟ। ମୁଁ ଜାଣିବାକୁ ପାଇଛି ଯେ ଏହି ସମାରୋହର ଶୃଙ୍ଖଳା ତିନି ବର୍ଷ ପର୍ଯ୍ୟନ୍ତ ଆୟୋଜନ କରାଯିବ ଯାହାକି ବର୍ଷ ୨୦୨୫ରେ ଶେଷ ହେବ।
୨. ଈଶ୍ବରଙ୍କ କୃପାରୁ ମୋତେ ନିଜ ଜୀବନରେ ଦେଶର ଅନେକ ଧାର୍ମିକ ସ୍ଥାନ ଏବଂ ତୀର୍ଥସ୍ଥଳକୁ ଯାଇ ପୂଜା କରିବା ଲାଗି ସୁଯୋଗ ମିଳିଛି। ଏହିସବୁ ସ୍ଥାନରେ ବିବିଧ ପରମ୍ପରା ଏବଂ ଧାର୍ମିକ ପଦ୍ଧତି ପ୍ରଚଳିତ ରହିଛି। କିନ୍ତୁ ଏସବୁ ଆସ୍ଥା ପଛରେ ଗୋଟିଏ ଚିନ୍ତାଧାରା ନିହିତ ରହିଛି ଏବଂ ତାହା ହେଉଛି ଈଶ୍ବରଙ୍କୁ ଭକ୍ତି କରିବା ସହିତ ସମ୍ପୂର୍ଣ୍ଣ ମାନବଜାତିକୁ ଏକ ପରିବାର ବୋଲି ଚିନ୍ତା କରିବା ତଥା ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା। ଧର୍ମକୁ ଆଧାର କରି ମାନବତାର ବିଭାଜନ କରାଯାଇପାରିବ ନାହିଁ। ସତ୍ୟକୁ ବିଭାଜିତ କରିହେବ ନାହିଁ। ଗୋଟିଏ ସତ୍ୟକୁ ଭିନ୍ନ ଭିନ୍ନ ରୂପରେ ବର୍ଣ୍ଣନା କରାଯାଇଥାଏ। ଋଗବେଦରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି :
ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି॥
ଅର୍ଥାତ୍ ସତ୍ୟ ଏକ, ବିଦ୍ବାନ ଲୋକମାନେ ଏହାକୁ ଅନେକ ପ୍ରକାରରେ ବ୍ୟାଖ୍ୟା କରିଥାନ୍ତି।
୩. ସେହି ପରମଶକ୍ତି ନିଜର ସବୁ ରୂପରେ ପୂଜନୀୟ ଅଟନ୍ତି। ଭାରତରେ ଭକ୍ତି-ଭାବ ନେଇ ଈଶ୍ବରଙ୍କୁ ପୂଜା କରିବାର ପରମ୍ପରା ସର୍ବାଧିକ ମହତ୍ବପୂର୍ଣ୍ଣ ଦିଗ ଭାବେ ରହି ଆସିଛି। ଆମର ଏହି ଭାରତଭୂମି ଧନ୍ୟ, ଯେଉଁଠି ଅନେକ ମହାନ ବିଭୂତିମାନେ ଲୋକମାନଙ୍କୁ ନିସ୍ବାର୍ଥ ଉପାସନାର ମାର୍ଗ ପ୍ରଦର୍ଶିତ କରିଛନ୍ତି।
୪. ଏପରି ମହାନ ବିଭୂତିମାନଙ୍କ ମଧ୍ୟରେ ଚୈତନ୍ୟ ମହାପ୍ରଭୁଙ୍କୁ ବିଶେଷ ମାନ୍ୟତା ପ୍ରାପ୍ତ ହୋଇଛି। ତାଙ୍କୁ ସ୍ବୟଂ ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ କୁହାଯାଏ। ସେଥିପାଇଁ ମହାପ୍ରଭୁ ଶବ୍ଦର ଉପଯୋଗ ଈଶ୍ବରଙ୍କ ନାମ ବ୍ୟତୀତ କେବଳ ଶ୍ରୀ ଚୈତନ୍ୟଙ୍କ ପାଇଁ କରାଯାଇଥାଏ। ତାଙ୍କର ବିଲକ୍ଷଣ ଭକ୍ତିରେ ଅନୁପ୍ରାଣିତ ହୋଇ ବହୁସଂଖ୍ୟାରେ ଲୋକମାନେ ଭକ୍ତି ମାର୍ଗ ଚୟନ କରିଥିଲେ। ଶ୍ରୀ ଚୈତନ୍ୟ ଆଜୀବନ ଅଦ୍ଭୂତ ଏବଂ ଅଖଣ୍ଡ ଭକ୍ତି ଭାବର ପାଳନ କରିଥିଲେ। ନିଜର ଏହି ଅଖଣ୍ଡ ଆସ୍ଥା ବିଷୟରେ ସେ ଅନେକ ପ୍ରକାଣ୍ଡ ବିଦ୍ବାନମାନଙ୍କ ସହିତ ଭକ୍ତି ଓ ଜ୍ଞାନ ବିଷୟରେ ଚର୍ଚ୍ଚା କରିଥିଲେ। ତାଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ଆସ୍ଥା ଏବଂ ତର୍କର ସମନ୍ବୟ ସମ୍ମୁଖରେ ସମସ୍ତେ ନିଶବ୍ଦ ହୋଇ ତାଙ୍କର ଚରଣରେ ଆଶ୍ରୟ ନେଉଥିଲେ। ଓଡ଼ିଶାର ପ୍ରଖ୍ୟାତ ବେଦାନ୍ତୀ ସାର୍ବଭୌମ ଠାରୁ ଆରମ୍ଭ କରି ବୈଷ୍ଣବ ପଠାଣ ନାମରେ ପ୍ରସିଦ୍ଧ ହୋଇଥିବା ପଠାଣ ସମୁଦାୟର ଭକ୍ତମାନେ ମଧ୍ୟ ଶ୍ରୀ ଚୈତନ୍ୟଙ୍କ ଏହି ଭକ୍ତି ଭାବରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥାଏ।
ଭାଇ ଓ ଭଉଣୀମାନେ
୫. ଶ୍ରୀ ଚୈତନ୍ୟ ମହାପ୍ରଭୁ କହୁଥିଲେ :
ତୃଣାଦପି ସୁନେଚେନ, ତରୋରପି ସହିଷ୍ଣୁ-ନା
ଅମାନିନା ମାନଦେନ, କୀର୍ତ୍ତନୀୟଃ ସଦାହରିଃ॥
ଅର୍ଥାତ୍
“ମନୁଷ୍ୟ ନିଜକୁ ତୃଣ ସମାନ ଛୋଟ ମନେ କରି ବିନୀତ ଭାବନା ନେଇ ଭଗବତ୍ ନାମକୁ ସ୍ମରଣ କରିବା ଉଚିତ୍। ସେ ବୃକ୍ଷ ଠାରୁ ମଧ୍ୟ ଅଧିକ ସହିଷ୍ଣୁ ହେବା ଉଚିତ୍। ମିଥ୍ୟା ପ୍ରତିଷ୍ଠା ଭାବନାରୁ ମୁକ୍ତ ହେବା ଆବଶ୍ୟକ ଏବଂ ଅନ୍ୟ ଲୋମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଲାଗି ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍। ମନୁଷ୍ୟର ଏହି ଭାବ ରହିବା ଉଚିତ ଯେ ଈଶ୍ବର ସର୍ବଦା କୀର୍ତ୍ତନୀୟ ଅଟନ୍ତି ଅର୍ଥାତ୍ ସବୁବେଳେ ଈଶ୍ବରଙ୍କୁ ସ୍ମରଣ କରିବା ଜାରି ରହିବା ଉଚିତ୍।
୬. ଏହି ଭାବନା ଭକ୍ତି ମାର୍ଗର ସମସ୍ତ ଅନୁଗାମୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। ଈଶ୍ବରଙ୍କ ପ୍ରତି ନିରନ୍ତର ପ୍ରେମ-ଭାବନା ତଥା ସମାଜକୁ ମାନବତାର ଡୋରରେ ବାନ୍ଧିବା ଲାଗି ତାଙ୍କର ଅଭିଯାନ ତାଙ୍କୁ ଭାରତୀୟ ସଂସ୍କୃତି ଏବଂ ଇତିହାସରେ ଅଦ୍ବିତୀୟ ପ୍ରତିଷ୍ଠା ପ୍ରଦାନ କରିଥାଏ। ନିଜର ସମସ୍ତ ଇନ୍ଦ୍ରୀୟକୁ ଈଶ୍ବର ଦର୍ଶନ ଦିଗରେ କେନ୍ଦ୍ରିତ କରି ଦେବା ଫଳରେ, ସେ ପୂର୍ବରୁ ଯେଉଁସବୁ ବସ୍ତୁ କିମ୍ବା ପରିସ୍ଥିତିରେ ପ୍ରସନ୍ନତା ଅନୁଭବ କରୁଥିଲେ ଈଶ୍ବର ଭକ୍ତିରେ ମଧ୍ୟ ସେହିପରି ପ୍ରସନ୍ନତା ଅନୁଭବ କରିପାରିବେ। ସେ ଈଶ୍ବର ଭକ୍ତିରେ ଏତେ ମାତ୍ରାରେ ମଜ୍ଜି ଯାଉଥିଲେ ଯେ ସେ କେବେ ହେଲେ ନିଜକୁ ତାଙ୍କ ଠାରୁ ଅଲଗା ବୋଲି ଭାବୁନଥିଲେ। ଏହାକୁ ଭକ୍ତି ଭାବ କୁହାଯାଏ ଏବଂ ଏହି ସ୍ଥିତିକୁ ଚୈତନ୍ୟ ମହାପ୍ରଭୁ ‘ମହାଭାବ’ କହୁଥିଲେ। ଏପରି ଅବସ୍ଥାର ବର୍ଣ୍ଣନା କରି ଚୈତନ୍ୟ ଚରିତାମୃତରେ କୁହାଯାଇଛି – ଯେପରି ଭାବେ ଉଦ୍ଧବଙ୍କ ଶୁଷ୍କ ଜ୍ଞାନରେ ପରିପୂର୍ଣ୍ଣ ବକ୍ତବ୍ୟ ରାଧାରାଣୀଙ୍କ ଭକ୍ତି ରସରେ ସିଞ୍ଚିତ ଅସମ୍ବନ୍ଧ କଥା ଗୁଡ଼ିକ ସମ୍ମୁଖରେ ପ୍ରଭାବହୀନ ହୋଇଯାଇଥାଏ, ସେହିପରି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମଧୁର ଭକ୍ତି ଧାରାର ପ୍ରବଳ ବେଗ ଆଗରେ ଦାର୍ଶନିକ ଜ୍ଞାନ ବିଲୁପ୍ତ ହୋଇଯାଇଥାଏ। ରାଜପୁତାନାର ରାଜକୁମାରୀ ମୀରା ବାଈଙ୍କ ଅନନ୍ୟ ଭକ୍ତି ତାଙ୍କର ସରଳ ଶବ୍ଦରେ ବ୍ୟକ୍ତ ହୋଇଥିଲା : “ମେରେ ତୋ ଗିରିଧର ଗୋପାଲ, ଦୁସରୋ ନା କୋଇ’’। ମୀରାଙ୍କ ଭକ୍ତି ସମସ୍ତ ଈଶ୍ବର ଭକ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା।
୭. ଈଶ୍ବରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ ସହିତ, ଭକ୍ତି ମାର୍ଗରେ ଈଶ୍ବରଙ୍କ ପ୍ରତି ବ୍ୟକ୍ତିଗତ ଏବଂ ଆତ୍ମିକ ସମ୍ବନ୍ଧ ପ୍ରତିଷ୍ଠା କରିବାର ପରମ୍ପରା ମଧ୍ୟ ରହିଥିଲା। ସନ୍ଥ କବୀର କହିଥିଲେ:
“ମୋକୋ କହାଁ ଢୁଣ୍ଡେ ବନ୍ଦେ, ମେଁ ତୋ ତେରେ ପାସ ମେଁ’’
କବୀରଙ୍କ ଏହି ପଂକ୍ତିରେ ଈଶ୍ବରଙ୍କର ଭକ୍ତ ସହିତ ସମୀପତାର ବିଶ୍ବାସ ଏବଂ ଭାବକୁ ଅତି ସୁନ୍ଦର ଭାବେ ସ୍ପଷ୍ଟ କରାଯାଇଛି।
ଭକ୍ତଙ୍କ ହୃଦୟ ଈଶ୍ବରଙ୍କ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ସୁଖର ଅନୁଭବ କରାଏ ନାହିଁ। କୃଷ୍ଣ-କ୍ତ ସୁରଦାସ ଏହି ଭାବନାକୁ ବ୍ୟକ୍ତ କରି କହିଛନ୍ତି :
ମେରୋ ମନ ଅନତ କହାଁ ସୁଖ ପାବୈ,
ଜୈସେ ଉଡ଼ି ଜହାଜ କୋ ପଞ୍ଝି ଫିରି ଜାହାଜ ପେ ଆବେ॥
ଅର୍ଥାତ୍ ଭକ୍ତର ମନ ଅନ୍ୟତ୍ର କେଉଁ ସ୍ଥାନରେ ସୁଖ ଅନୁଭବ କରିନଥାଏ। ଯେପରି ଜାହାଜର ପକ୍ଷୀ ବାରମ୍ବାର ଉଡ଼ି ଆସି ଜାହାଜକୁ ଫେରି ଆସିଥାଏ ସେହିପରି ଭକ୍ତର ହୃଦୟ ବାରମ୍ବାର ଈଶ୍ବରଙ୍କ ଚରଣକୁ ହିଁ ଫେରି ଆସିଥାଏ।
ଭକ୍ତିର ପରାକାଷ୍ଠା ଏପରି ହୋଇଥାଏ ଯେ ଈଶ୍ବର ନିଜେ ଭକ୍ତଙ୍କ ପାଖକୁ ଆସି ଯାଇଥାନ୍ତି। ରାମ ଭକ୍ତ ଗୋସ୍ବାମୀ ତୁଳସୀ ଦାସ କହିଛନ୍ତି :
ଚିତ୍ରକୁଟ କେ ଘାଟ ପର, ଭଇ ସନ୍ତନ କି ଭୀର।
ତୁଳସୀଦାସ ଚନ୍ଦନ ଘିସୈଁ, ତିଲକ ଦେତ ରଘୁବୀର॥
ଅର୍ଥାତ୍ ଚିତ୍ରକୁଟ ଘାଟରେ ସନ୍ଥଙ୍କ ପ୍ରବଳ ଭିଡ଼ ଏହି ଆଶ୍ଚର୍ଯ୍ୟଜନକ ତଥା ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖୁଛି ଯେଉଁଥିରେ ତୁଳସୀଦାସ ଚନ୍ଦନ ଲେପ ପ୍ରସ୍ତୁତ କରୁଛନ୍ତି ଏବଂ ନିଜେ ଭଗବାନ ଶ୍ରୀ ରାମ ନିଜ ମସ୍ତକରେ ଚନ୍ଦନ ଲେପ ଲଗାଉଛନ୍ତି।
୮. ଭକ୍ତି ମାର୍ଗର ସନ୍ଥମାନଙ୍କର ଏହି ବିଶେଷତ୍ବ ସେ ସମୟରେ ପ୍ରଚଳିତ ଧର୍ମ, ଜାତି ଓ ଲିଙ୍ଗ ଭେଦ ତଥା ଧାର୍ମିକ କର୍ମକାଣ୍ଡ ଠାରୁ ଊର୍ଦ୍ଧ୍ବରେ ଥିଲା। ତେଣୁ ଏଥିରୁ ପ୍ରତ୍ୟେକ ବର୍ଗର ଲୋକମାନେ ପ୍ରେରଣା ନେଇପାରୁଥିଲେ ଏବଂ ସେମାନେ ଏହି ମାର୍ଗର ଶରଣାଗତ ମଧ୍ୟ ହୋଇଥିଲେ। ଅନୁରୂପ ଭାବେ ଗୁରୁ ନାନକ ଭକ୍ତି ମାର୍ଗରେ ଅଗ୍ରସର ହୋଇ ଏକ ସମାନତାପୂର୍ଣ୍ଣ ସମାଜ ନିର୍ମାଣ ପାଇଁ ପ୍ରୟାସ କରିଥିଲେ।
ଭାଇ ଓ ଭଉଣୀମାନେ,
୯. ଗତ ସପ୍ତାହରେ ମୋତେ ହାଇଦ୍ରାବାଦସ୍ଥିତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ “ସମତାର ପ୍ରତିମୂର୍ତ୍ତି’’ ଦର୍ଶନ କରିବାର ଅବସର ମିଳିଥିଲା। ଶ୍ରୀ ରାମାନୁଜାଚାର୍ଯ୍ୟ ବିଶିଷ୍ଟ – ଅଦ୍ବୈତବାଦର ପ୍ରତିପାଦକ ଥିଲେ, ସେ ଭକ୍ତି ମାର୍ଗର ମହାନ ପ୍ରେରଣା ମଧ୍ୟ ଥିଲେ। ଲୋକମାନଙ୍କ ମଧ୍ୟରେ ଭକ୍ତିର ବାର୍ତ୍ତା ପ୍ରବାହିତ କରିବା ଲାଗି ଶ୍ରୀ ରାମାନୁଜାଚାର୍ଯ୍ୟ ନିଜେ ଶ୍ରୀରଙ୍ଗମ, କାଞ୍ଚିପୁରମ, ତିରୁପତି, ସିଂହାଚଲମ, ବଦ୍ରୀନାଥ, ନୈମିଷାରଣ୍ୟ, ଦ୍ବାରକା, ପ୍ରୟାଗ, ମଥୁରା, ଅଯୋଧ୍ୟା, ଗୟା, ପୁଷ୍କର ଏବଂ ନେପାଳରେ ମୁକ୍ତିନାଥ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ତାଙ୍କର ଜଗନ୍ନାଥ ପୁରୀ ଯାତ୍ରା ବିଷୟରେ ମଧ୍ୟ ଉଲ୍ଲେଖ ମିଳିଥାଏ।
୧୦. ଏହିପରି ଭାବରେ ଦେଶରେ ଅନେକ କ୍ଷେତ୍ରରେ ମହାପୁରୁଷମାନେ ଭକ୍ତି ମାର୍ଗର ପ୍ରଚାର ପ୍ରସାର କରିଥିଲେ। ଆସାମରେ ଶଙ୍କରଦେବଙ୍କ ଠାରୁ ଆରମ୍ଭ କରି ଗୁଜରାଟରେ ନରସୀ ମେହତାଙ୍କ ପର୍ଯ୍ୟନ୍ତ ତଥା ଉତ୍ତରରେ ଗୁରୁ ନାନକଙ୍କ ଠାରୁ ଆରମ୍ଭ କରି ଦକ୍ଷିଣରେ ମେଲପତ୍ତୁର ନାରୟଣ ଭଟ୍ଟ ତିରିଙ୍କ ପର୍ଯ୍ୟନ୍ତ, କୌଣସି କ୍ଷେତ୍ର ଭକ୍ତିର ଏହି ଧାରା ଠାରୁ ଅସ୍ପୃଶ୍ୟ ହୋଇ ରହିନାହିଁ। ଗୌଡ଼ ଦେଶରେ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରରେ ସନ୍ଥ ତୁକାରାମ, ସନ୍ଥ ଏକନାଥ ଏବଂ ସନ୍ଥ ଜ୍ଞାନେଶ୍ବରଙ୍କ ପର୍ଯ୍ୟନ୍ତ ମହାନ ସନ୍ଥମାନେ ସମ୍ପୂର୍ଣ୍ଣ ଦେଶକୁ ଭକ୍ତି ଭାବନା ନେଇ ଏକାକାର କରିଥିଲେ।
୧୧. ଭକ୍ତିର ଏହି ଧାରା ଦେଶ ବାହାରେ ବିଦେଶରେ ମଧ୍ୟ ପ୍ରବାହିତ ହୋଇ ଆସିଛି। ଏହା କୁହାଯାଇପାରେ ଯେ ଚୈତନ୍ୟ ମହାପ୍ରଭୁ ଭକ୍ତିର ଯେଉଁ ମହାନ ବଟବୃକ୍ଷ ବିକଶିତ କରିଥିଲେ ତାହାର ବିଭିନ୍ନ ଶାଖା ପ୍ରଶାଖା ଦେଶ-ବିଦେଶରେ ପ୍ରସ୍ଫୁଟିତ ପଲ୍ଲବିତ ହୋଇଚାଲିଛି। ଏହି ପରମ୍ପରାରେ ଇସ୍କନର ପ୍ରତିଷ୍ଠାତା ସ୍ବାମୀ ଭକ୍ତି ବେଦାନ୍ତ ପ୍ରଭୁପାଦ ମଧ୍ୟ ଆସିଥାନ୍ତି, ସେ ପାଶ୍ଚାତ୍ୟ ରାଷ୍ଟ୍ରରେ, ବିଶେଷ କରି ଆମେରିକାରେ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ବାର୍ତ୍ତାକୁ ପହଞ୍ଚାଇଥିଲେ। ଈଶ୍ବରଙ୍କ ଭକ୍ତିର ଏହି ସବୁ ଧାରା ବସ୍ତୁତଃ ଗୋଟିଏ ସତ୍ୟ ସହ ଜଡ଼ିତ ଏବଂ ଏହାର ବୃହତ ସ୍ବରୂପ ସମ୍ପୂର୍ଣ୍ଣ ବିଶ୍ବରେ ଦେଖିବାକୁ ମିଳିଥାଏ।
ଭାଇ ଓ ଭଉଣୀମାନେ
୧୨. ଈଶ୍ବରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣର ଭକ୍ତି ମାର୍ଗର ବିଶେଷତ୍ବ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ନୁହେଁ ବରଂ ମାନବତାର ସେବାକୁ ସାକାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ମାନବ ସେବା ପ୍ରତି ଏହି ସମର୍ପଣ – ବୃତ୍ତିର ଏକ ରୂପରେ ଆମେ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀମାନେ କରୁଥିବା କର୍ତ୍ତବ୍ୟ ନିଷ୍ଠାରେ ଦେଖିବାକୁ ପାଇଥାଉ। ସେବାଭାବନାକୁ ଆମ ସଂସ୍କୃତିରେ ସର୍ବୋପରି ସ୍ଥାନ ଦିଆଯାଇଛି। ଆମର ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀମାନେ ମଧ୍ୟ କୋଭିଡ ମହାମାରୀ ସମୟରେ ଏହି ସେବା ଭାବ ପ୍ରଦର୍ଶନ କରିଥିଲେ। କରୋନା ଭୂତାଣୁରେ ସେମାନେ ସଂକ୍ରମିତ ମଧ୍ୟ ହୋଇଥିଲେ, କିନ୍ତୁ ଏତେ ବିଷମ ପରିସ୍ଥିତି ସତ୍ତ୍ବେ ସେମାନେ ସାହସ ହରାଇନଥିଲେ ଏବଂ ତ୍ୟାଗ ଓ ସାହସର ପରାକାଷ୍ଠା ଦେଖାଇ ଲୋକମାନଙ୍କର ଚିକିତ୍ସାରେ ନିୟୋଜିତ ରହିଥିଲେ। ଆମର ଅନେକ କରୋନା ଯୋଦ୍ଧା ନିଜର ପ୍ରାଣବଳୀ ଦେଇଥିଲେ କିନ୍ତୁ ସେମାନଙ୍କର ସହକର୍ମୀମାନଙ୍କର ସମର୍ପଣ ଅଟଳ ରହିଥିଲା। ସାରା ଦେଶ ଏପରି ଯୋଦ୍ଧାମାନଙ୍କ ପ୍ରତି ସର୍ବଦା ଋଣୀ ରହିବ। ମାନବତାର ସେବାକୁ ହିଁ ଜୀବନର ଉଦ୍ଦେଶ୍ୟ ବୋଲି ଗ୍ରହଣ କରିଥିବା ଆମର କରୋନା ଯୋଦ୍ଧାମାନେ ଜାପାନରେ ପ୍ରଚଳିତ “ଇକିଗଈ”ର ଅବଧାରଣାକୁ ସାର୍ଥକ କଲେ। ଆମ ସମସ୍ତଙ୍କୁ ନିଜ ଜୀବନର ‘ଇକିଗଈ’କୁ ଚିହ୍ନି ତାହାକୁ ହାସଲ କରିବା ଲାଗି ନିରନ୍ତର ପ୍ରୟାସ କରିବା ଉଚିତ୍, ତାହା ଆଧ୍ୟାତ୍ମିକ ହେଉ କିମ୍ବା ବ୍ୟବସାୟିକ।
ଭାଇ ଓ ଭଉଣୀମାନେ,
୧୩. ଚୈତନ୍ୟ ମହାପ୍ରଭୁଙ୍କ ବ୍ୟତୀତ ଭକ୍ତି ଆନ୍ଦୋଳନର ଅନ୍ୟ ପ୍ରମୁଖ ମହାପୁରୁଷମାନେ ଆମ ସାଂସ୍କୃତିକ ବିବିଧତାରେ ଏକତାକୁ ଶକ୍ତି ପ୍ରଦାନ କରିଛନ୍ତି। ଭକ୍ତି ସମୁଦାୟର ସନ୍ଥ ନିଜ ଶିକ୍ଷାରେ ପରସ୍ପରକୁ ବିରୋଧ କରୁନଥିଲେ, ବରଂ ପ୍ରାୟତଃ ପରସ୍ପରର କୃତିରେ ଅନୁପ୍ରାଣିତ ହେଉଥିଲେ। ଏହାର ସବୁଠୁ ବଡ଼ ପ୍ରମାଣ ହେଉଛି ଗୁରୁ ଗ୍ରନ୍ଥ ସାହିବରେ ସନ୍ଥ କବୀର ଏବଂ ସନ୍ଥ ରବିଦାସଙ୍କ ସମେତ ଅନେକ ବିଭିନ୍ନ ସମ୍ପ୍ରଦାୟର ସନ୍ଥମାନଙ୍କ ବାଣୀକୁ ସାମିଲ କରାଯାଇଛି। ଯେଉଁଠି ଅଦ୍ବୈତ, ବିଶିଷ୍ଟ-ଦ୍ବୈତ ଏବଂ ଦ୍ବୈତର ପ୍ରତିଷ୍ଠା କରାଯାଉଥିଲା, ସେହିଠାରେ ସହଜତା ଏବଂ ସହିଷ୍ଣୁତାର ଧାରା ମଧ୍ୟ ପ୍ରବାହିତ ହେଉଥିଲା।
୧୪. ୧୮୯୩ରେ ଯେତେବେଳେ ଆମ ଦେଶ ଉପନିବେଶବାଦ ବନ୍ଧନର କବଳରେ ରହିଥିଲା, ସେହି ସମୟରେ ସ୍ବାମୀ ବିବେକାନନ୍ଦ ଭାରତୀୟ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଗୌରବର ଉଦାହରଣ ସମ୍ପୂର୍ଣ୍ଣ ବିଶ୍ବ ସମ୍ମୁଖରେ ଶିକାଗୋ ଧର୍ମ ସମ୍ମିଳନୀରେ ଉପସ୍ଥାପନ କରିଥିଲେ। ସ୍ବାମୀ ବିବେକାନନ୍ଦ ନିଜ ଅଭିଭାଷଣରେ ବିଶ୍ବ ସମୁଦାୟ ସମ୍ମୁଖରେ ଭାରତର ଆଧ୍ୟାତ୍ମିକ ବାର୍ତ୍ତାକୁ ଉପସ୍ଥାପନ କରି କହିଥିଲେ ଯେ, ଯେପରି ଭାବେ ଭିନ୍ନ ଭିନ୍ନ ସ୍ଥାନରୁ ବାହାରିଥିବା ନଦୀ ଶେଷରେ ସମୁଦ୍ରରେ ମିଶିଥାନ୍ତି, ଠିକ ସେହିପରି ମନୁଷ୍ୟ ନିଜ ଇଚ୍ଛାରେ ଭିନ୍ନ ଭିନ୍ନ ରାସ୍ତା ଚୟନ କରିଥାଏ। ଏସବୁ ରାସ୍ତା ଦେଖିବାକୁ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଶେଷରେ ସବୁ ରାସ୍ତା ଈଶ୍ବରଙ୍କ ନିକଟରେ ପହଞ୍ଚିଥାଏ। ଆଧ୍ୟାତ୍ମିକ ଏକତାର ଏହି ଭାରତୀୟ ସିଦ୍ଧାନ୍ତ ରାମକୃଷ୍ଣ ପରମହଂସ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଦ୍ବାରା ପ୍ରସାରିତ କରାଯାଇଥିଲା। ଯାହାକୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଆପଣାଇଥିଲେ।
ଭାଇ ଓ ଭଉଣୀମାନେ,
୧୫. ମୁଁ ଭାରତର ପୂର୍ବ କ୍ଷେତ୍ରର ସେହି ମହାନ ଆଧ୍ୟାତ୍ମିକ ମହାପୁରୁଷମାନଙ୍କ ବିଷୟରେ ଉଲ୍ଲେଖ କରିବାକୁ ଚାହୁଁଛି ଯେଉଁମାନେ ବିଶ୍ବ ପଟଳରେ ଆମ ଦେଶକୁ ମହତ୍ବପୂର୍ଣ୍ଣ ସ୍ଥାନ ଦେଇଛନ୍ତି। ମଧ୍ୟଯୁଗରେ ଯେତେବେଳେ ଭକ୍ତି ଆନ୍ଦୋଳନ ନିଜର ଚରମ ସ୍ଥିତିରେ ରହିଥିଲା, ସେତେବେଳେ ଭାରତର ପୂର୍ବ କ୍ଷେତ୍ର ଗୌଡ଼ ନାମରେ ପ୍ରସିଦ୍ଧ ଥିଲା। ସମ୍ଭବତଃ ସେଥିପାଇଁ ଶ୍ରୀ ସରସ୍ବତୀ ପ୍ରଭୁପାଦ ଜୀ ବିଶ୍ବ-ବୈଷ୍ଣବ-ରାଜସଭାକୁ ଗୌଡ଼ୀୟ ମଠ ନାମ ଦେଇଥିଲେ। ତାଙ୍କର ପ୍ରୟାସ ବଳରେ ଦେଶର ବିଭିନ୍ନ ସହରରେ ଗୌଡ଼ୀୟ ମଠ ପ୍ରତିଷ୍ଠା ହୋଇପାରିଲା ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଅନୁସାରେ ସେ ମାନବ ଜାତିର ନୈତିକ ଏବଂ ଆଧ୍ୟାତ୍ମିକ ଉତ୍ଥାନ ପାଇଁ ପ୍ରାସଙ୍ଗିକ ଶିକ୍ଷାର ପ୍ରସାର କରିଚାଲିଥିଲେ।
୧୬. ମୁଁ ଆଶା କରୁଛି ଯେ ଗୌଡ଼ୀୟ ମିଶନ, ମାନବ କଲ୍ୟାଣର ନିଜର ଏହି ଉଦ୍ଦେଶ୍ୟକୁ ସର୍ବୋପରି ରଖି ଚୈତନ୍ୟ ମହାପ୍ରଭୁଙ୍କ ବାଣୀକୁ ସାରା ବିଶ୍ବରେ ପ୍ରସାରିତ କରିବାରେ ନିଜର ସଂକଳ୍ପରେ ସଫଳ ହେବ। ମୁଁ ପୁଣିଥରେ ସରସ୍ବତୀ ପ୍ରଭୁପାଦ ଜୀଙ୍କ ୧୫୦ତମ ଜୟନ୍ତୀ ସହ ଜଡ଼ିତ ସମାରୋହର ସଫଳତା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି।