Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

୨୦୦୦ ପାକ୍‍ସକୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) କୁ ସାରା ଦେଶରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ରସାୟନିକ ଓ ସାର ମନ୍ତ୍ରୀ ମନସୁଖ ଏସ ମାଣ୍ଡଭୀୟଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପାକ୍‍ସ ଚିହ୍ନଟ ହେବ  ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ଟି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଏବଂ ଆଉ ୧୦୦୦ଟି ଡିସେମ୍ବର ସୁଦ୍ଧା ଖୋଲିବ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ପାକ୍‍ସ ର ଆୟ ବୃଦ୍ଧି କିମ୍ବା ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କୁ ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବ। ସମବାୟ ମନ୍ତ୍ରଣାଳୟର ସଚିବ, ରସାୟନିକ ଏବଂ ସାର ବିଭାଗର ସଚିବ ଏବଂ ସମବାୟ ମନ୍ତ୍ରଣାଳୟ ତଥା ରସାୟନିକ ଏବଂ ସାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୯୪୦୦ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ଏହି ଜନ ଔଷଧି କେନ୍ଦ୍ରରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପଲବ୍ଧ ହେଉଛି। ବ୍ରାଣ୍ଡେଡ୍ ଔଷଧ ତୁଳନାରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ୫୦% ରୁ ୯୦% କମ୍ ହାରରେ ଔଷଧ ଉପଲବ୍ଧ। ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ବ୍ୟକ୍ତିଗତ ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ହେଉଛି ଡି ଫାର୍ମା / ବି ଫାର୍ମା। ଯେକୌଣସି ସଂସ୍ଥା, ଏନଜିଓ, ସେବା ସଂଗଠନ ଏବଂ ଡାକ୍ତରଖାନା ବି ଫାର୍ମା / ଡି ଫାର୍ମା ଡିଗ୍ରୀଧାରୀଙ୍କୁ ନିଯୁକ୍ତ କରି ଏଥିପାଇଁ ଆବେଦନ କରିପାରିବେ।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅତି କମରେ ୧୨୦ ବର୍ଗଫୁଟ ଜାଗା ଘରୋଇ ମାଲିକାନା କିମ୍ବା ଭଡାରେ ଉପଲବ୍ଧ ହେବା ଆବଶ୍ୟକ। ଜନ ଔଷଧି କେନ୍ଦ୍ର ପାଇଁ ଆବେଦନ ଶୁଳ୍କ ହେଉଛି ୫୦୦୦ ଟଙ୍କା। ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପୂର୍ବତନ ସେନା କର୍ମଚାରୀମାନେ ସ୍ୱତନ୍ତ୍ର ବର୍ଗ ଅଧୀନରେ ଆସୁଛନ୍ତି। ଆକାଂକ୍ଷା ଜିଲ୍ଲା, ହିମାଳୟ ପର୍ବତ୍ୟାଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ଦ୍ୱୀପପୁଞ୍ଜ ଆଦି ସ୍ୱତନ୍ତ୍ର ଅଞ୍ଚଳ ବର୍ଗରେ ଆସୁଛି। ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କରେ ଛାଡ ବ୍ୟବସ୍ଥା ରହିଛି।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ପାଇଁ ପ୍ରୋତ୍ସାହନ ରାଶି ହେଉଛି ୫ ଲକ୍ଷ ଟଙ୍କା (ମାସିକ କ୍ରୟର ୧୫% କିମ୍ବା ମାସିକ ସର୍ବାଧିକ ୧୫,୦୦୦ ଟଙ୍କା)। ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳ କ୍ଷେତ୍ରରେ ଆଇଟି ଏବଂ ଭିତ୍ତିଭୂମି ପାଇଁ ଫେରସ୍ତ ପରିଶୋଧ ବାବଦରେ ୨ଲକ୍ଷ ଟଙ୍କାର ଏକ କାଳୀନ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।