Categories
ଆଜିର ଖବର ଜାତୀୟ ଖବର

‘ମୁଁ ହିନ୍ଦୁ’, ଆମର ପୂର୍ବ ପୁରୁଷମାନେ ମୁସଲିମ ଧର୍ମ ଗ୍ରହଣ କରିଥିଲେ: ନିତୀଶ କୁମାରଙ୍କ ମନ୍ତ୍ରୀ ଜମା ଖାନ

ପାଟଣା: ଜେଡ଼ିୟୁ ନେତା ତଥା ବିହାରର ସଂଖ୍ୟାଲଘୁ ସଂପ୍ରଦାୟ କଲ୍ୟାଣ ମନ୍ତ୍ରୀ ଜମା ଖାନ ଏକ ବଡ ବୟାନ ଦେଇଛନ୍ତି। ସେ ନିଜକୁ ହିନ୍ଦୁ ବୋଲି କହିଛନ୍ତି। ତାଙ୍କର ପୂର୍ବପୁରୁଷମାନେ ରାଜପୁତ ଥିଲେ ଏବଂ ଧର୍ମ ପରିବର୍ତ୍ତନ କରି ମୁସଲିମ ଧର୍ମ ଗ୍ରହଣ କରିଥିଲେ। ସେଥିପାଇଁ ସେମାନେ ମୁସଲିମ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି। ହଜିପୁରର ଏକ କାର୍ଯ୍ୟକ୍ରମରେ ଧର୍ମାନ୍ତରଣକୁ ନେଇ ଏକ ପ୍ରଶ୍ନରେ ଜମା ଖାନ କହିଛନ୍ତି ଯେ, ନିଜ ଇଚ୍ଛାରେ ଯଦି ଧର୍ମ ପରିବର୍ତ୍ତନ କରାଯାଉଛି, ତେବେ ଏଥିରେ କିଛି ଭୁଲ ନାହିଁ।

ସେ ଆହୁରି କହିଛନ୍ତି ଯେ, ଏବେ ବି ଆମର ସମ୍ପର୍କୀୟ ଅଧା ହିନ୍ଦୁ ଅଛନ୍ତିଏବଂ ଆମେ ସେମାନଙ୍କ ସହ ସାକ୍ଷାତ ମଧ୍ୟ କରୁଛୁ। ଏହି କାର୍ଯ୍ୟକ୍ରମରେ ଜମା ଖାନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁସଲମାନମାନେ ଜେଡ଼ିୟୁକୁ ଭୋଟ ଦେଇନାହାନ୍ତି ବୋଲି ସେ କହିଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୁସଲମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଜମା ଖାନ ବିହାରର ଚୈନପୁର ବିଧାନ ସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପ୍ରଥମେ ବହୁଜନ ସମାଜ ପାର୍ଟିର ସଦସ୍ୟ ଥିଲେ ଏବଂ ପରେ ଜେଡ଼ିୟୁରେ ସାମିଲ ହୋଇଥିଲେ।