Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ମୁଣ୍ଡରେ ଚଡକ: ଜମି ଫାଟି ଆଁ, ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନହଲେ ସ୍ଥିତି ହେବ ସାଂଘାତିକ

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ବର୍ଷାର ଅନିୟମିତତା ଯୋଗୁଁ ନାକଟିଦେଉଳ ବ୍ଲକର ୧୪ ଟି ପଂଚାୟତରେ ମରୁଡି ଦେଖା ଯିବାର ସଂଭାବନ ରହିଛି। ଜୁନ୍ ମାସ ଯାଇ ଅଗଷ୍ଟ ସରିବାକୁ ବସିଲାଣି ହେଲେ ଯେତିକି ପରିମାଣର ବର୍ଷା ହେବା କଥା ହୋଇ ନାହିଁ। ବ୍ଲକର କିସିଣ୍ଡା, ପାଣିମୋରା, ଗିରଶ୍ଚନ୍ଦ୍ରପୁର, ସରାପାଲି, ଡଇଁଚା, ଶିମିଳିପାଳ, ଘୋଷରାମାଳ, ବଳମ୍, ବାଟଗାଁ ଆଦି ପଂଚାୟତରେ ଚାଷୀମାନେ ଚାଷ ବେଉଷଣ କରିପାରି ନାହାନ୍ତି କି ଧାନ ରୋପଣ କରିପାରି ନାହାନ୍ତି। ଜମି ଫାଟି ଆଁ କରିଛି।

ଜମିରେ ପାଣି ମୁନ୍ଦାଏ ମଧ୍ୟ ନାହିଁ। ଚାଷୀ ମୁଣ୍ଡରେ ଚଡକ ପଶିଛି। ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡି ହେବାର ସଂଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଧାନ ଗଛ ଗୁଡିକ ପାଣି ଅଭାବରୁ ମରିଯିବା ସହ ଧାନ ଗଛ ସବୁ ହଳଦିଆ ଦିଶିଲାଣି। ବହୁ ସ୍ଥାନରେ ତଳି ପଡିଛି ବର୍ଷା ଅଭାବରୁ। କୃଷି ବିଭାଗ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ନାକଟିଦେଉଳ ବ୍ଲକ ର ଚାଷୀମାନେ। ୩୧/୭/୨୦୨୧ ପର୍ଯ୍ୟନ୍ତ କୃଷିବୀମାର ଅବଧି ଥିବା ବେଳେ ସଚେତନତାର ଅଭାବରୁ କୃଷି ବୀମାରୁ ବଂଚିତ ହୋଇଛନ୍ତି ବହୁ ଚାଷୀ। ସରକାର କୃଷିବୀମା ତାରିଖକୁ ବୃଦ୍ଧି କରିବାକୁ ଚାଷୀ ମାନେ ଦାବୀ ମଧ୍ୟ କରିଛନ୍ତି।