Categories
ଆଜିର ଖବର ରାଜ୍ୟ ଖବର

ଆଜାଦି କା ଅମୃତ ମହୋତ୍ସବ’ ଉପଲକ୍ଷେ ପ୍ରାଚୀନ ନଦୀ ‘ପ୍ରାଚୀ’ରେ ନୌଯାତ୍ରା

ସୀତାରାମ ଅଗ୍ରୱାଲ
ଚିଲିକା: ଆଜାଦି କା ଅମୃତ ମହୋତ୍ସବ ଏବଂ ସ୍ୱର୍ଣ୍ଣିମ ବିଜୟ ବର୍ଷ ନିମନ୍ତେ ଚାଲିଥିବା ଉତ୍ସବର ଏକ ଅଂଶବିଶେଷ ଭାବରେ ୪ ଜଣ ନାଭାଲ୍ ପର୍ସନାଲ, ଭେଟେରାନ୍ସ କ୍ଲବ୍ ଅଫ ଓଡ଼ିଶା ର ୪ ଜଣ ଭେଟେରାନ ଓ ଜଣେ ଯୋଗଚାର୍ଯ୍ୟ ପ୍ରାଚୀନ ନଦୀ ‘ପ୍ରାଚୀ’ ରେ ଏକ ଜଳଯାତ୍ରା ସଫଳତାର ସହ ସମାପ୍ତ କରିଛନ୍ତି। ନାଭାଲ ଅଧିକାରୀ-ଇନ୍-ଚାର୍ଜ(ଓଡିଶା) ଙ୍କ ତରଫରୁ ସାମଗ୍ରୀ ଏବଂ ପ୍ରଶାସନିକ ସହାୟତା ଦ୍ୱାରା ଉକ୍ତ ଜଳଯାତ୍ରାକୁ ଭାରତୀୟ ନୌସେନା ଏବଂ ଭେଟେରାନ୍ସ କ୍ଲବ୍ ଅଫ୍ ଓଡିଶା ମିଳିତ ଭାବେ ସଂଯୋଜନା କରିଥିଲା।

ଉକ୍ତ ନୌଯାତ୍ରା କୁ ଅକ୍ଟୋବର ୧୮ ତାରିଖରେ ସାନ ମୁଣ୍ଡୁଳିରୁ ନେଭି ଫାଉଣ୍ଡେସନର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଏନଏମ, ଭିଏସଏମ, କମ୍ରେଡ଼ ଦିନବନ୍ଧୁ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନୌଯାତ୍ରା ସମୟରେ ଡ଼ଙ୍ଗାଟି ଐତିହାସିକ ପ୍ରାଚୀ ନଦୀ କୂଳରେ ଥିବା ବିଭିନ୍ନ ଘାଟଗୁଡ଼ିକୁ ଅତିକ୍ରମ କରିଥିଲା। ଦୁଇ ଦିନିଆ ଏହି ଜଳଯାତ୍ରା ଦ୍ୱାରା ବଙ୍ଗୋପସାଗରକୁ ଯାଇଥିବା ପ୍ରାଚୀ ନଦୀର ଐତିହାସିକ ବାଣିଜ୍ୟ ମାର୍ଗକୁ ପୁନଃ ପରିଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ବିଶେଷ କରି ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଏବଂ ମହତ୍ୱ ବିଷୟରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅକ୍ଟୋବର ୧୯ ତାରିଖ ଦିନ ପୁରୀ ଜିଲ୍ଲାର ବାଲେଶ୍ୱର ମନ୍ଦିରଠାରେ ଏହି ନଦୀ ଯାତ୍ରା ଶେଷ ହୋଇଥିଲା ଯେଉଁଠାରେ ପ୍ରାଚୀ ନଦୀ ବଙ୍ଗୋପସାଗର ସହ ମିଶୁଛି।

ତେବେ ସେଠାରେ ଉକ୍ତ ନୌଯାତ୍ରା ଟିମକୁ ନାଭାଲ ଅଫିସର ଇନଚାର୍ଜ (ଓଡିଶା) କମ୍ରେଡ଼ ଏନ. ପି ପ୍ରଦୀପ ପାଛୋଟି ନେବା ସହ ସେମାନଙ୍କ ସ୍ୱାଗତ ସତ୍କାର କରିଥିଲେ। ଏହି ସମୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ମଧ୍ୟ ଉପସ୍ଥିତ ଥିଲେ ଏବଂ ନୌଯାତ୍ରା ଟିମ ସହ ବିଭିନ୍ନ ଆଲୋଚନା କରିଥିଲେ।