Categories
ବିଶେଷ ଖବର ରାଜ୍ୟ ଖବର

ଚାରଟି ଜିଲ୍ଲାର ଜଳସେଚନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ। ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ। ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ।

ସୂଚନାଯୋଗ୍ୟ ଯେ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୁର୍ଣ୍ଣ ହୋଇଛି ଏବଂ ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି। ଏହା ଦ୍ୱାରା କଟକ ଜିଲ୍ଲାର ଆଠଗଡ ଓ ତିଗିରିଆ ବ୍ଲକ ଏବଂ ଢେଙ୍କାନାଳ ବ୍ଳକ୍‌ର ୧୫ ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିପାରିଛି ।

ସେହିପରି ଆଠମଲ୍ଲିକରେ ମନଯୋର ପ୍ରକଳ୍ପର ସଂପ୍ରସାରଣ ମଧ୍ୟ ସଂପୂର୍ଣ୍ଣ ହୋଇଛି । ଏହାଦ୍ବାରା ଆଠମଲ୍ଲିକ ବ୍ଲକ ଓ ଏନଏସିର ୨୮ଟି ଗାଁର ୫ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିପାରିଛି।

ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଶେଷ ହୋଇଛି। ଜଳସେଚନ ପାଇଁ ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକ୍‌ର ୨୯ଟି ଗାଁର ୧୨,୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି। ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କ କଲ୍ୟାଣ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସେ ସବୁବେଳେ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ଜାଣି ସେ ଖୁସୀ ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କାଳିଆ ଯୋଜନା, ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା, ମାଗଣାରେ ଫସଲବୀମା ସୁବିଧା, ଚାଷୀ ପରିବାରର ପିଲାଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ଏବଂ ଚାଷୀ ଭାଇ ଭଉଣୀଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି।

ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସହ ରାଜ୍ୟର ଚାଷୀ ପରିବାର ଯୋଡି ହୋଇ ରହିଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମା’ମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି ବୋଲି ସେ କହିବା ସହିତ ଆମର ନୂଆ କାର୍ଯ୍ୟକ୍ରମ ‘ଆମ ଓଡିଶା ନବୀନ ଓଡିଶା’ ଓ ‘ଲକ୍ଷ୍ମୀ’ ଯୋଜନାରେ ଚାଷୀ ଭାଇ ଭଉଣୀମାନେ ସବୁଠାରୁ ଅଧିକ ଉପକୃତ ହେବେ ବୋଲି କହିଥିଲେ।

ଚାଷୀ ଭାଇଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ସାରଥୀ ବୋଲି କହି ସେମାନଙ୍କ ସହିତ ମୁଁ ସବୁବେଳେ ରହିଛି, ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିରଠାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉପସ୍ଥିତ ରହି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଦାୟିତ୍ୱ ନେବାଠାରୁ ଏହି ୨୪ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀର ଉନ୍ନତି ଓ ସମୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ବଳରେ ଆଜି ରାଜ୍ୟର କେବଳ ପୁରୁଷ ଚାଷୀମାନେ ନୁହେଁ, ମହିଳା ଚାଷୀମାନେ ମଧ୍ୟ ଆଗକୁ ଆସି କୃଷି କ୍ଷେତ୍ରରେ ସଫଳତା ପାଉଛନ୍ତି।

ଢେଙ୍କାନାଳରେ ଉପସ୍ଥିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ୫୦ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ଯାହା ହୋଇନଥିଲା, ୨୪ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ମୁଖ୍ୟମନ୍ତ୍ରୀ ତାହା କରି ଦେଖାଇଛନ୍ତି। ଯଦି ଚାଷ ଜମିକୁ ସଠିକ ଭାବେ ଜଳସେଚନ ଯୋଗାଇ ଦିଆଯିବ ତେବେ କୃଷକର ସବୁ ସମସ୍ୟା ଦୂର ହୋଇଯିବ ଏହି କଥାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଜଳସେଚନ କ୍ଷେତ୍ରର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ କହିଥିଲେ ଯେ ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଛାତ୍ର ମାନଙ୍କ ପାଇଁ ୯ ହଜାର ଓ ଛାତ୍ରୀମାନଙ୍କ ପାଇଁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ରହିଛି। ଏହି ଯୋଜନା ବିଷୟରେ ଆପଣମାନେ ଘରେ ପିଲାମାନଙ୍କୁ ଜଣାନ୍ତୁ ଓ ଏହାର ସୁଯୋଗ ଲାଭ କରନ୍ତୁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡିରେ ଉପସ୍ଥିତ ବିଧାୟକ ଶ୍ରୀ ଭୁପିନ୍ଦର ସିଂ ଏବଂ ଢେଙ୍କାନାଳରେ ଉପସ୍ଥିତ ବିଧାୟକ ଶ୍ରୀ ସୁଧିର କୁମାର ସାମଲ ମୁଖ୍ୟମନ୍ତ୍ରୀଙ୍କ ଏହି ଚାଷୀ ହିତୈଷୀ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଆଠମଲିକର ୨ଜଣ ଚାଷୀ ସନ୍ତୋଷ ଷଣ୍ଢ ଓ ତପନ ପାତ୍ର ପୂର୍ବରୁ ସେମାନେ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରୁଥିଲେ, ଏବେ ମନଯୋର ପ୍ରକଳ୍ପ ମାଧ୍ୟମରେ ସଠିକ ଭାବେ ଚାଷ କରି ଜମିରୁ ଅଧିକ ଫସଲ ଅମଳ କରି ଲାଭବାନ ହେବେ ବୋଲି କହିଥିଲେ ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଜଳ ସମ୍ପଦର ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ପ୍ରକଳ୍ପ 5T ଉପକ୍ରମରେ ଆରମ୍ଭ ହୋଇ ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଶେଷ ହୋଇଛି। ଆଜି କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଗୁଡିକ ଚାଷୀ ଭାଇଭଉଣୀମାନଙ୍କ ପାଇଁ ବହୁ ଉପଯୋଗୀ ହେବ ବୋଲି ସେ କହିଥିଲେ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ, ପ୍ରତିଶୃତି ଦେଇଥିଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି।

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨,୨୨୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ବାଲେଶ୍ୱର ଜିଲ୍ଲାର ୭ଟି ବ୍ଲକରେ ୫୬,୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦,୦୦୦ ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୧,୦୮,୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ।

ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨,୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫,୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

ଏହା ସହିତ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯,୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ। ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ।

ଏହି ଅବସରରେ ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ସବୁବେଳେ ମୋର ପ୍ରାଥମିକତା ହୋଇ ରହିଆସିଛି। ପ୍ରତିଦିନ ମୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କୁ ଭେଟୁଛି। ଚାଷୀମାନଙ୍କ ପାଇଁ ଆମର କଲ୍ୟାଣ କାର୍ଯ୍ୟକ୍ରମଗୁଡିକ ଭଲ ଭାବରେ କାମ କରୁଛି ବୋଲି ଜାଣି ମୁଁ ବହୁତ ଖୁସି। ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମାଗଣାରେ ଫସଲ ବୀମା, ଚାଷୀପରିବାର ପିଲାଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା ଏବଂ ଆହୁରି ଅନେକ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ସହିତ ଚାଷୀ ପରିବାର ଭଲ ଭାବରେ ଯୋଡି ହୋଇ ରହିଛନ୍ତି। ଆମର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମା’ମାନେ ସବୁଠୁ ଅଧିକ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ। ଆମର ନୂଆ କାର୍ଯ୍ୟକ୍ରମ ‘ଆମ ଓଡିଶା ନବୀନ ଓଡିଶା’ ଓ ‘ଲକ୍ଷ୍ମୀ’ ଯୋଜନା ଆଦିରୁ ଚାଷୀ ଭାଇଭଉଣୀମାନେ ସବୁଠାରୁ ଅଧିକ ଉପକାର ପାଇବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଏହି ଯୋଜନାରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଉଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଆମ ରାଜ୍ୟର ୮୦ ଭାଗରୁ ଉର୍ଦ୍ଧ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷ କ୍ଷେତ୍ର ହେଉ ବା ଜଳସେଚନ କ୍ଷେତ୍ର, ସବୁ କ୍ଷେତ୍ରର ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପ୍ରତି ଚାଷୀ ପାଖରେ ଏବଂ ପ୍ରତି ଚାଷ କ୍ଷେତରେ କିଭଳି ସୁରୁଖୁରୁରେ ପାଣି ପହଞ୍ଚିବ ସେ ବିଷୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜଳସେଚନ ବିକାଶ କ୍ଷେତ୍ରରେ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ। ସେଠାରେ ଉପସ୍ଥିତ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହି ଦୁଇ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାରେ କୃଷି କ୍ଷେତ୍ରରେ ବହୁ ଉନ୍ନତି ଘଟିବା ସହିତ ଆମ ଜିଲ୍ଲାର ଚାଷୀ ଭାଇଭଉଣୀମାନେ ଆର୍ଥିକ ସ୍ତରରେ ସଦୃଢ ହେବେ ।

କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ସଂଯୋଜନା କରି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଳସେଚନର ଉନ୍ନତି ଓ ଚାଷୀଭାଇଙ୍କର ଉନ୍ନତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ।

ସେହିଭଳି ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁରଠାରେ ଉପସ୍ଥିତ ଘଷିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥୀ ସେଠୀ ଏହି କେନାଲ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହି କେନାଲ ମାଧ୍ୟମରେ ବୈତରଣୀ ସହିତ ସାଳନ୍ଦି ନଦୀ ସଂଯୁକ୍ତ ହୋଇଛି। ଏହା ଦ୍ୱାରା ଆନନ୍ଦପୁର, ହାଟଡିହି ଓ ଘଷିପୁରା ବ୍ଲକ ସହିତ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ଜଳସେଚନ ସୁବିଧା ମିଳିବ।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଦୁଇ ଜଣ ଚାଷୀ ଏହି କେନାଲ ମାଧ୍ୟମରେ କିଭଳି ଭାବେ ଲାଭବାନ ହେଉଛନ୍ତି ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଧନ୍ୟବାଦ ଦେଇଥିଲେ। ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବହୁସଂଖ୍ୟକ ଚାଷୀ ଭାଇଭଉଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଗତ ଅଗଷ୍ଟ 11 ତାରିଖରେ ଯଶିପୁର ଯାଇଥିବା ବେଳେ ସ୍ଥାନୀୟ ଚାଷୀ ମାନେ ଖଇରୀଭଣ୍ଡନ Barrage ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ପରେ ମାତ୍ର ଚାରି ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇ ପାରିଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ। ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଓ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର

ୱାଲମୀ ଠାରେ “ଜଳ ସମ୍ପଦର ବିକାଶ ଓପରିଚାଳନା” ସମ୍ବନ୍ଧରେ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ଜଳସେଚନର ସୁପରିଚାଳନା ତଥା ଜଳର ସୁଷମ ବଣ୍ଟନ ପାଇଁ ଜଳସମ୍ପଦ ବିଭାଗର ବୃହତ୍ ଓ ମଧ୍ୟମ ଜଳସେଚନ ଶାଖାରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ନିମନ୍ତେ “ ଜଳ ସମ୍ପଦର ବିକାଶ ଓ ପରିଚାଳନା” ସମ୍ବନ୍ଧରେ ଏକ ୫ ଦିନିଆ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ ପରିଚାଳନା ପ୍ରତିଷ୍ଠାନ (ୱାଲମୀ) ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମହାନଦୀ-କାଠଯୋଡି ସିଷ୍ଟମ ଓ ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ଅଧୀନରେ ଥିବା ୩୩ ଜଣ ଯନ୍ତ୍ରୀ ଯୋଗଦାନ କରିଛନ୍ତି। ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ତଥା ୱାଲମୀ, ଓଡିଶାର ନିର୍ଦ୍ଦେଶକ, ଇଂ ବିଜୟ କୁମାର ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗ ଶ୍ରୀଯୁକ୍ତ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକ, ସମ୍ମାନୀୟ ଅତିଥ ଭାବରେ ଯୋଗଦେଇଥିଲେ।

ଓ୍ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ପ୍ରଫେସର ସୁଧନ୍ୱା ଚନ୍ଦ୍ର ପାତ୍ର ସାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ପ୍ରାଧ୍ୟାପିକା ଇଂ ଇତିଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ୱାଲମୀ, ଓଡିଶାର ଯୁଗ୍ମ ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକ ତଥା ଅନ୍ୟ କର୍ମଚାରୀମାନେ ଏହି କାର‌୍ୟ୍ୟକ୍ରମରେ ଯୋଗଦାନ କରିଥିଲେ। ୱାଲମୀର ପ୍ରଫେସର, ଇଂ ଅରୁଣ କୁମାର ସାମନ୍ତରାୟ, ଉଦ୍‌ଘାଟନୀ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ବର୍ଷର ପଦାର୍ପଣ ପରିପ୍ରେକ୍ଷୀରେ ଏହାର ପ୍ରତିଷ୍ଠା ଦିବସ କାର‌୍ୟ୍ୟକ୍ରମକୁ ଗତ ଏକ ତାରିଖରେ ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ନିଗମର ୫୦ତମ ବର୍ଷ ପୂର୍ତ୍ତିକୁ ନେଇ ନିଗମ ଅନେକ କାର‌୍ୟ୍ୟକ୍ରମ ହାତକୁ ନେଇଛି।

ଏହି ଅବସରରେ ଗତ ୨୧ ତାରିଖ ପୂର୍ବାହ୍ଣରେ ଭୁବନେଶ୍ୱର ଓଏଲ୍ଆଇସି ଡିଭିଜନ ଠାରେ ନୂତନ ଟେକ୍ନୋଲୋଜିର ଆଇ.ଏସ୍.ଓ ପ୍ରାମାଣୀକୃତ ପମ୍ପ ପରୀକ୍ଷା ପ୍ରୟୋଗଶାଳା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ନିଗମର ସାସ୍କୃତିକ ପାରିଷଦ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳସଂପଦ , ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦାନ କରି ବାର୍ଷିକ ପତ୍ରିକା ଉନ୍ମୋଚନ ପୂର୍ବକ ଓ ସଫଳ ଚାଷୀମନଙ୍କୁ ସମର୍ଦ୍ଧିତ କରିଥିଲେ।

ମନ୍ତ୍ରୀ ନିଜ ବକ୍ତବ୍ୟରେ ଜଳସେଚନ କ୍ଷେତ୍ରରେ ଓଏଲ୍ ଆଇ ସିର ଉଦ୍ୟମ ପ୍ରଶଂସନୀୟ ରହିଛିବୋଲି ପ୍ରକାଶ କରିବା ସହ ନିଗମ ଆଗକୁ ଆହୁରି ଭଲ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ, ଏବେ ଓଏଲ୍ଆଇସି ଗୋଲ୍ଟଡ କ୍ୟାଟେଗୋରୀରେରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ କୃଷି ଓ କୃଷକର ଉନ୍ନତିରେ ଓଏଲ୍ଆଇସିର କାର‌୍ୟ୍ୟକୁ ପ୍ରସଂସା କରିଥିଲେ ।

ତତ୍ ସହିତ ଉପସ୍ଥିତ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ କୃଷକମାନଙ୍କୁ କେବଳ ଧାନ ଫସଲ ନକରି ଅଧିକରୁ ଅଧିକ ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକରୀ ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଯେଉଁ ସ୍ଥାନରେ ଅନ୍ୟ ବିଭିନ୍ନ ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ସହଜ ହୋଇପାରୁ ନାହିଁ, ସେ କ୍ଷେତ୍ରରେ ଓଏଲ୍ଆଇସି ସବୁ ଅପହଂଚ ସ୍ଥାନରେ ପହଞ୍ଚି ପାରୁଛି । ମୁଖ୍ୟମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ରେ ୫ଲକ୍ଷ ହେକ୍ଟର ଜମିରେ ଜଳସେଚନ ର ଯେଉଁ ଧାର‌୍ୟ୍ୟ ଲକ୍ଷ୍ୟ ଦେଇଛନ୍ତି, ତାହାକୁ ପୂରଣ କରିବାକୁ ଓଏଲ୍ଆଇସି ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ପତ୍ରୀ କହିଥିଲେ ।

ଏହି ବର୍ଷ ଓଏଲ୍ଆଇ ସିଗୋଷ୍ଠୀ ଉଠା ଜଳସେଚନ ନିମନ୍ତେ ଜାତୀୟ ସ୍ତରୀୟ ପୁରସ୍କାରରେ ପୁରସ୍କୃତ ହୋଇଛି । ଏଥିପାଇଁ ସମସ୍ତ କର୍ମଚାରୀ ଓ ଚାଷୀ ଭାଇମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମର୍ଦ୍ଧିତ ଚାଷୀମାନଙ୍କ ମଧ୍ୟରେ ବହୁ ମହିଳା ସଫଳ ଚାଷୀ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ହୋଇଥିବା ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦେଶିକା ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିବା ବେଳେ ନିଗମର କାର‌୍ୟ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ୱର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ନିଗମର ସାସ୍କୃତିକ ପରିଷଦ ଦ୍ୱାରା ସାମାଜିକ ନାଟକ ‘ଶେଷ ନିଷ୍ପତ୍ତି’ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ସଚିବ ସ୍ତରୀୟ ଅଧିକାରୀ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲାରେ ୩ ମାସ ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ତଦାରଖ କରିବେ।

ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀ ପାଇଲେ ନିଯୁକ୍ତି:

୧- ବଲାଙ୍ଗିର ଜିଲ୍ଲା ଦାୟିତ୍ବରେ ସୁରେନ୍ଦ୍ର କୁମାର

୨- ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ରଞ୍ଜନା ଚୋପ୍ରା

୩- ଗଜପତି ଜିଲ୍ଲା ଦାୟିତ୍ବରେ ଭାସ୍କର ଜ୍ୟୋତି ଶର୍ମା

୪- କଳହାଣ୍ଡି ଜିଲ୍ଲା ଦାୟିତ୍ବରେ ସତ୍ୟବ୍ରତ ସାହୁ

୫- କନ୍ଧମାଳ ଜିଲ୍ଲା ଦାୟିତ୍ବରେ ମଧୁସୂଦନ ପାଢୀ

୬- କୋରାପୁଟ ଜିଲ୍ଲା ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ

୭- ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଏନ.ବି. ଜାୱେଲ

୮- ନବରଙ୍ଗପୁର ଜିଲ୍ଲା ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ

୯- ନୂଆପଡା ଜିଲ୍ଲା ଦାୟିତ୍ବରେ ବିଷ୍ଣୁପଦ ସେଠୀ

୧୦- ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ନିକୁଞ୍ଜ ଧଳ ନିଯୁକ୍ତ ହୋଇଛନ୍ତି