Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜଳେଶ୍ୱରରେ ଉତ୍ତରପ୍ରଦେଶ ବସ୍‌ ଦୁର୍ଘଟଣା,ଚାରି ମୃତକଙ୍କ ମରଶରୀର ପଠାଇଲେ ରାଜ୍ୟ ସରକାର

ଜଳେଶ୍ୱର/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିବହନ ଆୟୁକ୍ତ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଇଛି। ଦୁର୍ଘଟଣାରେ ଜଣେ ମହିଳା ଓ ତିନି ଜଣ ପୁରୁଷଙ୍କୁ ମିଶାଇ ଚାରି ଜଣଙ୍କ ମୃତୁ୍ୟ ହୋଇଛି। ମରଶରୀରଗୁଡ଼ିକୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଏଥି ସହ ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି। ସାମାନ୍ୟ ଆହତମାନଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଉତ୍ତରପ୍ରଦେଶ ତୀର୍ଥଯାତ୍ରୀମାନଙ୍କୁ ସବୁମତେ ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଜାତୀୟ ରାଜପଥ ୧୬ର ଅକ୍ତଳି ନିକଟ ଚଳନ୍ତି ବାଇପାସରେ ଉତ୍ତରପ୍ରଦେଶରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବସ୍‌ (UP51AT6297) ରାସ୍ତାର ୬ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା।

ପଢନ୍ତୁ: ଜଳେଶ୍ବରରେ ଓଲଟିଲା ବସ, ୪ ଯାତ୍ରୀ ମୃତ, ୧୬ ଜଣ ଗୁରୁତର

ଉଦ୍ଧାରକାରୀ ଦଳ, ପୋଲିସ, ପରିବହନ ଅଧିକାରୀ, ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ତୁରନ୍ତ ପହଞ୍ଚି ସହାୟତା ପହଞ୍ଚାଇଥିଲେ। ପରିବହନ ଆୟୁକ୍ତ ଅମିତାଭ ଠାକୁର, ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସକ୍ଷମ ହୋଇଥିଲେ।

ଉଦ୍ଧାରକାର୍ଯ୍ୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଲୋକେ ସଂପୂର୍ଣ୍ଣ ସହାୟତା କରିଥିଲେ।ସୁସ୍ଥ ହୋଇଥିବା ଯାତ୍ରୀମାନେ ଚାହିଁଲେ ସେମାନଙ୍କୁ ଉତ୍ତରପ୍ରଦେଶ ପଠାଯିବାର ସମସ୍ତ ବ୍ୟବସ୍ଥା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କରାଯିବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି ।

ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀ, କ୍ରାସ୍‌ ଇନଭେଷ୍ଟିଗେସନ୍‌ ଟିମ୍‌, ସ୍ଥାନୀୟ ଆରଟିଓ ଓ ପୋଲିସ ପକ୍ଷରୁ ଦୁର୍ଘଟଣାର ଯାଞ୍ଚ କରାଯାଉଛି । ପ୍ରାଥମିକ ତଦନ୍ତରୁ ଯାନଚାଳକଙ୍କ ତ୍ରୁଟିରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗାଡ଼ି ଚଲାଇବା ବେଳେ ଚାଳକଙ୍କ ଆଖି ଲାଗିଯାଇଥିବା କୁହାଯାଉଛି ଓ ସେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି ।