Categories
ଆଜିର ଖବର ଜାତୀୟ ଖବର

ଆଜି ସକାଳ ୯ଟାରୁ ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ କରିବାକୁ ଅନୁରୋଧ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଚାଲିଥିବା ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନର ସଦ୍ୟତମ ସୂଚନା ଉପରେ ଆଲୋକପାତ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍)ର ୧୦ତମ ପୂର୍ତ୍ତି ଅବସରର ପୂର୍ବ ସଂଧ୍ୟାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ରାଜଧାନୀରେ ଏଥିରେ ସାମିଲ ହେବେ। ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍) ସଚିବ ସୁଶ୍ରୀ ବିନି ମହାଜନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀ ପାଟିଲ ତାଙ୍କ ଅଭିଭାଷଣରେ ନାଗରିକ, ଯୁବକ, ମହିଳା, କର୍ପୋରେଟ୍, ଶିଳ୍ପ ସଂଘ, ସାଂସ୍କୃତିକ ସଂଗଠନ, ନାଗରିକ ସମାଜ, ତାରକା, ଧାର୍ମିକ ଓ ଆଧ୍ୟାତ୍ମିକ ନେତା ଏବଂ ଗଣମାଧ୍ୟମ ସମେତ ସମସ୍ତ ବର୍ଗର ଲୋକଙ୍କୁ ସେମାନଙ୍କ ପଡ଼ୋଶୀ, କଲୋନୀ ଏବଂ ଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅକ୍ଟୋବର, ୨, ୨୦୨୪ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଆସନ୍ତାକାଲି ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ଲୋକମାନେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରନ୍ତୁ ଏବଂ ସ୍ୱଚ୍ଛତା ହିଁ ସେବାର ଧାରଣାରେ ଯୋଗଦାନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଏସବିଏମର ଚାଲିଥିବା ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି ମିଶନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସହାୟତାରେ ସମଗ୍ର ଭାରତରେ ପରିମଳ ବ୍ୟବସ୍ଥାକୁ ଖୋଲା ମଳତ୍ୟାଗ ମୁକ୍ତ (ଓଡିଏଫ) ମାନ୍ୟତା ପାଇବାଠାରୁ ଆରମ୍ଭ କରି କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନାର ସମ୍ପ୍ରସାରଣ ପର୍ଯ୍ୟନ୍ତ ପରିବର୍ତ୍ତନ କରିଛି । ବର୍ତ୍ତମାନ ଓଡିଏଫ୍ ପ୍ଲସ୍ ମଡେଲ୍ ଗ୍ରାମର ବିକାଶ ଦିଗରେ ଗୁରୁତ୍ବ ଦିଆଯାଉଥିବାବେଳେ ଅକ୍ଟୋବର ୨ ତାରିଖରେ ହେବାକୁ ଥିବା ସ୍ୱଚ୍ଛ ଭାରତ ଦିବସ ଦେଶର ଯାତ୍ରାଉପରେ ପ୍ରତିଫଳନର ମୁହୂର୍ତ୍ତ ଭାବେ କାର୍ଯ୍ୟ କରିବ, ଯେଉଁଥିରେ ବର୍ଜ୍ୟବସ୍ତୁରୁ ଶକ୍ତି କ୍ଷେତ୍ରରେ ପଦକ୍ଷେପ ଏବଂ ଜଳବାୟୁ ସହନଶୀଳ ପରିମଳ ଭିତ୍ତିଭୂମି ଭଳି ଅଭିନବ ସମାଧାନ ପ୍ରଦର୍ଶିତ ହେବ। ସେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଅକ୍ଟୋବର ୨ ତାରିଖ କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ପ୍ରଭାବଶାଳୀ ଏବଂ ତାରକାମାନଙ୍କଠାରୁ ପ୍ରାପ୍ତ କାର୍ଯ୍ୟ ଏବଂ ସମର୍ଥନ ଉପରେ ଆଲୋକପାତ କରିବ, ଯେଉଁମାନେ କେବଳ ଗତ ୧୦ ବର୍ଷର ଅଗ୍ରଗତିକୁ ସ୍ୱୀକାର କରନ୍ତି ନାହିଁ ବରଂ ମିଶନର ଭବିଷ୍ୟତ ଦୃଷ୍ଟିକୋଣ ପାଇଁ ସେମାନଙ୍କର ନିରନ୍ତର ସମର୍ଥନ ମଧ୍ୟ ପ୍ରଦାନ କରନ୍ତି ।

ଶ୍ରୀ ପାଟିଲ ଆଲୋଚନା ସମୟରେ ସ୍ୱଚ୍ଛ ଭାରତ ମିଶନ (ଏସବିଏମ)ର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ ଏହି ଅନନ୍ୟ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନ ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ କିପରି ନିକଟରେ ନେଚର ମାଗାଜିନ୍ ମିଶନର ପ୍ରୟାସକୁ ପ୍ରଶଂସା କରିଥିଲା ଏବଂ ଆକଳନ କରିଥିଲା ଯେ ଏହା ବାର୍ଷିକ ୬୦,୦୦୦-୭୦,୦୦୦ ଶିଶୁ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିଥିଲା । ସେହିପରି ୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଏକ ରିପୋର୍ଟ ଅନୁଯାୟୀ ୨୦୧୪ ତୁଳନାରେ ୨୦୧୯ରେ ୩ ଲକ୍ଷରୁ ଅଧିକ ଝାଡ଼ାବାନ୍ତି ଜନିତ ମୃତ୍ୟୁକୁ ରୋକାଯାଇଛି, ଯାହା ଏସବିଏମ୍-ଜିର ଜୀବନ ରକ୍ଷାକାରୀ କ୍ଷମତାକୁ ଆହୁରି ଦର୍ଶାଉଛି।

ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ବିନି ମହାଜନ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନକୁ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅମୂଲ୍ୟ ସାମୂହିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆଲୋକପାତ କରିଥିଲେ ଯେ ପରିମଳ ଏକ ସାମାଜିକ ପ୍ରସଙ୍ଗ ଯାହା ଆମ ସମସ୍ତଙ୍କୁ ଏକଜୁଟ କରେ, ସର୍ବୋଚ୍ଚ ସ୍ତରରୁ ସ୍ଥାନୀୟ ସମୁଦାୟ ପର୍ଯ୍ୟନ୍ତ ସମନ୍ୱିତ ନେତୃତ୍ୱ ଦ୍ୱାରା ପରିଚାଳିତ । ସ୍ୱଚ୍ଛତା କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ଏକ କ୍ରମାଗତ ବିକଶିତ ଯାତ୍ରା, ଯାହାର ମୂଳରେ ଆଚରଣ ପରିବର୍ତ୍ତନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ୫୫% ରୁ ଅଧିକ ଗ୍ରାମକୁ ‘ଓଡିଏଫ୍ ପ୍ଲସ୍ ମଡେଲ୍’ ଘୋଷଣା କରାଯାଇଛି, ୫ ଲକ୍ଷ ବର୍ଜ୍ୟବସ୍ତୁ ସଂଗ୍ରହ ଯାନ କାର୍ଯ୍ୟକ୍ଷମ ରହିଛି ଏବଂ ବର୍ଜ୍ୟଜଳ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଉଲ୍ଲେଖଯୋଗ୍ୟ, ଦେଶର ୩୦୦୦ ବ୍ଲକରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକାରୀ ହେଉଥିବା ବେଳେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ପିଚୁ ବଦଳରେ ବ୍ୟବହାର କରାଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ସ୍ଥାୟୀ ଜ୍ଞାନକୌଶଳ ବ୍ୟବହାର କରି ପାଖାପାଖି ୪୦,୦୦୦ କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରାଯାଇଛି, ଯାହା କେବଳ ଗତ ଦୁଇ ବର୍ଷ ମଧ୍ୟରେ ୧୩,୦୦୦ କିଲୋମିଟର ସମ୍ପୂର୍ଣ୍ଣ ହୋଇଛି । ଏହି ଉଦ୍ଭାବନ ଭାରତରେ ସ୍ଥାୟୀତା ଏବଂ ପରିମଳର ଭବିଷ୍ୟତ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନର ୨୦୨୪ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ଶେଷ ହେବ ।  ଗଣମାଧ୍ୟମକୁ ସମସ୍ତ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଏସଏଚଏସ ଅପଡେଟ୍ ବିଷୟରେ ଅବଗତ କରାଯାଇଥିଲା , ଯେଉଁଥିରେ ସବୁ ବର୍ଗର ଲୋକମାନେ ବ୍ୟାପକ ଅଂଶଗ୍ରହଣ କରିଛନ୍ତି । ଏସଏଚଏସ ୨୦୨୪ର ବିଷୟବସ୍ତୁ ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ର ଉଦ୍ଦେଶ୍ୟ ଥିଲା ‘ସମଗ୍ର ସମାଜ ଆଭିମୁଖ୍ୟ’ ଅଧୀନରେ ସମଗ୍ର ଭାରତରେ ସ୍ୱଚ୍ଛତା ପାଇଁ ସାମୂହିକ କାର୍ଯ୍ୟ ଏବଂ ନାଗରିକ ଅଂଶଗ୍ରହଣର ଭାବନାକୁ ପୁନର୍ଜୀବିତ କରିବା । ଏହି ଅଭିଯାନରେ ମାନ୍ୟବର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହିତ ରାଜ୍ୟ ସରକାର, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିଛନ୍ତି, ଅନେକ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ/ ବିଧାୟକ ଏବଂ ରାଜ୍ୟପାଳମାନେ ସ୍ଥାନୀୟ ସ୍ୱଚ୍ଛତା କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ।

ଏପର୍ଯ୍ୟନ୍ତ ହାସଲ ହୋଇଥିବା ପ୍ରମୁଖ ଏସଏଚଏସ ମାଇଲଖୁଣ୍ଟ:

ବର୍ତ୍ତମାନ ସୁଦ୍ଧା ସମାଜର ସବୁ ବର୍ଗର ୨୦ କୋଟିରୁ ଅଧିକ ଲୋକଙ୍କ ଜନଭାଗିଦାରୀରେ ପ୍ରାୟ୨୫ ଲକ୍ଷ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୧୯ ଲକ୍ଷରୁ ଅଧିକ ଏବଂ ସହରାଞ୍ଚଳରେ ପାଖାପାଖି ୫ ଲକ୍ଷ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି।

ଗ୍ରାମାଞ୍ଚଳରେ ୪.୮୩ ଲକ୍ଷରୁ ଅଧିକଏବଂ ସହରାଞ୍ଚଳରେ ୨.୫୩ ଲକ୍ଷ କାର୍ଯ୍ୟକ୍ରମରେ ଅଧିକ ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣରେ ୭.୩୫ ଲକ୍ଷରୁ ଅଧିକ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ)ର ରୂପାନ୍ତରଣ କରାଯାଇଛି।

ପାଖାପାଖି ୧.୫୭ ଲକ୍ଷ ସଫେଇ ମିତ୍ର ସୁରକ୍ଷା ଶିବିରଅନୁଷ୍ଠିତ ହୋଇଛି ଯେଉଁଥିରେ ୩୮ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରି ସମଗ୍ର ଦେଶରେ ୩୬.୩୪ ଲକ୍ଷରୁ ଅଧିକ ସଫେଇ ମିତ୍ର ଉପକୃତ ହୋଇଛନ୍ତି।

ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ୫୫ ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯାଇଛି।

ଷ୍ଟେଟ୍ ଲିଡରବୋର୍ଡସ୍

ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ ର ରୂପାନ୍ତର – ଶୀର୍ଷ ୫ ଟି ରାଜ୍ୟ ପ୍ରଦର୍ଶନ କାରୀ ହେଉଛନ୍ତି ଉତ୍ତର ପ୍ରଦେଶ, ବିହାର, ଗୁଜରାଟ, ତାମିଲନାଡୁ ଏବଂ ରାଜସ୍ଥାନ ।

ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ – ଶୀର୍ଷ ୫ ଟି ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ

ସ୍ୱଚ୍ଛତା ମେ ଜନ ଭାଗିଦାରୀ – ଶୀର୍ଷ ରାଜ୍ୟଗୁଡିକ ହେଲା ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ

ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମରେ ଗୋବରଧନ, ଅମୃତ ଏବଂ ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ ହେବ । ରାଷ୍ଟ୍ର ଏହି ଅବସର ପାଳନ କରୁଥିବା ବେଳେ ଭାରତ ସରକାର ସ୍ଥାନୀୟ ସରକାରମାନଙ୍କୁ ସଶକ୍ତ କରିବା, ଭାଗିଦାରୀ ବିସ୍ତାର କରିବା ଏବଂ ନିରନ୍ତର ସମାଧାନ ପାଇଁ ଉଦ୍ଭାବନକୁ ଗ୍ରହଣ କରିବା ଜାରି ରଖିବେ । ନିର୍ମାଣରେ ନୂତନ ଜ୍ଞାନକୌଶଳ ଏବଂ ପୁନଃବ୍ୟବହାର ସାମଗ୍ରୀ ସାମିଲ ହେବା ଦ୍ୱାରା ଏକ ସ୍ୱଚ୍ଛ ଏବଂ ଅଧିକ ସହନଶୀଳ ଭାରତ ଗଠନରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମାସ୍ କମ୍ୟୁନିକେଶନ୍ ଇନ୍‌ଟର୍ଣ୍ଣସିପ୍ ପ୍ରୋଗ୍ରାମ ଘୋଷଣା

ନୂଆଦିଲ୍ଲୀ: ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ (ଡିଓଡବ୍ଲ୍ୟୁଆର୍‌, ଆର୍‌ଡି, ଜିଆର୍‌) ବିଭାଗ ପକ୍ଷରୁ ଗଣ ଯୋଗାଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ କିମ୍ବା ଭାରତରେ ଗଣ ଯୋଗାଯୋଗ କ୍ଷେତ୍ରରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାଗୁଡିକରେ ନାମଲେଖାଇଥିବା ଗବେଷଣା ଛାତ୍ରଛାତ୍ରୀମାନଙ୍କୁ ଇନ୍‌ଟର୍ଣ୍ଣ ଭାବେ ନିୟୋଜିତ କରିବାକୁ ଆହ୍ୱାନ ଦିଆଯାଇଛି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ମନୋନୀତ ପ୍ରାର୍ଥମାନଙ୍କୁ ଗଣମାଧ୍ୟମ/ସାମାଜିକ ଗଣମାଧ୍ୟମ ଗତିବିଧି ସମ୍ପର୍କିତ ବିଭାଗର ବିଭିନ୍ନ କାର୍ଯ୍ୟ ସହିତ ଜଡିତ କରାଯାଇ ସ୍ୱଳ୍ପକାଳୀନ ଅନୁଭବ ପ୍ରଦାନ କରାଯିବ। ଯେଉଁ ଛାତ୍ରଛାତ୍ରୀମାନେ ଗଣ ଯୋଗାଯୋଗ କିମ୍ବା ସାମ୍ବାଦିକତା ତଥା ଆନୁଷଙ୍ଗିକ କ୍ଷେତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଅଥବା ଯେଉଁ ଛାତ୍ରଛାତ୍ରୀମାନେ କୌଣସି ସ୍ୱୀକୃତିପ୍ରାପ୍ତ କଲେଜ/ବିଶ୍ୱବିଦ୍ୟାଳୟରେ ଉପରୋକ୍ତ କ୍ଷେତ୍ରରେ ସ୍ନାତକୋତ୍ତର କିମ୍ବା ଡିପ୍ଲୋମା କରୁଛନ୍ତି (ଗଣ ଯୋଗାଯୋଗ ତଥା ଏହି ସମ୍ପର୍କିତ କ୍ଷେତ୍ରରେ ସ୍ନାତକ ସମ୍ପୂର୍ଣ୍ଣ କରିବାକୁ ଅଛନ୍ତି) ସେମାନେ ଏଥିପାଇଁ ଯୋଗ୍ୟ, ତେବେ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ସତ୍ତାବଳୀ ଆଧାରରେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅବଧି ୬ରୁ ୯ ମାସ ରହିବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବା ମନୋନୀତ ପ୍ରାର୍ଥୀମାନଙ୍କୁ ମାସିକ ୧୫୦୦୦ ଟଙ୍କା ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ଜୁନ୍ ୨୦୨୪।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ କେବଳ ଅନ୍‌ଲାଇନ୍ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ, ଯାହା https://mowr.nic.in/internship/ ରେ ଉପଲବ୍ଧ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ଶ୍ରମଦାନ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି। ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି।

ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପରମଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସଫା କରିଛନ୍ତି।

 ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କାଲିମେଳା ଗ୍ରାମରେ ସ୍ଥାନୀୟ ମହିଳାମାନେ ଗାଁ ହାଟକୁ ସଫା କରିବା ଲାଗି ଶ୍ରମଦାନ କରିଛନ୍ତି।

ଏହାଛଡ଼ା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛତା ଶପଥପାଠ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏବେ ସୁଦ୍ଧା (୨୪ ସେପ୍ଟେମ୍ବର ୨୦୨୩) ୭ ଲକ୍ଷ ୧୭ ହଜାର ୨୮୫ ଜଣ ଲୋକ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗ୍ରାମାଞ୍ଚଳର ୧୧ ଲକ୍ଷ ୫୬ ହଜାର ୧୯୦ ଜଣ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରି ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଅଧୀନରେ ନିର୍ମିତ ସମ୍ପତ୍ତିର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ କାମରେ ୭୨ ହଜାର ୬୯୩ ଲୋକ ଭାଗ ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛତା କ୍ଷେତ୍ରରେ ଆଉ ଏକ ପ୍ରମୁଖ ମାଇଲ ଖୁଣ୍ଟ: ଓଡିଏଫ୍ ପ୍ଲସ୍ ଗ୍ରାମ ହୋଇଛି ୫୦% ଗ୍ରାମ

ଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ (ଏସ୍‌ବିଏମ୍ – ଜି) ଅଧୀନରେ ଦେଶ ଆଉ ଏକ ପ୍ରମୁଖ ମାଇଲ୍ ଖୁଣ୍ଟ ହାସଲ କରିଛି ଯେଉଁଥିରେ ଦେଶର ମୋଟ ଗ୍ରାମ ଗୁଡିକର ଅଧା ଅର୍ଥାତ୍ ୫୦% ଗ୍ରାମ ମିଶନ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି। ଏକ ଓଡିଏଫ୍ ପ୍ଲସ୍ ଗ୍ରାମ ହେଉଛି ଏମିତି ଏକ ଗ୍ରାମ, ଯାହା କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରଣାଳୀ ପ୍ରୟୋଗ କରିବା ସହିତ ଏହାର ବାହ୍ୟ ମଳ ମୁକ୍ତ (ଓଡିଏଫ୍‌) ସ୍ଥିତିକୁ ବଜାୟ ରଖିଥାଏ। ଆଜି ପର୍ଯ୍ୟନ୍ତ, ୨.୯୬ ଲକ୍ଷରୁ ଅଧିକ ଗ୍ରାମ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି, ଯାହାକି ୨୦୨୪ – ୨୫ ସୁଦ୍ଧା ଏସ୍‌ବିଏମ୍ – ଜିର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ଓଡିଏଫ୍ ପ୍ଲସ୍ ଗ୍ରାମ ଗୁଡିକର ଶତକଡ଼ା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଗୁଡ଼ିକ ହେଉଛି – ବୃହତ୍ ରାଜ୍ୟ ମଧ୍ୟରେ ତେଲେଙ୍ଗାନା (୧୦୦%), କର୍ଣ୍ଣାଟକ (୯୯.୫%), ତାମିଲନାଡୁ (୯୭.୮%) ଏବଂ ଉତ୍ତରପ୍ରଦେଶ (୯୫.୨%) ଏବଂ କ୍ଷୁଦ୍ର ରାଜ୍ୟ ମାନଙ୍କ ମଧ୍ୟରେ ଗୋଆ (୯୫.୩%) ଏବଂ ସିକ୍କିମ୍ (୬୯.୨%) ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇଥିବା ବେଳେ କେନ୍ଦ୍ରଶାସିତ ଅଂଚଳ ଗୁଡିକ ମଧ୍ୟରେ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ନଗର ହାବେଳି ଏବଂ ଡାମନ ଡିୟୁ ଏବଂ ଲାକ୍ଷାଦ୍ୱୀପରେ ୧୦୦% ଓଡିଏଫ୍ ପ୍ଲସ୍  ମଡେଲ ଗ୍ରାମ ରହିଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକ ଓଡିଏଫ୍ ପ୍ଲସ୍ ସ୍ଥିତି ହାସଲ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶନ କରିଛନ୍ତି ଏବଂ ଏହି ମାଇଲ ଖୁଣ୍ଟରେ ପହଞ୍ଚିବାରେ ସେମାନଙ୍କର ଉଦ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଛି।

୨,୯୬,୯୨୮ ଓଡିଏଫ୍ ପ୍ଲସ୍ ଗ୍ରାମ ମଧ୍ୟରୁ ୨,୦୮,୬୧୩ ଗ୍ରାମ ହେଉଛି କଠିନ ବର୍ଜ୍ୟ ବସ୍ତୁ ପରିଚାଳନା କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ଥିବା ଓଡିଏଫ୍ ପ୍ଲସ୍ ଆକାଂକ୍ଷୀ ଗ୍ରାମ, ୩୨,୦୩୦ଟି  ଗ୍ରାମ ହେଉଛି ଉଭୟ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ରହିଥିବା ଓଡିଏଫ୍ ପ୍ଲସ୍ ରାଇଜିଂ ଗ୍ରାମ ଏବଂ ୫୮,୨୮୫ ଗ୍ରାମ ହେଉଛି ଓଡିଏଫ୍ ପ୍ଲସ୍ ମଡେଲ୍ ଗ୍ରାମ।

ଓଡିଏଫ୍ ପ୍ଲସ୍ ମଡେଲ୍ ଗ୍ରାମ ଗୁଡିକ ହେଉଛି ଏମିତି ଗ୍ରାମ ଯାହା ତାର ଓଡିଏଫ୍ ସ୍ଥିତିକୁ ବଜାୟ ରଖିଥାଏ ଏବଂ ଉଭୟ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ସେଠାରେ ବ୍ୟବସ୍ଥା ରହିଥାଏ : ଦୃଶ୍ୟ ସ୍ୱଚ୍ଛତାର ନିରୀକ୍ଷଣ କରିଥାଏ, ଯଥା, ସର୍ବନିମ୍ନ ଅଳିଆ ଆବର୍ଜନା, ସର୍ବନିମ୍ନ ସ୍ଥିର ବର୍ଜ୍ୟ ଜଳ, ସର୍ବସାଧାରଣ ସ୍ଥାନରେ କୌଣସି ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ନପକାଇବା; ଏବଂ ଓଡିଏଫ୍ ପ୍ଲସ୍ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ବାର୍ତ୍ତା ପ୍ରଦର୍ଶନ କରିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ, ୧,୬୫,୦୪୮ ଗ୍ରାମରେ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ଅଛି,୨,୩୯,୦୬୩ ଗ୍ରାମରେ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ଅଛି, ୪,୫୭,୦୬୦ ଗ୍ରାମରେ ସର୍ବନିମ୍ନ ସ୍ଥାୟୀ ଜଳ ଥିବାବେଳେ ୪, ୬୭, ୩୮୪ ଗ୍ରାମରେ ସର୍ବନିମ୍ନ ଅଳିଆ ଆବର୍ଜନା ଅଛି।

୨୦୧୪ – ୧୫ ରୁ ୨୦୨୧ -୨୨ ମଧ୍ୟରେ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣକୁ ମୋଟ ୮୩,୯୩୮ କୋଟି ଟଙ୍କା ଆବଂଟିତ କରିଛନ୍ତି। ୨୦୨୩ – ୨୪ ବର୍ଷ ପାଇଁ ଆବଣ୍ଟନ ରାଶି ପରିମାଣ ହେଉଛି ୫୨,୧୩୭ କୋଟି ଟଙ୍କା। ଏସ୍‌ବିଏମ୍ (ଜି) ପାଣ୍ଠି ବ୍ୟତୀତ ସ୍ୱଚ୍ଛତା ପାଇଁ ୧୫ ତମ ଏଫସି ପାଣ୍ଠିର ସ୍ପଷ୍ଟ ଆବଣ୍ଟନ ବ୍ୟବସ୍ଥା ଅଛି । ସ୍ୱଚ୍ଛତା ସମ୍ପତ୍ତି ଗଠନ, ଆଚରଣ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏବଂ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ କାର୍ଯ୍ୟକାରୀ କରିବା ପାଇଁ ଏହି ପାଣ୍ଠି ବ୍ୟବହାର କରାଯାଇଛି।

ଏହି ବର୍ଷ ସ୍ୱଚ୍ଛ ଭାରତ ମିଶନର ୯ ବର୍ଷ ପୂରଣ ହୋଇଛି। ୫୦% ଓଡିଏଫ୍ ପ୍ଲସ୍ ଗ୍ରାମ ଗୁଡିକର ସଫଳତା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ଅଟେ , କାରଣ ଏହା କେବଳ ଶୌଚାଳୟର  ନିର୍ମାଣ ଏବଂ ବ୍ୟବହାର ମଧ୍ୟରେ ସୀମିତ ନରହି ଏହା ଠାରୁ ଆଗକୁ ଯାଇ ପୂର୍ଣ୍ଣତା ତଥା ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତା ଯଥା ଓଡିଏଫ୍ ରୁ ଓଡିଏଫ୍ ପ୍ଲସ୍ ପର୍ଯ୍ୟନ୍ତ ଯାଉଛି। ଏସ୍‌ବିଏମ୍ (ଜି) ର ଦ୍ୱିତୀୟ ପର୍ଯ୍ୟାୟ ମୁଖ୍ୟ ଉପାଦାନ ଗୁଡ଼ିକ ହେଉଛି ବାହ୍ୟ ମଳମୁକ୍ତ ସ୍ଥିତି (ଓଡିଏଫ୍ – ଏସ୍‌), କଠିନ (ଜୈବ – ଅବକ୍ଷୟିଷ୍ଣୁ) ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ପରିଚାଳନା (ପିଡବ୍ଲ୍ୟୁଏମ୍‌), ତରଳ ବର୍ଜ୍ୟ ବସ୍ତୁ ପରିଚାଳନା (ଏଲ୍‌ଡବ୍ଲ୍ୟୁଏମ୍‌), ମଳ ପଙ୍କ  ପରିଚାଳନା (ଏଫ୍‌ଏସ୍‌ଏମ୍‌), ଗୋବର୍ଦ୍ଧନ, ସୂଚନା ଶିକ୍ଷା ଏବଂ ଯୋଗାଯୋଗ / ଆଚରଣ ପରିବର୍ତ୍ତନ, ଯୋଗାଯୋଗ (ଆଇଇସି / ବିସିସି) ଏବଂ ଦକ୍ଷତା ବିକାଶ। ଏସ୍‌ବିଏମ୍ – ଜି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଗତ କିଛି ବର୍ଷ ମଧ୍ୟରେ ଅନେକ ରିପୋର୍ଟ ଏସ୍‌ବିଏମ୍ – ଜି କାର୍ଯ୍ୟକ୍ରମର ତୃଣମୂଳ ସ୍ତରର ପ୍ରଭାବକୁ ପ୍ରଦର୍ଶନ କରିଛି।

ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ପରିଚାଳନା ଦୃଷ୍ଟିରୁ, ୮୩୧ ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ପରିଚାଳନା ୟୁନିଟ୍ ଏବଂ ୧,୧୯,୪୪୯ ବର୍ଜ୍ୟ ବସ୍ତୁ ସଂଗ୍ରହ ଏବଂ ପୃଥକୀକରଣ ସେଡ୍ ସ୍ଥାପନ କରାଯାଇଛି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ ସିମେଣ୍ଟ କାରଖାନା ଇତ୍ୟାଦିରେ ଇନ୍ଧନ ରୂପରେ ସଡ଼କ ନିର୍ମାଣରେ ବ୍ୟବହାର ପାଇଁ ପ୍ଲାଷ୍ଟିକକୁ ପରିଷ୍କାର, ଛୋଟ ଛୋଟ ଖଣ୍ଡ କରାଯାଉଛି, ଏକାଠି କରି ପରିବହନ କରାଯାଉଛି। ୧ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏକକ ବ୍ୟବହାର ପ୍ଲାଷ୍ଟିକ୍ (ଏସ୍‌ୟୁପି) ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବା ପାଇଁ ସଙ୍କଳ୍ପ ନେଇଛନ୍ତି।

୨୦୬ ଟି ଜିଲ୍ଲାରେ ୬୮୩ କାର୍ଯ୍ୟକ୍ଷମ ବାୟୋ – ଗ୍ୟାସ୍ / ସିବିଜି ପ୍ଲାଣ୍ଟଗୁଡିକ  ସ୍ଥାପିତ ହୋଇଛି

୩,୪୭,୦୯୪ ଟି ସାମୁଦାୟିକ କମ୍ପୋଷ୍ଟ ଗର୍ତ୍ତ ନିର୍ମାଣ କରାଯାଇଛି

ଘରୋଇ ସ୍ତରରେ ଜୈବ – ଅବକ୍ଷୟିଷ୍ଣୁ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ, ଲୋକ ମାନଙ୍କୁ ସେମାନଙ୍କର ଶୁଖିଲା ଓ ଓଦା (ଜୈବିକ) ବର୍ଜ୍ୟ ବସ୍ତୁକୁ ଗୋଷ୍ଠୀ ସ୍ତରରେ ଖତରେ ପରିଣତ କରିବା ନିମନ୍ତେ ଉତ୍ସାହିତ କରା ଯାଉଛି। ଆଜିକା ତାରିଖ ସୁଦ୍ଧା ୩,୪୭,୦୯୪ ସାମୁଦାୟିକ  କମ୍ପୋଷ୍ଟ ଗର୍ତ୍ତ ନିର୍ମାଣ କରାଯାଇଛି। ଗୋବର୍ଦ୍ଧନ, ଯାହା ଜୈବିକ ଜୈବ- କୃଷି ସମ୍ବଳ – ଧନର ବୃଦ୍ଧିକୁ ଅନୁପ୍ରେରିତ କରିବାକୁ ବୁଝାଏ, ତାହା ଜୈବ ଅବକ୍ଷୟିଷ୍ଣୁ ବର୍ଜ୍ୟ ବସ୍ତୁର ପୁନରୁଦ୍ଧାର, ବର୍ଜ୍ୟ ବସ୍ତୁକୁ ସମ୍ବଳରେ ପରିଣତ କରିବା ଏବଂ ସ୍ୱଚ୍ଛ ଓ ସବୁଜ ଗ୍ରାମ ସୃଷ୍ଟି ପାଇଁ ଏକ ଉତ୍ତମ ପଦକ୍ଷେପ ଅଟେ। ଏହା ଏକ ‘ଅପଚୟରୁ ସମ୍ପଦ’ ସୃଷ୍ଟି କରିବା ପଦକ୍ଷେପ ଯେଉଁଥିରେ ଅନ୍ତର୍ଭୁକ୍ତ ଗ୍ରାମରେ ଉତ୍ପାଦିତ ବର୍ଜ୍ୟବସ୍ତୁ ବାୟୋ – ଗ୍ୟାସ୍ / ସିବିଜି ତଥା ଜୈବିକ – ପଙ୍କ / ଜୈବିକ – ସାର ଉତ୍ପାଦନ ପାଇଁ ବ୍ୟବହୃତ ହୁଏ ଏବଂ ଭାରତ ସରକାରଙ୍କ ଚକ୍ରୀୟ ଅର୍ଥନୀତି ଏବଂ ମିଶନ୍ ଲାଇଫ୍ ପଦକ୍ଷେପ ସହିତ ସମତାଳିକ ଅଟେ। ୨୦୬ ଟି ଜିଲ୍ଲାରେ ୬୮୩ କାର୍ଯ୍ୟକ୍ଷମ ଜୈବିକ – ଗ୍ୟାସ୍ / ସିବିଜି ପ୍ଲାଣ୍ଟ ସ୍ଥାପନ କରାଯାଇଛି।

ଏହାର ଅନେକ ସୁବିଧା ରହିଛି, ପରିବେଶ ଅନୁକୂଳ ଶକ୍ତି ଉତ୍ସ, ମୃତ୍ତିକାର ମାନ ବୃଦ୍ଧି କରିବା ପାଇଁ ପୁଷ୍ଟିକର ସମୃଦ୍ଧ ପଙ୍କ ଏବଂ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା, ପରିଷ୍କାର ପରିବେଶ ଏବଂ ଭେକ୍ଟର ବା ମଶା ମାଛିଙ୍କ ଦ୍ୱାରା ପରିବାହିତ ହେଉଥିବା ରୋଗର ହ୍ରାସ, ଖରାପ ପରିମଳ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ହେତୁ ଆର୍ôଥକ ଖର୍ଚ୍ଚ ସଞ୍ଚୟ, ସବୁଜ ଗୃହ ବାଷ୍ପ (ଜିଏଚ୍‌ଜି) ନିର୍ଗମନ ହ୍ରାସ, ଅଶୋଧିତ ତୈଳ ଆମଦାନୀରେ ହ୍ରାସ (ବିଦେଶୀ ବିନିମୟ ମୁଦ୍ରା ସଞ୍ଚୟ), ସ୍ଥାନୀୟ ସମ୍ପ୍ରଦାୟ ପାଇଁ ନିଯୁକ୍ତି ସୁଯୋଗ, ଉଦ୍ୟୋଗୀତା ବୃଦ୍ଧି ଏବଂ ସବୁଜ ଶକ୍ତି କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ବୃଦ୍ଧି, ଜୈବ ବର୍ଜ୍ୟ ବସ୍ତୁରୁ କୃଷକ / ସ୍ଥାନୀୟ ଗ୍ରାମ ସମ୍ପ୍ରଦାୟର ଆୟ ବୃଦ୍ଧି, ଏବଂ କୃଷି – ଅବଶିଷ୍ଟାଂଶର ଯତ୍ନ ନିଆଯିବା।

ମଇଳା ଜଳ ପରିଚାଳନା ପାଇଁ ନିର୍ମିତ ୨୨ ଲକ୍ଷ ସୋକ୍ ପିଟ୍ (ଗୋଷ୍ଠୀଗତ ଏବଂ ଘରୋଇ)

ମଇଳା  ଜଳ ପରିଚାଳନା ପାଇଁ, ଯାହାକି ଦୈନନ୍ଦିନ ଘର କାମରୁ ନିର୍ଗତ ହେଉଥିବା ବର୍ଜ୍ୟ ଜଳ – ସଫା କରିବା, ରାନ୍ଧିବା, ଗାଧୋଇବା ଇତ୍ୟାଦିରୁ, ଯେଉଁ ଗ୍ରାମ ଗୁଡିକରେ ଜଳ ପରିବାହୀ ନାଳୀ ବ୍ୟବସ୍ଥା ନାହିଁ, ସେସବୁ ସ୍ଥାନରେ ଘର ଏବଂ ଗୋଷ୍ଠୀ ସ୍ତରରେ ଗାତ / ଲିଚ୍ ଗର୍ତ୍ତ କିମ୍ବା ମ୍ୟାଜିକ୍ ଗର୍ତ୍ତରେ ମଇଳା ଜଳକୁ ଉପଯୁକ୍ତ  ଭାବରେ ଚିକିତ୍ସା କରାଯାଇ ପାରିବ। ଏକ ସ୍ୱତନ୍ତ୍ର ଅଭିଯାନ ସୁଜଳମ୍ କରା ଯାଇଥିଲା ଏବଂ ମଇଳା ଜଳ ପରିଚାଳନା ପାଇଁ ପ୍ରାୟ ୨.୨ ନିୟୁତ (୨୨ ଲକ୍ଷ) ଜଳ ଶୋଷଣ କରୁଥିବା ଗର୍ତ୍ତ (ଗୋଷ୍ଠୀଗତ ଏବଂ ଘରୋଇ ଗର୍ତ୍ତ) ତିଆରି କରାଯାଇଥିଲା। ବର୍ତ୍ତମାନ, ସୁଜଳମ୍ .୩.୦ ସାମଗ୍ରିକ ଏବଂ ସମ୍ମିଳିତ ମଇଳା ଜଳ ପରିଚାଳନା ପାଇଁ ଆରମ୍ଭ କରାଯାଇଛି।

ମଳ ପଙ୍କ ପାଇଁ, ଯାହା ଶୌଚାଳୟରୁ ଉତ୍ପନ୍ନ ବର୍ଜ୍ୟ ଜଳ ଅଟେ, ନିର୍ଦ୍ଦିଷ୍ଟ ସ୍ଥାନରେ ପରିମଳ ବ୍ୟବସ୍ଥାର ଯାନ୍ତ୍ରିକ ନିଷ୍କାସନକୁ ମଜଭୁତ କରି ଏବଂ ମଳ ପଙ୍କର ନିରାପଦ ନିଷ୍କାସନ ପାଇଁ ପରିଚାଳନା ୟୁନିଟ୍ ଗଠନ କରି ଜିଲ୍ଲା ମାନଙ୍କୁ ସହାୟତା ଯୋଗାଯାଇ ଏସ୍‌ବିଏମ୍ (ଜି) ମଳ ପଙ୍କର ପ୍ରଭାବଶାଳୀ ପରିଚାଳନାକୁ ସୁନିଶ୍ଚିତ କରିଥାଏ। ଯମଜ ଶୌଚାଳୟ (କିମ୍ବା ସମାନ ପ୍ରଣାଳୀ) ରେ ଶୌଚାଳୟର ପୁନଃ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଏଫ୍‌ଏସ୍‌ଏମ୍ ଘରୋଇ ସ୍ତରରେ ପରିଚାଳିତ ହୁଏ ଏବଂ ସହରାଞ୍ଚଳ ନିକଟରେ ଅବସ୍ଥିତ ଗ୍ରାମ ଗୁଡିକ ପାଇଁ ସହରାଞ୍ଚଳରେ ଅବସ୍ଥିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) / ମଳ ପଙ୍କ ପରିଚାଳନା ପ୍ଲାଣ୍ଟ (ଏଫ୍‌ଏସ୍‌ଟିପି) ରେ ଚିକିତ୍ସା ଦ୍ୱାରା ଗ୍ରାମ ସ୍ତରରେ ପରିଚାଳିତ ହୁଏ। ସହରାଞ୍ଚଳର ନିକଟବର୍ତ୍ତୀ  ଗ୍ରାମ ଗୁଡିକର କ୍ଲଷ୍ଟର ପାଇଁ ଏଫ୍‌ଏସ୍‌ଟିପି ଯାହା ବିଦ୍ୟମାନ ପରିଚାଳନା ପ୍ରଣାଳୀ ସହିତ ସଂଯୁକ୍ତ ହୋଇ ପାରିବ ନାହିଁ, ଏବଂ ଗ୍ରାମ ଗୁଡିକର କ୍ଲଷ୍ଟର କିମ୍ବା ଏକ ବୃହତ ବିଚ୍ଛିନ୍ନ ଗ୍ରାମ ପାଇଁ ଗଭୀର ଧାଡି ପ୍ରବେଶ ବ୍ୟବସ୍ଥା କରାଯାଏ, ଯେଉଁଠାରେ ଏଫ୍‌ଏସ୍‌ଟିପି ସମ୍ଭବ ନୁହେଁ। ସମ୍ପ୍ରତି, ୫୯୧ ଏଫ୍‌ଏସ୍‌ଟିପି ଗୁଡିକ କାର୍ଯ୍ୟକ୍ଷମ ଅଛନ୍ତି।

ପରିମଳ ଏବଂ ସ୍ୱଚ୍ଛତା ପାଇଁ ଏକ ମିଳିତ ପ୍ରୟାସ ହେଲେ କ’ଣ ହାସଲ କରାଯାଇ ପାରିବ ଏସ୍‌ବିଏମ୍ (ଜି) ଏହାର ଏକ ଜ୍ୱଳନ୍ତ ଉଦାହରଣ। ପାନୀୟ ଜଳ ଓ ପରିମଳ ବିଭାଗ, ଜଳ ଶକ୍ତି ମନ୍ତ୍ରଣାଳୟ ଏହି ଗୌରବମୟ ସଫଳତା ପାଇଁ ସମସ୍ତ ଗ୍ରାମ, ଗ୍ରାମ ପଞ୍ଚାୟତ, ଜିଲ୍ଲା, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅବଦାନକୁ ଅଭିନନ୍ଦନ ଜଣାଉଛି ଓ ପ୍ରଶଂସା କରୁଛି।

ସ୍ୱଚ୍ଛ ଭାରତ ମିଶନ – ଗ୍ରାମୀଣ ଅଧୀନରେ ପାନୀୟ ଜଳ ଏବଂ ପରିମଳ ବିଭାଗ ଦ୍ୱାରା ସମ୍ପ୍ରତି କରା ଯାଇଥିବା ପଦକ୍ଷେପ ବିଷୟରେ ପଢ଼ିିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।