Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର ପରିପ୍ରେକ୍ଷୀରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇଆଇଟି, ଗୌହାଟୀ ମଧ୍ୟରେ “ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ “ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ” ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷିରିତ ହୋଇଥିଲା । ଜଳସମ୍ପଦ ବିଭାଗ ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଓ ଆଇଆଇଟି, ଗୌହାଟୀ ପକ୍ଷରୁ ପ୍ରଫେସର ଶିବାଶିଷ ଦତ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ନଦୀ । ଏହି ନଦୀ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲିଠାରେ ଏକ ନଦୀବନ୍ଧ ଏବଂ ରେଙ୍ଗାଲି ଡ୍ୟାମର ପ୍ରାୟ ୩୫.୦୦ କିଲୋମିଟର ତଳ ମୁଣ୍ଡରେ ସମଲଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି । ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଜଳପ୍ରବାହର ସ୍ଥିତି ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥାପନ କରିଥିଲେ । ନଦୀସ୍ତରରେ ବାଲି, ପଙ୍କ ଓ ପଟୁ ଆଦି ବସିବା ଦ୍ୱାରା ନଦୀରେ ଜଳସ୍ତର ଓ ପ୍ରବାହ କମ୍ ରହୁଛି । ଫଳରେ ବନ୍ୟା ଜଳ ନିସ୍କାସନରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ନଦୀରେ ଜଳ ସଂଚୟ ଏବଂ ପ୍ରବାହକୁ ନିଶ୍ଚିତ କରିବାକୁ ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଆବଶ୍ୟକ ସମୟରେ ଜଳର ଉପଲବ୍ଧତା ଦୃଷ୍ଟିରୁ ଯାଜପୁର ଜିଲ୍ଲାର ଜେନାପୁର ଓ ଯୋକଡିଆରେ ସମନ୍ୱିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରି ଉଭୟ ନଦୀରେ ପ୍ରବାହ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ନଦୀ ପ୍ରଣାଳୀକୁ ପୁନରୁଦ୍ଧାର କରିବା ପାଇଁ ଢାଞ୍ଚାଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଜଳ ପ୍ରବାହର ଆନୁପାତିକ ବଣ୍ଟନ ପାଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବା ପାଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି,ଗୌହାଟୀ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଜଳ ସଂପଦ ବିଭାଗ ଲୋକମାଙ୍କର ଜଳର ଆବଶ୍ୟକତାକୁ ପୂରଣ ଦିଗରେ ସର୍ବଦା ପ୍ରୟାସ ଜାରି ରଖିଛି । ବିଭାଗ ତରଫରୁ ବ୍ରାହ୍ଣଣୀ ନଦୀରେ ପ୍ରସ୍ତାବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ରାନ୍ତରେ ଓ ନଦୀରେ ମାଟି,ପଙ୍କ ଆଦି ଜମି ନରହି ଜଳ ପ୍ରବାହକୁ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ ଏହି ବୁଝାମଣା ପତ୍ର ଏ କ୍ଷେତ୍ରରେ ବୈଷୟିକ ଅଧ୍ୟୟନ ପାଇଁ ଆମକୁ ସହାୟକ ହେବ , ଯାହା ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ତାଙ୍କ ଅଭିଭାଷଣରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ୍ ଭାବେ ଅବଗତ କରିଥିଲେ । ବୈଠକରେ ବିଭାଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ  ବିଭାଗ ତରଫରୁ ଏକ ପ୍ରାକ୍ ବନ୍ୟା-ବାତ୍ୟା ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅପରାହ୍ଣରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଅନ୍ତର୍ଗତ ଡିଭିଜନଗୁଡିକରେ ଅବସ୍ଥାପିତ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ, ସହକାରୀ ମୁଖ୍ୟଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ମହାନ୍ତି ପାଓ୍ୱାର ପଏଣ୍ଟ ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରି ରାଜ୍ୟରେ ଥିବା ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ସମେତ ୧୧ ଟି ନଦୀ ଅବବାହିକାରେ ଥିବା ୮ ଟି ବୃହତ୍ ଜଳ ଭଣ୍ଡାର ଓ ୪୭ ଟି ମଧ୍ୟମ ଜଳଭଣ୍ଡାରର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ୨୦୨୨ ଅଗଷ୍ଟ ମାସ ବନ୍ୟାରେ ଆମେ ପାଖାପାଖି ୧୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ବେଳେ ବନ୍ୟା ପରିଚାଳନା ସଫଳତାର ସହ କରିଥିଲୁ। ଏ ବର୍ଷ ଆମର ବୃହତ ଓ ମଧ୍ୟମ  ଜଳ ଭଣ୍ଡାରଗୁଡିକର ସ୍ଥିତି ଭଲ ରହିଛି। ଆମର ବନ୍ୟା ପରିଚାଳନା ନେଇ ଯେଉଁ ମଡେଲ ରହିଛି, ଏହାକୁ ଆଧାର କରି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରିପାରିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଇଂ. ମହାନ୍ତି ପ୍ରକାଶ କରିଥିଲେ।
ଜଳ ସଂପଦ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଗତ ବର୍ଷ ବନ୍ୟାକୁ ଆମେ ସଫଳତାର ସହ ମୁକାବିଲା କରିଛୁ। କିନ୍ତୁ ଏଥିରେ ଆମେ ସନ୍ତୁଷ୍ଟ ନ ହୋଇ ଆମକୁ ଅଧିକ ଯତ୍ନ ଓ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ। ଗତ ବର୍ଷ ବନ୍ୟା ମୁକାବିଲାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବନ୍ୟା-ବାତ୍ୟା  ମୁକାବିଲା ପାଇଁ  ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ବନ୍ୟା-ବାତ୍ୟା ପରିଚାଳନା ସହ ବନ୍ୟା ଛାଡିବା ପରେ ଜଳ ସଂଚୟ ପାଇଁ ଗେଟ୍  ଗୁଡିକର ସ୍ଥିତି ଯେପରି ଠିକ୍ ରୁହେ, ସେଥିପ୍ରତି  ଦୃଷ୍ଟି ଦେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ଆହୁରି ମଧ୍ୟ ବନ୍ୟା ସମୟରେ ନଦୀ ବନ୍ଧ ଗୁଡିକ ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଜନସାଧାରଣଙ୍କ ଯାତାୟତ ପାଇଁ  ସୁବିଧା ରୁହେ,  ସେଥିପ୍ରତି ଧ୍ୟାନ ଦେଇ ରାସ୍ତାଗୁଡିକର ସ୍ଥିତି ଯାଂଚ କରି ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ଛୋଟ ଛୋଟ ଘଳିଆ ସୂଚନା ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ଦୃଷ୍ଟିକୁ ନେଇ ବନ୍ଧ ମରାମତି କରିବାକୁ ଶ୍ରୀମତୀ ଗର୍ଗ  ନିର୍ଦ୍ଦେଶ ଦେଇଥିଲେ।
ବୈଠକରୁ ଜଣାପଡିଛି ଯେ ଗତ ଥର ହୋଇଥିବା ୮ ଟି ସ୍ଥାନରେ ଘାଇ ମଧ୍ୟରୁ ୩ ଟି ସଂପୂର୍ଣ୍ଣ ମରାମତି ସରିଛି ଓ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମଇ ମାସ ୧୦ ତାରିଖ ସୁଦ୍ଧା ଜଳ ସଂପଦ  ବିଭାଗର ସଂପୃକ୍ତ  ଅତିରିକ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ନଦୀ ବନ୍ଧର ସ୍ଥିତି ସଂପର୍କରେ ଯୁଗ୍ମ  ତନଖି ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସବୁ ଜିଲ୍ଲାରେ ଯୁଗ୍ମ ତନଖି  କାର୍ଯ୍ୟ ସରିଛି। ରାଜ୍ୟର ବିଭିନ୍ନ ଜଳସଂପଦ ଡିଭିଜନରେ ମୋଟ ୭୪୭୩.୨୦୬ କି.ମି ବନ୍ଧ ତଟ ରହିଛି। ସେଥିରୁ ୧୬୩୫.୯୪୫ କି.ମି ଲୁଣି  ବନ୍ଧ ରହିଛି। ବିଭିନ୍ନ ନଦୀ ଓ ଜଳ ଭଣ୍ଡାରର ଗେଟ୍, ସ୍କୁଇସ୍ ଗେଟ୍, ଦୁର୍ବଳ ଓ ସମ୍ବେଦନଶୀଳ ନଦୀ ବନ୍ଧ ଗୁଡିକର ମରାମତି ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା।
ପ୍ରତି ବର୍ଷ ଭଳି ଆବଶ୍ୟକ ସ୍ଥାନରେ ଡିଭିଜନଓ୍ୱାରୀ ବାଲିବସ୍ତା, ବାଲି ବ୍ୟାଗ,  ବନ୍ୟା-ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯାନ୍ତ୍ରିକ ବ୍ୟବସ୍ଥା  ଓ ଉପକରଣ କ୍ରୟ ପ୍ରକ୍ରିୟା ଜାରି ରହିଛି। ଉପରୋକ୍ତ  ବ୍ୟବସ୍ଥା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ ସଂସ୍ଥାମାନଙ୍କର  ଜରୁରୀ ଟେଲିଫୋନ୍ ନମ୍ବର ରଖି  ନିୟମିତ ଯୋଗାଯୋଗରେ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାଳୀନ ଯୋଗାଯୋଗ ପାଇଁ ଅଧିକାରୀମାନଙ୍କ ଟେଲିଫୋନ୍ ନମ୍ବର ସଂପୃକ୍ତ ସମସ୍ତଙ୍କୁ ଦିଆଯିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ବନ୍ୟା-ବାତ୍ୟା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଜନ ପ୍ରତିନିଧି, ଜିଲ୍ଲା ଓ  ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହିତ ବୈଠକ କରାଯାଉଛି। ଜଳ ସଂପଦ ବିଭାଗର  କର୍ତ୍ତୃପକ୍ଷମାନଙ୍କୁ  ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ  ଯୋଗାଯୋଗରେ ରହିବାକୁ କୁହାଯାଇଛି। ଜୁନ ୧ ତାରିଖରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସେଚସଦନସ୍ଥିତ  ବନ୍ୟା ନିୟନ୍ତ୍ରଣ କକ୍ଷ ୨୪  ଘଣ୍ଟିଆ କାର୍ଯ୍ୟ କରିବ।
ସେହିପରି ବନ୍ୟା-ବାତ୍ୟା ସମୟରେ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ରମ ହେବ ଓ ଏହାକୁ  ସହକାରୀ ମୁଖ୍ୟ ଯନ୍ତ୍ରୀ ଓ  ମୁଖ୍ୟ ଯନ୍ତ୍ରୀମାନେ  ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସଂପର୍କିତ  ବୁଲେଟିନ୍ ନିୟମିତ ପ୍ରଦାନ, ବନ୍ୟାଜଳ ଛାଡିବା ପୂର୍ବରୁ ସତର୍କ ସୂଚନା ସଂପୃକ୍ତ ସମସ୍ତଙ୍କୁ ଜଣାଇବା ସହ  ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟ ପକ୍ଷରେ ବନ୍ୟା ସମୟରେ ବିଭିନ୍ନ ନଦୀ ଜଳ ଭଣ୍ଡାରରୁ  ପ୍ରବେଶ  କରିବାକୁ ଥିବା ଜଳ ପରିମାଣ ଜାଣିବା ପାଇଁ ସଂପୃକ୍ତ ପଡୋଶୀ ରାଜ୍ୟର ଯନ୍ତ୍ରୀମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସଂପୃକ୍ତ  ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ କିପରି ବନ୍ୟା ସଂପର୍କରେ ପାଟ୍ରୋଲିଂ କରାଯାଏ, ସେ ସଂପର୍କରେ ଏବେଠୁ ପ୍ରଶିକ୍ଷଣ  ନେବାକୁ ଅତିରିକ୍ତ ମୁଖ୍ୟ  ଶାସନ ସଚିବ ପରାମର୍ଶ ଦେଇ  ସେମାନଙ୍କ ଠାରୁ ଶତ ପ୍ରତିଶତ ସେବା ଆଶା  କରିଛନ୍ତି।
ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ  ନକ୍ସାଙ୍କନ), ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଉଠା ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ, ମହାନଦୀ-କାଠଯୋଡି ଅବବାହିକା, ମୁଖ୍ୟ ଯନ୍ତ୍ରୀ, ଏଚ୍.ଏଚ୍ ଏବଂ ଜିଆଇଏସ, ସିଏମ ଭୁବନେଶ୍ୱର, ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ, ମୁଖ୍ୟଯନ୍ତ୍ରୀ ,ମନିଟରିଂ, ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Categories
ବିଶେଷ ଖବର

ନୂତନ ଜ୍ଞାନ କୌଶଳର ଉପଯୋଗ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ: ଜଳ ସଂପଦ ମନ୍ତ୍ରୀ

ଭୁବନେଶ୍ୱର: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ଋର୍କି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା (ଷ୍ଟେଟ୍‌ ସ୍ପେସିଫିକ୍‌ ଆକ୍ସନ ପ୍ଲାନ) ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏବଂ ଆଇ.ଆଇ.ଟି ଋର୍କିର ଜଳ ସଂପଦ ବିକାଶ ଓ ପରିଚାଳନା ବିଭାଗର ପ୍ରଫେସର ଆଶିଷ ପାଣ୍ଡେଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ  ହୋଇଥିଲା

ଏହି ଅବସରରେ ଯୋଗଦେଇ ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜଳ ସଂପଦର ବିକାଶ ଓ ଜଳ ସଂପଦର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଆମର ଲକ୍ଷ୍ୟ ରହିଛି। ଆମେ ବର୍ଷା ଦିନରେ ଭରପୁର ଜଳ ପାଉଥିବା  ବେଳେ  କିଛି ଦିନ ପରେ ଜଳାଭାବର ସମ୍ମୁଖୀନ ହେଉଛୁ। ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଉପଯୋଗ ହେବାକୁ ଥିବା  ନୂଆ ଜ୍ଞାନ କୌଶଳ ଆଗାମୀ ଦିନରେ ଆମ ରାଜ୍ୟରେ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ  ବୋଲି  ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ବ୍ୟକ୍ତ କରିଥିଲେ।

ଜାତୀୟ ଜଳ ମିଶନ ୨୦୧୫ର ଲକ୍ଷ୍ୟ ଅନୁସାରେ ପ୍ରତି ରାଜ୍ୟ ନିଜ ନିଜର ନଦୀ ଅବବାହିକା ଅଂଚଳରେ ସମନ୍ୱିତ ଜଳ ପରିଚାଳନା କରିବାର ଆବଶ୍ୟକତା ରହିଛି। ଜଳ ପରିଚାଳନା କ୍ଷେତ୍ରରେ  ପୋଷଣୀୟତା ଅବଲମ୍ବନ ଏହାର ଲକ୍ଷ୍ୟ। ଖାଦ୍ୟ ନିରାପତ୍ତା, ଶିଳ୍ପ, ବିଭିନ୍ନ ସ୍ଥାନରେ ଅନିୟମିତ ଓ ବିକ୍ଷିପ୍ତ ଭାବରେ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ମୁଣ୍ଡ ପିଛା ଜଳ ବ୍ୟବହାର ଓ ଆବଣ୍ଟନ ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଦେଶରେ ଜଳ ସଂପଦ  ଉପରେ  ଅଧିକ ଚାପ ରହୁଛି। ଆହୁରି ମଧ୍ୟ ଜଳ ସଂପଦର ବିକାଶ, ପରିଚାଳନା ଓ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି। ଏଣୁ ଭବିଷ୍ୟତରେ ଯେପରି ଜଳ ସଂକଟ ନଘଟେ, ଏହାକୁ ଦୃଷ୍ଟିରେ  ରଖି ରାଜ୍ୟଗୁଡିକ ଦ୍ୱାର ନିର୍ଦ୍ଦିଷ୍ଟ ଭାବେ ଦୀର୍ଘ ସୂତ୍ରୀ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି।

ଆଜି  ଆମ ରାଜ୍ୟ ପାଇଁ ସ୍ୱାକ୍ଷର ହୋଇଥିବା ଏହି ଆକ୍ସନ ପ୍ଲାନ ଆଇ.ଆଇ.ଟି, ଋର୍କି ତରଫରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ୯ ମାସ ମଧ୍ୟରେ ରାଜ୍ୟରେ ଜଳର ସ୍ଥିତି ଅନୁଧ୍ୟାନ କରାଯିବା ସହ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ୨ ୟ  ପର୍ଯ୍ୟାୟରେ ୬ ମାସ ମଧ୍ୟରେ ପ୍ରତି ସମସ୍ୟାର କି କି ସମସ୍ୟାର ସମାଧାନ ରହିଛି, ସେ ସଂପର୍କରେ ବିବରଣୀ ପ୍ରଦାନ କରାଯିବ। ୩ ୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ରାଜ୍ୟକୁ ଆକ୍ସନ ପ୍ଲାନ ପ୍ରସ୍ତୁତିର ଚୁଡାନ୍ତ ବିବରଣୀ ମିଳିବ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଯୋଗଦେଇ କହିଥିଲେ ଯେ, ଏହି ବୁଝାମଣାପତ୍ର ଆମର ଜଳ ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ। ଆମେ ଜଳବାୟୁ ସହନଶୀଳ  ଭତ୍ତିଭୂମି  ନିର୍ମାଣ ସହ କେନାଲ ଲାଇନିଂ, ସେଚାଞ୍ଚଳ ଉନ୍ନୟନ ଯୋଜନା ଆଦି ବିଭିନ୍ନ ବ୍ୟବସ୍ଥାରେ ଜଳ ପରିଚାଳନା କରୁଛୁ। ଏସବୁ ସତ୍ତ୍ୱେ ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦିର୍ଘମିଆଦି  ଯୋଜନା ପ୍ରସ୍ତୁତ କରି ତାହାକୁ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ) ଡଃ ଚନ୍ଦ୍ର ଶେଖର ପାଢ଼ୀ ଓ ଆଇ.ଆଇ.ଟି ଋର୍କି ତରଫରୁ ପ୍ରଫେସର ପାଣ୍ଡେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତି  ସଂପର୍କିତ ସବିଶେଷ ତଥ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଋର୍କିର ଗବେଷଣା ଓ ଶିଳ୍ପ  ପରାମର୍ଶଦାତା ଓ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ ଦ୍ୱିବେଦୀ, ସହକାରୀ ପ୍ରଫେସର ମୋହିତ୍‌ ପି.ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଯନ୍ତ୍ରୀ (ଯୋଜନା)ଇଂ ସାଗର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜଳ ସଂପଦ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ, ଯନ୍ତ୍ରୀ ଏବଂ ଆଇ.ଆଇ.ଟି ଋର୍କିର ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ କରାଯିବ ଜଳସେଚନ

ଭୁବନେଶ୍ୱର, ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ମାସିକ ସମୀକ୍ଷା ବୈଠକରେ ଯୋଗଦେଇ ପୁରୁଣା ମେଗାଲିଫ୍ଟ ପ୍ରକଳ୍ପର ସ୍ଥିତି ଓ ନୂତନ ମେଗା ଲିଫ୍ଟ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳ ଯୋଗାଣ କରୁଥିବା ନବନିର୍ମିତ ସୁନ୍ଦରଗଡ ଜିଲ୍ଲାର ବରଗାଁ ଏବଂ ଗଂଜାମ ଜିଲ୍ଲାର କଳିଙ୍ଗଡୋଳା ବୃହତ୍ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ମେଗା ଲିଫ୍‌ଟ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଲକ୍ଷ୍ୟ ରଖାଯାଇଛି ।

କେନ୍ଦୁଝର ଜିଲ୍ଲାରେ ୧୪ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଓମବାଡିସି ପାଣ୍ଠିରୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଆବଶ୍ୟକ ବୈଷୟିକ ଅନୁମୋଦନ ପରେ ସେସବୁକୁ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଇଂ. ବିଜୟ କୁମାର ମିଶ୍ର, ମୁଖ୍ୟ ଯନ୍ତ୍ରୀ(ମେଗା ଲିଫ୍ଟ) ଇଂ ଚିନ୍ମୟ ରାଉତ, ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବାହିତ ଜଳକୁ ସଂରକ୍ଷଣ ପାଇଁ ନଦୀ ଭିତରେ ନିର୍ମାଣ ହେବ ଜଳାଶୟ, ଆରମ୍ଭ ହେଲା ଟେଣ୍ଡର ପକ୍ରିୟା

ଭୁବନେଶ୍ୱର, ରାଜ୍ୟରେ ପ୍ରବାହିତ ବଡ ବଡ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିବା ନିମନ୍ତେ ନଦୀ ଭିତରେ କେତେକ ସ୍ଥାନରେ ବଡ ବଡ ଅନ୍ତଃ ନଦୀ ଜଳାଶୟ ( ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍‌ଚର) ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ରହିଛି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଜଳ ସଂପଦ ବିଭାଗ ତରଫରୁ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବୈଠକରେ ଅଧ୍ୟକ୍ଷତା କରି ଏହିସବୁ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂପର୍କରେ କାର୍ଯ୍ୟ ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୦୨୧- ୨୨ ଆର୍ଥିକ ବର୍ଷରେ ୩୦ଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ ରହିଥିବା ବେଳେ ତନ୍ମଧ୍ୟରୁ ୧୪ଟିର ନିର୍ମାଣ ସକାଶେ ଟେଣ୍ଡର ପାଇଁ ପ୍ରକ୍ରିୟା ଜାରି ରହିଛି ।

୪ଟି ପ୍ରକଳ୍ପର ନିର୍ମାଣ ପାଇଁ ଜଳ ବିଜ୍ଞାନ ସମ୍ବନ୍ଧୀୟ (ହାଇଡ୍ରୋଲୋଜିକାଲ) ଅନୁଧ୍ୟାନ ପୂର୍ବକ ଚଳିତ ଜୁନ୍ ୧୫ ଓ ଆଉ ୪ଟି ପାଇଁ ଜୁନ୍ ୩୦ ସୁଦ୍ଧା ନକ୍ସା ବା ଡିଜାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ବିଭିନ୍ନ ନଦୀରେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ (ଆକ୍ସିସ୍‌) ହେବ, ଏଥି ନିମନ୍ତେ ବିଭାଗୀୟ ସଂପୃକ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଚୂଡାନ୍ତ ବିବରଣୀ ଦେବେ ।

ସେହିଭଳି ଆଉ ୩ଟି ପ୍ରକଳ୍ପ ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବୈଷୟିକ ଟିମ୍ ସହିତ ଅନୁଧ୍ୟାନ କରି ଜୁନ୍ ୩୦ ସୁଦ୍ଧା ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଅଧିକ ଅନ୍ତଃନଦୀ ଜଳାଶୟ ନିର୍ମାଣ କରାଯିବାକୁ ଥିବାରୁ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଶେଷ କରିବା ପାଇଁ କାର୍ଯ୍ୟ ତଦାରଖ ଓ ସମନ୍ୱୟ ରଖାଯିବା ନିମନ୍ତେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସେଚ ସଦନ ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଯନ୍ତ୍ରୀ, ସଂଗ୍ରହଣ(ପ୍ରୋକ୍ୟୁରମେଣ୍ଟ) ଓ ରାଜୀବ ଭବନ ସ୍ଥିତ ଜଳସଂପଦ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ-୧ଙ୍କୁ ନୋଡାଲ ଅଧିକାରୀଭାବେ କାର୍ଯ୍ୟ କରିବା ନେଇ ନିଷ୍ପତି ନିଆଯାଇଛି ।

ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ନକ୍ସାଙ୍କନ ଇଂ. ଧୀରେନ୍ କୁମାର ସାମଲଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ

କନ୍ଦର୍ପ ବେହେରା
ରେଢାଖୋଲ: ଜଳ ସଂପଦ ବିଭାଗ ତରଫରୁ ନାକଟିଦେଉଳ ବ୍ଲକ୍‌ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।
ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର ଧଳପୁର ଠାରେ କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ଧଳପୁର କଟା ଟ୫୭ ଲକ୍ଷ, ୯୯ହଜାର,୭୬୦ ଟଙ୍କା, ଗିରିଶ୍ଚନ୍ଦ୍ରପୁର ମୁଖ୍ୟ କେନାଲ ର କଂକ୍ରିଟକରଣ ପାଇଁ ଟ ୪୮ ଲକ୍ଷ, ୯୩ ହଜାର, ୯୯୩ ଟଙ୍କା, ବାଟଗାଁ ଗ୍ରାମପଂଚାୟତର ଶଙ୍କରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତରଫରୁ କଟାର ଉନ୍ନତିକରଣ ପାଇଁ ୪୯ ଲକ୍ଷ, ୩୦ ହଜାର, ୫୦ଟଙ୍କା ଓ କେଉଟବେନୀ କଟାର ଉନ୍ନତି ପାଇଁ ୫୩ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପ କୁ ରେଢାଖୋଲ ବିଧାୟକ ତଥା ରାଜ୍ୟସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀ ଲୋକାର୍ପଣ କରିଥିଲେ।

ଏହି ଲୋକାର୍ପଣରେ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକ , ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ, ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।