Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଜାତୀୟ ଉପଭୋକ୍ତା ଦିବସ ପାଳନ, ଗ୍ରାହକ ସୁରକ୍ଷା ଉପରେ ଗୁରୁତ୍ବ

ଭୁବନେଶ୍ବର: ଆଜି ଜାତୀୟ ଉପଭୋକ୍ତା ଦିବସ ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ, ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଶ୍ରୀଯୁକ୍ତ ଜଷ୍ଟିସ ଡି. ପି. ଚୌଧୁରୀ, ପୂର୍ବତନ ସଭାପତି, ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ନିର୍ଦ୍ଦେଶକ, ଖାଉଟି କଲ୍ୟାଣ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଶ୍ରୀ ବେଜୋନ କୁମାର ମିଶ୍ର, ଖାଉଟି ପରାମର୍ଶଦାତା, ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସର ଅନୁଚିନ୍ତା ‘ଇ- ବାଣିଜ୍ୟ ଓ ଡିଜିଟାଲ ବ୍ୟବସାୟ ଯୁଗରେ ଖାଉଟି ସୁରକ୍ଷା’ ବାବଦରେ ସବିଶେଷ ଆଲୋକପାତ କରିବା ସହ ଉପଭୋକ୍ତା ଆନ୍ଦୋଳନକୁ ସୁଦୃଢ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲା ଉପଭୋକ୍ତା ଆୟୋଗମାନଙ୍କର ଉନ୍ନତି ପାଇଁ ସରକାର ଗ୍ରହଣ କରୁଥିବା ବିହିତ ପଦକ୍ଷେପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଗ୍ରାହକ ସଚେତନତା ନିମନ୍ତେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାହକଙ୍କ କ୍ରୟବିକ୍ରୟ ସମୟରେ ଉପୁଜୁଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାର ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପ୍ରତିଷ୍ଠା କରିଛନ୍ତି।

ମୁଖ୍ୟ ଅତିଥି ଶ୍ରୀ ଡି ପି ଚୌଧୁରୀ ଜାତୀୟ ଉପଭୋକ୍ତା ଦିବସ ପାଳନର ଆଭିମୁଖ୍ୟ ତଥା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କଲ୍ୟାଣମୂଳକ ଯୋଜନା ବାବଦରେ ସୂଚନା ପ୍ରଦାନ ସହ ଉପସ୍ଥିତ ଉପଭୋକ୍ତାଗଣଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ଯେପରି ରାଜ୍ୟରେ କେହି ଜଣେ ବି ଗ୍ରାହକଙ୍କ ଅଭିଯୋଗ ସମାଧାନ ନ ହୋଇ ନ ରହୁ।

ରାଜ୍ୟରେ କାର୍ଯ୍ୟ କରୁଥିବା ୩୨ ଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି, ଉପଭୋକ୍ତା ସେସବୁ ସୁବିଧାର ଲାଭ ଉଠେଇବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ବିଭାଗରେ ଇଂଟର୍ଣ୍ଣସିପ ଭାବେ କାର୍ଯ୍ୟ କରିଥିବା ଇଂଟର୍ଣ୍ଣମାନଙ୍କୁ ପାଞ୍ଚହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ବିଭାଗୀୟ ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଗୁଣନିଧି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ମଧୁସ୍ମିତା ଦାଶ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ଶେଷରେ ବିଭାଗ ଦ୍ୱାରା ଆୟୋଜିତ ଖାଉଟି ସଚେତନତା ଉପଯୋଗୀ ଏକ ନାଟକ ‘ଜାଣିଲେ ଜିଣିବା’ ପରିବେଷିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଉପଭୋକ୍ତା ଦିବସ ପାଳିତ

ଭୁବନେଶ୍ୱର : ଖାଉଟି ଆନ୍ଦୋଳନ ଯେତେ ବ୍ୟାପକ ହେବ ଓ ଖାଉଟି ସୁରକ୍ଷା ଆଇନ ଯେତେ ଅଧିକ କାର୍ଯ୍ୟକାରୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ ସେତେ ମଙ୍ଗଳକର । ଉପଭୋକ୍ତା ସଶକ୍ତିକରଣ ଏବଂ ଉପଭୋକ୍ତା ଅଧିକାରର ସାର୍ବଜନୀନତା ହିଁ ଆମ ସମୟର ସବୁଠୁ ବଡ ଆବଶ୍ୟକତା ।

ଏହାକୁ କାର୍ଯ୍ୟକାରୀ କରିବା ଓ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମତବ୍ୟକ୍ତ କରିଛନ୍ତି ।

ଆଜି ଜୟଦେବ ଭବନଠାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ-୨୦୨୨ର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ, ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପ୍ରତି ସରକାର ସର୍ବଦା ସଚେତନ ଏବଂ ପ୍ରୟାସରତ ।

ଏହି ଉତ୍ସବରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାଗ୍ରତ ଖାଉଟି ସମ୍ବନ୍ଧୀୟ ଏକ ନାଟକ ପରିବେଷିତ ହୋଇଥିଲା ।