Categories
ଆଜିର ଖବର ରାଜ୍ୟ ଖବର

ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିଜିୟୁରେ ଜାତୀୟ ଜନ ସମ୍ପର୍କ ଦିବସ ପାଳିତ

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍‌ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍‌ଏସ୍‌ଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ)ର ଛାତ୍ରଛାତ୍ରୀମାନଙ୍କ ସହ ଜାତୀୟ ଜନ ସମ୍ପର୍କ ଦିବସ ପାଳନ କରାଯାଇଛି। ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଆଂଚଳିକ ନିର୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ବିଜିୟୁର କୁଳପତି ପ୍ରଫେସର ପି ପି ମାଥୁର ଓ ରେଜିଷ୍ଟ୍ରାର ପ୍ରଫେସର ବି କେ ଦାସ ଚଳିତ ବର୍ଷ ଜାତୀୟ ଜନ ସମ୍ପର୍କ ଦିବସର ବିଷୟବସ୍ତୁ “ଜି୨୦ ଓ ଭାରତୀୟ ମୂଲ୍ୟବୋଧ: ଲୋକ ସମ୍ପର୍କ ଦୃଷ୍ଟିକୋଣ” ଉପରେ ସେମାନଙ୍କ ମତ ରଖିଥିଲେ। ବୈଠକରେ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ସଭାପତିତ୍ୱ କରିଥିଲେ।

ଛାତ୍ରଛାତ୍ରୀ ଓ ପିଆର୍ ପ୍ରଫେସନାଲ୍‌ମାନଙ୍କୁ ସମ୍ବୋଧିତ କରି ପ୍ରଫେସର ମୃଣାଳ ଚାଟାର୍ଜୀ କହିଥିଲେ ଯେ, “ଜନ ସମ୍ପର୍କର ମୂଳ ସିଦ୍ଧାନ୍ତ ଭାରତୀୟ ମୂଲ୍ୟବୋଧ ସହିତ ଯୋଡ଼ିହୋଇରହିଛି। ସହନଶୀଳତା, ସଂହତି, ନୈତିକତା ଓ ସେବା ଭଳି ଭାରତୀୟ ମୂଲ୍ୟବୋଧ ହେଉଛି ଜନ ସମ୍ପର୍କ ପେସାର ମୂଳ ଚରିତ୍ର।”

ଜଣେ ଭଲ ଜନ ସମ୍ପର୍କ ପେସାଦାର ହେବା ଲାଗି ଆବଶ୍ୟକ ଗୁଣ ସମେତ ଜନ ସମ୍ପର୍କ ପେସାର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀମାନେ ବରିଷ୍ଠ ପେସାଦାର ଓ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ସଦସ୍ୟଙ୍କ ସହ ଭାବ ବିନିମୟ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ପ୍ରଫେସର ମୃଣାଳ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ ଓ ଆଗାମୀ ଦିନରେ ଉନ୍ମୋଚନ ହେବାକୁ ଯାଉଥିବା ଜନ ସମ୍ପର୍କ ଉପରେ ଆଧାରିତ ଏକ ପୁସ୍ତକର ପ୍ରଚ୍ଛଦ ପୃଷ୍ଠାକୁ ଉନ୍ମୋଚନ କରାଯାଇଥିଲା।

ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟର ଉପାଧ୍ୟକ୍ଷ ସୁଧୀ ରଂଜନ ମିଶ୍ର ଏହି ଅବସରରେ ବକ୍ତବ୍ୟ ରଖିଥିବା ବେଳେ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।