Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ, ବୈଷୟିକ ଅଧିବେଶନକୁ ଉଦବୋଧନ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ସମାବେଶୀ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୧୧ ତାରିଖ ଦିନ ଭୁବନେଶ୍ୱରଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ (ଭାରତ)ର ୬୪ତମ ବୈଷୟିକ ଅଧିବେଶନକୁ ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆମ ଜାତୀୟ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଦିନଟି ଭାରତର ଉଲ୍ଲେଖନୀୟ ଯାତ୍ରାର ଗର୍ବର ସ୍ମରଣକାରୀ ଭାବେ ପରିଚିତ ହୋଇଛି। ଯାହା ସାହସ, ନବସୃଜନ ଏବଂ ଉତ୍କର୍ଷତାର ଏକ ନିରନ୍ତନର ପ୍ରୟାସ। ୧୯୯୮ ମସିହାର ଏହି ଦିନ, ୧୧ ମଇରେ ଭାରତ ରାଜସ୍ଥାନର ପୋଖରାଣରେ ଅପରେସନ ଶକ୍ତି ନାମରେ ସଫଳ ପରମାଣୁ ପରୀକ୍ଷଣ କରିଥିଲା। ଏହା ଭାରତକୁ ପରମାଣୁ-ସଶସ୍ତ୍ର ରାଷ୍ଟ୍ରଗୁଡ଼ିକର ଆଭିଜାତ୍ୟ ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରିଥିଲା। ଏହି ସଫଳତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏହି ଐତିହାସିକ ଘଟଣା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବରେ ପାଳନ କରାଯାଏ।

ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ କେବଳ ଆମର ବୈଜ୍ଞାନିକ ସଫଳତା ପ୍ରତି ସମ୍ମାନ ନୁହେଁ – ଏହା ସ୍ୱପ୍ନ ଦେଖିବା, ନବସୃଜନ, ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଏବଂ ନେତୃତ୍ୱ ନେବା ପାଇଁ ଆମର ସାମୂହିକ ଭାବନାର ପୁନନିର୍ମାଣ। ଆଜି ଯେତେବେଳେ ଆମେ ଏକ ପରିବର୍ତନଶୀଳ ଯୁଗର ଦ୍ୱାରଦେଶରେ ଛିଡା ହୋଇଛୁ, ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଆହୁରି ବଢ଼ି ଯାଇଛି । ଏହା ଏକ ନୂତନ ଭାରତର ଆକାଂକ୍ଷା ପଛରେ ପ୍ରେରଣାଦାୟକ ଶକ୍ତି ହୋଇ ରହିଛି। ଭାରତ ଏକ ନୂତନ ପୁନର୍ଜାଗରଣର ପାଶ୍ୱର୍ରେ ଠିଆ ହୋଇଛି।ଏପରି ଏକ ଯୁଗରେ ଯେଉଁଠାରେ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଜୀବନର ପ୍ରତ୍ୟେକ ଦିଗକୁ ପୁନଃ ଆକୃତି ଦେଉଛି, ନବସୃଜନ ଏବଂ ଗବେଷଣା ଆମ ବିକାଶ ଯାତ୍ରାର ମୂଳରେ ରହିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା ହେଉଛି ଆଶା, ପ୍ରଗତି ଏବଂ ସମ୍ଭାବନାର ଭାଷା । ଆମର ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟାବିତ୍ ଏବଂ ଉଦ୍ଭାବକମାନେ ଏହି ନୂତନ ଯୁଗର ସ୍ଥପତି । ଆଜି ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ – ଇଞ୍ଜିନିୟର, ପ୍ରଯୁକ୍ତିବିଦ୍ୟାବିତ୍‌ମାନେ ସୀମା ବାହାରକୁ ଯାଇ ସ୍ୱପ୍ନ ଦେଖିବା, ଉଦ୍ଦେଶ୍ୟ ସହିତ ନବସୃଜନ କରିବାକୁ ଏବଂ ସଚ୍ଚୋଟତାର ସହିତ ନେତୃତ୍ୱ ନେବାକୁ ଆହ୍ୱାନ କରୁଛି । ଆସନ୍ତୁ ଆମେ ଏପରି ଏକ ଭବିଷ୍ୟତର କଳ୍ପନା କରିବା ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ ନାଗରିକଙ୍କୁ ଉତ୍‌ଥାନ କରିବ, ଆମ ବିଶ୍ୱକୁ ସୁରକ୍ଷା ଦେବ ଏବଂ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଆମର ସଂକଳ୍ପକୁ ଦୃଢ କରିବ ।

ଏହି ମହାନ ପ୍ରୟାସରେ, ଦି ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ) ଦୀର୍ଘ ସମୟ ଧରି ଏକ ମଶାଲବାହକର ଭୂମିକା ନିଭାଉଛି । ଏହି ଅନୁଷ୍ଠାନ ସାରା ଦେଶରେ ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଏବଂ ବୃତିଗତ ଉତ୍କର୍ଷତାକୁ ଆଗକୁ ବଢାଇବାରେ ଅଗ୍ରଣୀ ରହିଛି ବୋଲି ରାଜ୍ୟପାଳ କହିଥିଲେ। ବୈଷୟିକ ଅଧିବେଶନ, ସେମିନାର, ଦକ୍ଷତା ବିକାଶ କାର୍ଯ୍ୟକଳାପ ଆୟୋଜନରେ କେନ୍ଦ୍ରର ପଦକ୍ଷେପଗୁଡ଼ିକ ନୂତନ ପିଢ଼ୀର ଇଂଜିନିୟମାନଙ୍କୁ ସଶକ୍ତ କରୁଛି ବୋଲି ରାଜ୍ୟପାଳ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶାର ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଦେଶ ଗଠନରେ ଇଂଜିନିୟରମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିବା ସହ ରାଜ୍ୟରେ ବୈଜ୍ଞାନିକ ଭିତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବତାରଣା କରିଥିଲେ।

ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଂଜିନିୟରସ୍‌ର ପ୍ରେସିଡେଂଟ୍ ଭି ବି ସିଂହ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଚେୟାରମ୍ୟାନ୍ ପ୍ରଫେସର ଡ. ସୁଧାଂଶୁ ଶେଖର ଦାସ ସ୍ୱାଗତଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଅନରାରୀ ସେକ୍ରେଟାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

Categories
ବିଶେଷ ଖବର

ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ ର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ମଇ ୨୦୨୩ ପୂର୍ବାହ୍ନ ୧୦.୩୦ ରେ ପ୍ରଗତି ମଇଦାନରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ମଇ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ୨୫ ତମ ବର୍ଷ ପାଳନ ଉତ୍ସବକୁ ମଧ୍ୟ ଦର୍ଶାଇବ।

ପ୍ରମୁଖ ବୈଜ୍ଞାନିକ ପ୍ରକଳ୍ପମାନ

ଏହି ମହତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ୫୮୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିବେ। ଦେଶର ବିଜ୍ଞାନ ପ୍ରତିଷ୍ଠାନଗୁଡିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦର୍ଶନ ସହିତ ଏହା ଜଡିତ।

ଯେଉଁ ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ସେଥି ମଧ୍ୟରେ ଲେଜର ହିଙ୍ଗୋଲି ସ୍ଥିତ ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ – ଇଣ୍ଡିଆ (ଏଲଆଇଜିଓ-ଇଣ୍ଡିଆ), ଓଡିଶାର ଜଟଣୀ ଠାରେ ଥିବା ହୋମି ଭାବା କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଏବଂ ମୁମ୍ବାଇର ଟାଟା ମେମୋରିଅ।ଲ୍ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ଆଦି ଅର୍ନ୍ତଭୁକ୍ତ।

ମହାରାଷ୍ଟ୍ରର ହିଙ୍ଗୋଲିରେ ବିକଶିତ ହେବାକୁ ଥିବା ଲିଗୋ-ଇଣ୍ଡିଆ ବିଶ୍ୱର ହାତଗଣତି ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ  ମଧ୍ୟରୁ ଅନ୍ୟତମ। ଏହା ୪ କିଲୋମିଟର ଦୈର୍ଘ୍ୟର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଇଣ୍ଟରଫେରୋମିଟର ଅଟେ ଯାହାକି କୃଷ୍ଣ ଗର୍ତ୍ତ ଏବଂ ନିଉଟ୍ରନ୍ ଷ୍ଟାର ପରି ବୃହତ ଜ୍ୟୋର୍ତିବିଜ୍ଞାନ ବସ୍ତୁର ମିଶ୍ରଣ ସମୟରେ ସୃଷ୍ଟି ହୋଇଥିବା ମାଧ୍ୟାକର୍ଷଣ ତରଙ୍ଗକୁ ଅନୁଭବ କରିବାରେ ସକ୍ଷମ। ଲିଗୋ-ଇଣ୍ଡିଆ ଯୁକ୍ତରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଏହିପରି ଦୁଇଟି ଅବଜରଭେଟୋରୀ ସହିତ ମିଳିତ ଭାବେ କାର୍ଯ୍ୟ କରିବ; ଗୋଟିଏ ୱାଶିଂଟନ୍‍ର ହାନଫୋର୍ଡ ଏବଂ ଅନ୍ୟଟି ଲୁସିଆନାର ଲିଭିଙ୍ଗଷ୍ଟନରେ ଅବସ୍ଥିତ।

ସେହିଭଳି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା ପ୍ରକଳ୍ପଗୁଡିକ ମଧ୍ୟରେ ମୁମ୍ବାଇ ଠାରେ ଫିଜନ୍ ମୋଲିବଡେନମ୍ -୯୯ ଉତ୍ପାଦନ ସୁବିଧା, ବିଶାଖାପାଟଣା ଠାରେ ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ ପ୍ଲାଣ୍ଟ, ନଭି ମୁମ୍ବାଇରେ ନ୍ୟାସନାଲ ହାଡ୍ରନ୍ ବିମ୍ ଥେରାପି ସୁବିଧା; ନଭି ମୁମ୍ବାଇରେ ରେଡିଓଲୋଜିକାଲ ରିସର୍ଚ୍ଚ ୟୁନିଟ୍‌,; ବିଶାଖାପାଟଣା ଠାରେ ଥିବା ହୋମି ଭାବା କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଏବଂ ନଭି ମୁମ୍ବାଇରେ ମହିଳା ଏବଂ ଶିଶୁ କର୍କଟ କର୍କଟ ଚିକିତ୍ସାଳୟର ସୌଧ।

ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ମୁଖ୍ୟତଃ ବିକଶିତ ଦେଶମାନଙ୍କରେ ଉତ୍ପାଦିତ ହୁଏ। ଏହି ସୁବିଧା ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ଉତ୍ପାଦନ ପାଇଁ ବିଶାଖାପାଟନମ୍ ସ୍ଥିତ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର କ୍ୟାମ୍ପସରେ ବିକାଶ କରାଯାଇଛି। ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏବଂ ସ୍ୱଦେଶୀ ସମ୍ବଳରୁ ବାହାର କରାଯାଇଥିବା ସ୍ୱଦେଶୀ ବିରଳ ମୃତ୍ତିକା ସାମଗ୍ରୀ ବ୍ୟବହାର କରି ଏହି ସୁବିଧା ପ୍ରତିଷ୍ଠା କରାଯାଇଛି। ଏହି ସୁବିଧା ସହିତ, ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ଉତ୍ପାଦନ କରିବାର କ୍ଷମତା ସହିତ ଭାରତ ବଛା ବଛା ଦେଶ ଗୋଷ୍ଠିରେ ସାମିଲ ହେବ।

ନଭି ମୁମ୍ବାଇ ଠାରେ ଟାଟା ମେମୋରିଅ।ଲ୍ ସେଣ୍ଟରର ନ୍ୟାସନାଲ୍ ହାଡ୍ରନ୍ ବିମ୍ ଥେରାପି ସୁବିଧା ହେଉଛି ଏକ ଅତ୍ୟାଧୁନିକ ସୁବିଧା ଯାହା ଆଖପାଖର ସାଧାରଣ ସଂରଚନାରେ ସର୍ବନିମ୍ନ ମାତ୍ରାରେ ଟ୍ୟୁମରରେ ବିକିରଣର ଅତି ସଠିକ୍ ବିତରଣ କରିଥାଏ। ଟାର୍ଗେଟ୍ ଟିସୁକୁ ଡୋଜର ସଠିକ୍ ବିତରଣ ବିକିରଣ ଚିକିତ୍ସାର ଶୀଘ୍ର ଏବଂ ବିଳମ୍ବିତ ପାଶ୍ୱର୍ ପ୍ରତିକ୍ରିୟାକୁ ହ୍ରାସ କରିଥାଏ।

ଫିଜନ୍ ମୋଲିବଡେନମ୍ -୯୯ ଉତ୍ପାଦନ ସୁବିଧା ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର ଟ୍ରମ୍ବେ କ୍ୟାମ୍ପସରେ ଅବସ୍ଥିତ। ମୋଲିବଡେନମ୍ -୯୯ ହେଉଛି ଟେକ୍ନେଟିୟମ୍ -୯୯ଏମ ର ଜନକ, ଯାହା କର୍କଟ, ହୃଦ୍ ରୋଗ ଇତ୍ୟାଦି ଶୀଘ୍ର ଚିହ୍ନଟ ପାଇଁ ୮୫% ରୁ ଅଧିକ ଇମେଜିଙ୍ଗ୍ ପଦ୍ଧତିରେ ବ୍ୟବହୃତ ହୁଏ। ଏହି ସୁବିଧା ବର୍ଷକୁ ପ୍ରାୟ ୯ ରୁ ୧୦ ଲକ୍ଷ ରୋଗୀଙ୍କର ସ୍କାନ୍‌କୁ ସକ୍ଷମ କରିବ ବୋଲି ଆଶା କରାଯାଉଛି।

ଅନେକଗୁଡିଏ କର୍କଟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଦେଶର ବିଭିନ୍ନ ଅଞ୍ଚଳରେ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସାର ବିକେନ୍ଦ୍ରୀକରଣ ଏବଂ ସେବା ବୃଦ୍ଧି କରିବ।

ଅଟଳ ଇନୋଭେସନ୍ ମିଶନ୍ ଏବଂ ଅନ୍ୟାନ୍ୟ ଉପାଦାନ

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ କୁ ପାଳନ କରୁଥିବା କାର୍ଯ୍ୟକ୍ରମ ଏବଂ ଉତ୍ସବରେ ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ) ଉପରେ ଏକ ବିଶେଷ ଫୋକସ୍‍ ରହିଛି। ଚଳିତ ବର୍ଷର ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ବିଷୟବସ୍ତୁକୁ ଆଲୋକପାତ କରି, ଏଆଇଏମ୍ ପାଭିଲିଅନ୍ ଏକାଧିକ ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିବ ଏବଂ ପରିଦର୍ଶକମାନଙ୍କୁ ଲାଇଭ୍ ଟିଙ୍କରିଂ ଅଧିବେଶନ ଦେଖିବା, ଟିଙ୍କରିଂ କାର୍ଯ୍ୟକଳାପରେ ସାମିଲ କରିବ, ଷ୍ଟାର୍ଟଅପ୍ ଦ୍ୱାରା ଉଲ୍ଲେଖନୀୟ ଉଦ୍ଭାବନ ଏବଂ ଉତ୍ପାଦର ସାକ୍ଷୀ ହେବା ପାଇଁ ଏକ ସୁଯୋଗ ପ୍ରଦାନ କରିବ।  ଏକାଧିକ ଜୋନ୍ ଯେପରିକି ଏଆର / ଭିଆର, ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ଡିଜିଯାତ୍ରା, ଟେକ୍ସଟାଇଲ୍‌, ଏବଂ ଲାଇଫ୍ ସାଇନ୍ସ ଇତ୍ୟାଦି ରହିବ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିକଟ ଅତୀତରେ ଭାରତରେ ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀକୁ ମଧ୍ୟ ଉଦ୍‍ଘାଟନ କରିବେ। ଏହି ଅବସରରେ ସେ ସ୍ମରଣୀୟ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ।

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ, ଯେଉଁମାନେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପାଇଁ କାର୍ଯ୍ୟ କରିଥିଲେ ଏବଂ ମଇ ୧୯୯୮ ରେ ପୋଖରାନ୍ ପରୀକ୍ଷଣର ସଫଳତାକୁ ସୁନିଶ୍ଚିତ କରିଥିଲେ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପ୍ରତିବର୍ଷ ମଇ ୧୧ ତାରିଖରେ ପାଳନ କରାଯାଏ। ଏହା ପ୍ରତିବର୍ଷ ଏକ ନୂତନ ଏବଂ ଭିନ୍ନ ବିଷୟବସ୍ତୁ ସହିତ ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି ” ସ୍କୁଲ ଟୁ ଷ୍ଟାର୍ଟଅପ୍‌- ଇଗ୍ନିଟିଙ୍ଗ୍‍ ୟଙ୍ଗ୍ ମାଇଣ୍ଡସ୍ ଟୁ ଇନୋଭେଟ”।