Categories
ଆଜିର ଖବର ଜାତୀୟ ଖବର

ଆଜି ୧୦,୦୦୦ରୁ ଅଧିକ ଏମ-ପ୍ୟାକ୍ସ, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ପୁସାସ୍ଥିତ ଆଇସିଏଆର କନଭେନସନ୍ ସେଣ୍ଟରରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ନବଗଠିତ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି (ଏମ୍-ପ୍ୟାକ୍ସ), ଦୁଗ୍ଧ ଓ ମତ୍ସ୍ୟ ସମିତିଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅମିତ ଶାହା ନବଗଠିତ ସମବାୟ ସମିତିଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର, ରୂପେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ମାଇକ୍ରୋ ଏଟିଏମ୍ ବଣ୍ଟନ କରିବେ। ଏହି ଆର୍ଥିକ ଉପକରଣଗୁଡ଼ିକ ପଞ୍ଚାୟତସ୍ତରରେ ସହଜରେ ଋଣ ସେବା ଉପଲବ୍ଧ କରାଇବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହାଦ୍ୱାରା ଗ୍ରାମୀଣ ଜନସାଧାରଣ ଯୋଜନାର ଲାଭ ଉଠାଇପାରିବେ ଏବଂ ଦେଶର ଅର୍ଥନୈତିକ ପ୍ରଗତିରେ ଅଂଶଗ୍ରହଣ କରିପାରିବେ । ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ପଞ୍ଚାୟତରେ ସମବାୟ ସମିତିମାନ ପ୍ରତିଷ୍ଠା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା ଦ୍ୱାରା ସ୍ଥାନୀୟ ସ୍ତରରେ ବିକାଶ ଏବଂ ଆତ୍ମନିର୍ଭରଶୀଳତାର ସୁଯୋଗ ଉପଲବ୍ଧ ହେବ । ନୂତନ ଏମ-ପ୍ୟାକ୍ସ ଗଠନ ଦ୍ୱାରା ଗ୍ରାମାଞ୍ଚଳରେ ସମବାୟ ସଂସ୍ଥାଗୁଡ଼ିକର ବିକାଶକୁ ପ୍ରୋତ୍ସାହନ ମିଳିବ । ନବଗଠିତ ବହୁମୁଖୀ ପ୍ୟାକ୍ସ ମଧ୍ୟରେ ଋଣ ଆବଣ୍ଟନ ସୋସାଇଟି, ଦୁଗ୍ଧ ସମବାୟ ସମିତି ଏବଂ ମତ୍ସ୍ୟ ସମବାୟ ସମିତି ଅନ୍ତର୍ଭୁକ୍ତ ।

ସମବାୟ ମନ୍ତ୍ରୀ ଅମିତ ଶାହା  ସମବାୟ ସମିତି ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟ, ବିଶେଷକରି ମହିଳା ନେତୃତ୍ୱାଧୀନ ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ନବଗଠିତ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି (ଏମ୍-ପ୍ୟାକ୍ସ)ଗୁଡ଼ିକ ଗ୍ରାମାଞ୍ଚଳରେ ଆତ୍ମନିର୍ଭରଶୀଳତା ଏବଂ ଅର୍ଥନୈତିକ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏହି ସୋସାଇଟିଗୁଡ଼ିକ କେବଳ ଆର୍ଥିକ ସେବା ପ୍ରଦାନ କରିବେ ନାହିଁ ବରଂ ଗ୍ରାମୀଣ ସମୁଦାୟମାନଙ୍କୁ ଏକାଠି ହେବା ଏବଂ ସହଯୋଗୀ ଭାବରେ କାର୍ଯ୍ୟ କରିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରିବ ।

ନିକଟରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ତାଙ୍କ ତ୍ରିପୁରା ଗସ୍ତ ସମୟରେ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳ ସମେତ ସମଗ୍ର ଦେଶରେ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଶ୍ରୀ ଶାହା ବିଶ୍ୱାସ କରନ୍ତି ଯେ ସମବାୟ କ୍ଷେତ୍ର ହେଉଛି ଭାରତୀୟ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଏବଂ ଏହା ଗ୍ରାମାଞ୍ଚଳର ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଗ୍ରାମୀଣ କୃଷି ଏବଂ କୁଟୀର ଶିଳ୍ପର ବିକାଶ, ନିଯୁକ୍ତି ସୃଷ୍ଟି ଏବଂ ମହିଳା ଏବଂ ସାମାଜିକ ସଶକ୍ତୀକରଣର ମୁଖ୍ୟ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଜୁଲାଇ ୨୦୨୧ରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଗଠନ କରାଯାଇଥିଲା, ଯାହା ସମବାୟ କ୍ଷେତ୍ରର ମୌଳିକ ଅନୁଷ୍ଠାନ ପ୍ରାଥମିକ କୃଷି ଋଣ ସୋସାଇଟି (ପ୍ୟାକ୍ସ)ର ପୁନରୁଦ୍ଧାର ପାଇଁ କରାଯାଇଛି । ଏଥିପାଇଁ ପ୍ୟାକ୍ସଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନୂଆ ମଡେଲ ନିୟମାବଳୀ ପ୍ରସ୍ତୁତ କରାଯାଇଛି ଓ ପ୍ୟାକ୍ସର କାର୍ଯ୍ୟକଳାପକୁ ଆହୁରି ବିସ୍ତାରିତ କରାଯାଇଛି, ଯାହାଦ୍ୱାରା ସେମାନେ ଲାଭଜନକ ଓ ସ୍ଥାୟୀ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ‘ସମବାୟରୁ ସମୃଦ୍ଧି’କୁ ସାକାର କରିବା ପାଇଁ ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ପଞ୍ଚାୟତରେ ଏକ ସମବାୟ ଅନୁଷ୍ଠାନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୨୪ ସେପ୍ଟେମ୍ବରରେ ବହୁମୁଖୀ ପ୍ୟାକ୍ସ ଗଠନ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା, ଯାହା ଦେଶରେ ସୃଷ୍ଟି ହେବାକୁ ଥିବା ଦୁଇ ଲକ୍ଷ ନୂତନ ବହୁମୁଖୀ ପ୍ୟାକ୍ସ ର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସହାୟକ ସାବ୍ୟସ୍ତ ହେବ। ବର୍ତ୍ତମାନ ସୁଦ୍ଧା ନବନିର୍ମିତ ୧୦,୪୯୬ଟି ବହୁମୁଖୀ ପ୍ୟାକ୍ସ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ମଧ୍ୟରୁ ୩୫୨୩ଟି ଏମ୍-ପ୍ୟାକ୍ସ ଓ ୬୨୮୮ଟି ଦୁଗ୍ଧ ସମବାୟ ସମିତି ପଞ୍ଜୀକୃତ ହୋଇଛି। ଏହାବ୍ୟତୀତ ୬୮୫ଟି ନୂଆ ମତ୍ସ୍ୟ ସମବାୟ ସମିତି ମଧ୍ୟ ପଞ୍ଜୀକୃତ ହୋଇଛି।

ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଏମ୍-ପ୍ୟାକ୍ସ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତିର ପ୍ରତିନିଧିଙ୍କ ସମେତ ପ୍ରାୟ ୧୨୦୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିବେ। ଏଥିରେ ଏମ୍-ପ୍ୟାକ୍ସର ୪୦୦ ପ୍ରତିନିଧି, ସମବାୟ ଦୁଗ୍ଧର ୭୦୦ ପ୍ରତିନିଧି ଏବଂ ମତ୍ସ୍ୟ ସମବାୟ ସମିତିର ୧୦୦ ପ୍ରତିନିଧି ଏବଂ ରାଜ୍ୟ ସରକାର, ସମବାୟ ମନ୍ତ୍ରଣାଳୟ ଏବଂ ବିଭିନ୍ନ ଆନୁଷଙ୍ଗିକ ସଂଗଠନର ଅଧିକାରୀ ରହିବେ। ଏହି ସମ୍ମିଳନୀରେ କୃଷକ ଏବଂ ଗ୍ରାମୀଣ ସମୁଦାୟର ଜୀବିକାକୁ ସ୍ଥାୟୀ କରିବା, ସେମାନଙ୍କୁ ଅତିରିକ୍ତ ଆୟର ଉତ୍ସ ପ୍ରଦାନ କରିବା ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବାର ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ।

Categories
ଆଜିର ଖବର ଜାତୀୟ ଖବର

ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ ଏବଂ ସୂଚନା ଦେବାକୁ ଗୁରୁତ୍ୱ ଦିଅ: ମୁଖ୍ୟ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ତିନି ଦିନିଆ ସମ୍ମିଳନୀ ୨୦୨୪ ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସମ୍ମିଳନୀର ବଡ଼ ଫାଇଦା ଏହାଯେ ଟିମ୍ ଇଣ୍ଡିଆ ଖୋଲା ମନରେ ଏକ ବିକଶିତ ଭାରତ ପାଇଁ ଏକାଠି ଆଲୋଚନା ଓ କାମ କରିବାକୁ ଆଗେଇ ଆସିଥିଲେ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ଜନ ସମର୍ଥନ ସକ୍ରିୟ ଉତ୍ତମ ପ୍ରଶାସନ (ପି୨ଜି୨) ଆମ କାମର ମୂଳଭିତ୍ତି, ଯଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ହାସଲ ହୋଇପାରିବ।

ସମ୍ମିଳନୀରେ ‘ଉଦ୍ୟମିତାକୁ ଗୁରୁତ୍ୱ,ନିଯୁକ୍ତି ଏବଂ କୌଶଳ-ଜନସାଂଖ୍ୟିକ ଲାଭାଂଶର ଲାଭ ଉଠାଇବା’ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶେଷ କରି ଟାୟର ୨/୩ ସହର ଗୁଡ଼ିକରେ ଷ୍ଟାର୍ଟଅପ୍‌ର ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ନବପ୍ରବର୍ତ୍ତନକୁ ପ୍ରୋତ୍ସାହିତ କରିବା ସହ ଷ୍ଟାର୍ଟଅପ୍ ପ୍ରତିଷ୍ଠା ସକାଶେ ଉପଯୁକ୍ତ ପରିବେଶ ସୃଷ୍ଟି ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ କହିଥିଲେ। ଛୋଟ ସହରରେ ଉଦ୍ୟୋଗ ପାଇଁ ସ୍ଥାନ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ସଂଯୋଗ କରି ପରିବହନ ସୁବିଧା ଉପଲବ୍ଧ କରାଇବାକୁ ସେ ଗୁରୁତ୍ୱ ଦେଇଥିଲେ।

ଅନେକ ସମୟରେ ନାଗରିକଙ୍କୁ ଉତ୍ପୀଡ଼ନ କରୁଥିବା ବ୍ୟବସ୍ଥାର ଅନୁପାଳନକୁ ସରଳ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ସେ ଅନୁରୋଧ କରିଥିଲେ, ରାଜ୍ୟ ଗୁଡ଼ିକ ପ୍ରଶାସନିକ ମଡେଲରେ ଏପରି ସୁଧାର ଆଣିବା ଉଚିତ, ଯେପରିକି ଜନ ଭାଗିଦାରୀରେ ଅଂଶ ଗ୍ରହଣ ସକାଶେ ଲୋକମାନେ ପ୍ରୋତ୍ସାହିତ ହେବେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ, ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ସୂଚନା ଦେବା ଆଦିକୁ ଗୁରୁତ୍ୱ ଦେବା ଜରୁରୀ।

ଚକ୍ରୀୟ ଅର୍ଥବ୍ୟବସ୍ଥା ବାବଦରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧନ କାର୍ଯ୍ୟକ୍ରମ ଏବେ ବୃହତ ଶକ୍ତି ସମ୍ବଳ ହୋଇଥିବା କହିଥିଲେ। ସେ ଉଲ୍ଲେଖ କରିଥିଲେ, ଏହି ପଦକ୍ଷେପ ବର୍ଜ୍ୟକୁ ସମ୍ପତ୍ତିରେ ପରିଣତ କରିଥିବା ବେଳେ ବୟସ୍କ ଗୋରୁଗାଈଙ୍କୁ ବୋଝ ପରିବର୍ତ୍ତେ ସମ୍ପଦରେ ରୂପାନ୍ତର କରିଛି।

ଇ-ବର୍ଜ୍ୟର ପୁନଃପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବହାର୍ଯ୍ୟତା ଗ୍ୟାପ୍ ଫଣ୍ଡିଙ୍ଗର ଅବଧାରଣା ଅନ୍ୱେଷଣ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ,  ସମାଜରେ ଡାଟା ଏବଂ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ଯୋଗୁ ଇ-ବର୍ଜ୍ୟ ମଧ୍ୟ ବଢ଼ିବ । ଇ-ବର୍ଜ୍ୟକୁ ଉପଯୋଗୀ ସମ୍ବଳରେ ରୂପାନ୍ତର କରିପାରିଲେ ଏଭଳି ଦ୍ରବ୍ୟର ଆମଦାନୀ ଉପରେ ମଧ୍ୟ ଆମର ନିର୍ଭରଶୀଳତା ହ୍ରାସ ପାଇବ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ, ଭାରତରେ ଫିଟ୍ ଇଣ୍ଡିଆ ଅଭିଯାନରେ ମୋଟାପ୍ପାକୁ ଏକ ଆହ୍ୱାନ ଭାବେ ବିବେଚନା କରାଯାଉ। ସେ କହିଥିଲେ କେବଳ ଏକ ଫିଟ୍ ଏବଂ ହେଲଦି ଇଣ୍ଡିଆ ବିକଶିତ ଭାରତ ହୋଇପାରିବ। ୨୦୨୫ ଶେଷ ସୁଦ୍ଧ ଭାରତ ଯକ୍ଷ୍ମାମୁକ୍ତ ହୋଇପାରିବ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟ ହାସଲ ଦିଗରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ପୁରୁଣା ପାଣ୍ଡୁଲିପି ଭାରତର ସମ୍ପତ୍ତି ଏବଂ ଟେକ୍ନୋଲୋଜି ସହାୟତାରେ ଏହାର ଡିଜିଟାଲୀକରଣ କରାଯିବା ଉଚିତ। ରାଜ୍ୟ ଗୁଡ଼ିକ ଏ ଦିଗରେପ ଦକ୍ଷେପ ନେବା ଆବଶ୍ୟକ। ପିଏମ ଗତିଶକ୍ତିକୁ ପ୍ରଶଂସା ଅବସରରେ ଏହା ଉତ୍ତମ ପ୍ରଶାସନର ଆଧାର ହୋଇଛି ବୋଲି ସେ କହିଥିଲେ। ନିୟମିତ ଏହାର ସମୀକ୍ଷା ହେବା ଉଚିତ ଏବଂ ପର୍ଯ୍ୟାବରଣୀୟ ପ୍ରଭାବର ସଙ୍କେତକ ହେବା ଆବଶ୍ୟକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଏହାର ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ମଧ୍ୟ ସେ କହିଥିଲେ।

ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ, ଏସବୁ ବ୍ଳକ ଓ ଜିଲ୍ଲା ଗୁଡ଼ିକରେ ସୁଦକ୍ଷ ଅଫସର ମୁତୟନ ହେଲେ ତଳସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ। ଏହା ମଧ୍ୟ ସାମାଜିକ-ଅର୍ଥନୈତିକ ଲାଭ ଦିଗକୁ ଅଗ୍ରସର କରାଇବ।

ସହର ଗୁଡ଼ିକର ବିକାଶ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ମାନବ ସମ୍ବଳର ବିକାଶ ଉପରେ ଜୋର୍ ଦେଇଥିଲେ, ଆର୍ଥିକ ଅଭିବୃଦ୍ଧିର କେନ୍ଦ୍ର ଭାବେ ସହର ଗୁଡ଼ିକର ବିକାଶ କରିବ। ବିଶେଷ କରି ସହରାଞ୍ଚଳର ପ୍ରଶାସନ, ଜଳ ଓ ପରିବେଶ ପରିଚାଳନା ଦିଗରେ ସ୍ୱତନ୍ତ୍ର ଭାବେ ଇନଷ୍ଟିଚ୍ୟୁଟଗୁଡ଼ିକର ବିକାଶ ପାଇଁ ସେ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳ ଗତିଶୀଳତା ବୃଦ୍ଧି ପାଉଥିବାରୁ ଯଥେଷ୍ଟ ସହରାଞ୍ଚଳ ଆବାସୀକରଣ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ନିର୍ମାଣ କ୍ଷେତ୍ର ଏବଂ ନୂତନ ଔଦ୍ୟୋଗିକ ହବ୍‌ରେ ଉତ୍ପାଦକତା ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରେରଣାର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କୁ ପ୍ରଧାନମନ୍ତ୍ରୀ ସାଲ୍ୟୁଟ କରିଥିଲେ। ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଏବଂ ଜଳିତ ବର୍ଷ ତାଙ୍କର ୧୫୦ତମ ଜନ୍ମ ବାର୍ଷିକୀ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ପରବର୍ତ୍ତୀ ଦୁଇ ବର୍ଷ ଏଥିପାଇଁ ଉତ୍ସବ ମନାଯିବା ଉଚିତ ଏବଂ ତାଙ୍କର ସ୍ୱପ୍ନର ଭାରତ ହାସଲ କରିବା ଦିଗରେ ଆମେ କାମ କରିବା ଆବଶ୍ୟକ।

ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଲୋକଙ୍କୁ ସକ୍ରିୟ ଭାଗୀଦାର କରିବା ପାଇଁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଉଦାହରଣ ଭାବେ ନେବାକୁ ସେ କହିଥିଲେ। ସ୍ୱାଧୀନତା ସଂଗ୍ରାମରେ ଯେଉଁପରି ସମସ୍ତ କ୍ଷେତ୍ରର ପୁରୁଷ, ମହିଳା ଏବଂ ପିଲାମାନେ ଭାଗ ନେଇଥିଲେ, ସେହିପରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଭିନ୍ନ ଭିନ୍ନ ପରିସ୍ଥିତି, ବିଚାରଗତ ବିଭେଦତା ସତ୍ତ୍ୱେ ସମସ୍ତ ଭାରତୀୟ କାମ କରିବା ଉଚିତ। ସେ ସମୟର ବୃହତ ଜନଆନ୍ଦୋଳନ ଭାବେ ପରିଚିତ ଦାଣ୍ଡିମାର୍ଚ୍ଚର ୨୫ ବର୍ଷ ପରେ ଭାରତ ସ୍ୱାଧୀନ ହୋଇଥିଲା  ବୋଲି ଉଲ୍ଳେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେହିପରି ଆମେ ଯଦି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପଣ କରିବା ତେବେ ନିଶ୍ଚିତ ଏହା ହାସଲ କରିପାରିବା।

ସମ୍ମିଳନୀରେ ହୋଇଥିବା ଆଲୋଚନା

ଉଦ୍ୟମିତାକୁ ପ୍ରୋତ୍ସାହନ, ଦକ୍ଷତା ବିକାଶକୁ ବଢ଼ାଇବା, ଭାରତକୁ ମଧ୍ୟମ ଆୟ ବର୍ଗରୁ ଉଚ୍ଚ ଆୟ ବର୍ଗ ଦେଶରେ ରୂପାନ୍ତରିତ କରିବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ପାଇଁ ସ୍ଥିର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଦି ପ୍ରସଙ୍ଗ ଉପରେ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚନା ହୋଇଥିଲା। ଏହିସବୁ ପଦକ୍ଷେପ ମହିଳା କୈନ୍ଦ୍ରିକ ବିକାଶକୁ ମୂଳଭିତ୍ତି କରି ଅର୍ଥନୀତିର ଡ୍ରାଇଭିଂ ହ୍ୱିଲ ଭାବେ ସାବ୍ୟସ୍ତ ହୋଇପାରିବ।

ଭାରତରେ ବିଶେଷ କରି ଛୋଟ ସହରଗୁଡ଼ିକରେ ସେବା କ୍ଷେତ୍ରରେ ଥିବା ସମ୍ଭାବନାକୁ ବ୍ୟବହାର ଦିଗରେ ବହୁମୁଖୀ ଆଭିମୁଖ୍ୟ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହା ମଧ୍ୟରେ ନୀତିଗତ ହସ୍ତକ୍ଷେପ, ଢାଞ୍ଚାଗତ ବିକାଶ, ଦକ୍ଷତା ବୃଦ୍ଧି ଏବଂ ବ୍ୟାବସାୟିକ ଅନୁକୂଳ ପରିବେଶ ସୃଷ୍ଟି ଆଦି ଅନ୍ତର୍ଭୁକ୍ତ। ଅଣସାଙ୍ଗଠନିକ କ୍ଷେତ୍ରର କୌଶଳୀ ଓ ଔପଚାରୀକରଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଗ୍ରାମାଞ୍ଚଳ ଅଣ-କୃଷି କ୍ଷେତ୍ର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯେପରିକି ସ୍ୱତନ୍ତ୍ର କୌଶଳ ବିକାଶ କୋର୍ସ ଦ୍ୱାରା ଗ୍ରାମାଞ୍ଚଳ ଉଦ୍ୟୋଗକୁ ପୋତ୍ସାହନ। ଏହା ମଧ୍ୟ ଅନୁଭବ ହୋଇଥିଲା ଯେ, ସ୍ୱତନ୍ତ୍ର ପଦକ୍ଷେପ ଦ୍ୱାରା ଅଣ-କୃଷି କ୍ଷେତ୍ରରେ ମହିଳା ଓ ଅବହେଳିତ ଗୋଷ୍ଠୀଙ୍କ ନିଯୁକ୍ତିକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ।

ପ୍ରଗତି ପ୍ଲାଟଫର୍ମ ପ୍ରସଙ୍ଗରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଯାହାର କି ଅନ୍ତିମ ଲକ୍ଷ୍ୟ ନିୟମିତ କଠୋର ସମୀକ୍ଷା ମାଧ୍ୟମରେ ବୁନିଆଦୀ ଢାଞ୍ଚା ପରିଯୋଜନାକୁ ଶେଷ କରିବା ଏବଂ ସୁବ୍ୟବସ୍ଥିତ ଭାବେ ପରିବର୍ତ୍ତନ ଆଣିବା।

ଫ୍ରଣ୍ଟିୟର ଟେକ୍ନୋଲୋଜି ବାବଦରେ ମଧ୍ୟ ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା, ଯାହାକି ବିଭିନ୍ନ କ୍ଷେତ୍ରର ଅଭିସରଣ ଏବଂ ବୈଶ୍ୱିକ ଆହ୍ୱାନର ସମାଧାନ ଦିଗରେ ସହାୟକ ହୋଇଥାଏ। ଏହା ମଧ୍ୟ ଭାରତକୁ ଏହି କ୍ଷେତ୍ରରେ ନେତୃତ୍ୱର ସୁଯୋଗ ଦେଇପାରିବ ଏବଂ ସମାବେଶୀ ଓ ସ୍ଥିର ବିକାଶ ଦେଇପାରିବ। କର୍ମଯୋଗୀ ଉପରେ ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏହା ଲକ୍ଷ୍ୟ କରାଯାଇଥିଲା କି, ଏହା ରାଜ୍ୟ ଗୁଡ଼ିକୁ ଦକ୍ଷତା ଗଠନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଶିକ୍ଷାର ଗଣତାନ୍ତ୍ରୀକରଣ ଓ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମ ଦିଗରେ ସହାୟତା କରିପାରିବ।

ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେପନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀଗଣ, ଡୋମେନ ଏକ୍ସପର୍ଟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜିଠୁ ଦୁଇଦିନ ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି। ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ।

ଗତ ତିନି ବର୍ଷ ଧରି ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଆସୁଛି। ଧର୍ମଶାଳାରେ ଜୁନ ୨୦୨୨ରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ପରେ ଜାନୁୟାରୀ ୨୦୨୩ ଓ ଡିସେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା।

୧୩ ଡିସେମ୍ବରରୁ ୧୫ ଡିସେମ୍ବର ଯାଏ ଆୟୋଜିତ ହେଉଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ନିତି ଆୟୋଗ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଓ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଏହି ଚତୁର୍ଥ ଜାତୀୟ ସମ୍ମିଳନୀ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଛଅଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ। ଏଗୁଡିକ ହେଲା ମାନୁଫାକଚରିଂ, ନିଯୁକ୍ତି, ଗ୍ରାମାଂଚଳ ଅଣଫାର୍ମ, ସହରାଂଚଳ, ନବୀକରଣଯୋଗ୍ୟ ଊର୍ଜା ଓ ଚଳନକ୍ଷମ ଅର୍ଥନୀତି। ଏହାଛଡା ଚାରିଟି ପ୍ରସଙ୍ଗ ଉପରେ ବି ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କୁହାଯାଇଛି। ଏଗୁଡିକ ହେଲା ବିକଶିତ ଭାରତ ଲାଗି ଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବୃଦ୍ଧି। କୃଷିରେ ଆତ୍ମନିର୍ଭରଶୀଳତା, ବୟସ୍କଙ୍କ ଲାଗି ସହାୟକ ଅର୍ଥନୀତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ଭାରତୀୟ ଜ୍ଞାନ ପରମ୍ପରା ପରି ପ୍ରସଙ୍ଗ ଉପରେ ଅଧିବେଶନ ବି ବସିବ।

ଏସବୁ ପ୍ରସଙ୍ଗ ଉପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶକୁ ଉପସ୍ଥାପିତ କରାଯିବ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବରିଷ୍ଠ ପଦାଧିକାରୀ ଓ ଏକାଧିକ ବିଶେଷଜ୍ଞ ଉପସ୍ଥିତ ରହିବେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜଳବାୟୁ ପରିବର୍ତ୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ ନିମନ୍ତେ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବେ।

‘କ୍ଲାଇମେଟ ଚେଞ୍ଜ: ପ୍ରସ୍‌ପେକ୍ଟସ୍ ଆଣ୍ଡ ଚ୍ୟାଲେଞ୍ଜେସ୍‌’ ଶୀର୍ଷକ ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀ ସୋଆ ଏବଂ ସାମାଜିକ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତନ ଏବଂ ଭବିଷ୍ୟତରେ ଏହାକୁ ନେଇ ଯେଉଁ ସମସ୍ୟା ସୃ୍‌ଷ୍ଟି ହେବାକୁ ଯାଉଛି ସେ ବିଷୟରେ ଆଲୋଚନା କରାଯିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ଏଭର ଗ୍ରୀନ୍ ଫୋରମ୍‌ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ଯେ ଏହି ସମ୍ମିଳନୀରେ ବିଜ୍ଞାନ ଓ ଜଳବାୟୁ, ପରିବେଶ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ, ଖାଦ୍ୟ ସୁରକ୍ଷା, ଜଳ ସମ୍ପଦ, ଶକ୍ତି ଓ ଏହାର ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ଆଲୋଚନା କରାଯିବ।

ଏହି ସମ୍ମିଳନୀରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି, ପୁନେର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍‌, ଇନ୍‌ଟରନ୍ୟାସ୍‌ନାଲ୍ ସୋସାଇଟି ଫର୍ ଏଗ୍ରିକଲ୍‌ଚରାଲ୍ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ମିଜୋରାମ୍‌ର ମୁଖ୍ୟ ବନ୍ୟ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ, ସୋଆର ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ଡିଷ୍ଟିଙ୍ଗଉଇସଡ ପ୍ରଫେସର ଡକ୍ଟର ଉମା ଚରଣ ମହାନ୍ତି, ବାରଣାସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜିଓ ଫିଜିକ୍ସର ପ୍ରଫେସର ରାଜୀବ ଭାଟିଆ, ସିସିଏସ୍‌ଏର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ଭିଜିଟିଂ ପ୍ରଫେସର ଡକ୍ଟର ନିହାର ରଞ୍ଜନ ଦାସ, ଆଇସିଏଆର୍ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏବଂ ମେରାଇନ୍ ଡିଭିଜନ୍‌, ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ଷ୍ଟେଟ୍ ଲିଡ ୍‌- ଓଡ଼ିଶା ଶ୍ରୀମତି ସାଧ୍ୱୀ ସିନ୍ଦୁରା ନିଜର ବକ୍ତବ୍ୟ ରଖିବେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି।

ସୋଆର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି। ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି।

ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅଭିନବ ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଉପରେ ଆଲୋଚନା କରାଯିବ ବୋଲି ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି। ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଛନ୍ତି।

ପ୍ରଫେସର ଥାଟ୍ଟୋଇ କହିଛନ୍ତି ଯେ ମେରାଇନ୍ ବାୟୋଟେକ୍ନୋଲଜି ଦ୍ୱାରା ସାମୁଦ୍ରିକ ସଂପଦର ଅଶେଷ ସମ୍ଭାବନାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା ସହ ଜୈବପ୍ରଯୁକ୍ତିରେ ଶୈକ୍ଷିକ ଗବେଷଣା ଓ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ। ଶିଳ୍ପ ପ୍ରୟୋଗ ପାଇଁ ଜୈବିକ ପ୍ରକିୟା ଗୁଡିକୁ ବ୍ୟବହାର କରିବା ଦ୍ୱାରା ଏହି କ୍ଷେତ୍ର ଗୁଡିକରେ ପାରମ୍ପରିକ ପଦ୍ଧତିର ସ୍ଥାୟୀ ବିକଳ୍ପ ସୃଷ୍ଟି ହେବ।

୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି।
ବର୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ପେଡିଆଟ୍ରିକ୍ ର‌୍ୟୁମାଟୋଲୋଜିକୁ ନେଇ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗତ ଅକ୍ଟୋବର ୨୭ ତାରିଖ ଦିନ ଆୟୋଜିତ ପେଡିଆଟ୍ରିକ ର‌୍ୟୁମାଟୋଲୋଜି ଉପରେ ୩-ଦିନିଆ ୨୨ତମ ଜାତୀୟ ସମ୍ମିଳନୀ (ଏନ୍‌ସିପିଆର୍‌-୨୦୨୪) ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ସାରା ଦେଶରୁ ପ୍ରାୟ ୩୦୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଶିଶୁମାନଙ୍କ କ୍ଷେତ୍ରରେ ର‌୍ୟୁମାଟୋଲୋଜି ଏବଂ ଇମ୍ୟୁନୋଲୋଜିକୁ ନେଇ ଉପୁଜୁଥିବା ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହିଁ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମ୍ମିଳନୀରେ ଜର୍ମାନୀର ଦୁଇ ଜଣ ବିଶେଷଜ୍ଞ ଡାକ୍ତର ଡିର୍କ ଫୋଏଲ୍ ଏବଂ ଡାକ୍ତର ଏନ୍‌. ଧନ୍ୟଲକ୍ଷ୍ମୀ ଯୋଗ ଦେଇ ଅଟୋ ଇନ୍‌ଫ୍ଲାମେଟୋରୀ ରୋଗ ଓ ଜେନେଟିକ୍ସ ସମ୍ପର୍କରେ ସେମାନଙ୍କର ଅନୁଭୂତି ବଖାଣିଥିଲେ।

ମଧୁମେହ ରୋଗ ବିଶେଷଞ୍ଜ ଡାକ୍ତର ସ୍ୱୟଂସିଦ୍ଧ ମଙ୍ଗରାଜ ଏବଂ ଡାକ୍ତର ମନୋରଞ୍ଜନ ତ୍ରିପାଠୀ ପେଡିଆଟ୍ରିକ୍ ଅଷ୍ଟୋପୋରୋସିସ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତା ଦେବୀ ମହାନ୍ତି ଏବଂ ପାଠ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ ଦାଶ ଯୋଗ ଦେଇଥିଲେ।
ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ପେଡିଆଟ୍ରିକ୍ ର‌୍ୟୁମାଟୋଲୋଜି ଏବଂ ଇମ୍ୟୁନୋଲୋଜି ସମ୍ପର୍କିତ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରିଥିବା ବେଳେ ସମ୍ମିଳନୀରେ ପୋଷ୍ଟ ଗ୍ରାଜୁଏଟ୍ ଏବଂ ସୁପରସ୍ପେଶିଆଲିଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସମ୍ମିଳନୀକୁ ପ୍ରଫେସର (ଡାକ୍ତର) ପ୍ରଶାନ୍ତ କୁମାର ସାବତ, ପ୍ରଫେସର (ଡାକ୍ତର) ବିକ୍ରାନ୍ତ କୁମାର ପୃଷ୍ଟି, ଆସୋସିଏଟ୍ ପ୍ରଫେସର ଡାକ୍ତର ବ୍ରଜକିଶୋର ବେହେରା, ଡାକ୍ତର ବିଭୁଦତ ଦାଶ ଏବଂ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ନିତୀଶ ଜେନା, ଡାକ୍ତର ଚନ୍ଦ୍ରଶେଖର ପାତ୍ର, ଡାକ୍ତର ଅବିନାଶ ନାୟକ, ଡାକ୍ତର ଶୁଭଜିତ ଏବଂ ଡାକ୍ତର ସିଦ୍ଧାନ୍ତ ସ୍ୱରୂପ ପରିଚାଳନା କରିଥିବା ବେଳେ ପେଡିଆଟ୍ରିକ୍ ର‌୍ୟୁମାଟୋଲୋଜିଷ୍ଟ ଡାକ୍ତର ଦେବାଶିଷ ପାତ୍ରୋ କାର୍ଯ୍ୟକ୍ରମର ଆୟୋଜକ ସମ୍ପାଦକ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର ଭୂମିକା’।

ଏହି ଜାତୀୟ ସମ୍ମିଳନୀରେ ସିୱାଇଏସଡିଉର ମୁଖ୍ୟ ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଖାଦ୍ୟ ନିରାପତା କ୍ଷେତ୍ରରେ ଉପୁଜିଥିବା ଆହ୍ୱାନ ବିଷୟରେ ମତ ରଖିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ୨୯ ପ୍ରତିଶତ ୫ ବର୍ଷରୁ କମ ବୟସର ଶିଶୁ ଖାଦ୍ୟାଭାବ ଜନିତ ଦୁର୍ବଳତାର ଶିକାର ହେଉଛନ୍ତି। ଆଦିବାସୀ ଅଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି।

ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିବା ଶ୍ରୀ ଜଗଦାନନ୍ଦ କହିଥିଲେ ଯେ ଏହାର ପ୍ରତିକାର ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ।

ସେ କହିଥିଲେ ଯେ ଓଡ଼ିଶାରେ ମାତ୍ର ୩୦ ଭାଗ ଚାଷଜମିରେ ଜଳସେଚନ ସୁବିଧା ଥିବା ବେଳେ ବାକି ଜମି ବର୍ଷା ଉପରେ ନିର୍ଭରଶୀଳ। କୃଷି କ୍ଷେତ୍ରରେ ଏଥି ନିମନ୍ତେ ସମସ୍ୟା ଉପୁଜୁଛି। ତେଣୁ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ସତ୍ୱେ କୃଷି ଉତ୍ପାଦନ କିପରି ପ୍ରଭାବିତ ହେବ ନାହିଁ ସେଥି ନିମନ୍ତେ ଗବେଷଣା ଜରୁରୀ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଓ ଏହାର ଆଭିମୁଖ୍ୟ ଦିଗନ୍ତ ବିସ୍ତାରି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇସିଏଆର ପରିଚାଳିତ ସେଂଟ୍ରାଲ ହର୍ଟିକଲ୍‌ଚରାଲ୍ ଏକ୍ସପେରିମେଂଟ ଷ୍ଟେସନ୍‌ର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଖାଦ୍ୟ ନିରାପତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନିକଟରେ ପ୍ରକାଶ ପାଇଥିବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ତାଲିକାରେ ୧୨୭ ଟି ଦେଶ ମଧ୍ୟରେ ଭାରତ ୧୦୫ ତମ ସ୍ଥାନରେ ରହିବା ଚିନ୍ତାଜନକ। ଭାରତର ପ୍ରତିବେଶୀ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଏହି ପରିପ୍ରେକ୍ଷୀରେ ଉତମ ସ୍ଥାନରେ ଅଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଓଡ଼ିଶାରେ ନ ଅଙ୍କ ଦୁର୍ଭିକ୍ଷଠାରୁ ଆଜି ଯାଏଁ କୃଷି ଭିତିକ ଜ୍ଞାନ କୌଶଳର ନାଟକୀୟ ମୋଡ ଓ ପରିବର୍ତନ ବିଷୟରେ ଆଲୋକପାତ କରିବା ସହ ଏହି ସମ୍ମିଳନୀ ଅନେକ ଛାତ୍ର ଗବେଷକଙ୍କୁ ପ୍ରଭାବିତ କରିବ ବୋଲି କହିଥିଲେ।

ଆଏଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଆବାହକ ପ୍ରଫେସର ବିବୁଧ ପରାଶର ସ୍ୱାଗତ ଭାଷଣ ଦେବା ସହ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସମ୍ମିଳନୀର ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା।

ଉଦ୍‌ଘାଟନ ଉତ୍ସବ ପରେ ସମ୍ମିଳନୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ପ୍ରଫେସର ସର୍ବନାରାୟଣ ମିଶ୍ର ଡ. ଦେବାଶିଷ ମହାନ୍ତି, ଡ. ଜି.ଏ.କେ. କୁମାର, ଶ୍ରୀ ଏସ୍‌.କେ ମୁଶାରଫ ହୁସେନ୍ ପ୍ରମୁଖ ବକ୍ତା ଭାବ ଯୋଗ ଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ମଂଚ ସଂଯୋଜନା କରିଥିଲେ। ଏଥିରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ (cornea) ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ରୂପେ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ ଆମେ ଜୀବନ ଦାନ ଦେଇପାରିବା ସେହିପରି ଚକ୍ଷୁଦାନ କରି ଆମେ ଜଣେ ବ୍ୟକ୍ତିକୁ ନିଜ ଆଖିରେ ଦୁନିଆ ଦେଖେଇପାରିବା। ଅନୁରୂପଭାବେ, ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ।

ଭାରତରେ ବାସ କରୁଥିବା ଜନସଂଖ୍ୟାର ୧% ଦୃଷ୍ଟିହୀନ ଥିବାବେଳେ ଚକ୍ଷୁ ଦାନ ଓ ପ୍ରତିରୋପଣ ଦ୍ଵାରା ଆମେ ପରସ୍ପରକୁ ସାହାଯ୍ୟ କରିପାରିବା ଓ ସେମାନଙ୍କୁ ନିଜ ଆଖିରେ ଦୁନିଆ ଦେଖେଇ ପାରିବା। ଜୀବନରେ ଏହାଠାରୁ ବଡ ଉପଲବ୍ଧି ଆଉ କିଛି ହେଇ ନ ପାରେ।

ଓଡ଼ିଶାରେ ‘ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ୍’ ୨୦୦୭ ମସିହାରେ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଖୋଲାଯାଇଥିଲା। ଯାହା ଆଜି ଦେଶର ପ୍ରମୁଖ ୧୦ ଚକ୍ଷୁ ବ୍ୟାଙ୍କ୍ ଭିତରେ ସ୍ଥାନିତ ହୋଇପାରିଛି ଏବଂ ବର୍ଷକୁ ୧୫୦୦ରୁ ଉର୍ଦ୍ଧ୍ବ ଦାନ ଚକ୍ଷୁକୁ ସଂଗୃହିତ କରୁଛି । ଓଡ଼ିଶା ସରକାର ମଧ୍ୟ ଏହି ମହନୀୟ ପ୍ରୟାସକୁ ସହଯୋଗ କରି ସବୁ ଜିଲ୍ଲାସ୍ତରୀୟ ମେଡ଼ିକାଲ ଗୁଡ଼ିକରେ ଚକ୍ଷୁ ଦାନ ପାଇଁ ସହଜ ଓ ସରଳ ପ୍ରାବଧାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଚକ୍ଷୁ ଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ଅଂଶୀଦାର ହେବା ପାଇଁ ଆହ୍ବାନ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚକ୍ଷୁ ବ୍ୟାଙ୍କ ଆସୋସିଏସନର ସଚିବ ଡ଼ ସୁଜାତା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ଼ ନମ୍ରତା ଶର୍ମା, ସଭାପତି ଡ଼ ପରିହାର, ଡ଼ ସୁବଳ କିଶୋର କର, ଡ଼ ପ୍ରଶାନ୍ତ ଗର୍ଗ, ନଳିନୀ ଶର୍ମା ପ୍ରମୁଖ ଉଦବୋଧନ ଦେଇଥିଲେ। ଡ଼ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ, କିନ୍ତୁ ନୀରବରେ ସହିଯାଏ କଷ୍ଟ

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି। ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି, ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି। ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି।

କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି। ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି।

ଘରେ ରଖୁଥିବା ପୋଷା କୁକୁରଟି ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ନ ପାରେ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ନ ଶୁଣେ ତେବେ ମାଲିକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ସେ କହିଛନ୍ତି।

କୁକୁରଟିର ହୃଦ୍ ସମସ୍ୟା ଅଛି ବୋଲି ଜାଣିବା କଷ୍ଟକର ହୋଇଥିବାରୁ ତା’ର ନିୟମିତ ହୃଦ୍ ସମ୍ପର୍କିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍। ନୂତନ ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ବାର୍ତ୍ତମାନ କୁକୁରମାନଙ୍କର ଶରୀରରେ ପେସମେକର ମଧ୍ୟ ଲଗା ଯାଇପାରୁଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୱାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି। ଗୃହକର୍ତାମାନେ ମଧ୍ୟ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ବୁଝିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସମ୍ମିଳନୀକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ କୁକୁରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପଲେକ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ପଞ୍ଜାବ, ସିକିମ, ଉତରପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ଚାରିଟି ଟେକ୍ନିକାଲ୍ ସେସନ୍‌ରେ ସମୁଦାୟ ୨୦ଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ଏହି ସମ୍ମିଳନୀକୁ ଆଇଭିଏସ୍‌ଏଏଚ୍ ପକ୍ଷରୁ ଡାକ୍ତର ସାଲିବାହାନ୍ ଚକ୍ରବର୍ତୀ, ପ୍ରଫେସର ବାନାମ୍ବର ଦାଶ, ପ୍ରଫେସର ରାଧାମୋହନ ନରେନ୍ଦ୍ର, ପ୍ରଫେସର ଧନଞ୍ଜୟ ଦାସ, ଆସିଷ୍ଟାଂଟ ପ୍ରଫେସର ବଳରାମ ସାହୁ, ଦେବେନ୍ଦ୍ର ବିଶ୍ୱାଳ, ବିକାଶ ଦାସ, ଆନାଲିସା ଦେବବର୍ମା ଓ ପ୍ରଜ୍ଞା ମହାପାତ୍ର ପରିଚାଳନା କରୁଛନ୍ତି।

Categories
ବିଶେଷ ଖବର

ଆଜି ଆୟୋଜିତ ହେବ ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

ଭୁବନେଶ୍ଵର: ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆସନ୍ତା ୫ ତାରିଖରେ ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଯୋଗ ଦେବାକୁ ଥିବା ପ୍ରତିଭାଗୀମାନେ ଉଚ୍ଚସ୍ତରର ଉତ୍ପାଦକତା, ସବୁଜ ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ହାସଲ ନିମନ୍ତେ ନବସୃଜନକୁ ପ୍ରୋତ୍ସାହିତ କରିବା ଲାଗି ‘‘ନବମନ୍ତ୍ର’’ର ପ୍ରଭାବୀ କାର୍ଯ୍ୟକାରିତାକୁ ନେଇ ବିଚାରବିମର୍ଶ କରିବେ।

ଜାପାନର ଟୋକିଓ ସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌ ଉଦ୍ୟୋଗ ସହଯୋଗୀ ରହିଛି। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥି ଏବଂ ପ୍ରସିଦ୍ଧ ବକ୍ତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ବକ୍ତାମାନେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଅନୁଭୂତି ବ୍ୟକ୍ତ କରିବେ। ଉତ୍ପାଦକତାର ସାମାଜିକ, ଆର୍ଥିକ ଓ ଶିଳ୍ପଗତ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇ ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

ନେସନାଲ ସେଣ୍ଟର୍‌ ଫର ଗୁଡ୍‌ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଭରତ ଲାଲଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କ ସମୂହ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ଉତ୍ପାଦକତାରେ ପ୍ରଶାସନର ଭୂମିକା ଏବଂ ଆର୍ଥିକ ବିକାଶ ଉପରେ ଆଲୋକପାତ କରିବେ। ଏନପିସିର ମହାନିର୍ଦ୍ଦେଶକ ସନ୍ଦୀପ କୁମାର ନାୟକ, ଅବସରପ୍ରାପ୍ତ ଆଇଏଏସ ତଥା ଆଇପିଏଲ୍‌ ସେଣ୍ଟର ଫର୍‌ ଆଉଟ୍‌ରିଚ୍‌ର ନିର୍ଦ୍ଦେଶକ ଡକ୍ଟର ରାଜୀବ ରଞ୍ଜନ ଏଥିରେ ଅଂଶଗ୍ରହଣ କରି ସବୁଜ ଉତ୍ପାଦକତା, ଦୀର୍ଘସ୍ଥାୟିତ୍ୱ ଏବଂ ସବୁଜ ବିକାଶ ଉପରେ ବିଚାର ଆଲୋଚନା କରିବେ।

ସମ୍ମିଳନୀ ଅବସରରେ ‘‘ଦୀର୍ଘସ୍ଥାୟୀ ଅଭ୍ୟାସ’’ ଉପରେ ବୈଷୟିକ ଅଧିବେଶନ ଏବଂ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହେବ। ଦୀର୍ଘସ୍ଥାୟୀ ବିକାଶ ପ୍ରୟାସ, ଆର୍ଥିକ ବିକାଶ ରଣନୀତି, ନିଯୁକ୍ତି ସୃଷ୍ଟି, ସାମାଜିକ ସମାବେଶିତା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯିବ। ଏହାବ୍ୟତୀତ ‘‘ଉଚ୍ଚ ଉତ୍ପାଦକତାର ବାହକ ଏବଂ ବାଧକ’’ ଉପରେ ପାନେଲ ଆଲୋଚନା କରାଯାଇ ସମସ୍ୟା ଦୂର କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ରଣନୀତି ଚୂଡ଼ାନ୍ତ କରାଯିବ।

ଉଦଯାପନୀ ଅଧିବେଶନରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଶିଷ୍ଟ ବକ୍ତମାନେ ଯୋଗ ଦେବେ। ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏହି ସମ୍ମିଳନୀ ପେସାଦାର, ନୀତି ନିର୍ମାତା, ଶିଳ୍ପ ବିଶେଷଜ୍ଞ ଏବଂ ଗୋଷ୍ଠୀ ନେତୃବର୍ଗଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ନେଟୱର୍କିଂ ଏବଂ ସହଭାଗିତା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେବ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ ଅନ୍ତର୍ଗତ ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ନବମନ୍ତ୍ର ଆଭିମୁଖ୍ୟର ଶୁଭାରମ୍ଭ କରାଯାଇଛି। ପାଞ୍ଚଟି ବିଷୟବସ୍ତୁ କ୍ଷେତ୍ର ଏବଂ ଚାରିଟି ଭୌଗଳିକ କ୍ଷେତ୍ରକୁ ମିଶାଇ ସ୍ୱାବଲମ୍ବୀ ଭାରତ ପାଇଁ ନଅଟି ଲକ୍ଷ୍ୟ ଆଧାରିତ ଦୃଷ୍ଟିକୋଣକୁ ‘‘ନବମନ୍ତ୍ର’’ କୁହାଯାଉଛି। ବିଷୟବସ୍ତୁ କ୍ଷେତ୍ରଗୁଡ଼ିକ ହେଲା, ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, କୃଷି ଓ ସମବାୟ ଏବଂ ଉଦ୍ୟୋଗ ସହଭାଗିତା। ଦେଶରେ ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ଲାଗି ୨୮ଟି ସ୍ଥାନୀୟ ଉତ୍ପାଦକତା ପରିଷଦ ସହିତ ମିଶି ଏନପିସି ଲକ୍ଷ୍ୟ ଆଧାରିତ କାର୍ଯ୍ୟ ଜାରି ରହିଛି।

Categories
ବିଶେଷ ଖବର

ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଭାରତରେ ଏକ ସ୍ଥିର ସରକାର ପ୍ରତିଷ୍ଠା ହୋଇଥିଲା। ସଂସଦରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ସେ ଆହୁରି କହିଥିଲେ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମନ କୀ ବାତ ଜରିଆରେ ଜନସାଧାରଣଙ୍କ ସହିତ ବ୍ୟକ୍ତିଗତ ଭାବେ ମତବିନିମୟ କରିବା ଲାଗି ଏକ ପ୍ରୟୋଗ କରିଥିଲେ। ଏହି ପ୍ରୟୋଗର ଆଉ ଏକ ପରିଣାମ ମିଳିଥିଲା, ତାହା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ ରେଡିଓ ପୁଣିଥରେ ଲୋକଲୋଚନକୁ ଆସିପାରିଥିଲା।

ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ହୋଇଥିବାରୁ ଏହି ମାସିକ ରେଡିଓ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ୧୦୦ ଅଧ୍ୟାୟ ପୂରଣ କରିବା ବାସ୍ତବରେ ପ୍ରଶଂସନୀୟ। ସେ ମନ କୀ ବାତକୁ ଆମ ସଭ୍ୟତାଗତ ଆଦର୍ଶର ଏକ ପ୍ରତିଫଳନ ଭାବେ ଅଭିହିତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ଅଧ୍ୟାୟଗୁଡ଼ିକ ବିଷରେ ଆଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ନାରୀ ଶକ୍ତିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମୟ ଏବଂ ମହିଳାମାନେ ସଫଳତାର ନୂଆ ଶିଖର ଛୁଇଁପାରୁଛନ୍ତି। ଆମର ରାଷ୍ଟ୍ରପତି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିବାସୀ ମହିଳା। ସାଂସ୍କୃତିକ ଭାବେ ସମୃଦ୍ଧ ଦେଶ ନିଜର ଯୋଗଦାନକୁ ଭୁଲି ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପୁଣିଥରେ ସେହି ଭାବନାକୁ ଜାଗ୍ରତ କରିବା ପ୍ରଶଂସାଯୋଗ୍ୟ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଶ୍ରୀ ଧନଖଡ଼ କହିଥିଲେ ଯେ ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେହି ସମୟରେ ଭାରତ@୧୦୦ର ସ୍ଥିତି କ’ଣ ହେବ ସେଥିପାଇଁ ମନ କୀ ବାତ୍‌ @୧୦୦ ଜରିଆରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇଛି। ଦେଶରୁ ନକାରାତ୍ମକ ଭାବନା ଦୂର କରିବା ଓ ସକାରାତ୍ମକତା ଜାଗ୍ରତ କରିବାରେ ଏହି କାର୍ଯ୍ୟକ୍ରମର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏପରି ସମୟ ଥିଲା ଭାରତ ଆଶା ହରାଇଥିଲା ଏବଂ ବିଶ୍ୱବ୍ୟାପୀ ଆମର ଛବି ମଳିନ ପଡ଼ିଯାଇଥିଲା, କିନ୍ତୁ ଏବେ ଭାରତ କିଭଳି ଶୀର୍ଷ ଛୁଇଁପାରିଛି ତାହା ଆମେ ସମସ୍ତେ ଦେଖିପାରୁଛୁ।

ଅତି କମ ସମୟ ମଧ୍ୟରେ ମନ କୀ ବାତ୍‌ କାର୍ଯ୍ୟକ୍ରମ ସ୍ଥାନୀୟ କାରୀଗର, ପ୍ରତିଭା ଓ କୌଶଳକୁ ପ୍ରସିଦ୍ଧି ଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭାଜିତ ଦେଶ ନିଜ ପ୍ରତିଭାକୁ ଉପଯୋଗ କରିବାକୁ ସକ୍ଷମ ହେନଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ଜାଗ୍ରତ କରିପାରିଛି। ଏହା ଜନଆନ୍ଦୋଳନର ଏକ ଅଗ୍ରଦୂତ ଯାହାର ଉଦାହରଣ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ୱାନ ସମୟରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଆମ ଜନସାଧାରଣଙ୍କ ମଧ୍ୟରେ ଆଶାଆକାଂକ୍ଷା ଜାଗ୍ରତ କରିବା ସହିତ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିଥିବା ଉପରାଷ୍ଟ୍ରପତି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତର ସାଧାରଣ ଜନତାଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏଥିପାଇଁ ଚୟନ କରାଯାଇଥିବା ମାଧ୍ୟମ ପ୍ରକୃତରେ ଏକ ଗଣମାଧ୍ୟମ।

ମନ କୀ ବାତର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ୧୦୬ ଜଣ ଅତିଥିମାନଙ୍କର ଉପସ୍ଥିତି ପାଇଁ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ମନ କୀ ବାତର ୯୯ଟି ଅଧ୍ୟାୟରେ ୭୦୦ରୁ ଅଧିକ ଲୋକ ଏବଂ ସଂଗଠନର ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ସରକାର ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଥିବା ବେଳେ ମନ କୀ ବାତ୍‌ ସେମାନଙ୍କର ସଫଳତାକୁ ଦେଶର ଘରେ ଘରେ ପହଞ୍ଚାଇ ପାରିଛି।

ମନ କୀ ବାତ୍‌ ଜନସାଧାରଣଙ୍କ ବ୍ୟବହାରକୁ ପ୍ରଭାବିତ କରିବା ଲାଗି ଏକ ବ୍ୟବସ୍ଥା ଭାବେ କାମ କରିଛି ବୋଲି ଆଇଆଇଏମ ରୋହତକର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିଜ ଛୋଟ ଝିଅର ଅଙ୍ଗଦାନ କରିଥିବା ଏକ ଦମ୍ପତିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ ଯାହାକି ଦେଶର ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିଲା।

ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବା ସମୟରେ ଆମେ ଦେଶର ଛୋଟ ଛୋଟ ସ୍ଥାନରେ ପ୍ରସ୍ତୁତ ଉପହାର ବିଦେଶୀ ଅତିଥିମାନଙ୍କୁ ଦେଇଥାନ୍ତି, ଏହା ଭାରତର କୋଣଅନୁକୋଣରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱସ୍ତରରେ ପରିଚିତି ଓ ପ୍ରସିଦ୍ଧି ଦେଇଥାଏ। ବିଶ୍ୱବ୍ୟାପୀ କରାଯାଇଥିବା ଏକାଧିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ମିଳିଛି, ଏହା କେବଳ ମନ କୀ ବାତ୍‌ ଭଳି କାର୍ଯ୍ୟକ୍ରମ କାରଣରୁ ହୋଇପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ନିକଟରେ ଆପ୍‌ଲ୍‌ ସିଇଓ ଟିମ୍‌ କୁକ୍‌ ଭାରତ ଗସ୍ତରେ ଆସିଥିବା ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତକୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି ଏବଂ ଏହାର ଅର୍ଥବ୍ୟବସ୍ଥା ବୈଶ୍ୱିକ ନିରାଶା ସମୟରେ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯକ୍ରମ ପାଇଁ ଦେଶବାସୀଙ୍କ ଠାରୁ ମତାମତ ଲୋଡ଼ିଥାନ୍ତି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ କୀ ବାତର ମାତ୍ର ୧୫ଟି ଅଧ୍ୟାୟ ପାଇଁ  ୬୧ ହଜାର ମତାମତ ମିଳିଥିଲା। ୨୦୧୭ରେ ଏହି କାର୍ଯ୍ୟକ୍ରମ ଅଧିକ ସମ୍ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରସାରଣ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ୧୦୬ ଜଣ ସଫଳ ବ୍ୟକ୍ତିବିଶେଷ ଯୋଗ ଦେବା ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ ସହଭାଗିତା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହାକି ସାମାଜିକ ପରିବର୍ତ୍ତନର ଏକ ବାହକ। ଲୋକମାନଙ୍କୁ ଅନୁପ୍ରାଣିତ କରିବା ଓ ସଶକ୍ତ କରିବା ଲାଗି ମନ କୀ ବାତର ସାମାଜିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଆକାଶବାଣୀର ଇତିହାସରେ ମନ କୀ ବାତ୍‌ ସବୁଠାରୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼, ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ମନ କୀ ବାତ୍‌ର ଯାତ୍ରା ବିଷୟରେ ଉଲ୍ଲେଖ କରୁଥିବା ‘ମନ କୀ ବାତ୍‌ ଆଟ୍‌ ୧୦୦ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ପ୍ରସାରଣ ଭାରତୀର ପୂର୍ବତନ ସିଇଓ ଏସ.ଏସ ଭେମ୍ପତିଙ୍କ ରଚିତ ପୁସ୍ତକ ‘କଲେକ୍ଟିଭ୍‌ ସ୍ପିରିଟ୍‌, କଂକ୍ରିଟ୍‌ ଆକ୍ସନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଜନସାଧାରଣଙ୍କ ସହିତ ସାମାଜିକ, ଆର୍ଥିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଫିଟନେସ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନାରୀ ଶକ୍ତି, ବିରାସତ କା ଉଠାନ, ଜନ ସମ୍ବାଦ ସେ ଆତ୍ମନିର୍ଭରତା ଓ ଆହ୍ୱାନ ସେ ଜନ ଆନ୍ଦୋଳନ ଆଦି ବିଷୟବସ୍ତୁ ଉପରେ ଚାରିଟି ଅଧିବେଶନ ଆୟୋଜନ କରାଯାଉଛି।

ସୂଚନା ଯୋଗ ଯେ ୩୦ ଏପ୍ରିଲ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପ୍ରସାରଣ କରାଯିବ।

Categories
ବିଶେଷ ଖବର

ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଆଜି ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟ ସହ ସହଭାଗିତାରେ ଦ୍ରୁତ ତଥା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀ ମାଧ୍ୟମରେ ଏହା କହିବାକୁ ଚେଷ୍ଟା କରାଯାଉଛି କି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଭାରତର ବିକାଶ ତଥା ପ୍ରଗତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ, ଯାହା ସହଯୋଗୀ ସଂଘର ଏକ ଅତ୍ୟାବଶ୍ୟକ ସ୍ତମ୍ଭ ଅଟେ।

ମୁଖ୍ୟ ସଚିବଙ୍କ ଏହା ହେଉଛି ଦ୍ୱିତୀୟ ସମ୍ମିଳନୀ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩ ଦିନ ଚାଲିବ। ପ୍ରଥମ ଏଭଳି ସମ୍ମିଳନୀ ଜୁନ୍ ୨୦୨୨ରେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ବିବୃତ୍ତିରେ କୁହାଯାଇଛି ଯେ, ଜାନୁଆରୀ ୫ ତାରିଖ ୨୦୨୩ରୁ ଆରମ୍ଭ ହୋଇଥିବା ମୁଖ୍ୟ ସଚିବମାନଙ୍କର ଦ୍ୱିତୀୟ ସମ୍ମିଳନୀରେ ରାଜ୍ୟଗୁଡ଼ିକର ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ହାସଲ ଉପରେ କେନ୍ଦ୍ରର ଧ୍ୟାନ ଦିଆଯିବ। ଏହି ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବର୍ଷ ପୂର୍ବେ ଏହି ସମ୍ମିଳନୀ କରିଥିଲେ, ଯାହା ଜୁନ୍ ୨୦୨୨ରେ ଧର୍ମଶାଳାରେ ପ୍ରଥମ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ଚଳିତ ବର୍ଷ ଜାତୀୟ ସଚିବଙ୍କ ଜାତୀୟ ସମ୍ମିଳନୀ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧୀ, ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତଥା ଡୋମେନ୍ ବିଶେଷଜ୍ଞଙ୍କ ସମେତ ୨୦୦ ରୁ ଅଧିକ ଅମଲାତନ୍ତ୍ର ଅଂଶଗ୍ରହଣ କରୁଛନ୍ତି।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ଏହି ସମ୍ମିଳନୀରେ ଏମଏସଏମଇ, ଭିତ୍ତିଭୂମି, ଅନୁପାଳନ ହ୍ରାସ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଦକ୍ଷତା ବିକାଶ ଭଳି ୬ ଟି ବିଷୟ ଉପରେ ଆଲୋଚନା କରାଯାଇଛି।

ବିବୃତ୍ତି ଅନୁଯାୟୀ, ମୁଖ୍ୟ ସଚିବମାନଙ୍କ ଏହି ସମ୍ମିଳନୀ ନିଶ୍ଚିତ ଭାବରେ ୩ ଦିନ ହେବ, କିନ୍ତୁ ଗତ ୩ ମାସ ଧରି ସରକାରଙ୍କ ପ୍ରମୁଖ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଏହି ବିଷୟ ସହ ଜଡିତ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଚାଲିଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବାୟୁ–ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ‘ବାୟୁ-ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଛି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍-୨ ଅଡିଟୋରିୟମରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ସାଂପ୍ରତିକ ସମୟରେ ବାୟୁ ପ୍ରଦୂଷଣ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଥିଲେ। ଏହି ସମସ୍ୟାର ସମଧାନ କରି ପ୍ରକୃତିର ସୁରକ୍ଷା କରିବା ନିମନ୍ତେ ଯୁବ ପିଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଓ ସେମାନେ ପ୍ରକୃତି ସହ ଅଧିକ ରୂପେ ଜଡ଼ିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକଙ୍କ ମତାମତଠୁ ନେଇ ଏହି ବିଷୟରେ ପ୍ରାଚୀନ ଶାସ୍ତ୍ର ର ମନ୍ତବ୍ୟ ବିଷୟରେ ଆଲୋଚନା ହୋଇଛି। ଏହା ଦ୍ଵାରା ପରିବେଶ ସୁରକ୍ଷା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି ହୋଇପାରିଛି। ସମ୍ମିଳନୀରୁ ଉତ୍ପନ୍ନ ପରାମର୍ଶଗୁଡିକ ଠିକ ଭାବରେ ବିଚାର କରାଯାଇ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯାଇପାରିବ। ଗତ ଡିସେମ୍ବର ୧ ରୁ ଭାରତ ଜି-୨୦ ର ସଭାପତି ଦାୟିତ୍ଵ ତୁଲାଊଥିବା ପ୍ରକାଶ କରି ଏହି ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନ ବିଷୟକୁ ଅନେକ ଗୁରୁତ୍ବ ଦେଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବାୟୁ ଏବଂ ପରିବେଶର ବିଭିନ୍ନ ଦିଗ ଉପରେ ସରକାରୀ ସଂଗଠନଗୁଡ଼ିକ ଦ୍ବାରା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ବାୟୁ ଗୁଣବତ୍ତା ବିଶେଷଜ୍ଞ, ଛାତ୍ରଛ।ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସହରର ମ୍ୟୁନିସିପାଲିଟି କମିଶନର, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୨୩ରେ ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ।

ସଂଘୀୟ ସହଯୋଗ ବ୍ୟବସ୍ଥାକୁ ଆଗେଇ ନେବା ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି। ନୀତିଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ, ପରିବେଶ ପାଇଁ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ରାଜ୍ୟର କାର୍ଯ୍ୟାନ୍ୱୟନ ଯୋଜନା ଇତ୍ୟାଦି ଅନ୍ତର୍ଭୁକ୍ତ। ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯିବ।

୨୩ ଓ ୨୪ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଛଅଟି ଅଧିବେଶନ ରହିଛି। ଏଥିରେ ଆଲୋକପାତ କରାଯାଉଥିବା ବିଷୟଗୁଡିକ ମଧ୍ୟରେ ରହିଛି ଏଲଆଇଏଫଇ ପରିବେଶ ଭିତ୍ତିକ ଜୀବନ ଶୈଳୀ) ଜଳବାୟୁ ପରିବର୍ତ୍ତନର ମୁକାବିଲ, ପରିବେଶ (ସମନ୍ୱିତ ସବୁଜ ସ୍ୱୀକୃତୀ ପାଇଁ ଏକକ ଗବାକ୍ଷ ପଦ୍ଧତି), ଜଙ୍ଗଲ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ, ବନ୍ୟପ୍ରାଣୀ ପରିଚାଳନା, ପ୍ଲାଷ୍ଟିକ ଓ ବର୍ଜ୍ୟ ପରିଚାଳନା ଇତ୍ୟାଦି।