Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ “ପ୍ରୟୋଗାତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ ଜାତୀୟ ସେମିନାର ଆୟୋଜିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ “ପ୍ରୟୋଗାତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ ଏକ ଦିବସୀୟ ଜାତୀୟ ସେମିନାର ଆଜି ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜାତୀୟ ସମ୍ପାନର ସଭାପତି ଡକ୍ଟର ଜୟନ୍ତୀ ସାମଲ ଓ ମୁଖ୍ୟ ଅତିଥି ତଥା ଆଲ୍ଲାହାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୂର୍ଯ୍ୟକାନ୍ତ ମହାରଣା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ପରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା। ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ପରେ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସମ୍ପାନର ବିଷୟ ସମ୍ପର୍କିତ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଭାବେ ପ୍ରଫେସର ସୂର୍ଯ୍ୟକାନ୍ତ ମହାରଣା କହିଲେ ଯେ ଦର୍ଶନଶାସ୍ତ୍ର ଆଜି କେବଳ ତତ୍ତ୍ୱ ହୋଇ ରହିନାହିଁ,ଏହା ମନୁଷ୍ୟଜୀବନର ବିଭିନ୍ନ ମୌଳିକ ସମସ୍ୟାର ବିଶ୍ଳେଷଣ କରିବା ସହ ସମସ୍ୟାର ସମାଧାନ ଓ ସୈଦ୍ଧାନ୍ତିକ ନିଷ୍ପତ୍ତି ନେବାରେ ସହାୟକ ହୋଇପାରୁଛି।  ଚରିତ୍ର ଓ ଆଚରଣ ରେ ସମନ୍ୱୟ ସୃଷ୍ଟି ହୋଇପାରିଲେ ଜଣେ ଯଥାର୍ଥ ମନୁଷ୍ୟ ଭାବେ ନିଜକୁ ପ୍ରତିପାଦିତ କରିପାରିବ। ଏଥିସହ ପ୍ରଫେସର ମହାରଣା ପ୍ରୟୋଗାତ୍ମକ ନୀତିଶାସ୍ତ୍ର ଅନ୍ତର୍ଭୁକ୍ତ ପରିବେଶ ଚିନ୍ତନ, ଇଛାମୃତ୍ୟୁ, ଗର୍ଭପାତ, ଡାକ୍ତର- ରୋଗୀ ନୈତିକ ସମ୍ପର୍କ,ବ୍ୟବସାୟିକ ନୈତିକତା, ଗଣ ମାଧ୍ୟମ ନୈତିକତାର ଗଭୀର ଚିନ୍ତନ ଉପସ୍ଥାପନ କରିଥିଲେ। ଏହାପରେ ଛାତ୍ରୀ ବର୍ଷା ବିଷୋୟୀ ଓ ଜ୍ୟୋତି ବିଶ୍ୱାସ ସମ୍ପlନ ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ଅଧ୍ୟକ୍ଷl ଡକ୍ଟର ସାମଲ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ ଅତିଥି ପ୍ରଫେସର ମହାରଣା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ନିକଟରେ ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ଅଧ୍ୟାପିକା ଭାବେ ମନୋନୀତ ହୋଇ ନିଯୁକ୍ତ ହେବାକୁ ଯାଉଥିବା ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ, ଡକ୍ଟର ମୋନାଲିସା ମାନସିଂହ, ରୀନା ରାଉତ, ଶିବରାମ ସିଂ,ବିମଳ ପଣ୍ଡା, ସରସ୍ବତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି ଜାତୀୟ ସମ୍ପlନକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସେମିନାର ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ। ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏକ ଉନ୍ନତ ସମାଜ ଗଠନ ପାଇଁ ଶିକ୍ଷା’ ବିଷୟବସ୍ତୁ ଉପରେ ଏକ ଜାତୀୟ ସେମିନାର ଆୟୋଜିତ ହୋଇଯାଇଛି। ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଆୟୋଜିତ ଏହି ସେମିନାରରେ କିଟ୍‌ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସେମିନାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ପ୍ରଦ୍ୟୋତ କେଶରୀ ପ୍ରଧାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ମହେଶ୍ୱର ସାହୁ, କିଟ୍‌ର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାର ୪୫୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ସେମିନାରରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ଭୁବନେଶ୍ୱର: ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହାର ଶୀର୍ଷକ ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ ରହିଛି।

ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ ପ୍ରଫେସର ଡକ୍ଟର ରାମକୃଷ୍ଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଏମ୍ ଏସ ପି ଏଲର ଭାଇସ ପ୍ରେସିଡେଣ୍ଟ ଡକ୍ଟର ଦେବବ୍ରତ ଦାସ, କିଟ୍ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଡକ୍ଟର ସୁମନ ଭଟ୍ଟାଚାର୍ଯ୍ୟ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଡବ୍ଲ୍ୟୁ ଏସ୍ ଉଇଲିୟମ୍ ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

ନିସ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେବା ସହିତ ଶିଳ୍ପ ବିପ୍ଳବ ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଉପଦେଷ୍ଟା ଡକ୍ଟର ପ୍ରତାପ କୁମାର ତ୍ରିପାଠୀ, ଉପନିର୍ଦ୍ଦେଶକ ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ରାଜେଶ ସ୍ୱାଇଁ, ଡିନ୍ ସାଧାରଣ ପ୍ରଶାସନ ପ୍ରଫେସର ବିଷ୍ଣୁ ପାଲ, ଯୁଗ୍ମ ରେଜିଷ୍ଟ୍ରାର ପ୍ରଫେସର ଭବାନୀ ଶଙ୍କର ରଥ ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରମୁଖ ଯୋଗଦେଇଥିଲେ।

ନିସ୍ ଶିକ୍ଷାନୁଷ୍ଠାନର ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ ଅତିଥୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିବା ବେଳେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଏମବିଏ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।