Categories
ଆଜିର ଖବର ଜାତୀୟ ଖବର

ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି। ଏହି ସହଯୋଗ ବୁଝାମଣାପତ୍ର (ଏମ୍‌ଓସି  ୨୦୨୩ ଜୁଲାଇରେ ସ୍ୱାକ୍ଷର କରାଯାଇଥିଲା। ଏଥିରେ ଭାରତ ପକ୍ଷରୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନ ପକ୍ଷରୁ ଅର୍ଥନୀତି, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରତିନିଧି ସ୍ୱାକ୍ଷର କରିଥିଲେ। ଏହା ଭାରତ-ଜାପାନ ସେମି କଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ନାମରେ ପରିଚିତ।

ଏହି ଏମ୍‌ଓସି ଦୁଇ ଦେଶ ମଧ୍ୟରେ ସେମି କଣ୍ଡକ୍ଟର କାରବାର ଓ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହେବ। ଡିଜିଟାଲ ଟେକ୍‌ନୋଲୋଜି ଓ ଉଦ୍ୟୋଗର ବିକାଶରେ ସେମିକଣ୍ଡକ୍ଟରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାରତ ଓ ଜାପାନ ଉଭୟ ଏହି ବୁଝାବଣା ସହଯୋଗ ଦ୍ୱାରା ଉପକୃତ ହେବେ। ଏହି ଏମ୍‌ଓସି ସ୍ୱାକ୍ଷରିତ ହେବା  ଦିନ ଠାରୁ କାର‌୍ୟ୍ୟକାରୀ ହେବା ସହିତ ପାଞ୍ଚ ବର୍ଷ ଯାଏ ବଳବତ୍ତର  ରହିବ। ଏହା ଦ୍ୱାରା ଉଭୟ ଦେଶ ଜି୨ଜି ଓ ବି୨ଜି ଦ୍ୱିପାକ୍ଷିକ ସହଯୋଗ ଭିତ୍ତିରେ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବାକୁ କାମ କରିବେ।

ପୃଷ୍ଠଭୂମି:- ଭାରତରେ ଏକ ସୁଦୃଢ ଓ ଉତ୍ତମ ଇଲେକ୍‌ଟ୍ରୋନିକ୍ସ  ତଥା ସେମିକଣ୍ଡକ୍ଟର ଉତ୍ପାଦନ ଭିତ୍ତିଭୂମି ନିର୍ମାଣ କରିବାକୁ ଇଲେକ୍‌ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ  ଗୁରୁତ୍ୱର ସହିତ କାମ କରୁଛି। ଭାରତରେ ସେମି କଣ୍ଡକ୍ଟର ଫ୍ୟାବ୍ସ, ଡିସ୍‌ପ୍ଲେ ଫ୍ୟାବ୍ସ, କମ୍ପାଉଣ୍ଡ ସେମିକଣ୍ଡକ୍ଟର /ସିଲିକନ୍ ଫଟୋନିକ୍ସ/ସେନ୍‌ସର୍‌/ଡିସକ୍ରିଟ୍ ସେମିକଣ୍ଡକ୍ଟର, ସେମି କଣ୍ଡକ୍ଟର ପ୍ରସ୍ତୁତି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ଏଟିଏମ୍‌ପି) ଆଉଟସୋର୍ସଡ୍ ସେମି କଣ୍ଡକ୍ଟର ଆସେମ୍ଲି ଓ ଟେଷ୍ଟ (ଓଏସ୍‌ଏଟି) ବ୍ୟବସ୍ଥା  ନିର୍ମାଣ ଉପରେ ଗୁରୁ୍‌ତ୍ୱ ଦିଆଯାଉଛି ଏବଂ ଏ କ୍ଷେତ୍ରରେ ଜାପାନର ସାହାଯ୍ୟ ସହଯୋଗ ଓ ଅଂଶଦାରୀ ଲୋଡାଯାଇଛି।

ସେମିକଣ୍ଡକ୍ଟର ନିର୍ମାଣ ଓ ଯୋଗାଣ କ୍ଷେତ୍ରରେ ଯେ କୌଣସି ରାଷ୍ଟ୍ର ତଥା ଆର୍ନ୍ତଜାତିକ ସହଯୋଗ ପାଇବାକୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି। ଦେଶର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଉଦ୍ୟୋଗ କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଉଦ୍ୟମ କରୁଛି। ସେମିକଣ୍ଡକ୍ଟର ଅଭାବ ଯୋଗୁଁ ଆମ ଆଇଟି, ଡିଜିଟାଲ ଓ ପ୍ରଯୁକ୍ତି କ୍ଷେତ୍ର ଯେପରି ପଛରେ ପଡି ନ ଯାଏ ସେଥି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଓ କୌଶଳ କାର‌୍ୟ୍ୟକାରୀ କରୁଛନ୍ତି।