Categories
ଆଜିର ଖବର ଜାତୀୟ ଖବର

ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ବୟାନକୁ ବିରୋଧ: ଇସ୍ତଫା ଦେଲେ ତିନିଜଣ ବରିଷ୍ଠ ନେତା

ଜାମ୍ମୁ: ଆଜି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ତିନିଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଟି.ଏସ୍ ବାଜୱା, ବେଦ ମହାଜନ ଏବଂ ହୁସେନ୍ ୱାଫା ପିଡିପିରୁ ଇସ୍ତଫା ଦେଇଛନ୍ତି। ଏହି ତିନି ବରିଷ୍ଠ ନେତା ତାଙ୍କ ଇସ୍ତଫା ପତ୍ର ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ନିକଟକୁ ପଠାଇଛନ୍ତି।

ସେମାନେ ଏହି  ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମେହବୁବାଙ୍କ କିଛି କାର୍ଯ୍ୟ ତଥା ବୟାନକୁ ନେଇ ସେମାନେ ଅସହଜ ଅନୁଭବ କରୁଛନ୍ତି। ଯାହା ସେମାନଙ୍କ ଦେଶପ୍ରେମ ଭାବନାକୁ ଆଘାତ ଦେଇଛି। ମେହବୁବାଙ୍କ ପିତା ସ୍ୱର୍ଗତ ମୁଫତି ମହମ୍ମଦ ସୟିଦଙ୍କ ସମୟରୁ ଏହି ନେତାମାନେ ପିଡିପି ସହ ଜଡ଼ିତ ଥିଲେ।

ସୂଚନା ଯୋଗ୍ୟ ଯେ, ମେହବୁବା ମୁଫତି ୧୪ ମାସର ଗୃହବନ୍ଦିରୁ ମୁକ୍ତ ହେବା ପରେ ଶୁକ୍ରବାର ଦିନ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଜାମ୍ମୁ କାଶ୍ମୀରର ପତାକା ଉତ୍ତୋଳନ କରିବାକୁ ଅନୁମତି ନଦେଲେ ତାଙ୍କ ଦଳ ଭାରତୀୟ ତ୍ରିରଙ୍ଗା ଉଠାଇବ ନାହିଁ। ଏହି ବୟାନକୁ ନେଇ ସେମାନେ ବିରୋଧ କରିଛନ୍ତି ଏବଂ ଦଳରୁ ଇସ୍ତଫା ଦେଇଛନ୍ତି।

ଗତ ବର୍ଷ ଅଗଷ୍ଟ ୫ ରେ ସମ୍ବିଧାନର ଧାରା ୩୭୦ ରଦ୍ଦ ହେବା ପୂର୍ବରୁ ଜାମ୍ମୁ କାଶ୍ମୀରରେ ଏକ ପୃଥକ ପତାକା ଏବଂ ଦେଶର ସମ୍ବିଧାନ ସହିତ ଏକ ପୃଥକ ସମ୍ବିଧାନ ଥିଲା।