Categories
ଆଞ୍ଚଳିକ

ଏଣିକି ଚୋରା ମଦ ବେପାରୀଙ୍କୁ ନିସ୍ତାର ନାହିଁ: ବାଣପୁରରେ ନିୟମିତ ଜାରି ରହିବ ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ନେଇ ନିକଟରେ ‘ସମୀକ୍ଷା’ ରେ ଖବର ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ପୃଥକ ଭାବେ ଚଢାଉ କରିଥିଲେ। ବାଣପୁର ଥାନା ଅନ୍ତର୍ଗତ ସରନଇ ଏବଂ ଗମ୍ଭାରୀମୁଣ୍ଡା ବଜାରରେ ଚଢ଼ାଉ କରିଥିଲେ।

ସରନଇ ଗ୍ରାମରୁ ୨୭ ଲିଟର ଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ଇନ୍ସପେକ୍ଟର ଆଲୋକ ପ୍ରଧାନ ଗିରଫ କରିଥିବା ବେଳେ ଗମ୍ଭାରୀମୁଣ୍ଡା ବଜାରରୁ ୧୬ ଲିଟର ବିଦେଶୀ ମଦ ଏବଂ ୧୭ ଲିଟର ବିଅର ସମେତ ଅଭିଯୁକ୍ତଙ୍କୁ ଏଏସଆଇ ରଞ୍ଜନ ଦାସ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ତେବେ ଏହିପରି ଚଢ଼ାଉ ଅବକାରୀ ବିଭାଗ ଦ୍ୱାରା ଆଗକୁ ମଧ୍ୟ ବାଣପୁର ବାଲୁଗାଁ ଅଞ୍ଚଳରେ ନିୟମିତ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।