Categories
ଆଜିର ଖବର ଜାତୀୟ ଖବର

ଜାରି ହେଲା ବିଜ୍ଞପ୍ତି: ରାହୁଲ ଗାନ୍ଧୀଙ୍କୁ ଏକ ମାସ ମଧ୍ୟରେ ଖାଲି କରିବାକୁ ପଡିବ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ ଦିଆଯାଇଛି। ସଂସଦର ସଦସ୍ୟତା ରଦ୍ଦ ହେବା ପରେ ଲୋକସଭାର ଗୃହ କମିଟି ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ରାହୁଲ ଗାନ୍ଧୀ ୧୨ ତୁଗଲକ୍ ଲେନ୍ ର ଏକ ସରକାରୀ ବଙ୍ଗଳାରେ ରୁହନ୍ତି। ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୨୨ ତାରିଖ ସୁଦ୍ଧା ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ବିଜ୍ଞପ୍ତି ଅନୁଯାୟୀ ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ।

ଗୁରୁବାର ଦିନ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ଉପନାମ’ ସମ୍ପର୍କିତ ମନ୍ତବ୍ୟ ଦେଇ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଥିଲେ।

ଲୋକସଭା ସଚିବାଳୟ ଦ୍ଵାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ତାରିଖରୁ ତାଙ୍କର ଅଯୋଗ୍ୟତା ଆଦେଶ କାର୍ଯ୍ୟକାରୀ ହେବ। ବିଜ୍ଞପ୍ତିରେ କୁହାଯାଇଛି ଯେ, ସେ (ରାହୁଲ ଗାନ୍ଧୀ) ସମ୍ବିଧାନର ଧାରା ୧୦୨ (୧) ଏବଂ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୮ ଅନୁଯାୟୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି।